ଦେବୀ ବର୍ତ୍ତମାନ ଯେ କୌଣସି ସମୟରେ ଧରାବତରଣ କରିବେ, ଯଦି ସେ ପ୍ରଥମେ ପୋଷାକ ପିନ୍ଧିବାର ସୁଯୋଗ ପାଇବେ। “ଏବେ ସାତଟା ବାଜି ସାରିଲାଣି। ରଜତ ଜୁବିଲୀ ଗାଁର ପ୍ରିୟ ବାସିନ୍ଦା, ଦୟାକରି ବେଡ୍କଭର୍, ଶାଢୀ, କପଡ଼ା ଆଣନ୍ତୁ। ଆମକୁ ଏକ ଗ୍ରୀନ୍ ରୁମ୍ ତିଆରି କରିବାକୁ ପଡ଼ିବ। ‘ପାଲାଗାନ୍’ - ମନସା ଏଲୋମୋର୍ଟ [ଦେବୀ’ଙ୍କ ଧରାବତରଣ] ଆରମ୍ଭ ହେବାକୁ ଯାଉଛି।” ସଂଗୀତ ପରିବେଷଣ ପୂର୍ବର ଘୋଷଣାଗୁଡ଼ିକ ପବନରେ ପ୍ରତିଧ୍ୱନିତ ହୋଇ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଗୋସାବା ବ୍ଲକର ଏହି ଗାଁର ସେପ୍ଟେମ୍ବର ମାସ ୨୪ ତାରିଖ ସନ୍ଧ୍ୟାକୁ ଉତ୍ସବମୁଖର କରିଦେଇଛି। ରାତ୍ରି ଉତ୍ସବ ଏବଂ ଆନନ୍ଦ ଉଲ୍ଲାସରେ ମୁଖରିତ ହୋଇଉଠୁଛି।
ଏକ ଘଣ୍ଟା ମଧ୍ୟରେ, ଏକ କାମଚଳା ଗ୍ରୀନ୍ ରୁମ୍ ତିଆରି ହୋଇଗଲା ଏବଂ ଉଜ୍ଜ୍ୱଳ ପୋଷାକରେ ଥିବା କଳାକାରମାନେ ବେଶଭୂଷା ହେବା ସହିତ ଅଳଙ୍କାରରେ ନିଜକୁ ସଜାଉଥିଲେ ଏବଂ ଏକ ଲେଖା ହୋଇନଥିବା ସ୍କ୍ରିପ୍ଟ ରୁ ସେମାନେ ଲାଇନ୍ର ପୁନରାବୃତ୍ତି କରୁଥିଲେ। ଦଳର ନେତୃତ୍ୱ ନେଉଥିବା ନିତ୍ୟାନନ୍ଦ ସର୍କାର ନୃତ୍ୟଶିଳ୍ପୀଙ୍କ ପରି ଆକର୍ଷଣୀୟ ଦେଖାଯାଉନଥିବା ଏକ କଳାରଙ୍ଗର ପୋଷାକ ପିନ୍ଧିଥିଲେ, ଯାହାଙ୍କୁ ମୁଁ ପ୍ରଥମେ ହିରନ୍ମୟ ଏବଂ ପ୍ରିୟଙ୍କାଙ୍କ ବିବାହ ସମୟରେ ଭେଟିଥିଲି । ଆଜି ସେ ସର୍ପ ଦେବୀ ମନସାଙ୍କ ଭୂମିକାରେ ଅଭିନୟ କରିବେ। ସେ ମୋତେ ଅନ୍ୟ କଳାକାରମାନଙ୍କ ସହିତ ପରିଚିତ କରାଇଲେ ଯେଉଁମାନେ କି ସେହି ସନ୍ଧ୍ୟାରେ ପାଲାଗାନରେ ଅଂଶଗ୍ରହଣ କରିବେ।
