“ବନ୍ଦର କି ଫେରି ଲାଓ, ବନ୍ଦର କି ଫେରି ଲାଓ...(ମାଙ୍କଡ଼ଙ୍କ ପାଇଁ ଖାଇବା ଦିଅ...)’’
ରାଜସ୍ଥାନର ସିରୋହି ଜିଲ୍ଲାରେ ଥିବା ସେଓଗଞ୍ଜ ସହରର ଗଳିକନ୍ଦିରେ ସାଇକେଲ ଚଳାଇ ଯିବା ସମୟରେ ଝୁଜାରାମ ଧର୍ମଜି ସନ୍ତ ଏହା ଉଚ୍ଚାରଣ କରିଥାନ୍ତି । “ଲୋକମାନେ ସବୁବେଳେ ବଳି ପଡ଼ିଥିବା ଖାଦ୍ୟ ଯେପରିକି ରୁଟି, ଉଭୟ ରୋଷେଇ ହୋଇଥିବା ଏବଂ କଞ୍ଚା ପରିବା ସଙ୍ଗେ ସଙ୍ଗେ ଦେଇଥାନ୍ତି ।’’ ସେ କହିଲେ, “୬-୭ଟି ଗଳିରୁ ମୁଁ ସଂଗ୍ରହ (ଖାଦ୍ୟ) କରିବା ପରେ, ଏକ ଅଖାରେ ତାହା ଭର୍ତ୍ତି କରେ ।’’ ସେ ଏକ ପ୍ଲାଷ୍ଟିକ୍ ଅଖା ବ୍ୟବହାର କରିଥାନ୍ତି ଯେଉଁଥିରେ ୧୫-୨୦ କିଲୋ ଜିନିଷ ଧରେ ।
ପ୍ରତିବର୍ଷ ୮ ମାସ ଧରି ଝୁଜାରାମ ସକାଳ ୮.୩୦ ମିନିଟ୍ରୁ ମାଙ୍କଡ଼ଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାରେ ବ୍ୟସ୍ତ ରହିଥାନ୍ତି । ଅଖା ଭର୍ତ୍ତି ହୋଇଯିବା ପରେ ସେ ତାକୁ ସାଇକେଲ୍ରୁ ତାଙ୍କର ମୋପେଡ୍ରେ ନେଇ ରଖନ୍ତି । ସେ ୮କିମି ଧରି ମୋପେଡ୍ ଚଳାଇ ୬୨ ନମ୍ବର ଜାତୀୟ ରାଜପଥ ନିକଟରେ ପାଲରି ଗାଁର ଦକ୍ଷିଣରେ ସିରୋହି ତହସିଲରେ ପାହାଡ଼ ଦ୍ୱାରା ପରିବେଷ୍ଟିତ ଥିବା ଏକ ଛୋଟ ମନ୍ଦିର ଗାଙ୍କେଶ୍ୱର ମହାଦେବ ମନ୍ଦିରକୁ ଯାଇଥାନ୍ତି ।
ସକାଳ ୧୧ଟା ମଧ୍ୟରେ ସେ ମନ୍ଦିରରେ ପହଞ୍ଚିଥାନ୍ତି ଏବଂ “ ଆଓ, ଆେଓା” (“ଆସ, ଆସ”) ବୋଲି ମାଙ୍କଡ଼ଙ୍କୁ ଡାକିଥାନ୍ତି । ତା’ ପରେ ଯାଦୁ ପ୍ରଦର୍ଶନ ହେଲା ଭଳି ୨୦୦-୩୦୦ ଲାଙ୍ଗୁର (ମାଙ୍କଡ) ତୁରନ୍ତ ଆସିଯାନ୍ତି, ସମସ୍ତେ ତାଙ୍କ ଆଡକୁ ଚାହିଁବା ସହ ସୁନା ପିଲା ଭଳି ଖାଦ୍ୟ ପାଇଁ ଅପେକ୍ଷା କରନ୍ତି । କିନ୍ତୁ ସେ ସେମାନଙ୍କୁ ରୁଟି ଦେବା ପରେ ସେମାନଙ୍କର ସୁନା ପିଲା ଢଙ୍ଗ ଛାଡ଼ିଯାଏ । ମାଙ୍କଡ଼ମାନେ ଚାରିଆଡେ ଦଉଡ଼ାଦଉଡ଼ି କରିବା ସହ ଯେତେ ଅଧିକ ପାରନ୍ତି ଖାଇଚାଲନ୍ତି। କାରଣ ଧୀରେ ଧୀରେ ଆହୁରି ଅଧିକ ମାଙ୍କଡ଼ ଏକତ୍ରିତ ହୁଅନ୍ତି। ଏହି ଜଙ୍ଗଲରେ ଥିବା ସବୁ ୭୦୦ ମାଙ୍କଡ଼ଙ୍କୁ ଅଧ ଘଣ୍ଟା ମଧ୍ୟରେ ସେ ଖାଦ୍ୟ ଖୁଆଉଥିବା କଥା ଝୁଜାରାମ କହନ୍ତି । ସେ କହିଲେ, “ମାଙ୍କଡ଼ମାନେ ଖରାଦିନେ ଆଳୁ, ବିସ୍କୁଟ, ଲାଉ ଏବଂ ଗାଜର ଖାଇବାକୁ ଭଲ ପାଆନ୍ତି । ଏହା ସହ ରୁଟି ଏପରିକି ସପେଟା ବି ଖାଇଥାନ୍ତି ।’’
ସେ କହିଲେ ଅନ୍ୟମାନେ ଯେଉଁମାନେ ସେମାନଙ୍କୁ ଖାଦ୍ୟ ଖୁଆଇବାକୁ ଉଦ୍ୟମ କରିଥାନ୍ତି ସେମାନଙ୍କୁ ସେମାନେ ଭୟଭୀତ କରିଥାନ୍ତି । “ମାଙ୍କଡ଼ମାନେ ବାହାର ଲୋକଙ୍କୁ ଡରିଯାଆନ୍ତି । ଲୋକମାନେ ସେମାନଙ୍କ ଉପରକୁ ପଥର ଫିଙ୍ଗିବା ଏବଂ ସେମାନଙ୍କୁ ଆହତ କରିବା କଥା ସେମାନେ ଜାଣିଛନ୍ତି । ଲୋକମାନେ ସେମାନଙ୍କୁ ଆଘାତ ପହଞ୍ଚାଇବା ଖୁବ୍ ଦୁଃଖର କଥା, ସେମାନେ ଏପରି କାହିଁକି କରନ୍ତି ବୋଲି ସେ ପଚାରିଲେ ।’’









