ଯେତେବେଳେ ଏଡ଼ାମାଲାକୁଡ଼ିର ୬୦ ଜଣ ମହିଳା ପ୍ରାୟ ଶହେଟି ସୌର ପ୍ୟାନେଲକୁ ପାହାଡ଼, ଜଙ୍ଗଲ ଏବଂ ବଣୁଆ ହାତୀ ଅଞ୍ଚଳ ଦେଇ ଯାଇଥିବା ୧୮ କିଲୋମିଟର ବାଟ ମୁଣ୍ଡରେ ବୋହି ନେଲେ, ସେମାନେ ଏକପ୍ରକାର ଇତିହାସ ରଚିଲେ । କେରଳର ଏହି ସବୁଠୁ ଦୁର୍ଗମ ପଞ୍ଚାୟତ ବା ନିର୍ବାଚିତ ଗ୍ରାମ୍ୟ ପରିଷଦ ଅଞ୍ଚଳରେ ବିଦ୍ୟୁତ୍ ଆଲୋକ ନାହିଁ । ଏହି ବିଚ୍ଛିନ୍ନାଞ୍ଚଳର ୨୪୦ଟି ପରିବାର ପାଇଁ ସୌର ପ୍ୟାନେଲ ଏବଂ ବ୍ୟାଟେରୀ ହିଁ ଶକ୍ତିର ଏକମାତ୍ର ଉତ୍ସ । କେବେ କେମିତି ଏହି ଶକ୍ତିଦ୍ଵାରା ଆପଣ ଟେଲିଭିଜନ୍ ସେଟ୍ ବି ଚଲାଇ ପାରିବେ ।
ସମସ୍ତଙ୍କ ନିକଟରେ ସୌରଶକ୍ତି ପହଞ୍ଚାଇବା ଦିଗରେ ଯେତେବେଳେ ଗ୍ରାମ ପଞ୍ଚାୟତ ଚେଷ୍ଟା କଲା ଏବଂ କାମ ଆରମ୍ଭ କଲା, ସେମାନଙ୍କ ପ୍ରୋତ୍ସାହନ ଯୋଗୁଁ ମହିଳାମାନେ ଏହି କାମ ହାତକୁ ନେଲେ ।ପ୍ରତିଟି ପ୍ରାୟ ୯ କିଲୋଗ୍ରାମ ଓଜନର ଏହି ପ୍ୟାନେଲଗୁଡ଼ିକୁସେମାନେ ଦୁର୍ଗମ ପାହାଡ଼ିଆ ଏବଂ ଉଠାଣି-ଗଡ଼ାଣିଅଞ୍ଚଳ ଦେଇ ପେଟ୍ଟିମୁଡ଼ିରୁ ଏଠାକୁ ବୋହି ଆଣିଲେ । ତା ବି ପାଦରେ ଚାଲି ଚାଲି । ଇଡୁକି ଜିଲ୍ଲାରେ ଥିବା କେରଳର ଏହି ପ୍ରଥମ ଆଦିବାସୀ ପଞ୍ଚାୟତ ଏଡ଼ାମାଲାକୁଡ଼ିରେ ପହଞ୍ଚିବା ପାଇଁ ଅନ୍ୟ ବାଟ ନ ଥିଲା । ସେମାନେ ଏକ “ଚୁମାଟ୍ଟୁ କୂଟ୍ଟମ” (ମୁଣ୍ଡରେ ଭାର ବୋହୁଥିବା କର୍ମୀ ଗୋଷ୍ଠୀ) ଗଠନ କଲେ, ଯାହାଦ୍ଵାରା କି ଏକଚାଟିଆ ଭାବେ ଏମିତିକା କାମ କରିଆସୁଥିବା ଏଠାକାର ପୁରୁଷ ଭାରବାହକମାନେ ଅସନ୍ତୁଷ୍ଟ ହେଲେ ।








