ନିଜ ସମୁଦାୟ ପ୍ରତି ରହିଥିବା ବିପଦ ଲାଗି ଯଥେଷ୍ଟ ସଚେତନ ଥିବା ଦିପାଲୀ କୁହନ୍ତି, କିପରି ଭାବେ ନିକଟରେ ନିର୍ମାଣ ହେବାକୁ ଯାଉଥିବା ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ଓ ମଲ୍ ସେମାନଙ୍କର କଲୋନୀକୁ ଅଲଗା କରିଦେବ। ଏଠାରେ ନିର୍ମାଣ ହେବାକୁ ଥିବା ଆପାର୍ଟମେଣ୍ଟ ବେଶ ବିଳାସପୂର୍ଣ୍ଣ ହେବ, ଏଗୁଡ଼ିକୁ ବିକ୍ରି ଉଦ୍ଦେଶ୍ୟରେ ନିର୍ମାଣ କରାଯିବ। “ଯେମିତି ସେମାନେ ଆମକୁ ଆଡ଼େଇ ଦେବାକୁ ଚାହୁଁଛନ୍ତି ଏବଂ ଆମକୁ ଲୁଚାଇବାକୁ ଚାହୁଁଛନ୍ତି। ମଳିନତା ଓ ଦାରିଦ୍ର୍ୟ ଦେଖାଯିବା ଉଚିତ ନୁହେଁ,” ସେ ଅସନ୍ତୋଷ ପ୍ରକଟ କରି କହିଥିଲେ।
ନିଜ ଜେଜେ ବାପା ପୁରନ ଭଟ୍ଟଙ୍କ ଉପଲବ୍ଧି ଓ ପ୍ରସିଦ୍ଧିକୁ ନେଇ ସେ ଗର୍ବିତ। ଦିପାଲୀଙ୍କର ନିଜର ମଧ୍ୟ କିଛି ସ୍ୱପ୍ନ ରହିଛି- ସେ ଫ୍ୟାଶନ ଡିଜାଇନର ହେବାକୁ ଚାହାନ୍ତି। କିନ୍ତୁ ଏହାକୁ ନେଇ ସେ ଅନିଶ୍ଚିତତା ଭିତରେ ରହିଛନ୍ତି। “ଶାଦୀ କରନେ କେ ଲିୟେ ବୋଲେଙ୍ଗେ (ସେମାନେ ମୋତେ ବାହା ହେବାକୁ କହିବେ)”, ଖୁବ ଧୀର ସ୍ୱରରେ ସେ କହିଥିଲେ। ତାଙ୍କର ସବୁ ସାଙ୍ଗମାନେ ବାହା ହୋଇସାରିଲେଣି। ସେ ଆହୁରି ଆତ୍ମବିଶ୍ୱାସର ସହ କୁହନ୍ତି: “ଘରେ ଆମର ଯଥେଷ୍ଟ ସ୍ୱାଧୀନତା ରହିଛି। ମୋତେ ପାଠପଢ଼ିବା ଓ କାମ କରିବା ଲାଗି ପ୍ରୋତ୍ସାହିତ କରାଯାଉଛି।”
ଖୁସିର ସହିତ ସେ କହିଥିଲେ, ଅଧିକାଂଶ ସମୟରେ ସେ ତାଙ୍କ ମା’ଙ୍କ ଗାଁକୁ ଯାଇ ବିବାହ ଉତ୍ସବରେ ସାମିଲ ହୋଇଛନ୍ତି। "ଗାଁରେ ବାହାଘର ଦେଖିଲେ ଖୁବ ମଜା ଆସିଥାଏ। ଲୋକମାନେ ଯେପରି ଭାବେ ବେଶଭୂଷା ହୋଇ ନାଚ କରିଥାନ୍ତି ତାହା ଦେଖିବାର କଥା”, ସେ କହିଥିଲେ। ଆଖି ନଚେଇ ସେ ଆହୁରି କହିଥିଲେ ଯେ “ଆପଣମାନେ ମଧ୍ୟ ଆସିବା ଉଚିତ!” କୌଣସି ସନ୍ଦେହ ଓ କ୍ଷମା ରହିବା ଅନୁଚିତ, ଦିପାଲୀ ତାଙ୍କ ନିମନ୍ତ୍ରଣକୁ ନେଇ ଖୁବ ସ୍ପଷ୍ଟ ଥିଲେ।
