କମଳା ଯେତେବେଳେ ଚଚୁର୍ଥ ଥର ପାଇଁ ଗର୍ଭବତୀ ହେଲା ଓ ନିଜର ଶିଶୁକୁ ଜନ୍ମ ନଦେବା ପାଇଁ ନିଷ୍ପତି ନେଲା, ସେତେବେଳେ ସେ ତାଙ୍କ ପଲ୍ଲୀଠାରୁ ୩୦ କିଲୋମିଟର୍ ଦୂରରେ ଅବସ୍ଥିତ ବେନୂର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇନଥିଲା । ସେ ଆଜି ପର୍ଯ୍ୟନ୍ତ କେବଳ ସପ୍ତାହିକ ହାଟ ପର୍ଯ୍ୟନ୍ତ ଯାତ୍ରା କରିଛି, ଯାହା ତାର ଘର ଠାରୁ ଅଳ୍ପ ଦୂରତାରେ ଅବସ୍ଥିତ ଓ ସେ କୁହେ, “ମୋତେ ଏହି ସ୍ଥାନ ବିଷୟରେ ଜାଣିନଥିଲି ମଧ୍ୟ” । ମୋର ସ୍ୱାମୀ ପରେ ଏହା ବିଷୟରେ ଜାଣିବାକୁ ପାଇଲେ ।
କମଳା, ଯାହାର ବୟସ ୩୦ରୁ ଟିକିଏ ଅଧିକ ହେବ ଓ ତା’ର ସ୍ୱାମୀ ରବି (ନାମ ପରିବର୍ତ୍ତନ କରାଯାଇଛି), ୩୫, ଉଭୟ ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟର, ପ୍ରଥମେ ତାଙ୍କ ପଲ୍ଲୀଠାରୁ ଅଳ୍ପ ଦୂରରେ ଥିବା ସ୍ଥାନୀୟ ‘ଡାକ୍ତର’ଙ୍କ ପାଖକୁ ଯାଇଥିଲେ । “ଜଣେ ବନ୍ଧୁ ମୋତେ ତାଙ୍କ ବିଷୟରେ ଜଣାଇଥିଲେ” ବୋଲି ସେ କୁହନ୍ତି । କମଳା ତାଙ୍କ ଘର ପାଖରେ ଥିବା ଖଣ୍ଡେ ଜମିରେ ପରିବା ଚାଷ କରନ୍ତି ଯାହା ସେ ହାଟ (ବଜାର)ରେ ବିକିଥାନ୍ତି, ଯେତେବେଳେକି ରବି ସ୍ଥାନୀୟ ମଣ୍ଡିରେ ଜଣେ ମଜୁରିଆ ଭାବେ କାମ କରନ୍ତି ଓ ତାଙ୍କର ଦୁଇ ଭାଇଙ୍କ ସହିତ ମିଶି ତିନି ଏକର ଜମିରେ ଗହମ ଓ ମକା ଚାଷ କରନ୍ତି। ସେ ଯେଉଁ କ୍ଲିନିକ୍ ବିଷୟରେ କହୁଛନ୍ତି ତାହା ରାଜପଥରୁ ସହଜରେ ଚିହ୍ନଟ କରାଯାଇପାରିବ । ଏହାକୁ ଏକ ଡାକ୍ତରଖାନା ଭାବେ ସମସ୍ତ ଜାଣନ୍ତି ଓ ଏହାର ପ୍ରବେଶଦ୍ୱାରରେ ଥିବା ନାମଫଳକରେ ‘ଡାକ୍ତର’ ବୋଲି ଉଲ୍ଲେଖ କରାଯାଇ ନଥିବାବେଳେ ପାଚେରୀ କାନ୍ଥରେ ଲାଗିଥିବା ଫ୍ଲେକ୍ସ ପାନେଲ୍ରେ ତାଙ୍କ ନାମ ପୂର୍ବରୁ ଏହି ଟାଇଟେଲ୍ ଲେଖାଯାଇଛି ।
‘ଡାକ୍ତର’ ତାଙ୍କୁ ପାଞ୍ଚଟି ବଟିକା ତିନିଦିନ ଖାଇବାକୁ ଦେଲେ, ଏଥିପାଇଁ ତାଙ୍କଠାରୁ ୫୦୦ଟଙ୍କା ଫି ନେଲେ ଓ ପରବର୍ତ୍ତୀ ରୋଗୀକୁ ଡାକିଲେ ବୋଲି କମଳା କୁହନ୍ତି । ବଟିକା ସମ୍ବନ୍ଧରେ କୌଣସି ସୂଚନା ଦିଆଯାଇନାହିଁ, ଯେପରିକି କ’ଣ ସବୁ ପ୍ରତିକ୍ରିୟା ପ୍ରକାଶ ପାଇବା ସମ୍ଭାବନା ରହିଛି ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି, କେତେବେଳେ ଓ କିପରି ଗର୍ଭପାତ ହେବ ବୋଲି ସେ ପ୍ରତ୍ୟାଶା କରିପାରିବେ ଆଦି ।
