“ଚଉଦ, ଷୋହଳ, ଅଠର...’’ ଖଣ୍ଡୁ ମାନେ ଅଠଠ୍ୟା ପିଠିରେ ଜିନିଷପତ୍ର ପରିବହନ ଲାଗି ବନ୍ଧାଯାଇଥିବା ଥଳିରେ ନିଜେ ଲଦୁଥିବା କଞ୍ଚା ଇଟାକୁ ଗଣିଲେ। ଯେତେବେଳେ ଏହା ୩୬ରେ ପହଞ୍ଚିଲା, ସେ ଗଧକୁ ନିର୍ଦ୍ଦେଶ ଦେଲେ: “ଚାଲ..ଫର୍‌ର... ଫର୍‌ର...’’ ଅଠଠ୍ୟା ଏବଂ ଇଟା ଲଦାହୋଇଥିବା ଅନ୍ୟ ଦୁଇଟି ଗଧ ଏହାପରେ ପ୍ରାୟ ୫୦ ମିଟର ଦୂରରେ ଥିବା ଭାଟି ଆଡ଼କୁ ଚାଲିବା ଆରମ୍ଭ କଲେ ଯେଉଁଠାରେ ଇଟାଗୁଡ଼ିକୁ ପୋଡ଼ିବା ଲାଗି ଓହ୍ଲାଯିବ।

ଖଣ୍ଡୁ କହିଲେ, “ଆଉ ଘଣ୍ଟାଏ ଏବଂ ତା’ ପରେ ଆମେ ଆରାମ କରିବା ।’’ କିନ୍ତୁ ବର୍ତ୍ତମାନ ସକାଳ ୯ଟା ମାତ୍ର ବାଜିଛି! ଆମର ଦ୍ୱନ୍ଦ୍ୱାତ୍ମକ ମୁହଁକୁ ଦେଖି ସେ ବୁଝାଇଲେ: “ଆମେ ରାତିର ଅନ୍ଧାରରେ ଗୋଟାଏରେ କାମ ଆରମ୍ଭ କରିଥିଲୁ । ଆମର ସିଫ୍ଟ ସକାଳ ୧୦ଟାରେ ଶେଷ ହେବ। ରାତଭର ହେ ଆସଚ୍ ଚାଲୁ ଆହେ [ଆମେ ରାତିସାରା ଏଠାରେ କାମ କରୁଛୁ଼]।

ଖଣ୍ଡୁଙ୍କର ଗଧ ମଧ୍ୟରୁ ଚାରିଟି ଭାଟିରୁ ଖାଲି ଅଖାରେ ଫେରିଆସିଥିଲେ । ସେ ପୁଣି ଥରେ ମୂଳରୁ ଆରମ୍ଭ କଲେ :‘‘ଚଉଦ, ଷୋହଳ, ଅଠର…’’

ତା’ପରେ ହଠାତ୍‌, ‘‘ରୁକୋ…’’ ସେ ତାଙ୍କର ଗୋଟିଏ ଗଧକୁ ହିନ୍ଦୀରେ ଡାକିଲେ । ‘‘ଆମର ସ୍ଥାନୀୟ ଗଧମାନେ ମରାଠୀ ବୁଝନ୍ତି, କିନ୍ତୁ ଏଇଟା ନୁହେଁ । ସେ ରାଜସ୍ଥାନରୁ ଆସିଛି । ଆମକୁ ତାକୁ ହିନ୍ଦୀରେ ନିର୍ଦ୍ଦେଶ ଦେବାକୁ ହୁଏ ।’’ ସେ ମନଖୋଲା ହସ ହସି କହିଲେ ଏବଂ ଆମକୁ ଏକ ଡେମୋ ଦେଖାଇଲେ: ରୁକୋ । ଗଧ ରହିଗଲା । ଚଲୋ । ତାହା ଚାଲିବା ଆରମ୍ଭ କଲା।

ତାଙ୍କର ଚାରି ଗୋଡ଼ିଆ ବନ୍ଧୁମାନଙ୍କୁ ନେଇ ଖଣ୍ଡୁଙ୍କର ଗର୍ବ ବହୁତ ବେଶୀ । ‘‘ଲିମ୍ବୋ ଏବଂ ପାଣ୍ଢ୍ର୍ୟା ଚରିବାକୁ ଯାଇଛନ୍ତି, ଏବଂ ମୋର ପ୍ରିୟ ବୁଲେଟ୍‌ ମଧ୍ୟ ଚରିବାକୁ ଯାଇଛି । ସେ ଡେଙ୍ଗା ଏବଂ ସୁନ୍ଦର ଓ ସୁପରଫାଷ୍ଟ !’’

PHOTO • Ritayan Mukherjee

ସାଙ୍ଗଲି ସହର ଉପକଣ୍ଠରେ ସାଙ୍ଗଲିୱାଡ଼ି ଅଞ୍ଚଳର ଜୋତିବା ମନ୍ଦିର ନିକଟସ୍ଥ ଏକ ଇଟା ଭାଟିରେ ଖଣ୍ଡୁ ମାନେ ଅଠଠ୍ୟା ର ପିଠିରେ ଇଟା ଲଦୁଛନ୍ତି

PHOTO • Ritayan Mukherjee
PHOTO • Ritayan Mukherjee

ବାମ: କର୍ଣ୍ଣାଟକ ବେଲଗାମ ଜିଲ୍ଲା ଅଠାନି ତାଲୁକାର ବିସ୍ଥାପିତ ଶ୍ରମିକ ବିଳାସ କୁଡାଚି ଏବଂ ରବି କୁଡ଼ାଚି ଜୋତିବା ମନ୍ଦିର ନିକଟସ୍ଥ ଇଟାଭାଟିରେ ଆଖୁ ଛେଦାର ଗୋଟିଏ ଝୁଡ଼ି ଉଠାଉଛନ୍ତି, ଯାହା ଇଟା ପ୍ରସ୍ତୁତିରେ ବ୍ୟବହାର ହେବ । ଡାହାଣ : ଗୋଟିଏ ବୋଝ ଓହ୍ଲାଇବା ପରେ ଅଧିକ ଇଟା ନେବା ପାଇଁ ଗଧଗୁଡ଼ିକ ଫେରୁଛନ୍ତି

ସାଙ୍ଗଲିୱାଡ଼ି ନିକଟସ୍ଥ ଏକ ଇଟାଭାଟିରେ ଆମେ ତାଙ୍କୁ ଭେଟିଲୁ, ଯାହାକି ମହାରାଷ୍ଟ୍ର ସାଙ୍ଗଲି ସହରର ଉପକଣ୍ଠରେ ଅବସ୍ଥିତ । ଜୋତିବା ମନ୍ଦିର ଆଖପାଖର ଅଞ୍ଚଳ ଇଟାଭାଟିରେ ଭର୍ତ୍ତି ହୋଇଛି – ଆମେ ପ୍ରାୟ ୨୫ଟି ଗଣତି କଲୁ ।