କଳାକାର ସମୁଦାୟ ଭାବେ କଠପୁତଲି କଲୋନୀ ବାସିନ୍ଦାଙ୍କର ବିଶେଷ ପରିଚୟ ରହିଛି। ଦରଜୀ, ବଢ଼େଇ, କୁମ୍ଭକାର ଓ ଅନ୍ୟ ପେସାରେ ରହିଥିବା ଅନ୍ୟ କୌଣସି ସମୁଦାୟ ଅପେକ୍ଷା ସେମାନଙ୍କର ଅଧିକ କ୍ଷମତା ଓ ପ୍ରଭାବ ରହିଛି। ସଙ୍ଗୀତ ଓ ଯାଦୁ, ନୃତ୍ୟ ଓ କଳା ଏ ବସ୍ତିରେ ସମୃଦ୍ଧି ହାସଲ କରିଛି-ପେଟପାଟଣା କଥା ହୋଇଥିବାରୁ କଳା ପ୍ରଦର୍ଶନକୁ ଏଠାରେ ଅଧିକ ଗମ୍ଭୀରତାର ସହିତ ଗ୍ରହଣ କରାଯାଇଥାଏ।
ମହମ୍ମଦ ମାଜିଦ ଯାଦୁକରୀରେ ବେଶ ଦକ୍ଷ ଓ ଏହାକୁ ସେ ଜୀବିକା ଭାବେ ଗ୍ରହଣ କରିଛନ୍ତି। ମାଜିଦ ଏକ ବଖୁରିକିଆ ଘରେ ଯାଦୁ ପେସାର ଅଭ୍ୟାସ କରିଥାନ୍ତି। ଏ ଘରଟି ଛାତ ଉପରେ ବିପଦସଙ୍କୁଳ ଭାବେ ରହିଛି ଯେଉଁଠିକୁ ଏକ ବଙ୍କା ଶିଢ଼ିରେ ଚଢ଼ି ପହଞ୍ଚିବାକୁ ହୋଇଥାଏ। ଅନ୍ୟମାନଙ୍କୁ ଚକିତ କରିବା ଓ ଆଚମ୍ବିତ କରିବା ଲାଗି ତାଙ୍କ ପାଖରେ ଅନେକ ମାଧ୍ୟମ ରହିଛି- ବହି, ରଶି, ବାଲଟି, ମଗ ଆଦି। ମାଜିଦ ରାଜସ୍ଥାନ ଅଲୱର ଜିଲ୍ଲାର ମୂଳବାସିନ୍ଦା ହୋଇଥିବା ବେଳେ ଜୀବନର ଅଧିକାଂଶ ସମୟ ସେ କଠପୁତଲି କଲୋନୀରେ କାଟିଛନ୍ତି। ସେ ତାଙ୍କ ବାଣିଜ୍ୟର ଇତିହାସ ବିଷୟରେ ବର୍ଣ୍ଣନା କରିଛନ୍ତି: “ଅଲୱାରର ଯାଦୁଗରମାନେ ପ୍ରଥମେ ବଞ୍ଜାରାସ୍ ଥିଲେ, ସେମାନେ କାମ ଖୋଜୁଥିଲେ। ଗ୍ରାମଗୁଡିକରେ ଆମର ବାଣିଜ୍ୟ ଉଠାଯାଇଥିଲା, କିନ୍ତୁ ଜୀବିକା ନିର୍ବାହ ପାଇଁ କୌଣସି ସୁବିଧା ନଥିଲା। ଏଠାରେ, ସହରରେ ଅଧିକ ଅର୍ଥ ଉପଲବ୍ଧ । ହୋଟେଲ, ଜନ୍ମଦିନ ପାର୍ଟି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆମେ ପ୍ରଦର୍ଶନ କରିଥାଉ।''
