ଦିନର ପ୍ରଥମ ବିକ୍ରି ସମୟ ହୋଇଯାଇଛି। ଶିବପୁରୱା ଗ୍ରାମରେ ଏକ ନଳକୂପ ପାଖରେ ଛିଡ଼ା ହୋଇଥିବା ୯-୧୦ ଜଣ ମହିଳାମାନଙ୍କ ପାଖରେ ବଚୁ ନିଜ ମୋଟରସାଇକେଲ ଅଟକାଇ ଦେଲେ। ସେ ମହିଳାମାନଙ୍କୁ କହିଲେ, “ଦିଦି, ଦୟାକରି ଡିଜାଇନ ଦେଖନ୍ତୁ। ଆପଣମାନଙ୍କୁ ସିଦ୍ଧି ବଜାରରେ ଥିବା ବଡ଼ ବଡ଼ ଦୋକାନରେ ମଧ୍ୟ ଏପରି ଶାଢ଼ି ମିଳିବ ନାହିଁ। ପସନ୍ଦ ହେଲେ କିଣିବେ, ନହେଲେ ନାହିଁ।”
ଏହାପରେ, ବଚୁ ଦିନର ବହିନି କରିବା ଲାଗି ଅଧିକ ରିହାତି ଦେବା ଲାଗି ମଧ୍ୟ ପ୍ରସ୍ତୁତ ହୋଇଗଲେ : “ଦେଖିବାକୁ ଗଲେ ପ୍ରତ୍ୟେକ ଶାଢ଼ିର ଦାମ୍ ୭୦୦ ଟଙ୍କା, କିନ୍ତୁ ମୁଁ ମାତ୍ର ୪୦୦ ଟଙ୍କାରେ ଦେବାକୁ ରାଜି ଅଛି...।”
ପ୍ରତ୍ୟେକ ମହିଳା ଗଣ୍ଠିଲି ଭିତରୁ ୧୫-୨୦ଟି ଶାଢ଼ି ଏପାଖ-ସେପାଖ କରି ଦେଖିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଲେ, ସେ ଗୋଟିଏ ଶାଢ଼ି ପାଇଁ ୧୫୦ ଟଙ୍କା ଦେବେ। ଏଥିରେ ଅସନ୍ତୁଷ୍ଟ ହୋଇ ବଚୁ ନିଜର ଗଣ୍ଠିଲିକୁ ସଜାଡ଼ି ବାନ୍ଧିବା ଆରମ୍ଭ କରୁଛନ୍ତି, ଗଣ୍ଠିଲିକୁ ରଶିରେ ବାନ୍ଧିବା ସମୟରେ ଚିଡ଼ିଚିଡ଼ା ଢଙ୍ଗରେ ସେ କହିଥିଲେ ଯେ, ଶାଢ଼ିର କିଣା ମୂଲ୍ୟ ୨୫୦ଟଙ୍କା। ସେହି ମହିଳା ଯିଏ ସେଦିନ ବଚୁଙ୍କ ପ୍ରଥମ ଗ୍ରାହକ ହୋଇଥାନ୍ତେ, ସେ ପୁଣିଥରେ ନଳକୂପ ଆଡ଼କୁ ଫେରି ଗଲେ।
ନିରାଶ ହୋଇ, ବଚୁ ନିଜର ମୋଟର ସାଇକେଲ ରାସ୍ତାରେ ଆଗକୁ ଥିବା ଗ୍ରାମ ମଡ଼ୱା ଆଡ଼କୁ ଯାତ୍ରା କଲେ। ସେ ସ୍ଥାନୀୟ ବଘେଲୀ ଭାଷାରେ ବିରକ୍ତି ହୋଇ କୁହନ୍ତି, “ବେଳେ ବେଳେ ଲୋକମାନେ ଅଧିକ ସମୟ ନଷ୍ଟ କରି ଦେଇଥାନ୍ତି, କିନ୍ତୁ କିଛି କିଣନ୍ତି ନାହିଁ। ଶାଢ଼ି ଖୋଲିବା, ଭାଙ୍ଗିବା ଏବଂ ପୁଣି ଗଣ୍ଠିଲିରେ ବାନ୍ଧିବାରେ ଆମର ବହୁତ ସମୟ ନଷ୍ଟ ହୋଇଯାଇଥାଏ।”
ସେ ପାଖାପାଖି ତିନି କିଲୋମିଟର ପରେ ପଡ଼ୁଥିବା ମଡ଼ୱା ଗାଁର ନଳକୂପ ନିକଟରେ ପାଣି ପିଇବା ଲାଗି ଅଟକିଥା’ନ୍ତି। ସେ କୁହନ୍ତି, “ମୁଁ ଘରୁ ବାହାରିବାର ଚାରି ଘଣ୍ଟା ହୋଇସାରିଲାଣି, କିନ୍ତୁ ମୁଁ ଏଯାଏଁ ବହିନି (ଦିନର ପ୍ରଥମ ବିକ୍ରି ଯାହାକୁ ଶୁଭ ବୋଲି ଗ୍ରହଣ କରାଯାଏ) କରିପାରିନାହିଁ। ଆଜି ସକାଳେ ମୁଁ ଗାଡ଼ିରେ ୧୫୦ ଟଙ୍କାର ପେଟ୍ରୋଲ ପକାଇଥିଲି ଏବଂ ବର୍ତ୍ତମାନ ସୁଦ୍ଧା ସେତିକି ଟଙ୍କା ବି ରୋଜଗାର କରିପାରିପାହିଁ।”