ପାଲା ଗାନ୍ ହେଉଛି ମଙ୍ଗଳ କାବ୍ୟ ଉପରେ ଆଧାରିତ ଏକ ଗୀତିନାଟ୍ୟ ଯାହାକି ଏକ ଲୋକପ୍ରିୟ ଦେବୀ ବା ଦେବତାଙ୍କର ମହିମା ଉପରେ ଲିଖିତ ଏକ କାହାଣୀ । ଶିବଙ୍କ ପରି ସକଳ ଦେବତାଙ୍କର ପ୍ରଶଂସା କରି ଏହି କବିତାଗୁଡ଼ିକ ପ୍ରାୟତଃ ପାଠ କରାଯାଏ କିମ୍ବା ଗାନ କରାଯାଇଥାଏ, କିନ୍ତୁ ଧର୍ମ ଠାକୁର, ସର୍ପ ଦେବୀ- ମା ମନସା, ବସନ୍ତ ରୋଗର ଦେବୀ- ଶୀତଳା ଏବଂ ଜଙ୍ଗଲର ଦେବୀ- ବନ୍ ବିବି ପରି ସ୍ଥାନୀୟ ବଙ୍ଗୀୟ ଦେବାଦେବୀମାନଙ୍କର ଅଧିକ ଗୀତ ଗାନ କରାଯାଏ।ଏହି ନାଟକର କଳାକାରମାନେ ବର୍ଷସାରା ସୁନ୍ଦରବନ ଦ୍ୱୀପପୁଞ୍ଜରେ ମନ୍ତ୍ରମୁଗ୍ଧ ଦର୍ଶକମାନଙ୍କୁ ଏହି ସଂଗୀତ ନାଟକ ପରିବେଷଣ କରନ୍ତି।
ପଶ୍ଚିମବଙ୍ଗ, ଆସାମ ଏବଂ ବିହାରର ବିଭିନ୍ନ ଭାଗରେ ପରିବେଷିତ ମନସା ପାଲଗାନ୍ ମନସା ମଙ୍ଗଳ କାବ୍ୟ ଉପରେ ଆଧାରିତ, ପୁରାତନ ଲୋକ ପୁରାଣ ଉପରେ ଆଧାରିତ ଏକ ଗୁରୁତ୍ୱପୂର୍ଣ୍ଣ ଉପନ୍ୟାସ ଯାହା ଏକ ଆକଳନ ଅନୁଯାୟୀ ୧୩ ତମ ଶତାବ୍ଦୀରେ ଆରମ୍ଭ ହୋଇଥିଲା ବୋଲି ପରବର୍ତ୍ତୀ ସମୟରେ କୁହାଯାଏ। ବଙ୍ଗଳାରେ, ମନସା ଦକ୍ଷିଣ ୨୪ ପ୍ରଗଣା ବଙ୍କୁର, ବୀରଭୂମ୍ ଏବଂ ପୁରୁଲିଆ ଜିଲ୍ଲାର ଦଳିତମାନଙ୍କ ମଧ୍ୟରେ ଏକ ଲୋକପ୍ରିୟ ଦେବୀ ଅଟନ୍ତି। ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଦିନ (ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖ), ସୁନ୍ଦରବନର ଭାରତୀୟ ଭୂଖଣ୍ଡରେ ଥିବା ଦୂର ଗ୍ରାମଗୁଡ଼ିକର ଅନେକ ପରିବାର ସର୍ପ ଦେବୀଙ୍କୁ ପୂଜା କରନ୍ତି ଏବଂ ପାଲାଗାନ୍ କରନ୍ତି।
ମନସାଙ୍କ ସାହସିକତାର କାହାଣୀକୁ ଏକତ୍ର କରୁଥିବା ବାଦ୍ୟଯନ୍ତ୍ର-ରୀତିନୀତି ହେଉଛି ଏକ ଆହ୍ୱାନ, ସୁନ୍ଦରବନବାସୀଙ୍କୁ ଦ୍ୱୀପର ବିଷାକ୍ତ ସର୍ପରୁ ରକ୍ଷା କରିବା ପାଇଁ ପ୍ରାର୍ଥନା। ଏଠାରେ ୩୦ ରୁ ଅଧିକ ପ୍ରଜାତିର ସାପ ଅଛନ୍ତି, ସେମାନଙ୍କ ମଧ୍ୟରେ ଅହିରାଜ ପରି କେତେକ ବିଷାକ୍ତ ସର୍ପ ମଧ୍ୟ ଅଛନ୍ତି ଏବଂ ସାପ କାମୁଡାରେ ମୃତ୍ୟୁବରଣ କରିବା ଏହି ଅଞ୍ଚଳରେ ଏକ ସାଧାରଣ କଥା ଯାହା ପ୍ରାୟତଃ ରିପୋର୍ଟ କରାଯାଇନଥାଏ।
