ଅଗଷ୍ଟ ମାସର ଏକ କୁହୁଡ଼ିପୂର୍ଣ୍ଣ ସକାଳେ ନିଜ ଘରୁ ଦିନ ମଜୁରିଆ ଭାବେ କାମ କରୁଥିବା ରତ୍ନବା ଏସ୍. ହରିଜନ କ୍ଷେତକୁ ଦ୍ରୁତ ଗତିରେ ଚାଲିକରି ଯିବା ସମୟରେ କୁହନ୍ତି,"ମୁଁ ଜନ୍ମ ହେବାଠାରୁ ଏହି ପରି ଚଲିଛି; ମୁଁ ଏଠାରେ ଦିନମଜୁରିଆ ଭାବରେ କାମ କରିଆସୁଛି"। ଅଳ୍ପ ନଇଁ କରି ଦ୍ରୁତଗତିରେ ଚାଲିକରି ଯିବା ସମୟରେ ତାଙ୍କର ଛୋଟେଇ ହୋଇ ଚାଲିବା ଲୁଚିଯାଏ ଯାହାକି ତାଙ୍କର ପିଲାଦିନରୁ ରହି ଆସିଛି।
ଚାଷ ଜମିରେ ପହଁଚିବା ପରେ, ସେ ନିଜ ସହିତ ନେଇଥିବା କାର୍ଯ୍ୟ ପୋଷାକ ବାହାର କରିଦିଅନ୍ତି। ପ୍ରଥମେ, ସେ ନିଜ ଶାଢି ଉପରେ ଏକ ନୀଳ ରଙ୍ଗର ସାର୍ଟ ପିନ୍ଧନ୍ତି ଏବଂ ତା’ପରେ ପରାଗ ରେଣୁ କଣିକାରୁ ରକ୍ଷା ପାଇବା ପାଇଁ ଅଣ୍ଟାରେ ଏକ ଲମ୍ବା, ହଳଦିଆ ପ୍ରିଣ୍ଟେଡ୍ ନାଇଟି ଗୁଡ଼ାଇ ଦିଅନ୍ତି। ଏହା ଉପରେ, ସେ ଏକ ଛିଣ୍ଡା ନୀଳ ସିଫନ୍ କପଡ଼ାକୁ ଥଳି ସଦୃଶ ବାନ୍ଧି, ଭେଣ୍ଡି ଗଛର କିଛି ଗାଣ୍ଡୁ ହୁଭୁ ('ପୁରୁଷ ଫୁଲ') ସଂଗ୍ରହ କରନ୍ତି। ନିଜ ମୁଣ୍ଡରେ ଏକ ଧଳା ଟାୱେଲ ବାନ୍ଧି ୪୫ ବର୍ଷୀୟା ରତ୍ନବା ବାମ ହାତରେ ଏକ ସୂତା ବଣ୍ଡଲ ଧରି କାମ ଆରମ୍ଭ କରନ୍ତି।
ସେ ଗୋଟିଏ ଫୁଲ ଧରନ୍ତି ଏବଂ ଧୀରେ ଧୀରେ ପାଖୁଡ଼ାକୁ ବଙ୍କା କରି ପୁରୁଷ ଫୁଲରୁ ପରାଗରେଣୁକୁ ପ୍ରତ୍ୟେକ ଫଳିକାଶୀର୍ଷରେ ସ୍ପର୍ଶ କରାନ୍ତି। ସେ ଏହାର ଚାରିପାଖରେ ଏକ ସୂତା ବାନ୍ଧି ପରାଗଣ ଫଳିକାକୁ ଚିହ୍ନିତ କରନ୍ତି। ନଇଁକରି ସେ ଚାଷ ଜମିରେ ଥିବା ଭେଣ୍ଡି ଗଛ ଧାଡ଼ିର ପ୍ରତ୍ୟେକ ଫୁଲରେ ପରାଗ ସଂଗମ କରାନ୍ତି। ସେ ହାତ-ପରାଗ ସଂଗମରେ ପାରଙ୍ଗମ - ସେ ପିଲାଦିନରୁ ଏହି କାମ କରୁଛନ୍ତି।
ରତ୍ନବା କର୍ଣ୍ଣାଟକର ମାଡ଼ିଗା ସମ୍ପ୍ରଦାୟର ଏକ ଦଳିତ ଜାତିର ଅଟନ୍ତି। ସେ କର୍ଣ୍ଣାଟକର ହାଭେରୀ ଜିଲ୍ଲାର ରାନିବେନୁର ତାଲୁକାର କୋଣାନାଟାଲି ଗାଁର ମାଡ଼ିଗାରାକେରୀ (ମାଡିଗା କ୍ୱାର୍ଟର୍) ରେ ରୁହନ୍ତି।












