ଅନୁବାଦ: ଓଡ଼ିଶାଲାଇଭ୍
T


Kalahandi, Odisha
|TUE, FEB 19, 2019
ହାଣ୍ଡି ତଳୁ ମାଟି ଖସୁଛି
କଳାହାଣ୍ଡିର କୁମ୍ଭାର ସଂପ୍ରଦାୟର ହାଣ୍ଡି କାରିଗରମାନେ ଧୀରେ ଧୀରେ ସେମାନଙ୍କ କୌଳିକ ବୃତ୍ତି ଛାଡୁଛନ୍ତି। ଏହାର ମୂଲ୍ୟ ଏବଂ ଚାହିଦା କମିବାରୁ ବାଧ୍ୟ ହୋଇ ଏମାନେ ଧାତବ ବାସନକୁସନ ବିକ୍ରି କଲେଣି, କିଛି ଲୋକ କୃଷି ଶ୍ରମିକ ଭାବେ କାମ କରୁଛନ୍ତି, ବା କାମ ଖୋଜିବାକୁ ବାହାରକୁ ଚାଲି ଯାଉଛନ୍ତି ।
Author
Translator
Abhijit Mohanty
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଫଲା ଗାଁର ମହାଦେବ ନାଏକ ପ୍ରସ୍ତୁତ ହେଉଛନ୍ତି ଅଡ୍ରି ଗ୍ରାମପଞ୍ଚାୟତର ସପ୍ତାହିକ ହାଟକୁ ଯିବା ପାଇଁ। ସେ ଏକାବେଳକେ ୨୫ ରୁ ୩୦ଟି ମାଟି ହାଣ୍ଡି ନିଅନ୍ତି; ପ୍ରତିଟିର ଓଜନ ୧ ରୁ ୨ କିଲୋ। ୧୨ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଦୁଇ ଘଣ୍ଟା ଲାଗିବ। ରାସ୍ତା ପଥୁରିଆ, ବାଟରେ ସେ ମଝିରେ ମଝିରେ ବିଶ୍ରାମ ନେବେ। ପ୍ରତି ବର୍ଷ ମାଟିପାତ୍ର ବିକ୍ରି କରି ନାଏକ ୧୦,୦୦୦ରୁ ୧୫,୦୦୦ ଟଙ୍କା ରୋଜଗାର କରିଥାନ୍ତି ।
Abhijit Mohanty
ସୋଭନୀ ମୁଦୁଲି ଓ ସୁନ୍ଦରୀ ନାଏକ ଅଡ୍ରି ହାଟକୁ ଯାଉଛନ୍ତି। ମାଟି ହଣ୍ଡି ଗଢିବା ଏକ ଶ୍ରମସାଧ୍ୟ କାମ, ଏଥିରେ ଅଧିକାଂଶ କାର୍ଯ୍ୟ ମହିଳା ଏବଂ ପିଲାମାନେ କରିଥାନ୍ତି। ମାଟିକୁ ପ୍ରଥମେ ଏକ ବାଡି ସାହଯ୍ୟରେ ବାଡ଼େଇ ବାଡ଼େଇ ଚୂନା କରିବାକୁ ପଡ଼େ, ଯେପରି ସେଥିରେ ଗୋଡ଼ି କିମ୍ବା ଅନ୍ୟ କୌଣସି ଅନାବଶ୍ୟକ ପଦାର୍ଥ ନରହେ। ତା ପରେ ଏହାକୁ ଅଧା ଓଳି ପାଣିକୁଣ୍ଡରେ ପକାଯାଏ। ପରେ ଏହାକୁ ପାଦରେ ଚକଟା ଯାଏ, ଯେପରି କାଦୁଅ ଭିତରେ ଆଦୌ ପବନ ଫୋଟକା ନରହେ।
Abhijit Mohanty