ଆଜିର ପ୍ରଦର୍ଶନ ଜଣେ ଧନୀ ଶିବ ଭକ୍ତ ଚାନ୍ଦ ସଦାଗରଙ୍କ ଉପରେ ଆଧାରିତ ଯିଏକି ବାରମ୍ବାର ଅନୁରୋଧ ସତ୍ତ୍ୱେ ମନସାଙ୍କୁ ସର୍ବଶକ୍ତିମୟୀ ଦେବୀ ଭାବରେ ଗ୍ରହଣ କରିବା ଲାଗି ବାରଣ ପ୍ରସ୍ତୁତ ହେଉନାହାନ୍ତି। ପ୍ରତିଶୋଧପରାୟଣ ହୋଇ ଘଟଣାକ୍ରମେ ମନସା ସମୁଦ୍ରରେ ଚାନ୍ଦ ସଦାଗରଙ୍କ ସମସ୍ତ ଦ୍ରବ୍ୟ ନଷ୍ଟ କରିଦେଲେ ଏବଂ ସର୍ପ ଦଂଶନ ଦ୍ୱାରା ତାଙ୍କର ସାତ ଜଣ ପୁଅଙ୍କୁ ହତ୍ୟା କରିଥିଲେ ଏବଂ ବିବାହ ରାତିରେ ଆଉ ଏକ ପୁଅ ଲଖୀନ୍ଦରର ମଧ୍ୟ ହତ୍ୟା କରିଥିଲେ।। ଦୁଃଖରେ ପାଗଳ, ଲଖୀନ୍ଦରଙ୍କ ପତ୍ନୀ ବେହୁଲା ତାଙ୍କର ପୁନର୍ଜୀବନ ପାଇଁ ସ୍ୱାମୀଙ୍କ ଶରୀର ସହିତ ସ୍ୱର୍ଗକୁ ଯାତ୍ରା କଲେ। ସେଠାରେ ଚାନ୍ଦ ସଦାଗରଙ୍କୁ ଦେବୀ ମନସାଙ୍କୁ ପୂଜା କରିବାକୁ ମନାଇବା ପାଇଁ ଇନ୍ଦ୍ର ତାଙ୍କୁ ପରାମର୍ଶ ଦେଲେ। ଚାନ୍ଦ ସଦାଗର ନିଜ ଆଡୁ ପ୍ରତି-ସର୍ତ୍ତ ରଖିଲେ ଯେ ସେ ମନସାଙ୍କୁ କେବଳ ବାମ ହାତରେ ଫୁଲ ପ୍ରଦାନ କରିବେ, ଶିବଙ୍କୁ ପୂଜା କରିବା ପାଇଁ ତାଙ୍କର ଶୁଭ ଡାହାଣ ହାତକୁ ମୁକ୍ତ ରଖିବେ। ଦେବୀ ମନସା ଏହି ପୂଜାକୁ ଗ୍ରହଣ କଲେ ଏବଂ ଚାନ୍ଦ ସଦାଗରଙ୍କର ସମସ୍ତ ଧନ ସହିତ ଲଖିନ୍ଦର ପୁନଃ ଜୀବନ ପ୍ରଦାନ କଲେ।
ମନସା ଭୂମିକାରେ ଅଭିନୟ କରୁଥିବା ନିତ୍ୟାନନ୍ଦ ଜଣେ ୫୩ ବର୍ଷୀୟ କୃଷକ ଏବଂ ୨୫ ବର୍ଷରୁ ଅଧିକ ସମୟ ଧରି ଏହି କଳା ଅଭ୍ୟାସ କରୁଥିବା ଜଣେ ଦୀର୍ଘ ଅନୁଭୂତି ଥିବା ପାଲାଗାନ୍ କଳାକାର। ସେ ଏକରୁ ଅଧିକ ଦଳ ସହିତ ବିଭିନ୍ନ ପାଲାଗାନ୍ ରେ କାମ କରନ୍ତି। ସେ କୁହନ୍ତି, "୨୦୧୯ ମସିହାଠାରୁ ପରିସ୍ଥିତି ଖରାପ ହୋଇଯାଇଛି"। "ମହାମାରୀ ହେତୁ ଏହି ବର୍ଷ ମଧ୍ୟ ଆମେ କମ୍ ବୁକିଂ ପାଇଛୁ, ବୋଧହୁଏ ସର୍ବନିମ୍ନ ଅଟେ। ଆମେ ମାସକୁ ୪ କିମ୍ବା ୫ ବୁକିଂ ପାଇଥାଉ, କିନ୍ତୁ ଏହି ବର୍ଷ ଆମ ପାଖରେ କେବଳ ଦୁଇଟି ଅଛି। କମ୍ ଶୋ’ର ଅର୍ଥ କମ୍ ଆୟ। “ପୂର୍ବରୁ, ଆମେ କଳାକାରମାନେ ପ୍ରତ୍ୟେକ ଶୋ’ରୁ ୮୦୦-୯୦୦ ଟଙ୍କା ରୋଜଗାର କରୁଥିଲୁ; ବର୍ତ୍ତମାନ ତାହା ମଧ୍ୟ ୪୦୦-୫୦୦ କୁ ଖସି ଆସିଛି। ”