ଶୁଖିଲା ଆଖୁ ଛେଦାର ମଧୁର ମହକ – ଯାହା ଇଟା ଉତ୍ପାଦନରେ ବ୍ୟବହୃତ ହୁଏ – ଭାଟିରୁ ବାହାରୁଥିବା ଧୁଆଁ ସହ ମିଶି ସକାଳର ବାୟୁରେ ଭରିଯାଏ । ପ୍ରତ୍ୟେକ ଭାଟିରେ, ଆମେ ପୁରୁଷ, ମହିଳା, ଶିଶୁ ଏବଂ ଗଧଙ୍କୁ ଘଣ୍ଟା ଭଳି ଅବିରତ କାମ କରୁଥିବା ଦେଖିଲୁ। କେତେକ ମାଟି ଗୋଳାଉଥିଲେ ଯେତେବେଳେକି ଅନ୍ୟମାନେ ଇଟା ପ୍ରସ୍ତୁତ କରୁଥିଲେ; କେତେକ ସେଗୁଡ଼ିକୁ ବୋଝେଇ କରୁଥିଲେ ଏବଂ ଅନ୍ୟମାନେ ଓହ୍ଲାଇବା ସହ ଛାଞ୍ଚ ଦେଇ ରଖୁଥିଲେ।

ଗଧମାନେ ଯୋଡ଼ା ଯୋଡ଼ା ହୋଇ ଆସନ୍ତି ଓ ଯାଆନ୍ତି, ଦୁଇଟି…ଚାରିଟି…ଛଅଟି ଲେଖାଏଁ…

ଖଣ୍ଡୁ କହନ୍ତି, ‘‘ଆମେ ଗଧଙ୍କୁ ପୁରୁଷ ପୁରୁଷ ଧରି ପାଳିଆସୁଛୁ । ମୋ ବାପାମା’ ଏହା କରୁଥିଲେ, ମୋ ଜେଜେବାପା ଜେଜେମା’ ଏହା କରୁଥିଲେ ଏବଂ ଏବେ ମୁଁ ଏହା କରୁଛି ।’’ ସାଙ୍ଗଲି ସହରଠାରୁ ପ୍ରାୟ ୧୫୦ କିମି ଦୂରରେ ଅବସ୍ଥିତ ସୋଲାପୁର ଜିଲ୍ଲା ପାନ୍ଧରପୁର ବ୍ଲକର ମୂଳ ବାସିନ୍ଦା ଖଣ୍ଡୁ, ଏବଂ ତାଙ୍କ ପରିବାର ଏବଂ ସେମାନଙ୍କର ଗଧଗୁଡିକ ପ୍ରତିବର୍ଷ ଇଟା ଭାଟି ଋତୁରେ (ନଭେମ୍ବର-ଡିସେମ୍ବରରୁ ଏପ୍ରିଲ-ମେ)ରେ ନିଜ ଗାଁ ବେଲାପୁରରୁ ସାଙ୍ଗଲି  ଆସନ୍ତି ।

ଆମେ ଦେଖିଲୁ, ମାଧୁରୀ, ଖଣ୍ଡୁଙ୍କର ସ୍ତ୍ରୀ, ଭାଟି ରେ ଇଟାଗୁଡ଼ିକୁ ଓହ୍ଲାଇବା ଏବଂ ଗଧଙ୍କ ପିଠିରୁ ଖସି ପଡୁଥିବା କଞ୍ଚା ଇଟାଗୁଡ଼ିକୁ ସଜେଇ ରଖିବାରେ ବ୍ୟସ୍ତ ଥିଲେ । ଏହି ଦମ୍ପତିଙ୍କ ଝିଅମାନେ, କଲ୍ୟାଣୀ, ଶ୍ରଦ୍ଧା ଏବଂ ଶ୍ରାବଣୀଙ୍କ ବୟସ ୯ରୁ୧୩ ବର୍ଷ ମଧ୍ୟରେ । ସେମାନେ ଗଧଙ୍କ ସହ ଚାଲୁଛନ୍ତି, ସେମାନଙ୍କୁ ଗନ୍ତବ୍ୟ ସ୍ଥଳଯାଏଁ ବାଟ କଢ଼େଇ ନେଉଛନ୍ତି। ଏହି ଝିଅମାନଙ୍କର ୪-୫ ବର୍ଷର ଭାଇ, ନିଜ ବାପାଙ୍କ ପାଖରେ ଚା’ ଓ ବିସ୍କୁଟ ଧରି ବସିଛି ।

PHOTO • Ritayan Mukherjee
PHOTO • Ritayan Mukherjee

ବାମ: ମାଧୁରୀ ମାନେ ଜଣେ ଶ୍ରମିକଙ୍କ ଆଡ଼କୁ ଓହ୍ଲାଯାଇଥିବା ଇଟାରୁ ଏକ ଯୋଡ଼ା ଫିଙ୍ଗିଲେ, ଯିଏ ସେଗୁଡ଼ିକୁ ଧାଡ଼ିରେ ସଜାନ୍ତି । ଡାହାଣ: ଇଟାଭାଟିରେ ଥିବା ନିଜର ସଂକୀର୍ଣ୍ଣ ଘରେ ମାଧୁରୀ ଏବଂ ତାଙ୍କର ପିଲାମାନେ। ଏହି ଅସ୍ଥାୟୀ ଢାଞ୍ଚା ଢିଲା ଭାବେ ଥାକ ମରାଯାଇଥିବା ଇଟାରେ ତିଆରି, ଯାହା ଉପରେ ଛାତ ଭାବେ ଆଜବେଷ୍ଟସ ସିଟ୍‌ ପଡ଼ିଥାଏ। ସେଠାରେ କୌଣସି ସଂଯୁକ୍ତ ପାଇଖାନା ନାହିଁ ଏବଂ ଦିନବେଳା ବିଦ୍ୟୁତ୍‌ ନାହିଁ

ଏକାଥରେ ଦୁଇଟି ଇଟା ଉଠାଉ ଉଠାଉ ମାଧୁରୀ କହିଲେ, ‘‘ଶ୍ରାବଣୀ ଏବଂ ଶ୍ରଦ୍ଧା ସାଙ୍ଗଲିରେ ଏକ ଆବାସିକ ସ୍କୁଲରେ ପଢ଼ନ୍ତି, କିନ୍ତୁ ଆମକୁ ସାହାଯ୍ୟ କରିବା ପାଇଁ ଆମକୁ ସେମାନଙ୍କୁ ସେଠାରୁ ନେଇଆସିବାକୁ ପଡ଼ିଲା । ଆମକୁ କାମରେ ସାହାଯ୍ୟ କରିବା ପାଇଁ ଆମେ ଆଉ ଏକ ଦମ୍ପତି [ ସ୍ୱା ମୀ ଓ ସ୍ତ୍ରୀ]ଙ୍କୁ ନିଯୁକ୍ତି ଦେଇଥିଲୁ । ସେମାନେ ୮୦,୦୦୦ ଟଙ୍କା ଅଗ୍ରୀମ ଆକାରରେ ନେଇଥିଲେ ଏବଂ ଖସି ପଳାଇଲେ। ଏବେ ଆଗାମୀ ଦୁଇ ମାସ ମଧ୍ୟରେ ଆମକୁ ଏ ସମସ୍ତ କାମ ସାରିବାକୁ ହେବ ।’’ ସେ ଏତକ କହି ତରବରରେ ନିଜ କାମରେ ଲାଗିପଡ଼ିଲେ ।

