ଗୋଥି ପଡ଼ାର ଅଣଓସାରିଆ ମୁଖ୍ୟ ଗଳି। ପ୍ରାୟ ସବୁ ଘର ଆଗରେ କିଛି ବସ୍ତା ସହ କଂକ୍ରିଟ୍ ଗଦା ହୋଇଛି। ସବୁ ବୟସର ମହିଳା, ଏପରିକି ସ୍କୁଲ ଝିଅମାନେ ମଧ୍ୟ ଆବଡ଼ାଖାବଡ଼ା କଂକ୍ରିଟ୍ ଗଦା ଉପରେ ବସି ହାମର ଓ କ୍ଲାମ୍ପ ସାହାଯ୍ୟରେ ଗୋଟେ ପରେ ପରେ ଗୋଟେ ପଥର ଭାଙ୍ଗୁଛନ୍ତି। ପାହାଡ ଓ ନଦୀ ଶଯ୍ୟାରୁ ପଥର ସଂଗ୍ରହ କରି ଆଣିବା ପରେ ପୁରୁଷ ଲୋକମାନେ ଗଳିର ଘର ବାହାରେ ବସି କ୍ୟାରମ୍ ଆଉ ତାସ୍ ଖେଳୁଛନ୍ତି।
ଉତ୍ତରାଖଣ୍ଡର ପୂର୍ବ ପିଥୋରଗଡ଼ ଜିଲ୍ଲାର ଜଉଲଜିବି ବଜାର ଅଞ୍ଚଳରୁ ଧାରଚୁଲା ସହରକୁ ଯିବା ବାଟରେ କାଳିକା ପଞ୍ଚାୟତ ଗାଁରେ ଗୋଥି ପଡ଼ା ଅବସ୍ଥିତ। ଜଉଲଜିବିରେ ଦୁଇ ନଦୀ କାଳୀ ଓ ଗୋରୀ ମିଶିଛନ୍ତି। ଏଠି ସବୁବେଳେ ପାଣିର ଶବ୍ଦ ଶୁଭିଥାଏ। ଏଠାରୁ ନେପାଳ ମାତ୍ର କେଇ ମିଟର ଦୂର। କେତେକ ଅଣଓସାରିଆ ପାଦଚଲା ସେତୁ ଦୁଇ ଦେଶକୁ ସଂଯୋଗ କରୁଛନ୍ତି। ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଲୋକଙ୍କ ଜୀବନ ଭଳି ସେତୁଗୁଡ଼ିକ ଦୋଦୁଲ୍ୟମାନ।