ପଡ଼ୋଶୀ ତଥା କଳାକାର ଯୋଗାଡ଼ ବ୍ୟବସାୟ କରୁଥିବା ୧୯ ବର୍ଷୀୟ ଉଦ୍ୟମୀ ଯୁବକ ରାଜେଶ ଭଟ୍ଟ ଦାବି କରନ୍ତି ଯେ ମାଜିଦ ୩୦ ମିନିଟ ପର୍ଯ୍ୟନ୍ତ ମ୍ୟାଜିକ ପ୍ରଦର୍ଶନ କରି ୩୦୦୦ ଟଙ୍କା ରୋଜଗାର କରିଥାନ୍ତି।
ମାତ୍ର ୧୯ ବର୍ଷ ବୟସରେ ରାଜେଶ କଳାକାର ଯୋଗାଡ଼ ଭଳି କାମ କରିପାରୁଥିବା ବେଳେ ସେ ମାତ୍ର ଦୁଇ ବର୍ଷ ବୟସ୍କା ମୁନ୍ନୀଙ୍କୁ ନେଇ ଏକ ଦଳ ଗଢ଼ିଛନ୍ତି। ମୁନ୍ନୀ ଯେକୌଣସି ସଙ୍ଗୀତର ତାଳେ ତାଳେ ତାଳି ବାଡ଼େଇବାରେ ସିଦ୍ଧହସ୍ତ। ସେ ଦଳରେ ଥିବା ବଡ଼ ପିଲାଙ୍କ ସହିତ ମିଶି ରାଜସ୍ଥାନୀ ଲୋକଗୀତ ତାଳରେ ତାଳି ବଜାଉଛନ୍ତି। ସଙ୍ଗୀତ ସହିତ ଏକ ହାର୍ମୋନିୟମ ଓ ତାବଲା, ଇଲେକ୍ଟ୍ରିକ ଗୀଟାର ମଧ୍ୟ ବାଜୁଛି। ସଙ୍ଗୀତଗୁଡ଼ିକ ବେଶ ଲୋକପ୍ରିୟ- ‘ପଧାରୋ ମାରେ ଦେଶ’ ଓ ‘ଆରାରାରା’। ଏ ଗୀତଗୁଡ଼ିକ କେତେ ପୁରୁଣା ରାଜେଶ ତାହା ଜାଣନ୍ତି ନାହିଁ : “ଏ ଗୀତଗୁଡ଼ିକ ମୋ ଜେଜେ ବାପାଙ୍କ ସମୟରୁ ରହିଆସିଛି, ହୁଏତ’ ତା’ପୂର୍ବରୁ। ଏଗୁଡ଼ିକ ସମ୍ଭବତଃ ଗାଁରୁ ଆସିଛି।”
ତିନି ଦଶନ୍ଧି ପୂର୍ବରୁ କଠପୁତଲି କଲୋନୀର ଅଧିକାଂଶ ପରିବାର ପ୍ରବାସିତ ହୋଇ ଆସିଛନ୍ତି। ତେଣୁ ଅଧିକାଂଶ ବର୍ତ୍ତମାନର ପିଢ଼ି ସହରରେ ହିଁ ଜନ୍ମିତ। ସେମାନଙ୍କର ଦୈନନ୍ଦିନ ଅଭ୍ୟାସ, ସାମାଜିକ ସମ୍ପର୍କ, ବୈବାହିକ ପ୍ରଥା, କଳା, ବେଶଭୂଷାରେ ଗ୍ରାମୀଣ ଝଲକ ଦେଖିବାକୁ ମିଳିଥାଏ, କିନ୍ତୁ ସେମାନଙ୍କର ଆଶାଆକାଂକ୍ଷା ଓ ପ୍ରଗତିର ଆଭିମୁଖ୍ୟରେ ସହରାଞ୍ଚଳର ଝଲକ ଦେଖିବାକୁ ମିଳିଥାଏ।
ଦିଲ୍ଲୀ ସରକାର ସହରୀକରଣ ମଡେଲକୁ ଲାଗୁ କରିବାକୁ ଚାହୁଁଛନ୍ତି ଏବଂ କଲୋନୀର ବାସିନ୍ଦା ନୂଆ ଢାଞ୍ଚାକୁ ନେଇ ସନ୍ତୁଷ୍ଟ ନୁହନ୍ତି, ଏହା ଭିତରେ କଠପୁତଲି କଲୋନୀର ବାସିନ୍ଦା ଚାପି ହୋଇଯାଇଛନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