ମାଧୁରୀ ଓହ୍ଲାଉଥିବା ପ୍ରତ୍ୟେକ ଇଟାର ଓଜନ ପ୍ରାୟ ଦୁଇ କିଲୋ ହେବ । ସେ ଆଉ ଜଣେ ଶ୍ରମିକ ଆଡ଼କୁ ସେଗୁଡ଼ିକୁ ଫିଙ୍ଗନ୍ତି, ଯିଏକି ଇଟା ଥାକ ମରାଯାଇ ରଖାଯାଇଥିବା ଏକ ଭାଡ଼ି ଉପରେ ଛିଡ଼ା ହୋଇଥାଆନ୍ତି ।

‘‘ଦଶ, ବାର, ଚଉଦ…’’ ଇଟାଗୁଡ଼ିକୁ ଧରିବା ପାଇଁ ନଇଁ ସେ ଗଣୁଥାଆନ୍ତି, ଏବଂ ନିଆଁ ଲଗାଯିବାକୁ ଥିବା ଭାଟି ରେ ଇଟା ଧାଡ଼ିରେ ସେଗୁଡ଼ିକୁ ସଜେଇ ଦିଅନ୍ତି ।

*****

ପ୍ରତିଦିନ, ମଧ୍ୟରାତ୍ରିର ଠିକ୍‌ ପରଠାରୁ ପ୍ରାୟ ସକାଳ ୧୦ଟା ପର୍ଯ୍ୟନ୍ତ, ଖଣ୍ଡୁ, ମାଧୁରୀ ଏବଂ ସେମାନଙ୍କର ପିଲାମାନେ ମିଳିମିଶି ପ୍ରାୟ ୧୫,୦୦୦ ଖଣ୍ଡ ଇଟା ଓହ୍ଲାନ୍ତି । ଏସବୁ ସେମାନଙ୍କର ୧୩ଟି ଗଧଙ୍କ ପିଠିରେ ବୁହାଯାଏ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଦିନକୁ ପ୍ରାୟ ୨,୩୦୦ କିଲୋ ଓଜନ ବୁହନ୍ତି । ପଶୁମାନେ ନିଜ ଚାଳକ ସହ ମିଶି ମୋଟ ପ୍ରାୟ ୧୨ କିଲୋମିଟର ଚାଲନ୍ତି ।

ଭାଟିକୁ ପ୍ରତି ୧,୦୦୦ ଇଟା ବୋହିଦେବା ବଦଳରେ ଖଣ୍ଡୁଙ୍କ ପରିବାର ୨୦୦ ଟଙ୍କା ରୋଜଗାର କରନ୍ତି । ଏହି ଟଙ୍କା ସେମାନଙ୍କୁ ଇଟା ଭାଟି ମାଲିକ ଛଅ ମାସ କାମ କରିବା ପାଇଁ ଦେଇଥିବା ଅଗ୍ରୀମ ରାଶିରୁ କଟିଯାଏ। ଗତ ଋତୁରେ, ଖଣ୍ଡୁ ଏବଂ ମାଧୁରୀ ଗୋଟିଏ ଗଧ ବାବଦକୁ ୨୦,୦୦୦ ଟଙ୍କା ହିସାବରେ ଅଗ୍ରୀମ ୨.୬ ଲକ୍ଷ ଟଙ୍କା ନେଇଥିଲେ ।

PHOTO • Ritayan Mukherjee

ମାଧୁରୀ ଏବଂ ତାଙ୍କ ସ୍ୱାମୀ ଖଣ୍ଡୁ (ହଳଦିଆ ଟି-ସାର୍ଟ ପିନ୍ଧିଥିବା) ସେମାନଙ୍କ ଗଧଙ୍କ ଦ୍ୱାରା ବୁହାଯାଉଥିବା ଇଟାଗୁଡ଼ିକୁ ଓହ୍ଲାଇ ଭାଟି ସଜାଉଥିବା ଲୋକଙ୍କ ଆଡ଼କୁ ବଢ଼ାଇ ଦେଉଛନ୍ତି

ସାଙ୍ଗଲିରୁ ୭୫ କିଲୋମିଟର ଦୂର, କୋହ୍ଲାପୁର ଜିଲ୍ଲା ବାମବାୱଡେରେ ଥିବା ଦୁଇଟି ଇଟାଭାଟିର ମାଲିକ ପ୍ରାୟ ୨୦ରୁ ୩୦ ବର୍ଷ ବୟସ୍କ ବିକାଶ କୁମ୍ଭାର କହିଲେ, ‘‘ଆମେ ସାଧାରଣତଃ ପ୍ରତି ପଶୁ ବାବଦକୁ ୨୦,୦୦୦ ଟଙ୍କା ହିସାବ କରୁ। ସମସ୍ତ ପାଉଣା [ଗଧ ମାଲିକଙ୍କୁ] ଅଗ୍ରୀମ ଆକାରରେ ଦିଆଯାଏ।’’ ଯେତେ ଅଧିକ ସଂଖ୍ୟାରେ ଗଧ ଆସନ୍ତି, ସେତେ ଅଧିକ ଅଗ୍ରୀମ ଦିଆଯାଏ।

ଛଅ ମାସର ଅବଧିରେ କେତେ ଇଟା ବୁହାଯାଇଛି ସେଥିରୁ ଅଗ୍ରୀମ ନେଇଥିବା ଟଙ୍କା ଓ ଅନ୍ୟାନ୍ୟ ଖର୍ଚ୍ଚ କାଟି ଚୂଡ଼ାନ୍ତ ହିସାବ କରାଯାଏ । ବିକାଶ କହନ୍ତି, ‘‘ଆମେ ସେମାନଙ୍କର କାମରୁ, ସଉଦା ପାଇଁ ସାପ୍ତାହିକ ପୈଠ [ପରିବାର ପିଛା ୨୦୦-୨୫୦ ଟଙ୍କା], ଏବଂ ଅନ୍ୟ ଖର୍ଚ୍ଚଗୁଡ଼ିକୁ କାଟି ଦେଉ।’’ ଏବଂ ଯଦି  ଗଧ ପାଳକମାନେ ସେହି ଋତୁରେ ଅଗ୍ରୀମ ନେଇଥିବା ଟଙ୍କାର କାମ କରିପାରନ୍ତି ନାହିଁ, ତାହା ପରବର୍ତ୍ତୀ ଋତୁ ପାଇଁ ଋଣ ହୋଇଯାଏ ବୋଲି ସେ ବୁଝାଇଲେ। ଖଣ୍ଡୁ ଓ ମାଧୁରୀଙ୍କ ଭଳି କେତେକ ନେଇଥିବା ଅଗ୍ରୀମରୁ କିଛି ଟଙ୍କା ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ନିଯୁକ୍ତି ଦେବାକୁ ରଖନ୍ତି ।