ହରି ମାଝୀ ହାଣ୍ଡି ଗଢୁଛନ୍ତି : ପୁରୁଷମାନେ ସାଧାରଣତଃ ଚକ ବୁଲାନ୍ତି। ମାଟି ପାତ୍ର ଗଢିବା ଏକ କଳା ଯାହା ପୁରୁଷାନୁକ୍ରମେ ଚାଲି ଆସିଛି। ଆଦିବାସୀ ପରମ୍ପରା ଏବଂ ପର୍ବରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ବିଶ୍ୱାସ କରାଯାଏ ଯେ, ଭାବାବେଗ ଏବଂ ଆଧ୍ୟାତ୍ମିକ ଚେତନା ଏଥିରେ ନିହିତ ଥାଏ। କିନ୍ତୁ କଳାହାଣ୍ଡିରେ କୁମ୍ଭାର ସଂପ୍ରଦାୟ ଏହି ପାରମ୍ପରିକ ବୃତ୍ତିରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି। ବାଫଲା ଗାଁର ଗୁରୁନାଥ ମାଝୀ କହିଲେ, ‘‘ପେଟ ପାଟଣା ପାଇଁ କେବଳ ମାଟିପାତ୍ର ନିର୍ମାଣ ଉପରେ ନିର୍ଭର କରି ହେବନି। ଏଥିରେ କିଛି ରୋଜଗାର ନାହିଁ। ତେଣୁ ବଞ୍ଚିବା ପାଇଁ ଅନ୍ୟ ଘରକରଣା ଜିନିଷ ବିକ୍ରି କରିବାକୁ ପଡ଼ୁଛି।’’
Abhijit Mohanty
ଘୁରୁଥିବା ଏକ ଦେଶୀ-ତିଆରି ଚକର ମଝି ସ୍ଥାନରେ କାଦୁଅକୁ ରଖାଯାଏ। ତା ପରେ କାଦୁଅର ମଝି ଭାଗରେ ଚାପ ଦେଇ ନିଜ ଇଛା ଅନୁସାରେ ଭିନ୍ନ ଭିନ୍ନ ଆକୃତିର ପାତ୍ର ତିଆରି କରାଯାଏ। ଏସବୁ ହାତର କରାମତି। ପାଖରେ ଅଧା-ଭଙ୍ଗା ଏକ ମାଟି ପାତ୍ରରେ ପାଣି ରଖାଯାଇଥାଏ। ମାଟିକୁ ଚୂଡ଼ାନ୍ତ ଆକାର ଦେବାବେଳେ ପାଣି ମାରିବା ଅବଶ୍ୟକ ହୁଏ। ଏଥିପାଇଁ ଏକ ପୁରୁଣା ସୂତା କପଡ଼ା ବ୍ୟବହାର ହୋଇଥାଏ।
Abhijit Mohanty
ମଙ୍ଗଳୁ ମୁଦୁଲି (ବାମପଟୁ ପ୍ରଥମ) ଓ ଶୁକବରୁ ମାଝୀ ‘ପିଟଣୀ’ ବ୍ୟବହାର କରୁଛନ୍ତି -ପିଟଣୀ ହେଉଛି କାଦୁଅକୁ ଥାପିବା ପାଇଁ କାଠ ତିଆରି ଏକ ଛୋଟ ଗୋଲାକାର ଯନ୍ତ୍ର - ଏଥିରେ ମାଟି ପାତ୍ରକୁ ଚୂଡାନ୍ତ ରୂପ ଦିଆଯାଏ। ଏହା ଶେଷ ପର୍ଯ୍ୟାୟର କାମ ହୋଇଥିବାରୁ କୌଣସି ତ୍ରୁଟି ଯେପରି ନହୁଏ ସେଥିପାଇଁ କାରିଗର ଖୁବ୍ ସାବଧାନତା ଅବଲମ୍ବନ କରନ୍ତି।
Abhijit Mohanty
