ଶୀତଦିନ ଅପରାହ୍ଣରେ, କ୍ଷେତରେ କାମ ସରିଯିବା ପରେ ଏବଂ ପରିବାରର ଯୁବ ସଦସ୍ୟମାନେ କାମଧନ୍ଦା ପାଇଁ ବାହାରକୁ ଯାଇଥିବା ସମୟରେ, ହରିୟାଣାର ସୋନିପତ ଜିଲ୍ଲା ଅନ୍ତର୍ଗତ ହର୍ସାନା କଲାନ ଗାଁର ପୁରୁଷମାନେ ପ୍ରାୟତଃ ଗାଁରଚୌପାଲ୍ରେ (ଗାଁ ଛକରେ) ବସି ତାସ୍ ଖେଳୁଥାଆନ୍ତି କିମ୍ବା ଛାଇରେ ବିଶ୍ରାମ ନେଉଥାଆନ୍ତି ।
ସେଠାରେ କେବେ ବି ମହିଳାମାନଙ୍କ ଦେଖା ମିଳେନାହିଁ ।
ଜଣେ ସ୍ଥାନୀୟ ବାସିନ୍ଦା ବିଜୟ ମଣ୍ଡଳ ପଚାରନ୍ତି, “ମହିଳାମାନେ ଏଠାକୁ କାହିଁକି ଆସିବେ? ନିଜ କାମରୁ ସେମାନଙ୍କୁ ଫୁର୍ସତ ମିଳେନି । ୱ କ୍ୟା କରେଙ୍ଗେ ଇନ୍ ବଡ଼େ ଆଦମୀୟୋଁ କେ ସାଥ୍ ବୈଠ୍ କର୍? (ଏଠି ବଡ଼ଲୋକମାନଙ୍କ ସାଙ୍ଗରେ ବସି ସେମାନେ ବା କ’ଣ କରିବେ) ?”
ଏଇ କିଛି ବର୍ଷ ତଳ ପର୍ଯ୍ୟନ୍ତ, ଦିଲ୍ଲୀଠାରୁ ମାତ୍ର ୩୫ କିଲୋମିଟର ଦୂର ଏବଂ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅନ୍ତର୍ଭୁକ୍ତ ପ୍ରାୟ ୫,୦୦୦ ଲୋକଙ୍କର ଏଇ ଗାଁରେ ପର୍ଦ୍ଦା ପ୍ରଥା କିମ୍ବା ମହିଳାମାନେ ଓଢ଼ଣାଦେବା ପ୍ରଥା କଡ଼ାକଡି ଭାବେ ଅନୁସୃତ ହେଉଥିଲା ।
ମଣ୍ଡଳ କହନ୍ତି, “ମହିଳାମାନେ ଚୌପାଲ ଆଡ଼କୁ ଚାହୁଁ ବି ନଥିଲେ ।”ମୋଟାମୋଟି ଭାବେ ଗାଁର କେନ୍ଦ୍ରରେ ଥିବା ଏହି ସ୍ଥାନଟି ବୈଠକ ସ୍ଥଳ ଏବଂ ବିଭିନ୍ନ ବିବାଦର ସମାଧାନ ଲାଗି ଏଠାରେ ପଞ୍ଚାୟତ ବସେ । ହର୍ସାନା କଲାନର ଜଣେ ପୂର୍ବତନ ସରପଞ୍ଚ ସତୀଶ କୁମାର କହନ୍ତି, “ପହଲେ କି ଔରତ ସଂସ୍କାରୀ ଥି (ଆଗ କାଳରେ ମହିଳାମାନେ ପରମ୍ପରାକୁ ସମ୍ମାନ ଦେଉଥିଲେ)।”
ମଣ୍ଡଳ କହନ୍ତି, “ସେମାନଙ୍କ ପାଖରେ ମର୍ଯ୍ୟାଦା ଓ ସମ୍ମାନବୋଧ ଥିଲା।” ସ୍ମିତହାସ୍ୟରେ ତାଙ୍କ ମୁହଁରେ କୁଞ୍ଚନ ସୃଷ୍ଟି ହେଉଥିବା ବେଳେ କଥା ଯୋଡ଼ି ସେ କହନ୍ତି, “ଏମିତି କି ଚୌପାଲ ଆଡ଼କୁ ଚାଲି ଚାଲି ଆସୁଥିଲେ ବି ସେମାନେ ଓଢ଼ଣା ଦେଉଥିଲେ ।”
୩୬ ବର୍ଷୀୟା ସାଇରାଙ୍କ ପାଇଁ ଏସବୁରେ କିଛି ନୂଆ କି ଅଭିନବ ବିଷୟ ନଥିଲା । ଦିଲ୍ଲୀ ନିକଟ ତାଙ୍କ ନିଜ ଗାଁ ମାଜରା ଡବାସରୁ ୨୦ ବର୍ଷ ବୟସର ଜଣେ ବୋହୂ ଭାବରେ ଏହି ଗାଁକୁ ଆସିବା ଦିନଠାରୁ ଆରମ୍ଭ କରି ୧୬ ବର୍ଷ ହେଲା ସେ ଏହି ସବୁ ହୁକୁମ ପାଳନ କରି ଜୀବନ ବିତାଇ ଆସୁଛନ୍ତି । ସେ କେବଳ ତାଙ୍କ ପ୍ରଥମ ନାଁକୁ ବ୍ୟବହାର କରନ୍ତି । କିନ୍ତୁ ପୁରୁଷମାନଙ୍କକ୍ଷେତ୍ରରେ ନାମ ସହ ଉପନାମ ଯୋଡ଼ା ହୁଏ ।
ସିଲେଇ ମେସିନ୍ର ଛୁଞ୍ଚି ଏବଂ ବାଇଗଣୀ ରଙ୍ଗର କପଡ଼ା ମଝିରେ କୁଶଳତାର ସହ ହାତ ଚଳାଉଥିବା ସମୟରେ ସାଇରା କହନ୍ତି,“ବାହା ହେଲା ପୂର୍ବରୁ ମୁଁ ଯଦି ମୋ ସ୍ଵାମୀଙ୍କୁ ଭେଟିଥାଆନ୍ତି, ତାହେଲେ ମୁଁ ଏହି ବିବାହ ପାଇଁ ଆଦୌ ହଁ କହି ନଥାଆନ୍ତି । ଇସ୍ ଗାଓଁ ମେଁ ତୋ କତଇ ନା ଆତି (ଏଇ ଗାଁକୁ ଆସିବା ଲାଗି ତ ମୁଁ ଆଦୌ ରାଜି ହୋଇ ନଥାଆନ୍ତି) ।”(ଏହି ଲେଖାରେ ତାଙ୍କ ନାଁ ଏବଂ ତାଙ୍କ ପରିବାରର ସବୁ ସଦସ୍ୟଙ୍କ ନାଁ ବଦଳାଇ ଦିଆଯାଇଛି ।)