*****

ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ଆନିମାଲ ରାହତ ନାମକ ଏକ ପଶୁ କଲ୍ୟାଣ ସଂଗଠନର ଜଣେ କର୍ମୀ କହନ୍ତି ‘‘ସାଙ୍ଗଲି ଜିଲ୍ଲାର ପାଲୁସରୁ ମୈଷାଲ ମଧ୍ୟରେ କ୍ରିଷ୍ଣା ନଦୀର କୂଳେ କୂଳେ ପ୍ରାୟ ୪୫୦ଟି ଇଟା ଭାଟି ରହିଛି’’ । ସାଙ୍ଗଲିୱାଡ଼ି ୮୦-୮୫ କିଲୋମିଟର ଲମ୍ବା ଏହି ନଦୀ କୁଳିଆ ଅଞ୍ଚଳର ପ୍ରାୟ ମଝାମଝିରେ ପଡ଼େ। ତାଙ୍କର ଜଣେ ସହକର୍ମୀ କହନ୍ତି, ‘‘ଏହି ଇଟାଭାଟିଗୁଡ଼ିକରେ ୪,୦୦୦ରୁ ଅଧିକ ଗଧ କାମ କରନ୍ତି ।’’ ଗଧଗୁଡ଼ିକର ଭଲ ମନ୍ଦ ବୁଝିବା ପାଇଁ ଏହି ଦୁଇ ଜଣିଆ ଟିମ୍‌ ନିୟମିତ ଇଟାଭାଟିଗୁଡ଼ିକୁ ପରିଦର୍ଶନ କରନ୍ତି । ସେମାନଙ୍କ ସଂସ୍ଥା ମଧ୍ୟ ଏକ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚଳାଏ ଏବଂ ପଶୁମାନଙ୍କୁ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପ୍ରଦାନ କରେ ।

ଦିନର କାମ ସରିବା ପରେ, ବହୁ ସଂଖ୍ୟାରେ ଗଧ ଜୋତିବା ମନ୍ଦିର ନିକଟ ନଦୀ ଆଡ଼କୁ ଦୌଡୁଥିବା ଆମେ ଦେଖିଲୁ । ମୋଟର ସାଇକେଲ ଏବଂ ସାଇକେଲରେ ଯୁବ ଗଧ ପାଳକମାନେ ସେମାନଙ୍କୁ ଚରିବା ପାଇଁ ବାଟ କଢ଼େଇ ନିଅନ୍ତି । ଅଧିକାଂଶ ଗଧ ସେହି ଅଞ୍ଚଳରେ ଥିବା ଅଳିଆ ଗଦାରେ ମଳତ୍ୟାଗ କରନ୍ତି ଏବଂ ସେମାନଙ୍କ ପାଳକମାନେ ସଂଧ୍ୟାରେ ସେମାନଙ୍କୁ ଫେରାଇ ଆଣନ୍ତି । ଗଧମାନଙ୍କୁ ରଖୁଥିବା ଖଣ୍ଡୁ, ମାଧୁରୀ ଏବଂ ଅନ୍ୟମାନେ ସେମାନଙ୍କ ପଶୁଙ୍କୁ ଖାଦ୍ୟ ଦେଉଥିବା କହୁଥିଲେ ବି ତାହା କେଉଁଠି ବି ଦେଖାଯାଉ ନ ଥିଲା ।

PHOTO • Ritayan Mukherjee
PHOTO • Ritayan Mukherjee

ବାମ: କିଛି ଗଧଙ୍କୁ ସେମାନଙ୍କର ପାଳକ ଚରାଇବାକୁ ନେଉଛନ୍ତି, ଯିଏକି ଗଧଗୁଡ଼ିକ ପଛରେ ମୋଟର ସାଇକେଲରେ ଆସୁଛନ୍ତି । ଡାହାଣ: ଗଧ ପାଳକମାନଙ୍କୁ ପଶୁ ଚିକିତ୍ସାରେ ସହାୟତା ଯୋଗାଉଥିବା ଏକ ଏନ୍‌ଜିଓର କର୍ମୀ ଜଗୁ ମାନେଙ୍କ ଗଧଙ୍କ ମଧ୍ୟରୁ ଗୋଟିଏକୁ ଇଞ୍ଜେକ୍ସନ୍‌ ଦେଉଥିବାବେଳେ

୪୫ ବର୍ଷୀୟ ଜାନବାଈ ମାନେ କହନ୍ତି, ‘‘ଆମ ପଶୁମାନଙ୍କୁ ଘାସ ଓ କଡ଼ୱା [ଶୁଖିଲା ଯଅ] ଖୁଆଇବା ପାଇଁ ପ୍ରତିବର୍ଷ ଆମେ ଦୁଇ ଗୁଣ୍ଠ [ପ୍ରାୟ ୦.୦୫ ଏକର] ଚାଷ ଜମି ଭଡ଼ାରେ ନେଉ’’। ଭଡ଼ା ୨,୦୦୦ ଟଙ୍କା [ଛଅ ମାସର ଅବଧି ପାଇଁ] । ‘‘କିନ୍ତୁ, ଦେଖନ୍ତୁ, ଆମ ଜୀବନ ସେମାନଙ୍କ ଉପରେ ନିର୍ଭର କରେ । ଯଦି ସେମାନେ ଖାଦ୍ୟ ନ ପାଇବେ, ଆମେ କେମିତି ଭଲ ଖାଇବୁ?’’

ସେ ନିଜର ଧାତୁ ନିର୍ମିତ ଛାତ ଘରେ ଆମ ସହ କଥା ହେଉ ହେଉ ନିଜର ମଧ୍ୟାହ୍ନ ଭୋଜନ ଶେଷ କଲେ। କାନ୍ଥସବୁ ଢିଲା ଇଟାରେ ନିର୍ମିତ ହୋଇଥିବା ବେଳେ, ମାଟି ଚଟାଣକୁ ତାଜା ଗୋବରରେ ଲିପା ହୋଇଥାଏ। ସେ ଆମକୁ ଏକ ପ୍ଲାଷ୍ଟିକ୍‌ ମସିଣା ଉପରେ ବସିବାକୁ କହିଲେ। ‘‘ଆମେ ଫାଲଟନରୁ [ସତାରା ଜିଲ୍ଲାରେ] ଆସିଛୁ କିନ୍ତୁ ମୋ’ ଗଧମାନଙ୍କର ସେଠାରେ କୌଣସି କାମ ନାହିଁ । ତେଣୁ ଗତ ୧୦-୧୨ ବର୍ଷ ଧରି ଆମେ ଏଠାରେ ସାଙ୍ଗଲିରେ କାମ କରୁଛୁ । ଜିଥେ ତ୍ୟାନା କାମ, ତିଥେ ଆମହି [ଯେଉଁଠାରେ କାମ ଆମେ ସେଠାକୁ ଯାଉ]’’ ଜାନବାଈ କହିଲେ, ଯାହାଙ୍କର ସାତ ଜଣିଆ ପରିବାର ବର୍ଷ ସାରା ସାଙ୍ଗଲିରେ ରହନ୍ତି, ଖଣ୍ଡୁ ଓ ତାଙ୍କ ପରିବାର ଭଳି ନୁହେଁ, ଯେଉଁମାନେ ଋତୁକାଳୀନ ଭାବେ ବିସ୍ଥାପିତ ହୁଅନ୍ତି ।

