“ଆମକୁ ଖାଦ୍ୟ ପୁଡ଼ିଆ ଦିଅନ୍ତୁ ନାହିଁ, ଆମେ ରାସନ ଦୋକାନରୁ ଚାଉଳ କିଣିପାରିବୁ। ବନ୍ୟାଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ!” ସେମାଞ୍ଜରିରେ ଏକତ୍ରିତ ହୋଇଥିବା ମହିଳାମାନଙ୍କର ଏକ ଦଳ ଏହା କହିଥିଲେ।
ସେହି ଅଞ୍ଚଳ, ଚେନ୍ନାଇ ସହରଠାରୁ ୩୦ କିଲୋମିଟର ଦୂର, ପୁରୁଣା ମହାବଳୀପୁରମ ରାସ୍ତାରେ ପଡ଼ିଥାଏ। କାଞ୍ଚିପୁରମ ଜିଲ୍ଲା ଅଧୀନରେ ଆସୁଥିବା ସିମାଞ୍ଜେରି ନଭେମ୍ବର୨୫,୨୦୨୦ରେ ସମ୍ପୂର୍ଣ୍ଣ ଭାବେ ବନ୍ୟା ଜଳ ପ୍ଳାବିତ ହୋଇପଡ଼ିଥିଲା।
ତଳିଆ ଅଞ୍ଚଳ ହୋଇଥିବାରୁ ଏଠାକାର ବାସିନ୍ଦାଙ୍କ ପାଇଁ ବନ୍ୟା ପାଣିରେ ବୁଡ଼ି ରହିବା ସମସ୍ୟା ନୂଆ କିମ୍ବା ଅସ୍ୱାଭାବିକ ନୁହେଁ। ୨୦୧୫ରେ ସମ୍ପୂର୍ଣ୍ଣ ଚେନ୍ନାଇ ପାଣି ଘେରରେ ରହିଥିଲା, ଯାହାକି ବିପର୍ଯ୍ୟସ୍ତ ବନ୍ୟା ଜଳ ପରିଚାଳନାକୁ ପଦାରେ ପକାଇଥିଲା, ଏହି ସମୟରେ ସିମାଞ୍ଜେରି ମଧ୍ୟ ବନ୍ୟା ପାଣିରେ ବୁଡ଼ିଯାଇଥିଲା। ତେବେ ବିଗତ ବର୍ଷଗୁଡ଼ିକରେ, କେତେକ ଆଖାପାଖ ଅଞ୍ଚଳରେ ରାସ୍ତା ଏବଂ ବର୍ଷା ଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ଡ୍ରେନଗୁଡ଼ିକ ଅତିକମ୍ରେ ଭଲ ଭାବେ ନିର୍ମାଣ କରାଯାଇଛି।
ହେଲେ ସିମାଞ୍ଜେରି (ବା ସିମାଞ୍ଚେରି) ହାଉସିଂବୋର୍ଡ ଅଞ୍ଚଳରେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ବୋଧହୁଏ ବିଭିନ୍ନ ସହରାଞ୍ଚଳ ‘ବିକାଶ’ ଏବଂ ଭିତ୍ତିଭୂମି ପ୍ରକଳ୍ପ ପାଇଁ ସ୍ଥାନାନ୍ତରିତ ଲୋକମାନଙ୍କୁ ଏଠାରେ ଥଇଥାନ କରାଯାଇଥିବାରୁ ଏହି ଅଞ୍ଚଳ ଅବହେଳିତ ହୋଇରହିଛି। ଏହି ଅଞ୍ଚଳରେ ରହୁଥିବା ଅଧିକାଂଶ ବାସିନ୍ଦା ଚେନ୍ନାଇ ସହରରେ ଘରୋଇ ଚାକର, ସଫେଇ କର୍ମୀ, ଅଟୋ ଡ୍ରାଇଭର କିମ୍ବା ଅନ୍ୟାନ୍ୟ ଅସଂଗଠିତ କ୍ଷେତ୍ରରେ କାମ କରିଥାନ୍ତି।
ତେଣୁ ନିଭାର ମହାବାତ୍ୟା ଯେତେବେଳେ ତାମିଲନାଡ଼ୁରେ ସ୍ଥଳଭାଗ ଛୁଇଁଲା, କୁଡ୍ଡାଲୋରରେ ୨୫୦ ମିଲିମିଟର ବର୍ଷା ଏବଂ ଚେନ୍ନାଇରେ ୧୦୦ ମିଲିମିଟର ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ସିମାଞ୍ଜେରିରେ ଲୋକମାନଙ୍କ ଘର ଭିତରେ ପାଣି ପଶିଯାଇଥିଲା। ଅନେକ ଦିନ ଧରି ରାସ୍ତାରେ ଆଣ୍ଠୁଏ ଏବଂ ଘର ଭିତରେ ପାଦେ ଲେଖାଏଁ ପାଣି ରହିଥିଲା।