ଔଷଧ ଖାଇବାର କିଛି ଘଣ୍ଟା ପରେ କମଳାର ରକ୍ତସ୍ରାବ ହେବା ଆରମ୍ଭ ହୋଇଗଲା । “ମୁଁ କିଛି ଦିନ ପାଇଁ ଅପେକ୍ଷା କଲି କିନ୍ତୁ ଏହା ବନ୍ଦ ହେଲା ନାହିଁ, ଏଣୁ ମୁଁ ପୁଣିଥରେ ସେହି ଡାକ୍ତରଙ୍କ ପାଖକୁ ଗଲି ଯିଏ ମୋତେ ଔଷଧ ଦେଇଥିଲେ । ସେ ଆମକୁ ପିଏଚ୍ସି ଯିବାକୁ କହିଲେ ଓ ସେଠାରେ ସଫାଇ କରିବାକୁ କହିଲେ’’ । ଏହା ‘ସଫା କରିବା’କୁ ବୁଝାଏ ଯାହା ହେଉଛି ଜରାୟୁରୁ ଶୋଷକ ଯନ୍ତ୍ର ସାହାଯ୍ୟରେ ତରଳ ପଦାର୍ଥ ନିଷ୍କାସନ କରିବା ପ୍ରକ୍ରିୟା ।
ଶୀତ ଦିନର ଆରାମଦାୟକ ସୂର୍ଯ୍ୟ କିରଣରେ ବେନୂର୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍ସି) ବାହାରେ ଏକ ବେଞ୍ଚ ଉପରେ ବସି କମଳା ଡାକ୍ତରୀ ଟର୍ମିନେସନ୍ ଅଫ୍ ପ୍ରେଗ୍ନାନ୍ସି (ଏମ୍ଟିପି) ପ୍ରକ୍ରିୟା ପାଇଁ ତାର ପାଳି ପାଇଁ ଅପେକ୍ଷା କରି ବସିଛି, ଯାହା କରିବା ପାଇଁ ପ୍ରାୟ ୩୦ମିନିଟ୍ ସମୟ ଲାଗିବ କିନ୍ତୁ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଓ ପରେ ତାକୁ ପ୍ରାୟ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ହେବ । ପୂର୍ବଦିନ ଏହାପାଇଁ ବାଧ୍ୟତାମୂଳକ ଥିବା ରକ୍ତ ଓ ମୂତ୍ର ପରୀକ୍ଷା କରାଯାଇଛି ।
ଏହି ପିଏଚ୍ସି ଯାହା ହେଉଛି ଛତିଶଗଡର ନାରାୟଣପୁର ଜିଲ୍ଲାର ସବୁଠାରୁ ବଡ ପିଏଚ୍ସି, ୨୦୧୯ର ଶେଷ ଭାଗରେ ଏହାକୁ ପୁଣି ସଜାଯାଇଛି। ଏଥିରେ ହସୁଥିବା ମା ଓ ସୁସ୍ଥ ପିଲାଙ୍କ ଉଜ୍ଜ୍ୱଳ ପେଟିଂ ଲାଗିଥିବା ସ୍ୱତନ୍ତ୍ର ପ୍ରସୂତି କକ୍ଷ, ୧୦-ଶଯ୍ୟା ବିଶିଷ୍ଟ ୱାର୍ଡ, ୩-ଶଯ୍ୟା ବିଶିଷ୍ଟ ଲେବର୍ ରୁମ୍, ଅଟୋକ୍ଲେଭ୍ ମେସିନ୍, ଅପେକ୍ଷା କରୁଥିବା ଆସନ୍ନ ପ୍ରସବାଙ୍କ ପାଇଁ ଆବସିକ ସୁବିଧା ଓ ଏପରିକି ଏକ ରୋଷେଇ ବଗିଚା ମଧ୍ୟ ରହିଛି । ଏହା ବସ୍ତରର ଏକ ଆଦିବାସୀ ବହୁଳ ଅଞ୍ଚଳରେ ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପନ୍ନ ଛବି ପ୍ରଦର୍ଶିତ କରୁଛି ।