ସାଙ୍ଗଲି ସହର ଉପକଣ୍ଠରେ ଜାନବାଈ ଓ ତାଙ୍କ ପରିବାର ନିକଟରେ ୨.୫ ଗୁଣ୍ଠ ଜମି (ପ୍ରାୟ ୦.୬ ଏକର) କିଣିଛନ୍ତି । ତାଙ୍କର ନାତି ଆସି ଖୁସିରେ ତାଙ୍କ କୋଳରେ ବସିଲା, ସେହି ସମୟରେ ଜାନବାଈ କହିଲେ ‘‘ବାରମ୍ବାର ହେଉଥିବା ବନ୍ୟା ମୋ ପଶୁଙ୍କ ପାଇଁ ଘାତକ । ତେଣୁ ଆମେ ପାହାଡ଼ିଆ ଜମି କଣିଲୁ । ଆମେ ଏକ ଘର ତିଆରି କରିବୁ ଯେଉଁଠାରେ ତଳ ମହଲାରେ ଗଧଗୁଡ଼ିକ ରହିବେ ଏବଂ ଆମେ ଉପରମହଲାରେ ରହିପାରିବୁ ।’’ ସେ ମଧ୍ୟ ଛେଳି ପାଳନ୍ତି ; ଖାଦ୍ୟ ଅପେକ୍ଷାରେ ଥିବାବେଳେ ସେଗୁଡ଼ିକର ବୋବାଇବା ଆମେ ଶୁଣିଲୁ । ଜାନବାଈ ଏକ ସନ୍ତୋଷଜନକ ସ୍ୱରରେ କହିଲେ, ‘‘ମୋ ଭଉଣୀ ମୋତେ ଗୋଟିଏ ମାଈ ଛେଳି ଉପହାର ଦେଇଥିଲେ । ଏବେ ଆମର ୧୦ଟି ଛେଳି ଅଛନ୍ତି ।’’

ସେ ଅଭିଯୋଗ କରନ୍ତି, ‘‘ଏବେ ଗଧମାନଙ୍କୁ ପାଳିବା ଅଧିକରୁ ଅଧିକ କଷ୍ଟକର ହୋଇପଡୁଛି। ଆମ ପାଖରେ ୪୦ଟି ଗଧ ଥିଲେ। ସେଥିମଧ୍ୟରୁ ଗୁଜରାଟରୁ ଆସିଥିବା ଗୋଟିଏ ଗଧ ହୃଦଘାତରେ ମରିଗଲା। ଆମେ ତାକୁ ବଞ୍ଚାଇ ପାରିଲୁ ନାହିଁ।’’ ସେମାନଙ୍କ ପାଖରେ ଏବେ ୨୮ଟି ଗଧ ଅଛନ୍ତି। ସାଙ୍ଗଲିରୁ ଜଣେ ପଶୁଚିକିତ୍ସକ ପ୍ରତି ଛଅ ମାସରେ ଥରେ କି ଦୁଇ ଥର ପଶୁଗୁଡ଼ିକୁ ଦେଖିବାକୁ ଆସନ୍ତି। କିନ୍ତୁ ଗତ ତିନି ମାସରେ କେବଳ ଏହି ପରିବାର ଚାରିଟି ଗଧ ହରାଇଛି – ଏଥିରୁ ତିନିଟି ଚରିବା ବେଳେ କିଛି ବିଷାକ୍ତ ଖାଦ୍ୟ ଖାଇ ଏବଂ ଆଉ ଗୋଟିଏ ଦୁର୍ଘଟଣାରେ ପ୍ରାଣ ହରାଇଛି। ଜାନବାଈ କହନ୍ତି, ‘‘ମୋ ବାପାମା’ଙ୍କର ପିଢ଼ି ପ୍ରାକୃତିକ ଔଷଧ ଜାଣିଥିଲେ। କିନ୍ତୁ ଆମେ ତାହା ଜାଣିନାହୁଁ । ଏବେ ଆମେ ସିଧା ଏକ ଔଷଧ ଦୋକାନକୁ ଯାଉଛୁ ଏବଂ ବୋତଲ ବୋତଲ ଔଷଧ କିଣିଆଣୁଛୁ ।’’

PHOTO • Ritayan Mukherjee
PHOTO • Ritayan Mukherjee

ବାମ: ଜାନବାଈ ମାନେ ଏବଂ ତାଙ୍କ ପରିବାର ପାଖରେ ସାଙ୍ଗଲିରେ ୨୮ଟି ଗଧ ଅଛନ୍ତି । ‘ଏବେ ଗଧ ପାଳିବା ଅଧିକରୁ ଅଧିକ କଷ୍ଟକର ହେଉଛି।’ ଡାହାଣ : ତାଙ୍କ ପୁଅ ସୋମନାଥ ମାନେ ଦିନର କାମ ଆରମ୍ଭ ପୂର୍ବରୁ ଗଧଙ୍କୁ ନିରୀକ୍ଷଣ କରୁଛନ୍ତି

*****

ମହାରାଷ୍ଟ୍ରରେ, ଗଧଗୁଡ଼ିକ ବିଭିନ୍ନ ଗୋଷ୍ଠୀ ଯେମିତିକି କୈକାଡ଼ି, ବେଲଦାର, କୁମ୍ଭାର ଏବଂ ବଦରମାନଙ୍କ ଦ୍ୱାରା ପାଳନ କରାଯାଏ । କୈକାଡ଼ି ସମ୍ପ୍ରଦାୟ –ଖଣ୍ଡୁ, ମାଧୁରୀ ଏବଂ ଜାନବାଈ ଯାହାର ଅନ୍ତର୍ଭୁକ୍ତ – ତାହା ବ୍ରିଟିଶଙ୍କ ଦ୍ୱାରା ‘ଅପରାଧୀ’ ଘୋଷିତ ହୋଇଥିବା ଯାଯାବର ସମ୍ପ୍ରଦାୟ ମଧ୍ୟରେ ଅନ୍ୟତମ ଥିଲା। ୧୯୫୨ରେ ଔପନିବେଶିକ ଅପରାଧିକ ଜନଜାତି ଅଧିନିୟମ ଉଚ୍ଛେଦ ହେବା ପରେ ସେମାନଙ୍କୁ ‘ଅଧିସୂଚିତ’ କରିଦିଆଯାଇଥିଲା, କିନ୍ତୁ ଆଜି ବି ସେମାନେ କଳଙ୍କର ସାମ୍ନା କରୁଛନ୍ତି ଏବଂ ସମାଜ ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛି । ବିଦର୍ଭ ଅଞ୍ଚଳର ଆଠଟି ଜିଲ୍ଲାକୁ ଛାଡ଼ି ମହାରାଷ୍ଟ୍ରର ଅଧିକାଂଶ ଭାଗରେ କୈକାଡ଼ି ସମ୍ପ୍ରଦାୟ ବିମୁକ୍ତ ଜାତି (ଅଧିସୂଚିତ ଜନଜାତି), ଭାବେ ତାଲିକାଭୁକ୍ତ । ବିଦର୍ଭ ଅଞ୍ଚଳରେ ଏମାନେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ।

