ସାନ୍ତୋ ତନ୍ତୀ ଜଣେ ଆଦିବାସୀ-କିନ୍ତୁ ଆପଣ ତାଙ୍କୁ ସେହି ବର୍ଗରେ ଗୋଟିଏ ନିର୍ଦ୍ଦିଷ୍ଟ ଜନଜାତି ମଧ୍ୟରେ ସୀମିତ ରଖିପାରିବେ ନାହିଁ। ବୋଧହୁଏ ପାଖାପାଖି ଦେଢ଼ ଶତାବ୍ଦୀ ଧରି ଆସାମର ଚା’ ବଗିଚା ଅଞ୍ଚଳକୁ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ଆଦିବାସୀମାନେ ପ୍ରବାସୀ ଶ୍ରମିକ ଭାବେ ଆସୁଛନ୍ତି। ଏସବୁ ସମୁଦାୟର ବହୁ ବଂଶଜମାନେ ଆସି ଏଠାକାର ଆଦିବାସୀ ଏବଂ ଅନ୍ୟ ସାମାଜିକ ସମୁଦାୟ ସହିତ ମିଶିଯାଇଥାନ୍ତି। ଏହି ସମୁଦାୟମାନଙ୍କୁ ମୋଟ ଉପରେ ‘ଚା’ ଆଦିବାସୀ’ ବୋଲି କୁହାଯାଏ।
ଏମାନଙ୍କ ମଧ୍ୟରେ ଷାଠିଏ ଲକ୍ଷରୁ ଅଧିକ ଏବେ ଆସାମରେ ରହୁଛନ୍ତି। ଏମାନେ ନିଜ ମୂଳ ରାଜ୍ୟରେ ଅନୁସୂଚିତ ଜନଜାତି ମାନ୍ୟତା ପାଇଥିଲେ ସୁଦ୍ଧା ଏଠାରେ ସେହି ମାନ୍ୟତାରୁ ବଞ୍ଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପାଖାପାଖି ୧୨ ଲକ୍ଷ ଲୋକ ରାଜ୍ୟରେ ଥିବା ୧୦୦୦ ପାଖାପାଖି ଚା’ ବଗିଚାରେ କାମ କରିଥାନ୍ତି।
ଦୈନନ୍ଦିନ ଜୀବନର ସମସ୍ୟା ଏବଂ ହାଡ଼ଭଙ୍ଗା ପରିଶ୍ରମ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଆଶାଆକାଂକ୍ଷାକୁ ଧୂଳିସାତ କରିଦେଇଥାଏ। କିନ୍ତୁ ସାନ୍ତୋଙ୍କର ନୁହେଁ। ସେ ଝୁମୁର ଗୀତ ବୋଲିଥାନ୍ତି ଯାହା ତାଙ୍କ ଚାରିପାଖରେ ଥିବା ସଂଘର୍ଷକୁ ବ୍ୟକ୍ତ କରିଥାଏ। ଚା’ ବଗିଚାରେ ଖରା ଓ ବର୍ଷାକୁ ଖାତିର ନକରି ଖଟୁଥିବା ଲୋକମାନଙ୍କର ଯନ୍ତ୍ରଣା ଏବଂ ପ୍ରତି କପ୍ ତାଜା ଚା’ ପଛରେ ରହିଥିବା କଠିନ ଶ୍ରମର କାହାଣୀ ତାଙ୍କ ଗୀତରେ ପ୍ରତିଫଳିତ ହୋଇଥାଏ।