“ଚଉଦ, ଷୋହଳ, ଅଠର...’’ ଖଣ୍ଡୁ ମାନେ ଅଠଠ୍ୟା ପିଠିରେ ଜିନିଷପତ୍ର ପରିବହନ ଲାଗି ବନ୍ଧାଯାଇଥିବା ଥଳିରେ ନିଜେ ଲଦୁଥିବା କଞ୍ଚା ଇଟାକୁ ଗଣିଲେ। ଯେତେବେଳେ ଏହା ୩୬ରେ ପହଞ୍ଚିଲା, ସେ ଗଧକୁ ନିର୍ଦ୍ଦେଶ ଦେଲେ: “ଚାଲ..ଫର୍ର... ଫର୍ର...’’ ଅଠଠ୍ୟା ଏବଂ ଇଟା ଲଦାହୋଇଥିବା ଅନ୍ୟ ଦୁଇଟି ଗଧ ଏହାପରେ ପ୍ରାୟ ୫୦ ମିଟର ଦୂରରେ ଥିବା ଭାଟି ଆଡ଼କୁ ଚାଲିବା ଆରମ୍ଭ କଲେ ଯେଉଁଠାରେ ଇଟାଗୁଡ଼ିକୁ ପୋଡ଼ିବା ଲାଗି ଓହ୍ଲାଯିବ।
ଖଣ୍ଡୁ କହିଲେ, “ଆଉ ଘଣ୍ଟାଏ ଏବଂ ତା’ ପରେ ଆମେ ଆରାମ କରିବା ।’’ କିନ୍ତୁ ବର୍ତ୍ତମାନ ସକାଳ ୯ଟା ମାତ୍ର ବାଜିଛି! ଆମର ଦ୍ୱନ୍ଦ୍ୱାତ୍ମକ ମୁହଁକୁ ଦେଖି ସେ ବୁଝାଇଲେ: “ଆମେ ରାତିର ଅନ୍ଧାରରେ ଗୋଟାଏରେ କାମ ଆରମ୍ଭ କରିଥିଲୁ । ଆମର ସିଫ୍ଟ ସକାଳ ୧୦ଟାରେ ଶେଷ ହେବ। ରାତଭର ହେ ଆସଚ୍ ଚାଲୁ ଆହେ [ଆମେ ରାତିସାରା ଏଠାରେ କାମ କରୁଛୁ଼]।
ଖଣ୍ଡୁଙ୍କର ଗଧ ମଧ୍ୟରୁ ଚାରିଟି ଭାଟିରୁ ଖାଲି ଅଖାରେ ଫେରିଆସିଥିଲେ । ସେ ପୁଣି ଥରେ ମୂଳରୁ ଆରମ୍ଭ କଲେ :‘‘ଚଉଦ, ଷୋହଳ, ଅଠର…’’
ତା’ପରେ ହଠାତ୍, ‘‘ରୁକୋ…’’ ସେ ତାଙ୍କର ଗୋଟିଏ ଗଧକୁ ହିନ୍ଦୀରେ ଡାକିଲେ । ‘‘ଆମର ସ୍ଥାନୀୟ ଗଧମାନେ ମରାଠୀ ବୁଝନ୍ତି, କିନ୍ତୁ ଏଇଟା ନୁହେଁ । ସେ ରାଜସ୍ଥାନରୁ ଆସିଛି । ଆମକୁ ତାକୁ ହିନ୍ଦୀରେ ନିର୍ଦ୍ଦେଶ ଦେବାକୁ ହୁଏ ।’’ ସେ ମନଖୋଲା ହସ ହସି କହିଲେ ଏବଂ ଆମକୁ ଏକ ଡେମୋ ଦେଖାଇଲେ: ରୁକୋ । ଗଧ ରହିଗଲା । ଚଲୋ । ତାହା ଚାଲିବା ଆରମ୍ଭ କଲା।
ତାଙ୍କର ଚାରି ଗୋଡ଼ିଆ ବନ୍ଧୁମାନଙ୍କୁ ନେଇ ଖଣ୍ଡୁଙ୍କର ଗର୍ବ ବହୁତ ବେଶୀ । ‘‘ଲିମ୍ବୋ ଏବଂ ପାଣ୍ଢ୍ର୍ୟା ଚରିବାକୁ ଯାଇଛନ୍ତି, ଏବଂ ମୋର ପ୍ରିୟ ବୁଲେଟ୍ ମଧ୍ୟ ଚରିବାକୁ ଯାଇଛି । ସେ ଡେଙ୍ଗା ଏବଂ ସୁନ୍ଦର ଓ ସୁପରଫାଷ୍ଟ !’’
