ଅଧିକାଂଶ କୈକାଡ଼ି ଯେଉଁମାନେ ଗଧକୁ ଗୃହପାଳିତ ପଶୁଭାବେ ପାଳନ୍ତି ସେମାନେ ପୁନେ ଜିଲ୍ଲାର ଜେଜୁରୀ କିମ୍ବା ଅହମ୍ମଦନଗର ଜିଲ୍ଲାର ମାଧିରୁ ସେମାନଙ୍କର ପଶୁଙ୍କୁ କିଣନ୍ତି। କେତେକ ମଧ୍ୟ ଗୁଜରାଟ ଓ ରାଜସ୍ଥାନର ଗଧ ବଜାରକୁ ଯାଆନ୍ତି। ଜାନବାଈ କହିଲେ, ‘‘ଏକ ଯୋଡ଼ା ଗଧକୁ ୬୦,୦୦୦ରୁ ୧,୨୦,୦୦୦ ଟଙ୍କା ପଡ଼ିଥାଏ।’’ ଗଧର ବୟସ କଥା ଉଠାଇ, ଯାହା ତା’ର ଦାନ୍ତରୁ ଜଣାପଡ଼େ,  ସେ ଆହୁରି କହିଲେ ‘‘ଦାନ୍ତ ନ ଥିବା ଗଧର ଦାମ ଆହୁରି ଅଧିକ’’। ଗୋଟିଏ ଗଧର ପ୍ରଥମ ସେଟ୍‌ ଦାନ୍ତ ତା’ ଜୀବନର ପ୍ରଥମ କିଛି ସପ୍ତାହ ମଧ୍ୟରେ ଉଠେ, କିନ୍ତୁ ଧୀରେ ଧୀରେ ସେଗୁଡ଼ିକ ପଡ଼ିଯାଏ ଏବଂ ଗଧଗୁଡ଼ିକ ପ୍ରାୟ ପାଞ୍ଚ ବର୍ଷର ହେବା ବେଳକୁ ସେ ସ୍ଥାନରେ ସ୍ଥାୟୀ ପରିପକ୍ୱ ଦାନ୍ତ ଉଠିପଡ଼େ।

ତେବେ ଏହା ଚିନ୍ତାର ବିଷୟ ଯେ, ଭାରତରେ ଗଧ ସଂଖ୍ୟା ଗତ ଏକ ଦଶକ ମଧ୍ୟରେ ଦ୍ରୁତ ଗତିରେ କମିଛି। ୨୦୧୨-୨୦୧୯ ମଧ୍ୟରେ ସେମାନଙ୍କର ସଂଖ୍ୟା ୬୧.୨ ପ୍ରତିଶତ କମିଯାଇଛି – ୨୦୧୨ର ଗୃହପାଳିତ ପଶୁ ଗଣନାରେ ସେମାନଙ୍କ ସଂଖ୍ୟା ୩.୨ ଲକ୍ଷ ଥିବାବେଳେ ୨୦୧୯ରେ ଏହା ୧.୨ ଲକ୍ଷ ହୋଇଗଲା। ୨୦୧୯ ଗୃହପାଳିତ ପଶୁ ଗଣନା ଅନୁସାରେ-ମହାରାଷ୍ଟ୍ରରେ, ଯେଉଁଠାରେ ଗଧ ସଂଖ୍ୟା ଦେଶରେ ଦ୍ୱିତୀୟ ସର୍ବାଧିକ – ସେଠାରେ ୧୭,୫୭୨ଟି ଗଧ ଅଛନ୍ତି – ଏହି ସଂଖ୍ୟା ସମାନ ଅବଧି ମଧ୍ୟରେ ୪୦ ପ୍ରତିଶତ କମିଯାଇଛି।

ଏହି ଦ୍ରୁତ ହ୍ରାସ ବ୍ରୁକ୍‌ ଇଣ୍ଡିଆ ନାମକ ଏକ ଅଣଲାଭକାରୀ ପଶୁ କଲ୍ୟାଣ ସଂଗଠନକୁ ସାମ୍ବାଦିକ ଶରତ କେ ବର୍ମାଙ୍କ ଦ୍ୱାରା ଏକ ଅନୁସନ୍ଧାନମୂଳକ ଗବେଷଣା କରିବାକୁ ପ୍ରେରିତ କଲା । ତାଙ୍କ ରିପୋର୍ଟରେ ଏହି ହ୍ରାସର ବିଭିନ୍ନ କାରଣ ଚିହ୍ନଟ କରାଯାଇଛି – ଗଧମାନଙ୍କର ବ୍ୟବହାର କମିବା; ସେମାନଙ୍କୁ ପାଳନ କରିବା ଲାଗି ସମ୍ପ୍ରଦାୟଗୁଡ଼ିକ ଅନିଚ୍ଛା ; ସ୍ୱୟଂକ୍ରିୟତା; ଚାରଣ ଭୂମି କମିଯିବା; ବେଆଇନ ହତ୍ୟା; ଏବଂ ଚୋରି ।

PHOTO • Ritayan Mukherjee
PHOTO • Ritayan Mukherjee

ବାମ: ଜଣେ ପାଳକ ନିଜ ଗଧର ପିଠି ଥାପୁଡ଼ାଉଛନ୍ତି। ଡାହାଣ: ମିରାଜ ସହରର ଲକ୍ଷ୍ମୀ ମନ୍ଦିର ଅଞ୍ଚଳରେ ଥିବା ଏକ ଇଟା ଭାଟିରେ ଜଣେ ଶ୍ରମିକ ଇଟା ଓହ୍ଲାଉଛନ୍ତି

ସାଙ୍ଗଲି ଭିତ୍ତିକ ବ୍ରୁକ୍‌ ଇଣ୍ଡିଆର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ସୁଜିତ୍‌ ପାୱାର କହିଲେ ‘‘ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ବିଶେଷକରି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳରେ ଗଧ ମାଂସର ଚାହିଦା ରହିଛି ।’’ ବର୍ମାଙ୍କର ଗବେଷଣାରେ ଉଲ୍ଲେଖ କରାଯାଇଛି ଯେ ମାଂସ ପାଇଁ ଗଧମାନଙ୍କୁ ବେଆଇନ ହତ୍ୟା ଆନ୍ଧ୍ରପ୍ରଦେଶର ବହୁ ଜିଲ୍ଲାରେ ବ୍ୟାପକ ଭାବେ ଚାଲୁଛି । ଏହା ଶସ୍ତା ହେବା ସହ, ଏହି ମାଂସରେ ଔଷଧୀୟ ଗୁଣ ଥିବା ଏବଂ ପୁରୁଷଙ୍କଠାରେ ପୌରୁଷ ତ୍ୱ ବୃଦ୍ଧି ହେଉଥିବା ବିଶ୍ୱା ସ କରାଯାଏ।

