ଏହି କାହାଣୀ ହେଉଛି ପରୀର ପରିବେଶ ପରିବର୍ତ୍ତନ ଉପରେ ସିରିଜ୍ର ଏକ ଅଂଶ, ଯାହାକି ୨୦୧୯ ମସିହା ପାଇଁ ପରିବେଶ ସମ୍ପର୍କିତ ରିପୋର୍ଟିଂ ବର୍ଗରେ ରାମନାଥ ଗୋଏଙ୍କା ପୁରସ୍କାର ଲାଭ କରିଥିଲା।
“ବର୍ତ୍ତମାନ ଜୋମୋ ଆମମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଯାଇଛି,’’ ବୋଲି ପେମ୍ପା ସୁରିଙ୍ଗ୍ ୩୫, ପଶ୍ଚିମ କାମେଙ୍ଗ ଜିଲ୍ଲାର ଲାଗମ୍ ଗ୍ରାମର ଜଣେ ଯାଯାବର ପଶୁପାଳକ କୁହନ୍ତି ।
ଜୋମୋ ? ତାହା କ’ଣ? ଅରୁଣାଚଳ ପ୍ରଦେଶରେ ୯,୦୦୦ ଫୁଟ୍ ଓ ଏହାଠାରୁ ଅଧିକ ଉଚ୍ଚତାରେ ଥିବା ସ୍ଥାନଗୁଡିକରେ ସେମାନଙ୍କର ଲୋକପ୍ରିୟତାର କାରଣ କ’ଣ ହୋଇପାରେ ?
ଜୋମୋ ହେଉଛି ୟାକ୍ ଓ କଟ୍ର ମିଳନରୁ ସୃଷ୍ଟି ହୋଇଥିବା ଏକ ଶଙ୍କର ପ୍ରଜାତିର ପଶୁ, ଏକ ପ୍ରକାରର ଗୋରୁ ଯାହା ଉଚ୍ଚ ଭୂମିରେ ରହେ । ପୁରୁଷ ଶଙ୍କରକୁ ଜୋ କୁହାଯାଏ, ଯାହା ନପୁଂଷକ ଅଟେ । ଏହା ଏକ ନୂତନ ପ୍ରଜାତି ହୋଇନଥିଲେ ମଧ୍ୟ, ବ୍ରୋକ୍ପା, ଏକ ଅର୍ଦ୍ଧ-ଯାଯାବର ପଶୁଚାରଣକାରୀ ସମ୍ପ୍ରଦାୟ, ବର୍ତ୍ତମାନ ନିଜ ପଶୁପଲରେ ଏମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ କରୁଛନ୍ତି – ପୂର୍ବ ହିମାଳୟରେ ଜଳବାୟୁ ପରିବର୍ତ୍ତନ ସହିତ ନିଜକୁ ଖାପ ଖୁଆଇବା ପାଇଁ ।
ପେମ୍ପା, ଯାହାର ୪୫ଟି ପଶୁ ଥିବା ପଶୁପଲରେ ଉଭୟ ୟାକ୍ ଓ ଜୋମୋ ମଧ୍ୟ ଅଛନ୍ତି, କୁହନ୍ତି ଯେ ଏହି ୟାକ୍-ଗୋରୁଙ୍କ ଶଙ୍କର ପ୍ରଜାତିଗୁଡିକର ‘‘ତାତି ସହ୍ୟ କରିବା ସାମର୍ଥ୍ୟ ଅଧିକ ଓ ଏଗୁଡିକ ସମୁଦ୍ର ପତ୍ତନଠାରୁ କମ୍ ଉଚ୍ଚତାରେ ଓ କ୍ରମଶଃ ବୃଦ୍ଧି ପାଉଥିବା ତାପମାତ୍ରାରେ ମଧ୍ୟ ବଞ୍ଚିପାରିବେ ।’’
ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚତାରେ ରହିଥିବା ଏହି ସ୍ଥାନଗୁଡିକରେ, ଉତ୍ତାପ ବା ‘ଉଷ୍ମତା’, ଉଭୟ ବାସ୍ତବ ଓ ଆପେକ୍ଷିକ । ଏଠାରେ ତାପମାତ୍ରା ବର୍ଷରେ କେବେ ମଧ୍ୟ ୩୨ ଡିଗ୍ରୀ ହୁଏ ନାହିଁ । କିନ୍ତୁ ୟାକ୍, ଯାହା ମାଇନସ୍ ୩୫ ଡିଗ୍ରୀରେ ସହଜରେ ବଞ୍ଚିପାରେ, ଯଦି ତାପମାତ୍ରା ବୃଦ୍ଧି ପାଇ ୧୨ ବା ୧୩ ଡିଗ୍ରୀ ହୋଇଯାଏ, ତେବେ ବଞ୍ଚିବା ପାଇଁ ଏହାକୁ ସଂଘର୍ଷ କରିବାକୁ ପଡିଥାଏ । ପ୍ରକୃତରେ, ଏପରି କୌଣସି ପରିବର୍ତ୍ତନ ଦେଖାଦେଲେ, ସମ୍ପୂର୍ଣ୍ଣ ପରିସଂସ୍ଥାନକୁ ସଂଘର୍ଷ କରିବାକୁ ପଡିଥାଏ – ଯେପରି ଗତ କିଛି ବର୍ଷ ହେବ ଏହି ପର୍ବତଗୁଡିକରେ ସେମାନଙ୍କୁ କରିବାକୁ ପଡୁଛି ।
