ସେମାନଙ୍କ ହସ ଆମକୁ ଆକର୍ଷିତ କରୁଥିଲା। କିଛି ଝିଅ ଦଉଡି ଡିଆଁ ଖେଳୁଥିଲେ, ଅନେକ ପୁଅ ପିଲା କ୍ରିକେଟ ଖେଳରେ ମଜ୍ଜି ଯାଇଥିଲେ, କିଛି ପିଲା ଦୌଡାଦୌଡି କରୁଥିଲେ ଏବଂ ଆଉ କିଛି ପିଲା ଛିଡା ହୋଇ ବିସ୍ତିର୍ଣ୍ଣ ଖେଳ ପଡିଆରେ ସହପାଠୀମାନଙ୍କୁ ନିରୀକ୍ଷଣ କରୁଥିଲେ।
PARIର ଗ୍ରାଇଣ୍ଡମିଲ ସଙ୍ଗ ପ୍ରୋଜେକ୍ଟ ପାଇଁ ସେଦିନର ସୁଟିଂ ଏବଂ ରେକର୍ଡିଂ କାର୍ଯ୍ୟ ସରିଲା। ପୁନେ ଜିଲ୍ଲାର ଦାଉଣ୍ଡ ତାଲୁକରେ ଚାଲିଥିଲା ସୁଟିଂ ଏବଂ ରେକର୍ଡିଂ କାମ। ଏହା ପରେ ଆମକୁ ଆକର୍ଷଣ କଲା ମାଲଥାନ ଗାଁର ଏଓଲ ବସ୍ତିରେ ଥିବା ଜିଲ୍ଲା ପରିଷଦ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ହସ।
ସରଗରମ ହେଉଥିଲା କ୍ରିକେଟ ଖେଳ। ଆମେ କ୍ୟାମେରା ଧରି ଆସୁଥିଲୁ। ବ୍ୟାଟିଂ ପାର୍ଶ୍ୱରେ ଥିବା ପିଲାଟି ଆମକୁ ଦେଖିଲା। କିନ୍ତୁ ଚଟାପଟ୍ ତାର ଦୃଷ୍ଟି ପୁଣି ବୋଲର ପାଖକୁ ଫେରିଗଲା। ସେ ବଲ୍କୁ ଖୁବ ଜୋର ପିଟିଲା। ଧରିବା ପାଇଁ ବଲ ପଛରେ ଫିଲ୍ଡର ଦୌଡ଼ିଲେ।
କିଛି ଝିଅ ପିଲା ଆମକୁ ଘେରିଗଲେ। ପ୍ରଥମେ ସେମାନେ ଅଳ୍ପ ଲାଜ କରୁଥିଲେ। କିନ୍ତୁ ଗୀତ ଗାଇବା ପାଇଁ ସେମାନଙ୍କୁ ସାମାନ୍ୟ ଉତ୍ସାହିତ କରିବା ଆବଶ୍ୟକ ଥିଲା। ସେମାନେ ପରସ୍ପରକୁ ଚାହିଁଲେ। ତା ପରେ ଆରମ୍ଭ ହେଲା ଆସର। ପିଲାଙ୍କୁ ଗୀତ ନାଚର ଏକ ନୂଆ ଖେଳ ଶିଖାଇଲେ ପରି ଟିମ୍ ଶିକ୍ଷକ ଜିତେନ୍ଦ୍ର। ପିଲାମାନେ ବୃତ୍ତାକାରରେ ଛିଡା ହେଲେ। ଜିତେନ୍ଦ୍ରଙ୍କ ପଛେପଛେ ପିଲାଏ ଗାଇଲେ ଏବଂ ତାଙ୍କ ସହ ତାଳମିଳାଇ ଅଙ୍ଗଭଙ୍ଗୀ କଲେ।





