“କାଳେ ମୁଣ୍ଡ ବାଜିବ”, ସେଥିପାଇଁ ମହମ୍ମଦ ଇଲିୟାସ ମୋତେ ସାବଧାନ କରିଦେଲେ। ହଣ୍ଡରମନ୍ ବ୍ରୋକ୍ ଭିତରେ ବୁଲିବାବେଳେ ସେ ଏବଂ ସବୀର ହୁସେନ ମୋତେ ସମସ୍ତ ବିଷୟତରେ ସୂଚନା ଦେଉଥିଲେ। ଲଦାଖର କାର୍ଗିଲ ବଜାରରୁ ଏହା ପାହାଡ଼ ଉପରକୁ ଆଠ କିଲୋମିଟର ଦୂରରେ ଅବସ୍ଥିତ। ରାସ୍ତା ଖୁବ ତୀକ୍ଷ୍ଣ ଭାବେ ଅଙ୍କାବଙ୍କା ଏବଂ ଅଣଓସାରିଆ।
କାର୍ଗିଲର ଦୁଇଟି ଗାଁ ପୋଏନ ଏବଂ କାର୍କେଚୁ (ଜନଗଣନାରେ ପୋୟାନ ଏବଂ କାର୍କିଟ୍ ଭାବେ ଉଲ୍ଲେଖ ହୋଇଛି)। ଚାରି ଶତାବ୍ଦୀ ତଳେ ଏହି ଦୁଇଟି ଗାଁର ୩୦ଟି ପରିବାର ଉଚ୍ଚ ହିମାଳୟର ଏହି ବ୍ରୋକ୍ (ବାଲ୍ଟି ଭାଷାରେ ବ୍ରୋକ୍ ଅର୍ଥ ଗୋରୁ ଚରିବା ପାଇଁ ଗ୍ରୀଷ୍ମର ସ୍ୱର୍ଗ) ରେ ବସବାସ କରୁଥିଲେ। ଏଠି ଉର୍ବର ମାଟି ଏବଂ ପାଣିର ପ୍ରଚୁର ଉତ୍ସଥିଲା। ଘର ଗୁଡିକ ପଥର, କାଠ, ମାଟି ଏବଂ ମଞ୍ଜିରେ ଛଅଟି ସ୍ତରରେ ତିଆରି । ୨,୭୦୦ ମିଟର ଉଚ୍ଚରେ ଥିବା ସୀମାନ୍ତର ଏହି ଘରଗୁଡିକ ପାହାଡ଼ର ବନ୍ଧୁର ଶିଳା ସହ ଯେମିତି ମିଶି ଯାଇଛନ୍ତି।
ଘର ଗୁଡିକ ପରସ୍ପର ସହ ଲଗାଲଗି ହୋଇ ରହିଛି। ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏଠି ଭୀଷଣ ଥଣ୍ଡା ହୁଏ। ଏହି ସମୟରେ ୫ରୁ ୭ ଫୁଟ ବହଳର ବରଫ ପଡେ। ସେଥିପାଇଁ ଘରଗୁଡିକର ଛାତ, କବାଟ, ଝରକା ଖୁବ ଛୋଟ ଏବଂ ନୁଆଣିଆ। ଘରକୁ ଯେତେ ସମ୍ଭବ ଗରମ ରଖିବାକୁ ଏଭଳି ତିଆରି ହୋଇଛି। ଖରା ଦିନେ କିନ୍ତୁ ପବନ ଚଳାଚଳ ପାଇଁ କାନ୍ଥରେ ୱିଲୋ ଗଛର ଡାଳ ବ୍ୟବହାର କରାଯାଇଛି। ଭଙ୍ଗାରୁଜା, ଆବଡାଖାବଡ଼ା ପଥର ଦେଇ ଗୋଟିଏ ଘରର ଛାତକୁ ଉଠିବାବେଳେ ଇଲିୟାସ ଆମକୁ ଏସବୁ ବୁଝାଉଥିଲେ।











