୨୦୧୬ ମଧ୍ୟଭାଗ ଆଡ଼କୁ ବୋରାଟି ଗାଁର ସୋନାବାଇ ଭୋଷଲେଙ୍କୁ ତାଙ୍କ ଚାଷ କ୍ଷେତରେ ବାଘ ମାରି ଦେଇଥିଲା। ଜଂଗଲ ପାଖକୁ ଲାଗିଥିବା ଏହି ଜମିଟି ଗାଁଠାରୁ ପ୍ରାୟ ୫୦୦ ମିଟର ଦୂରରେ ଅବସ୍ଥିତ। ଜାଳେଣି କାଠ, ଲଘୁ ବନଜାତ ଦ୍ରବ୍ୟ ଏବଂ ଗାଈଗୋରୁ ଚରିବା ପାଇଁ ବୋରାଟି ଗାଁ ଜଙ୍ଗଲ ଉପରେ ନିର୍ଭର କରେ।
ଜଣେ ସ୍ଥାନୀୟ ସାମାଜିକ ଏବଂ ରାଜନୈତିକ କର୍ମୀ ରମେଶ ଖାନ୍ନି କହିଲେ, ‘‘ଏହା ପରେ ଆମେ ଭୟ ଏବଂ ଉତ୍କଣ୍ଠାରେ ଦିନ କାଟୁଛୁ।’’ ତାଙ୍କ ନେତୃତ୍ଵରେ ଗ୍ରାମବାସୀମାନେ ଜଂଗଲ ଅଧିକାରୀ, ଜିଲ୍ଲାପାଳ ଏବଂ ସ୍ଥାନୀୟ ରାଜନେତାଙ୍କ ପାଖକୁ ଯାଇଥିଲେ। ସେ କହିଲେ, ‘‘ବନ୍ୟଜନ୍ତୁମାନେ ଆମ ଫସଲ ନଷ୍ଟ କରୁଥିଲେ - ଏବେ ବାଘ। ’’
୫୦ଟି ଗାଇ ଓ ଗୋଟିଏ ବାଘ
ବର୍ଷ ବର୍ଷ ହେବ ଆତରାମଙ୍କର ସେଇ ଗୋଟିଏ ରୁଟିନ୍। ଗୋରୁଙ୍କୁ ସଫାସୁତୁରା କରିବା ଏବଂ ଜଂଗଲକୁ ଚରେଇବାକୁ ନେବାରେ ତାଙ୍କ ଦିନ ଆରମ୍ଭ ହୁଏ।
ସେ ସଂଜ ନଇଁଲେ ଘରକୁ ଫେରନ୍ତି, ଏବଂ ପରଦିନ ପୁଣି ସେହି କାର୍ଯ୍ୟରୁ ତାଙ୍କ ଦିନ ଆରମ୍ଭ ହୁଏ। ପୂର୍ବରୁ ସେ ପ୍ରତି ଗାଈ ପିଛା ୧୦୦ ଟଙ୍କା ନେଉଥିଲେ। ସୁଲୋଚନା କହିଲେ, ‘‘ଅଧିକ ବିପଦ ଥିବାରୁ ଆମେ ମଜୁରୀ ବଢାଇବାକୁ ଦାବି କଲୁ। ’’ ଏବେ ଗାଁ ଲୋକ ପ୍ରତି ଗାଈ ପିଛା ମାସକୁ ୧୫୦ ଟଙ୍କା ଦେଉଛନ୍ତି। ବିପଦ ଯୋଗୁ ୫୦ ଟଙ୍କା ବଢିଲା। ଦିନେ ଜଙ୍ଗଲରୁ ଫେରି ଘରେ ପହଞ୍ଚବା ପରେ ଆତରାମ କହିଲେ, ‘‘ମୁଁ ପ୍ରାୟ ୫୦ଟି ଗାଈ ନେଇ ଜଙ୍ଗଲକୁ ଯାଉଛି । ଯଦି ଏହା ନକରିବି ତେବେ ଆଉ କଣ କରିବି ?’’
ଗାଁ ଲୋକେ ଆତରାମଙ୍କୁ ଏକଥା ସ୍ପଷ୍ଟ କରିଦେଇଥିଲେ: ‘‘କେତେବେଳେ କିଛି ସମସ୍ୟାରେ ପଡ଼ିଲେ, ଆମ ଗାଈ କଥା ଚିନ୍ତା କରିବନି। ’’ ସେ କହନ୍ତି ଏଇଟା ଗୋଟେ ବଡ଼ ଆଶ୍ୱାସନା। ସେମାନେ କେତେ ବିଚାରଶୀଳ ଏଥିରୁ ଜଣ ପଡ଼ୁଛି। ସେ କହନ୍ତି, ‘‘ଗତ ଦୁଇ ବର୍ଷ ମଧ୍ୟରେ ଗୋଠରୁ ଅନେକ ଗାଈ ମାରି ସାରିଲାଣି ବାଘ। ଗାଈଙ୍କୁ ହରାଇଲା ବେଳେ ମୋତେ କଷ୍ଟ ହୁଏ ଆଉ ମୁଁ ବଞ୍ଚିଛି ବୋଲି ମୋତେ ଦୁଃଖ ଲାଗେ। ’’
ଆତରାମ ଆଦୌ ସ୍କୁଲ ଯାଇନାହାନ୍ତି। କିନ୍ତୁ ତାଙ୍କ ତିନି ଜଣ ପିଲା ପାଠ ପଢୁଛନ୍ତି। ତାଙ୍କ ପିଲାମାନେ ପଢନ୍ତୁ ବୋଲି ସେ ଚାହାନ୍ତି, ଏଥିପାଇଁ ଜୀବନ ଉପରେ ଯେତେ ବିପଦ ଆସୁ ପଛେ। ପାଖ କଲେଜରେ ପଢୁଥିବା ଦିଶାଙ୍କର ଏବେ ବିଏ ପ୍ରଥମ ବର୍ଷ ସରିଲା, ବୈଷ୍ଣବୀ ଏ ବର୍ଷ ଦଶମ ପାସ କରିଛନ୍ତି, ଏବଂ ସାନ ପୁଅ ଅନୁଜ ଏକ ଘରୋଇ ସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି।
ଗାଁ ଅଙ୍ଗନବାଡ଼ିରେ ସହାୟିକା ଭାବେ କାମ କରୁଥିବା ସୁଲୋଚନା ତାଙ୍କ ପରିବାର ଆୟରେ ମାସକୁ ୩,୦୦୦ ଟଙ୍କା ଯୋଡ଼ନ୍ତି। ସେ କହନ୍ତି, ‘‘ସେ କିଭଳି ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ, ସେଥିପାଇଁ ମୁଁ ପ୍ରତି ଦିନ ସକାଳେ ପ୍ରାର୍ଥନା କରେ। ସବୁ ଦିନ ସଂଧ୍ୟାରେ ସେ ସୁରକ୍ଷିତ ଭାବେ ଘରକୁ ଫେରିଲେ, ମୁଁ ବାଘକୁ ଧ୍ୟନବାଦ ଦିଏ। ’’
ଓଡ଼ିଶାଲାଇଭ୍