ସୁବ୍ରତ ଅଦକ କହିଲେ "ବଙ୍ଗର ବହୁତ କୃଷକ ଏହି ଆଇନ୍ ବିଷୟରେ ଜାଣିନାହାନ୍ତି । ତେଣୁ ମୁଁ ମୋ ଗ୍ରାମରୁ କିଛି ଲୋକଙ୍କୁ ଆଣିଥିଲି, ସେମାନେ ଏଠାରେ ଥିବା ନେତାଙ୍କ କଥା ଶୁଣିବେ, ସେମାନେ ଯାହା କହିବେ ତାକୁ ବୁଝିବେ ଏବଂ ଆଜି ଘରକୁ ଯିବା ପରେ ତାଙ୍କ ପଡୋଶୀ ଓ ସାଙ୍ଗମାନଙ୍କୁ ଏ ବିଷୟରେ କହିବେ।"
ମାର୍ଚ୍ଚ ୧୪ ଦିନ ସିଙ୍ଗୁରରେ ଅନୁଷ୍ଠିତ ହୋଇଥିଵା ବିକ୍ଷୋଭକୁ ଜଣେ ୩୧ ବର୍ଷୀୟ କୃଷକ ପ୍ରାୟ ୧୦ କିଲୋମିଟର ଦୂର କମଲପୁରର ବାରା ଗ୍ରାମରୁ ଆସିଥିଲେ । ଦିଲ୍ଲୀର ସୀମାରେ ତିନୋଟି କୃଷି ଆଇନ୍ ବିରୁଦ୍ଧରେ ବିକ୍ଷୋଭ କରୁଥିବା ସଂୟୁକ୍ତ କିଷାନ ମୋର୍ଚ୍ଚାର ନେତାମାନେ, କୃଷକମାନେ ଏବଂ ସଂଘଗୁଡିକ,ଏହି ଆଇନ୍ର କୁପରିଣାମ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ନିମନ୍ତେ ମାର୍ଚ୍ଚ ମାସର ମଧ୍ୟଭାଗରେ ପଶ୍ଚିମବଙ୍ଗ ଆସିଥିଲେ । ସେମାନେ ସିଙ୍ଗୁର ବ୍ୟତୀତ ଆସନସୋଲ, କୋଲକତା ଏବଂ ନନ୍ଦିଗ୍ରାମରେ ବୈଠକ କରିଥିଲେ ।
ସିଙ୍ଗୁରର ନବପଲ୍ଲୀ ଅଞ୍ଚଳରେ ଦିନ ୧୧ଟାରୁ ମଧ୍ୟାହ୍ନ ୧ଟା ମଧ୍ୟରେ ଆୟୋଜନ କରାଯାଇଥିବା କ୍ଷୁଦ୍ର ସମାବେଶରେ ପ୍ରାୟ ୫୦୦ରୁ ୨୦୦୦ ମଧ୍ୟରେ କୃଷକ ଏବଂ ସମର୍ଥକ ଅଂଶଗ୍ରହଣ କରିଥିଲେ । ଟାଟା ମୋଟରର ନାନୋ କାର୍ କାରଖାନା ପାଇଁ ପ୍ରାୟ ୯୯୭ ଏକର ଚାଷ ଜମି ଅଧିଗ୍ରହଣ ସମୟରେ ଉତ୍ତରପଶ୍ଚିମ କଲିକତାଠାରୁ ୪୦ କିଲୋମିଟର ଦୂରରେ ଥିବା ଏହି ସହରରେ ଏକ ନିର୍ଣ୍ଣାୟକ ବିକ୍ଷୋଭ ୨୦୦୬-୦୭ ମସିହାରେ ହୋଇଥିଲା । ୨୦୧୬ ରେ ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ କୃଷକମାନଙ୍କ ଜମି ଫେରାଇବା ନିମନ୍ତେ ଆଦେଶ ଦେଲେ, କିନ୍ତୁ ଆଜି ମଧ୍ୟ ବହୁତ ଜମି ଅନୁର୍ବର ରହିଛି ।
ସୁବ୍ରତ କହିଲେ "ମୁଁ ଜଣେ କୃଷକ ହୋଇଥିବାରୁ, ଭାରତରେ କୃଷିର ଅବସ୍ଥା ବିଷୟରେ ଜାଣେ", ଯେ କି ଆଠ ବିଘା ଜମିରେ ଆଳୁ ଏବଂ ପିଆଜ ଚାଷ କରନ୍ତି (ପଶ୍ଚିମବଙ୍ଗରେ ଏକ ବିଘା ୦.୩୩ ଏକର ସହ ସମାନ)। ଭାରତର ସ୍ୱାଧିନତା ପୂର୍ବରୁ ମଧ୍ୟ ଇଂରେଜମାନେ ନୀଳ ଚାଷୀମାନଙ୍କୁ ଶୋଷଣ କରୁଥିଲେ। ବର୍ତ୍ତମାନର ସରକାର ସେଇ ସମାନ ଅବସ୍ଥା ପୁଣି ଆଣୁଛି । ଆଳୁ ଚାଷରେ ଖର୍ଚ୍ଚ ବଢିଛି, ମଞ୍ଜିର ମୂଲ୍ୟ ବଢିଛି । ଆମେ କେମିତି ବଞ୍ଚିବୁ ଯଦି ଆମେ ଏହି କଠିନ ପରିଶ୍ରମର ମୂଲ୍ୟ ନ ପାଉ ଏବଂ ବ୍ୟବସାୟିକ ସଂସ୍ଥାକୁ ପ୍ରକୃତ ଲାଭ ମିଳେ ?