ପାୱାର ଆହୁରି କହନ୍ତି, ଗଧ ଚମଡ଼ା ସମୟ ସମୟରେ ଚୀନ୍‌କୁ ଚୋରା ଚାଲାଣ ହୋଇଥାଏ। ଏହା ଚୀନ୍‌ରେ ପ୍ରସ୍ତୁତ କରାଯାଉଥିବା ‘ଇଜାଓ’ ନାମକ ଏକ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ଏକ ଅତ୍ୟାବଶ୍ୟକ ଉପାଦାନ ହୋଇଥାଏ ଏବଂ ତେଣୁ ଏହାର ଚାହିଦା ଖୁବ୍‌ ବେଶୀ। ବ୍ରୁକ୍‌ ଇଣ୍ଡିଆ ପକ୍ଷରୁ ଜାରି ରିପୋର୍ଟ ଗଧମାନଙ୍କର ହତ୍ୟା ଓ ସେମାନଙ୍କର ଚୋରି ମଧ୍ୟରେ ଏକ ସମ୍ପର୍କ ସାମ୍ନାକୁ ଆଣେ। ଏହି ରିପୋର୍ଟରେ ଉପସଂହାର ଭାବେ କୁହାଯାଇଛି ଯେ ଚୀନ୍‌ରେ ବହୁଳ ଚାହିଦା ଦୃଷ୍ଟିରୁ ଗଧ ଚମଡ଼ାର ବେଆଇନ ବ୍ୟବସାୟରେ ବୃଦ୍ଧି ହେଉଛି ଭାରତରେ ଗଧ ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିବାର କାରଣ ।

*****

୪୫ ବର୍ଷୀୟ ବାବାସାହେବ ବାବନ ମାନେଙ୍କର ସମସ୍ତ ୧୦ଟି ଯାକ ଗଧ ଛଅ ବର୍ଷ ପୂର୍ବରୁ ଚୋରି ହୋଇଯାଇଥିଲା । ‘‘ସେବେଠାରୁ ମୁଁ ଇଟା ଭାଟି ଦେବା କାମ କରୁଛି, କମ୍‌ ଆୟ [ପୂର୍ବଠାରୁ]କରୁଛି ।’’ ଗଧ ପାଳକମାନେ ପ୍ରତ୍ୟେକ ୧,୦୦୦ ଇଟା ପାଇଁ ୨୦୦ ଟଙ୍କା ପାଉଥିବାବେଳେ ଇଟା ଭାଟି ଦେଉଥିବା ଲୋକେ କେବଳ ୧୮୦ ଟଙ୍କା ପାଆନ୍ତି । (ମାଧୁରି ଆମକୁ କହିଥିଲେ ଯେ ପଶୁମାନଙ୍କ ଖାଦ୍ୟ ବାବଦକୁ ପାଳକମାନଙ୍କୁ ଅତିରିକ୍ତ ୨୦ ଟଙ୍କା ଦିଆଯାଏ ।) ମିରାଜରୁ ଅର୍ଜୁନୱାଡ଼ ରାସ୍ତାରେ ସାଙ୍ଗଲିୱାଡ଼ିଠାରୁ ପ୍ରାୟ ୧୨ କିଲୋମିଟର ଦୂର ଏକ ଇଟା ଭାଟିରେ ଆମେ ବାବାସାହେବଙ୍କୁ ଭେଟିଲୁ । ଏହି ଭାଟିରୁ ୧୦ କିମିରୁ କମ୍‌ ଦୂରତାରେ ହୋଇଥିବା ଆଉ ଏକ ଚୋରି ବାବଦରେ ମନେ ପକାଇ ସେ କହନ୍ତି, ‘‘ମହିଷାଲ ଫାଟରୁ ଥରେ ଜଣେ ବ୍ୟବସାୟୀ ନିଜର ୨୦ଟି ଗଧ ହରାଇଲେ । ମୁଁ ଭାବୁଛି ସେମାନେ ପଶୁମାନଙ୍କୁ ନିଶା ଦିଅନ୍ତି ଏବଂ ଗାଡ଼ିରେ ପକାଇ ନେଇଯାଆନ୍ତି ।’’ ଜାନବାଈଙ୍କର ଗଧଙ୍କ ମଧ୍ୟରୁ ସାତଟି ଚରିବାକୁ ଯାଇଥିବାବେଳେ ଦୁଇ ବର୍ଷ ତଳେ ଚୋରି ହୋଇଯାଇଥିଲେ।

ଅସାଙ୍ଗଲି, ସୋଲାପୁର, ବିଡ୍‌ ଏବଂ ମହାରାଷ୍ଟ୍ରର ଅନ୍ୟ ଜିଲ୍ଲାଗୁଡ଼ିକରେ ଗଧଙ୍କର ଚୋରି ବଢ଼ି ଚାଲିଛି, ଯାହା ବାବାସାହେବ ଓ ଜାନବାଈଙ୍କ ଭଳି ଗଧପାଳକ ଯେଉଁମାନଙ୍କର ଆୟ ଗଧଙ୍କ ସଂଖ୍ୟା ଉପରେ ନିର୍ଭରଶୀଳ, ସେମାନଙ୍କ ପାଇଁ ଆର୍ଥିକ ସମସ୍ୟାର କାରଣ ପାଲଟୁଛି । ମିରାଜରେ ଇଟା ଭାଟିରେ କାମ କରୁଥିବା ଜଗୁ ମାନେ କହିଲେ, ‘‘ଚୋରମାନେ ମୋର ପାଞ୍ଚଟି ଗଧ ନେଇଗଲେ । ଏ ଜନିତ ମୋର ମୋଟ ପ୍ରାୟ ୨ ଲକ୍ଷ ଟଙ୍କା କ୍ଷତି ହେଲା । ଏହି କ୍ଷତି ମୁଁ କେମିତି ଭରଣା କରିବି ?’’

PHOTO • Ritayan Mukherjee
PHOTO • Ritayan Mukherjee

ବାମ: ବାବୁ ବିଠଲ ଯାଦବ/(ହଳଦିଆ ସାର୍ଟ ପିନ୍ଧିଛନ୍ତି) ମିରାଜର ଏକ ଇଟାଭାଟିରେ ଥାକ ମରାଯାଇଥିବା ଇଟା ଉପରେ ବିରତି ନେଉଛନ୍ତି । ଡାହାଣ : କୈକାଡ଼ି ସମ୍ପ୍ରଦାୟର ଜଣେ ୧୩ ବର୍ଷର ବାଳକ ରମେଶ ମାନେ, ଘାସ ଏବଂ ଶୁଖିଲା କୁଟା ଥିବା ଏକ ଜମିରେ ଚରୁଥିବା ନିଜ ଗଧଙ୍କୁ ଦେଖୁଛନ୍ତି

କିନ୍ତୁ ପାୱାର ଅନୁଭବ କରନ୍ତି ଯେ ଗଧ ମାଲିକମାନେ ମଧ୍ୟ ଢିଲା, ସେମାନେ ଦିନ ସାରା ନିଜ ପଶୁମାନଙ୍କୁ ଖୋଲାରେ ଛାଡ଼ି ଦିଅନ୍ତି, ସେମାନଙ୍କ ଉପରେ ନଜର ରଖିବାକୁ କେହି ନ ଥାନ୍ତି । ‘‘କୌଣସି ସୁରକ୍ଷା ନାହିଁ । ସେମାନେ କେବଳ କାମ ପଡ଼ିବା ବେଳେ ଗଧମାନଙ୍କୁ ଫେରାଇ ଆଣନ୍ତି । ଏହି ସମୟ ମଧ୍ୟରେ, ଯଦି କିଛି ଭଲମନ୍ଦ ହୋଇଯାଏ, ତାହା ଦେଖିବାକୁ [ପଶୁମାନଙ୍କର] କେହି ନଥାନ୍ତି ।’’