ନିତ୍ୟାନନ୍ଦଙ୍କ ପାଖରେ ବସିଥିବା ନାଟ୍ୟ ଗୋଷ୍ଠୀ ସଦସ୍ୟ ବନାମାଳି ବ୍ୟାପାରୀ ବୁଝାଇ କୁହନ୍ତି କିପରି ସବୁଜ କୋଠରୀ, ଉପଯୁକ୍ତ ଷ୍ଟେଜ, ପ୍ରଭାବଶାଳୀ ଧ୍ୱନି ଏବଂ ଆଲୋକ ବ୍ୟବସ୍ଥା, ଏବଂ ଶୌଚାଳୟ ପରି ଉପଯୁକ୍ତ ସୁବିଧା ନଥାଇ ମଧ୍ୟ ଗ୍ରାମୀଣ ଥିଏଟରର ଚାହିଦା ରହିଛି। “ଏହି ଶୋ ୪-୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ। ଏହା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। ସେ କୁହନ୍ତି, "ଆର୍ଥିକ ଲାଭ ପାଇଁ ନୁହେଁ, ଆମର ଉତ୍ସାହବଶତଃ ଆମେ ଏହା କରିଥାଉ"। ନାଟକରେ ତାଙ୍କର ଦୁଇଟି ଭୂମିକା ରହିଛି: ଲଖିନ୍ଦରଙ୍କୁ ହତ୍ୟା କରୁଥିବା କାଳନାଗୁଣୀ ସାପ ଏବଂ ଭର ନାମକ ଏକ ବ୍ୟଙ୍ଗ ଚରିତ୍ର, ଯିଏ ଏହି ନାଟକର ଉଚ୍ଚ ପ୍ରଗାଢତାରୁ ଆବଶ୍ୟକୀୟ ଆଶ୍ୱସ୍ତି ପ୍ରଦାନ କରିଥାଏ।
ସଂଗୀତକାରମାନେ ସେମାନଙ୍କର ବାଜା ବଜାଇବା ଆରମ୍ଭ କରନ୍ତି, ଯାହା ପରିବେଷଣର ଆରମ୍ଭକୁ ସୂଚାଇଥାଏ। ନିତ୍ୟାନନ୍ଦ ଏବଂ ତାଙ୍କର ସମସ୍ତ ପୁରୁଷ ଦଳ, ସେମାନଙ୍କର ନାଟକ ପୋଷାକରେ ସଜ୍ଜିତ ହୋଇ ସିଧା ମଞ୍ଚ ଆଡକୁ ମୁହାଁଇଲେ। ଦେବୀ ମନସା ଏବଂ ଗ୍ରାମର ବୟସ୍କଙ୍କ ଆଶୀର୍ବାଦ ପ୍ରାର୍ଥନା କରି ଏହି ଶୋ ଆରମ୍ଭ ହୁଏ। ଏକ ଐଶ୍ୱରୀୟ ଡ୍ରାମା ପାଇଁ ସେମାନେ ପରିଚିତ ଏବଂ ତଥାପି ଐଶ୍ୱରୀୟ ଡ୍ରାମାରେ ଆଶ୍ଚର୍ଯ୍ୟଜନକ ଭୂମିକା ଗ୍ରହଣ କରୁଥିବା ଲୋକଙ୍କୁ ଦେଖି ଜନତା ସର୍ବଦା ମନ୍ତ୍ରମୁଗ୍ଧ ହୋଇଯାଆନ୍ତି। କୌଣସି ଅଭିନେତା ଏଠାରେ ପେସାଦାର ନୁହଁନ୍ତି - ସେମାନେ ସମସ୍ତେ କୃଷକ, କୃଷି ଶ୍ରମିକ କିମ୍ବା ଋତୁକାଳୀନ ପ୍ରବାସୀ ଶ୍ରମିକ ଅଟନ୍ତି।
