“ଯଦି ସେମାନେ ଲୋକଙ୍କର ନୁହେଁ, କେବଳ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ଚାହୁଁଛନ୍ତି, ତେବେ ନିର୍ବାଚନ ବେଳେ ସେମାନେ ପଶୁମାନଙ୍କୁ ଭୋଟ୍ ମାଗନ୍ତୁ । ଆମେ ଜଙ୍ଗଲ ଉପରେ ଆମର ଅଧିକାର ତ ପାଉନାହୁଁ, ଏମିତି କି ମଣିଷର ମର୍ଯ୍ୟାଦା ବି ପାଉନାହୁଁ,” ଏହା କହନ୍ତି ଅନାର ସିଂହ ବଡ଼ୋଲେ । ଆଦିବାସୀ ସଂପ୍ରଦାୟ ଦ୍ୱାରା ପରିବେଶ ନଷ୍ଟ ହେଉଛି ବୋଲି ମଧ୍ୟପ୍ରଦେଶ ବନ ବିଭାଗ ଅଧିକାରୀମାନଙ୍କର ବକ୍ତବ୍ୟ ଏବଂ ଏଭଳି ବକ୍ତବ୍ୟ ଭିତ୍ତିରେ ସେମାନଙ୍କୁ ପୈତୃକ ବାସସ୍ଥଳୀରୁ ହଟାଇବା ଯଥାର୍ଥ ବୋଲି ଦର୍ଶାଇବା ସନ୍ଦର୍ଭରେ ସେ ଏହା କହନ୍ତି ।
ବରେଲା ଆଦିବାସୀ ସଂପ୍ରଦାୟର ୩୫ ବର୍ଷୀୟ ବଡ଼ୋଲେ ୨୧ ନଭେମ୍ବର, ୨୦୧୯ରେ ଆୟୋଜିତ ଜଙ୍ଗଲ ଅଧିକାର ସମାବେଶରେ ଯୋଗ ଦେବା ପାଇଁ ଗତ ସପ୍ତାହରେ ମଧ୍ୟପ୍ରଦେଶ ବୁର୍ହାନପୁର ଜିଲ୍ଲାର ଖଇରଖେଡ଼ା ଗାଁରୁ ଦିଲ୍ଲୀ ଆସିଥିଲେ ।
ସେ କହନ୍ତି ଯେ, ସେମାନଙ୍କ ଫସଲ ଉପରେ ବାରମ୍ବାର ବୁଲ୍ଡୋଜର ଚଳାଇ ଜଙ୍ଗଲ ବିଭାଗ ବହୁ ଆଦିବାସୀଙ୍କୁ ସେମାନଙ୍କ ସଂପ୍ରଦାୟର ଜଙ୍ଗଲ ଜମି ଉପରେ ଅଧିକାରରୁ ବଞ୍ଚିତ କରିଛି । ଯାହା ଫଳରେ ସେମାନେ କୃଷି ଶ୍ରମିକ ଭାବରେ ଦିନ ମଜୁରିଆ କାମ ଖୋଜିବାକୁ ବାଧ୍ୟ ହୋଇଛନ୍ତି । ପରେ ସେହି ଜମି ଉପରେ ଜଙ୍ଗଲ ବିଭାଗ ଅଧିକାରୀମାନେ ମାଲିକାନା ଜାହିର କରିବା ସହ ରାଜସ୍ୱ ଲାଭ ପାଇଁ ସେଥିରେ ବୃକ୍ଷରୋପଣ କରିଛନ୍ତି । କୁହାଯାଉଛି ଯେ ବୁରହାନପୁର ଜିଲ୍ଲାର ୧୨ଟି ଗାଁ ଉପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସ୍ଥାପନ ପାଇଁ ଜଙ୍ଗଲ ବିଭାଗ ମସୁଧା କରୁଛି ।
ଯେତେବେଳେ ବି ବରେଲା ଆଦିବାସୀ ସଂପ୍ରଦାୟ ସେମାନଙ୍କ ସଂପ୍ରଦାୟର ଜଙ୍ଗଲ ଜମି ଉପରେ ଚାଷବାସର ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରିଛନ୍ତି କେମିତି ଜଙ୍ଗଲ ବିଭାଗର ଆକ୍ରୋଶର ଶିକାର ହୋଇଛନ୍ତି ସେ କଥା ବି ସେ କହନ୍ତି । ଉଦାହରଣ ସ୍ୱରୂପ, ୨୦୧୯ ଜୁଲାଇରେ ପଡ଼ୋଶୀ ସିୱାଲ ଗାଁରେ ଉଚ୍ଛେଦ ଅଭିଯାନକୁ ବିରୋଧ କରି ବାହାରିଥିବା ପ୍ରତିବାଦ ଶୋଭାଯାତ୍ରା ଉପରେ ଜଙ୍ଗଲ ବିଭାଗ ଅଧିକାରୀମାନେ ବନ୍ଧୁକରୁ ପେଲେଟ୍ ମାଡ଼ କରିଥିଲେ । ସେ କହନ୍ତି, “ଆମେ ଯେଉଁ ଜମିରେ ସୋୟାବିନ୍, ମକା, ଯଅ ଏବଂ ଧାନ ଭଳି ଖାଦ୍ୟଶସ୍ୟ ଚାଷ କରୁଛୁ ତା ଉପରେ ବୃକ୍ଷରୋପଣ କରି ବିଭିନ୍ନ ନିଗମକୁ ଲିଜ୍ ସୂତ୍ରରେ ଦେବା ପାଇଁ ସରକାର ଚାହୁଁଛନ୍ତି’’ । ‘‘ଆମକୁ ଡରାଇବା ପାଇଁ ଏବଂ ଅନ୍ୟ ସ୍ଥାନକୁ ପଳାଇବା ଲାଗି ବାଧ୍ୟ କରିବା ଲାଗି ଆମ ଫସଲ ପୋଡ଼ି ଦିଆଯାଉଛି । ଏସବୁ ଜମି ଉପରେ ଆମର ଅଧିକାର ସଂପର୍କିତ ମାମଲାଗୁଡ଼ିକର ଶୁଣାଣି ହୋଇନାହିଁ।”










