ସୁପାରୀ ପୁତେଲଙ୍କର ଠିକ୍ ଭାବେ ମନେ ନାହିଁ ଯେ ସେ ଗୋଟିଏ ଦଶନ୍ଧି ମଧ୍ୟରୁ କେତେ ସମୟ ଡାକ୍ତରଖାନା ଭିତରେ ବିତାଇଛନ୍ତି।
ଏତେ ଲମ୍ବା ସମୟ ଧରି, ସେ ନିଜର ୧୭ ବର୍ଷୀୟ ପୁଅର ଚିକିତ୍ସା ଲାଗି ଓଡ଼ିଶା ଓ ଛତିଶଗଡ଼ର ଡାକ୍ତରଖାନାକୁ ଦୌଡ଼ି ଚାଲିଥିଲେ। ଏବଂ ପୁଣି, କିଛିଦିନ ପର୍ଯ୍ୟନ୍ତ, ନିଜର ସ୍ୱାମୀ ସୁରେଶ୍ୱରଙ୍କ ପାଇଁ ମୁମ୍ବାଇ ଯାତ୍ରା କରିଥିଲେ।
୨୦୧୯ରେ ଚାରି ମାସର ଅନ୍ତରାଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହାଫଳରେ ସୁପାରୀଙ୍କୁ ଦୁଃଖର ବୋଝ ମାଡ଼ି ବସିଥିଲା।
ତାଙ୍କର ସ୍ୱାମୀ ସୁରେଶ୍ୱର ମାତ୍ର ୪୪ ବର୍ଷ ବୟସ୍କ ଥିଲେ। ସେପ୍ଟେମ୍ବର ୨୦୧୯ରେ ସେ ଓ ସୁପାରୀ ମୁମ୍ବାଇ ପଳାୟନ କରିଥିଲେ-ଯାହାକି ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଥିବା ସେମାନଙ୍କ ଘର ଠାରୁ ପାଖାପାଖି ୧,୪୦୦ କିମି ଦୂରରେ ଅବସ୍ଥିତ। ଶ୍ରମିକମାନଙ୍କର ଏକ ସ୍ଥାନୀୟ ଏଜେଣ୍ଟ ସେମାନଙ୍କୁ ନିର୍ମାଣ ସ୍ଥଳୀରେ ଚାକିରି କରିବା ଲାଗି ଭର୍ତ୍ତି କରିଥିଲା। “ଆମେ ଆମ ଋଣ ପରିଶୋଧ କରିବା ଓ ନିଜର ଘର (କୋଠା)କୁ ସମ୍ପୂର୍ଣ୍ଣ କରିବା ଲାଗି କିଛି ଟଙ୍କା ରୋଜଗାର କରିବାକୁ ଯାଇଥିଲୁ”, ସୁପାରୀ କହିଥିଲେ। ଦୁହେଁ ମିଶି, ଦୈନିକ ମଜୁରି ଆକାରରେ ୬୦୦ ଟଙ୍କା ରୋଜଗାର କରୁଥିଲେ।
“ଦିନେ ସନ୍ଧ୍ୟାରେ, ମୁମ୍ବାଇରେ ନିର୍ମାଣ ସ୍ଥଳୀରେ କାମ କରିବା ସମୟରେ ମୋ ସ୍ୱାମୀଙ୍କୁ ଖୁବ ଜୋରରେ ଜ୍ୱର ଆସିଲା”, ୪୩ ବର୍ଷୀୟା ସୁପାରୀ, ତୁରେକେଲା ବ୍ଲକରେ ୯୩୩ ଜଣ ଲୋକଙ୍କ ଜନସଂଖ୍ୟା ବିଶିଷ୍ଟ ଗ୍ରାମ, ହିଆଲରେ ନିଜର ମାଟି ଘର ଆଗରେ ତଳେ ବସି ରହି, ପୂର୍ବ କଥା ସବୁ ସ୍ମରଣ କରି କହୁଥିଲେ। ସେ ଓ ତାଙ୍କର ପରିବାର ମାଳୀ ଜାତି, ଓବିସି ବର୍ଗର ଅଟନ୍ତି।
ସୁପାରୀ ଓ ନିର୍ମାଣ ସ୍ଥଳୀର ସୁପରଭାଇଜର ସୁରେଶ୍ୱରଙ୍କୁ ଅଟୋ ରିକ୍ସାରେ ଓ ଆମ୍ବୁଲାନ୍ସରେ ସହର ପରିଧି ମଧ୍ୟରେ ଥିବା ତିନୋଟି ଡାକ୍ତରଖାନାକୁ ନେଇଯାଇଥିଲେ, ଏବଂ ଶେଷରେ ଉତ୍ତର-ମଧ୍ୟ ମୁମ୍ବାଇର ସାୟନ ସ୍ଥିତ ଲୋକମାନ୍ୟ ତିଲକ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲରେ ପହଞ୍ଚାଇଥିଲେ।
“ପ୍ରତ୍ୟେକ ଡାକ୍ତରଖାନା ଆମକୁ ଅନ୍ୟ ଡାକ୍ତରଖାନାକୁ ପଠାଉଥିଲା କାରଣ (ସେତେବେଳେ) ଆମ ପାଖରେ ଆମର ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ନଥିଲା,” ସୁପାରୀ କହିଥିଲେ। “ତାଙ୍କ ଠାରେ କାମଳ(ଜଣ୍ଡିସ)ର ଲକ୍ଷଣ ଥିଲା। ତାଙ୍କ ଶରୀର ଅଣ୍ଟାଠାରୁ ତଳକୁ ପକ୍ଷାଘାତ ଗ୍ରସ୍ତ ହୋଇଯାଇଥିଲା, ସେଥିପାଇଁ ମୁଁ ତାଙ୍କ ପାଦକୁ ଆଉଁସି ଦେଉଥିଲି”, ସେ କହିଥିଲେ, କିନ୍ତୁ ରୋଗ ବିଷୟରେ ତାଙ୍କ ପାଖରେ ସଠିକ ସୂଚନା ନଥିଲା। ପରଦିନ ୬ ନଭେମ୍ବର, ୨୦୧୯ରେ ସୁରେଶ୍ୱରଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।