ବ୍ରୋକ୍ପା, ଯାହା ହେଉଛି ବିରାଟ ମୋମ୍ପା ଜନଜାତି (୨୦୧୧ ସେନ୍ସସ୍ ମୁତାବକ ଅରୁଣାଚଳ ପ୍ରଦେଶରେ ଏମାନଙ୍କ ସଂଖ୍ୟା ପ୍ରାୟ ୬୦,୦୦୦ ହେବ) ଅନ୍ତର୍ଗତ ଏକ ଯାଯାବର ପଶୁପାଳକ ଗୋଷ୍ଠୀ, ଶହ ଶହ ବର୍ଷ ଧରି ୟାକ୍ମାନଙ୍କ ଲାଳନପାଳନ କରିଆସୁଛନ୍ତି ଓ ପାହାଡିଆ ଚାରଣ ଭୂମିରେ ସେମାନଙ୍କ ଯତ୍ନ ନେଇଥାନ୍ତି। ଶୀତଋତୁରେ ଶୀତର ପ୍ରକୋପ ସମ୍ଭାଳି ନପାରିଲେ, ସେମାନେ ନିମ୍ନ ଅଞ୍ଚଳରେ ରୁହନ୍ତି ଓ ଗ୍ରୀଷ୍ମ ଋତୁରେ ଉଚ୍ଚରେ ଥିବା ସ୍ଥାନକୁ ଚାଲି ଯାଆନ୍ତି – ୯,୦୦୦ ଏବଂ ୧୫,୦୦୦ ଫୁଟ୍ ମଧ୍ୟରେ ଆତଯାତ ହୋଇଥାନ୍ତି ।
କିନ୍ତୁ ଲଦାଖ୍ ଚଙ୍ଗଥାଙ୍ଗ ଅଞ୍ଚଳର ଚଙ୍ଗପା୍ଙ୍କ ଭଳି, ବ୍ରୋକ୍ପାମାନେ ମଧ୍ୟ ଜଳବାୟୁରେ ଦେଖାଯାଇଥିବା ଅନିୟମିତତା ଯୋଗୁଁ ଗମ୍ଭୀର ଭାବେ ପ୍ରଭାବିତ ହେଉଛନ୍ତି । ଶହ ଶହ ବର୍ଷ ଧରି, ସେମାନେ ୟାକ୍, ଗାଇଗୋରୁ, ଛେଳି ଓ ମେଣ୍ଡା ଆଦି ପଶୁପାଳନ କରି ନିଜର ଜୀବିକା ନିର୍ବାହ କରିଆସୁଛନ୍ତି ତଥା ସେମାନଙ୍କ ସମାଜ ମଧ୍ୟ ଏଗୁଡିକ ଆଧାରରେ ଗଢିଉଠିଛି । ଏହା ମଧ୍ୟରୁ, ସେମାନେ ମୁଖ୍ୟତଃ ୟାକ୍ ଉପରେ ନିର୍ଭର କରିଥାନ୍ତି – ଅର୍ଥନୈତିକ, ସାମାଜିକ ଓ ଏପରିକି ଧାର୍ମିକସ୍ତରରେ ମଧ୍ୟ । ସମ୍ପର୍କର ସେହି ସେତୁ ଆଜି ଅତି ବେଶୀ ଦୁର୍ବଳ ହୋଇଯାଇଛି ।
“ଫେବୃୟାରୀ ଶେଷ ଆଡକୁ ଉତ୍ତାପ ବୃଦ୍ଧି ପାଇବା ସହିତ ୟାକ୍ କ୍ଳାନ୍ତି ଅନୁଭବ କରିଥାଏ,” ବୋଲି ଚାଣ୍ଡର୍ ଗ୍ରାମ (ସ୍ଥାନୀୟ ଭାଷାରେ ଏହାକୁ ଚାଣ୍ଡେର୍ ବୋଲି ମଧ୍ୟ ଉଚ୍ଚାରଣ କରାଯାଏ)ର ଜଣେ ପଶୁପାଳକ ଲେକି ସୁଜୁକ୍ ମୋତେ କହିଲେ । ମେ ମାସରେ ମୁଁ ଯେତେବେଳେ ପଶ୍ଚିମ କାମେଙ୍ଗର ଦିରାଂଗ ବ୍ଲକ୍ଯାଇଥିଲି, ସେତେବେଳେ ମୁଁ ତାଙ୍କ ପରିବାର ସହିତ ମିଶି ରହିଥିଲି । “ଗତ କିଛି ବର୍ଷ ହେବ ଗ୍ରୀଷ୍ମଋତୁର ସମୟ ଅବଧି ବଢିଯାଇଛି, ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି । ୟାକ୍ଗୁଡିକ ଦୁର୍ବଳ ହୋଇଯାଇଛନ୍ତି.” ବୋଲି ଲେକି, ଯାହାର ବୟସ ୪୦ ପାଖାପାଖି ହେବ, କୁହନ୍ତି ।

