ଦିଲ୍ଲୀ ନିକଟବର୍ତ୍ତୀ ଲାଲ୍ କୁଆଁ ଅଞ୍ଚଳରେ ଥିବା ପୁଲ ପେହଲାଦ୍ ମୋହଲ୍ଲାରେ, ସମସ୍ତେ “ଠେଲା ଗାଡି ନେଇ ଆସୁଥିବା ପିଲା” ବା “ଚିଲ୍ଲି-ପଟାଟୋ ବାଳକ”କୁ ଜାଣିଛନ୍ତି। ସେ ସେହି ଅଞ୍ଚଳର ସବୁଠାରୁ କମ ବୟସର ବୁଲା ବିକାଳି।
ଖୋଲା ନାଳ ଦ୍ୱାରା ଘେରି ହୋଇଥିବା ଗୋଟିଏ ବସ୍ତିର ଏକ ଅଣ ଓସାରିଆ ଗଳିରେ ଦୌଡୁଥିବା ଅବସ୍ଥାରେ ମୁଁ ତାକୁ ଦେଖିଲି। ସେଠାରେ ଥିବା ଖୋଲା ସ୍ଥାନ ଯେଉଁଠି ସେ ତାର ଠେଲା ଗାଡି ରଖେ ସେଠାକୁ ଯାଉଥିଲା। ଗଳିର ଶେଷ ଭାଗକୁ ସେ ଠେଲାକୁ ଗଡାଇ ନେଲା, ଗାଡି ନ ଗଡିବା ପାଇଁ ଚକରେ ପଥର ଦେଲା ଏବଂ ଗୋଟିଏ ଘର ଭିତରକୁ ପଶିଗଲା। ଆଳୁ ଚିପ୍ସ ଓ ମୋମୋ ବିକ୍ରି ପାଇଁ ଏବେ ବାହାରିବାକୁ ଥିବା ୧୪ ବର୍ଷର ଅର୍ଜୁନ ସିଂ ପାଇଁ ଏହା ହେଉଛି ନିତିଦିନିଆ କାମ।
ଲାଜକୁଳା କିନ୍ତୁ ହସ ହସ ସ୍ୱଭାବର ଏହି ପିଲାଟି ତାର ବିଧବା ମା ଲକ୍ଷ୍ମୀ ସିଂଙ୍କ ସହିତ ସେମାନଙ୍କର ଛୋଟିଆ ଘରେ ରହେ, ଯେଉଁଠି କୌଣସି ଆସବାବପତ୍ର ନାହିଁ। କାନ୍ଥରେ ଗୋଟିଏ ଆଇନା ଝୁଲା ହୋଇଛି, ଯାହାର ଗୋଟିଏ କୋଣରେ ବାଦାମି ରଙ୍ଗର ଫିତାରେ ତିଆରି ହୋଇଥିବା ଗୋଟିଏ ହୃଦୟ ଆକୃତିର ଚିହ୍ନ ରହିଛି। ସେଥିରେ ଲେଖା ଅଛି ‘ଲକ୍ଷ୍ମୀ+ଅର୍ଜୁନ’। ଅର୍ଜୁନ କହିଲା “ତାକୁ ମୁଁ ଲେଖିଛି, ତେଣୁ ଆମ ଘରକୁ ଯିଏ ଆସିବ ସେ ଆମ ଦୁନିଆକୁ ଦେଖିପାରିବ।”
ଏହା ଏକ ଏକୁଟିଆ ଏବଂ କଷ୍ଟକର ଦୁନିଆ।
୨୦୧୩, ଜୁଲାଇ ୧୪ ତାରିଖରେ ଅର୍ଜୁନଙ୍କର ବାପା ରାଜେଶ୍ୱର ସିଂ, ଇନ୍ଦିରା ଗାନ୍ଧି ନ୍ୟାସନାଲ୍ ସେଣ୍ଟର ଫର୍ ଆର୍ଟସର ନାଳ ସଫା କରୁ କରୁ ପ୍ରାଣ ହରାଇଥିଲେ। ୨୦୧୧ରୁ ସେ ସେଠାରେ ଚାକିରି କରୁଥିଲେ। ସେ ସେହି ତିନି ଜଣ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଜଣେ ଥିଲେ ଯେଉଁ ଦିନ ବିଷାକ୍ତ ଗ୍ୟାସ ଫଳରେ ଅଟ୍ଟାଳିକାର ବେସମେଣ୍ଟରେ ପ୍ରାଣ ହରାଇଲେ। ଅନ୍ୟ ଦୁଇ ଜଣ ଥିଲେ ଅଶୋକ କୁମାର ଓ ସତୀଶ ସିଂ, ସମସ୍ତେ ସରକାରଙ୍କ ଦ୍ୱାରା ପରିଚାଳିତ ସେଣ୍ଟର ଫର୍ ପରଫର୍ମିଂ ଆର୍ଟ୍ସରେ କାମ କରୁଥିବା ଠିକା କର୍ମଚାରୀ। ସମସ୍ତେ ଥିଲେ ବାଲ୍ମିକୀ ଦଳିତ ସଂପ୍ରଦାୟର ଏବଂ ସମସ୍ତେ ତ୍ରିଲୋକପୁରୀର ବାଲ୍ମିକୀ ବସ୍ତିରେ ସେମାନଙ୍କର ପରିବାର ସହ ରହୁଥିଲେ (ପରେ ଲକ୍ଷ୍ମୀ ଅର୍ଜୁନକୁ ନେଇ ତାଙ୍କର ବିବାହିତ ଝିଅ ମିନୁ ରହୁଥିବା ଲାଲ୍ କୁଆଁ ଅଞ୍ଚଳକୁ ଚାଲିଆସିଲେ)।