ନିତ୍ୟାନନ୍ଦଙ୍କୁ ୬ ଜଣିଆ ପରିବାରର ଯତ୍ନ ନେବାକୁ ପଡ଼େ। ସେ କୁହନ୍ତି, "ଚଳିତ ବର୍ଷ ବାତ୍ୟା ୟାସ୍ କାରଣରୁ କୃଷିରୁ ମୋର ଆୟ ଶୂନକୁ ଖସି ଆସିଛି।" "ମୋର ଜମିରେ ଲୁଣିଆ ପାଣି ମାଡି ଯାଇଥିଲା ଏବଂ ବର୍ତ୍ତମାନ ଅତ୍ୟଧିକ ବର୍ଷା ହେଉଛି। ମୋର ସାଥୀଗଣ, ଯେଉଁମାନେ କୃଷକ, କିମ୍ବା ଅନ୍ୟ କାମ କରନ୍ତି, ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୁସିର କଥା, ମୁଁ ସରକାରଙ୍କ ତରଫରୁ ପ୍ରତି ମାସରେ ୧୦୦୦ ଟଙ୍କା ପାଇଥାଏ [ଲୋକପ୍ରସାର ପ୍ରକଳ୍ପ ଅଧୀନରେ, ଏକ ରାଜ୍ୟ ଯୋଜନା ଯେଉଁଥିରେ ଲୋକ କଳାକାର, ଯୁବକ ଏବଂ ବୃଦ୍ଧମାନେ ରିଟେନର ଫି କିମ୍ବା ମାସିକ ପେନ୍ସନ୍ ପାଇଥା’ନ୍ତି]।”
ଯୁବ ପିଢିର ପୁଅମାନେ, ଯେପରିକି ନିତ୍ୟାନନ୍ଦଙ୍କ ନିଜ ପୁଅ, ପାଲାଗାନ୍ ପ୍ରଦର୍ଶନ କରିବାକୁ ଆଗ୍ରହୀ ନୁହଁନ୍ତି। ଲାହିରିପୁର ପଞ୍ଚାୟତର ଗାଁରୁ ଯୁବକମାନେ ଅନ୍ୟ ରାଜ୍ୟକୁ ଯାଇ ନିର୍ମାଣ ଶ୍ରମିକ କିମ୍ବା କୃଷି ଶ୍ରମିକ ଭାବରେ କାମ ଖୋଜନ୍ତି। ନିତ୍ୟାନନ୍ଦ କୁହନ୍ତି, “ସଂସ୍କୃତି ବଦଳୁଛି। ୩-୫ ବର୍ଷ ପରେ ଏହି କଳା ବିଲୁପ୍ତ ହୋଇପାରେ"।
"ଏପରିକି ଦର୍ଶକଙ୍କ ପସନ୍ଦ ମଧ୍ୟ ବଦଳି ଯାଇଛି। ମୋବାଇଲ୍ ମନୋରଞ୍ଜନ ପାରମ୍ପରିକ ପ୍ରଦର୍ଶନର ସ୍ଥାନ ନେଇଯାଉଛି ବୋଲି ୪୦ ଦଶନ୍ଧିର ମଧ୍ୟଭାଗରେ ଥିବା ଦଳର ଅନ୍ୟ ଜଣେ ଅଭିନେତା ବିଶ୍ୱଜିତ୍ ମଣ୍ଡଳ କୁହନ୍ତି।
ପ୍ରଦର୍ଶନ ଦେଖିବା ଏବଂ କଳାକାରମାନଙ୍କ ସହ କଥାବାର୍ତ୍ତା କରିବାରେ ଅନେକ ଘଣ୍ଟା ଅତିବାହିତ କରି ବର୍ତ୍ତମାନ ମୋର ବିଦାୟ ନେବାର ସମୟ ଆସିଛି। ମୁଁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ନିତ୍ୟାନନ୍ଦ ଡାକି କହିଲେ: “ଦୟାକରି ଶୀତଦିନେ ଆସିବେ। ଆମେ ମା ବନ୍ ବିବି ପାଲାଗାନ୍ ପରିବେଷଣ କରିବୁ। ଆପଣ ମଧ୍ୟ ତାହାକୁ ଡକ୍ୟୁମେଣ୍ଟ୍ କରିପାରିବେ। ମୁଁ ଭୟ କରୁଛି ଯେ ଭବିଷ୍ୟତରେ ଲୋକମାନେ କେବଳ ଇତିହାସ ପୁସ୍ତକଗୁଡ଼ିକରେ ଏହି କଳା ବିଷୟରେ ପଢ଼ିବେ।
ଅନୁବାଦ: ଓଡ଼ିଶାଲାଇଭ୍