ମାଟିକୁ ଆକୃତି ଦେବାରେ ହରି ଧଙ୍ଗଡ଼ମାଝୀ ଖୁବ ଅଭିଜ୍ଞ। ସେ କହନ୍ତି, ‘‘ମୋ ବାପା ଓ ଜେଜେ ବାପା ମାଟିରେ ବିଭିନ୍ନ ଜିନିଷ ଗଢିବା ମୁଁ ପିଲାବେଳୁ ଦେଖିଛି, ମୁଁ ତାଙ୍କଠାରୁ ଅନେକ କଳାକୌଶଳ ଶିଖିଛି। କିନ୍ତୁ ମୁଁ ଚାହୁଁନି ମୋ ପୁଅ ଏହାକୁ ଜୀବିକା କରୁ। ମାଟି ପାତ୍ରର ଚାହିଦା ଦିନକୁ ଦିନ କମିକମି ଯାଉଛି। ଅଳ୍ପ କିଛି ଅଧିକ ରୋଜଗାର ପାଇଁ ଏବେ ଆମକୁ କୌଣସି ସ୍ଥାନୀୟ ପର୍ବ ପର୍ବାଣିକୁ ଅପେକ୍ଷା କରିବା ପଡ଼ୁଛି।’’ ମାଟି ତିଆରି ଜିନିଷର ଚାହିଦା କମୁଥିବାରୁ କୁମ୍ଭାରମାନେ ଆଲୁମିନିୟମ୍ ଏବଂ ଷ୍ଟିଲ ତିଆରି ବାସନକୁସନ ମଧ୍ୟ ବିକିବାକୁ ବାଧ୍ୟ ହେଉଛନ୍ତି। କିଛି ଲୋକ ପରିସ୍ଥିତରେ ପଡ଼ି କୃଷି ଶ୍ରମିକ ଭାବେ କାମ କରୁଛନ୍ତି, ସମୟେ ସମୟେ କାମ କରିବାକୁ ରାଜ୍ୟ କିମ୍ବା ରାଜ୍ୟ ବାହାରକୁ ଚାଲିଯାଆନ୍ତି ।
Abhijit Mohanty
କୁମ୍ଭାର ଶାଳ ଭିତରେ ଏକ ଗୋଲ-ଆକୃତିର ପାରମ୍ପରିକ ଭାଟି ତିଆରି ହୋଇଥାଏ। ହାଣ୍ଡି ଗଢା ହେବା ପରେ ଏହାକୁ ୨-୩ ଘଣ୍ଟା ପୋଡ଼ା ଯାଇଥାଏ। ଭାଟି ଗଢିବା ପୂର୍ବରୁ ପରିବାରର ମହିଳାମାନେ ଜାଳେଣି ସଂଗ୍ରହ କରନ୍ତି - କାଠକୋଇଲା ବା ଅଙ୍ଗାର, ନଡ଼ା ଏବଂ ଶୁଖିଲା ଘାସ।
Abhijit Mohanty
ମାଟିପାତ୍ରଗୁଡ଼ିକ ଏବେ ବିକ୍ରି ପାଇଁ ପ୍ରସ୍ତୁତ। ଆକାର ଏବଂ ସିଜନ୍ ଉପରେ ଦାମ୍ ନିର୍ଭର କରେ। ଖରା ଦିନେ ଏହାର ଚାହିଦା ପ୍ରାୟ ଅଧିକ ରହେ। ଏହି ସମୟରେ ବାଫଲା ଗାଁର କୁମ୍ଭାରମାନେ ପ୍ରତିଟି ପାତ୍ରକୁ ୫୦ ରୁ ୮୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ଆଶା ରଖିଥାନ୍ତି। କିଛି ବର୍ଷ ପୂର୍ବରୁ କଳାହାଣ୍ଡିରେ ମାଟିହାଣ୍ଡି ଗଢିବା ଲାଭଦାୟକ ଥିଲା। ଏବେ କିନ୍ତୁ ଏହାର ଗ୍ରାହକ ସଂଖ୍ୟା ଖୁବ୍ କମ୍। ଏଠାରେ ଏକ ବେସରକାରୀ ସଂଗଠନରେ କାମ କରୁଥିବା ଶ୍ରୀନିବାସ ଦାସ କୁହନ୍ତି, ‘‘ପୂର୍ବରୁ ଲୋକେ ମାଟିହାଣ୍ଡି ପାଣି ପିଉଥିଲେ। କୁଲର ଏବଂ ବୋତଲ ପାଣି ଯୋଗୁ ଧୀରେ ଧୀରେ ଏହା ବନ୍ଦ ହୋଇଗଲାଣି। ମାଟି ପାତ୍ର ପରିବେଶ ଅନୁକୂଳ ହୋଇଥିଲେ ବି ଏହାର ଚାହିଦା ଆଉ ବିଶେଷ ନାହିଁ।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ହାଣ୍ଡି-ତଳୁ-ମାଟି-ଖସୁଛି