ବାବାସାହେବଙ୍କ ସହ କଥା ହେବାବେଳେ ଆମେ ବାବୁ ବିଠଲ ଯାଦବଙ୍କୁ ଦେଖିଲୁ, ଯିଏ ଇଟା ଓହ୍ଲାଇବା ପାଇଁ ନିଜର ଚାରିଟି ଗଧଙ୍କୁ ନେଇ ଆସୁଥିଲେ । ୬୦ ବର୍ଷୀୟ ବାବୁ ମଧ୍ୟ କୈକାଡ଼ି ସମ୍ପ୍ରଦାୟର । ସେ ୨୫ ବର୍ଷ ହେଲା ଇଟା ଭାଟିଗୁଡ଼ିକରେ କାମ କରିଆସୁଛନ୍ତି । ସୋଲାପୁର ଜିଲ୍ଲା ମୋହୁଲ ବ୍ଲକ୍‌ ପାଟକୁଲର ମୂଳବାସିନ୍ଦା ବାବୁ, ବର୍ଷକୁ ଛଅ ମାସ କାମ ପାଇଁ ମିରାଜକୁ ଆସନ୍ତି । ସେ ଥକିପଡ଼ିଥିବା ଦେଖାଯାଉଥିଲେ ଏବଂ ତଳେ ବସିପଡ଼ିଲେ । ସେତେବେଳେ ସକାଳ ପ୍ରାୟ ୯ଟା ବାଜିଥିଲା । ତାଙ୍କ ସ୍ତ୍ରୀ କାମ ଆରମ୍ଭ କରିବାରୁ ବାବାସାହେବ ଏବଂ ଅନ୍ୟ ଦୁଇ ଜଣ ମହିଳା ଶ୍ରମିକଙ୍କ ସହ ଥଟ୍ଟା ମଜା ହୋଇ ବାବୁ ସେଦିନ ପାଇଁ ବିଶ୍ରାମ ନେଲେ । ସେମାନଙ୍କର ଛଅଟି ଗଧ ଥିବାବେଳେ, ସେଗୁଡ଼ିକ ପତଳା ଏବଂ ଅତ୍ୟଧିକ କାମ କରୁଥିବା ଦେଖାଯାଉଛନ୍ତି । ଦୁଇଟିଙ୍କର ଗୋଡ଼ରେ ଆଘାତ ଲାଗିଛି । ସେମାନଙ୍କର ସିଫ୍ଟ ଶେଷ ହେବାକୁ କିଛି ଘଣ୍ଟା ବାକି ଅଛି ।

ମାସରେ କେବଳ ଅମାବାସ୍ୟାରେ ଗୋଟିଏ ଦିନ ବିରତି ମିଳେ  । ତେଣୁ ସମସ୍ତେ ଥକି ଯାଆନ୍ତି । ଜୋତିବା ମନ୍ଦିରରେ ବସିଥିବା ମାଧୁରୀ ପଚାରିଲେ, ‘‘ଯଦି ଆମେ ଏକ ବିରତି ନେବୁ, ଇଟାଗୁଡ଼ିକୁ ପୋଡ଼ିବା ପାଇଁ କିଏ ନେବ ?’’ ସେ କହିଲେ, ‘‘ଯଦି ଆମେ ଶୁଖିଲା ଇଟା ନ ବୋହିବୁ, ତା’ହେଲେ ନୂଆ ଇଟା ପକାଇବାକୁ ସ୍ଥାନ ରହିବ ନାହିଁ । ତେଣୁ ଆମେ ବିରତି ନେଇପାରିବୁ ନାହିଁ । ବିଗତ ଛଅ ମାସ ମଧ୍ୟରେ ଅମାବାସ୍ୟାରେ ହିଁ ଆମେ କେବଳ ବିରତି ନେଉଛୁ ।’’ କୃଷ୍ଣ ପକ୍ଷକୁ ଅଶୁଭ ବୋଲି ଧରାଯାଉଥିବାରୁ ଅମାବାସ୍ୟାରେ ଇଟାଭାଟିଗୁଡ଼ିକ ବନ୍ଦ ରହେ । ଏହାଛଡ଼ା ଶ୍ରମିକ ଓ ଗଧଗୁଡ଼ିକ ଋତୁରେ ହିନ୍ଦୁ ପର୍ବ ପାଇଁ ତିନିଟି ଛୁଟି ପାଆନ୍ତି : ଶିବରାତ୍ରୀ, ଶିମଗା(କିଛି ସ୍ଥାନରେ ହୋଲି ଭାବେ ପାଳିତ ହୁଏ) ଏବଂ ଗୁଡ଼ି ପଡ଼ୱା(ପାରମ୍ପରିକ ନୂଆ ବର୍ଷ) ।

ମଧ୍ୟାହ୍ନ ବେଳକୁ ଅଧିକାଂଶ ଶ୍ରମିକ ଇଟାଭାଟି ନିକଟସ୍ଥ ସେମାନଙ୍କର ଅସ୍ଥାୟୀ ଘରକୁ ଫେରିଆସନ୍ତି । ଶ୍ରାବଣୀ ଏବଂ ଶ୍ରଦ୍ଧା ନିକଟବର୍ତ୍ତୀ ଏକ ପାଣି ଟ୍ୟାପ୍‌ ପାଖକୁ ଲୁଗା ଧୋଇବାକୁ ଯାଇଛନ୍ତି । ଖଣ୍ଡୁ ମାନେ ଗଧଗୁଡ଼ିକୁ ଚରେଇବାକୁ ନେଇ ଯାଇଛନ୍ତି । ମାଧୁରୀ ଏବେ ପରିବାର ପାଇଁ ରୋଷେଇ କରିବେ ଏବଂ ଅସହ୍ୟ ଗରମରେ କିଛି ସମୟ ଶୋଇବାକୁ ଚେଷ୍ଟା କରିବେ । ଭାଟି ସେଦିନ ପାଇଁ ବନ୍ଦ ଅଛି । ମାଧୁରୀ କହନ୍ତି, ‘‘ଟଙ୍କା[ରୋଜଗାର] ଭଲ ହେଉଛି ଏବଂ ଆମ ପାଖରେ ଖାଇବାକୁ ପର୍ଯ୍ୟାପ୍ତ ଅଛି। କିନ୍ତୁ ଯେମିତିକି ଆପଣ ଜାଣନ୍ତି ନିଦ ନାହିଁ ।’’

ସେଣ୍ଟର ଫର ପାସ୍ତୋରାଲିଜମ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ଯାତ୍ରା ଅନୁଦାନ ମାଧ୍ୟମରେ ରିତାୟନ ମୁଖାର୍ଜୀ ପଶୁ ପାଳକ ଏବଂ ଯାଯାବର ସମ୍ପ୍ରଦାୟ ଉପରେ ଆଲେଖ୍ୟ ପ୍ରସ୍ତୁତ କରନ୍ତି। ସେଣ୍ଟର ଫର ପାସ୍ତୋରାଲିଜମ୍‌ ପକ୍ଷରୁ ଏହି ଆଲେଖ୍ୟର ବିଷୟବସ୍ତୁ ଉପରେ କୌଣସି  ସମ୍ପାଦକୀୟ ନିୟନ୍ତ୍ରଣ କରାଯାଇନାହିଁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Photographs : Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Ritayan Mukherjee
Text : Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ମେଧା କାଲେ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE