ଯେତେବେଳେ ପରୀ ହେଉଛି ଶିକ୍ଷକ ଏବଂ ଗ୍ରାମୀଣ ଭାରତ ହେଉଛି ପାଠ୍ୟ ବିଷୟ, ଆମେ ଦେଖୁଛୁ ଯେ ଏହି ଶିକ୍ଷାଲାଭ ହେଉଛି ବାସ୍ତବିକ, ଦୃଢ଼ ଏବଂ ଦୀର୍ଘ ସ୍ଥାୟୀ।
ଆମ ସହ ଶିକ୍ଷାଲାଭ କରୁଥିବା ଆୟୁଷ ମଙ୍ଗଲଙ୍କର ଅଭିଜ୍ଞତାର ଉଦାହରଣ ନିଅନ୍ତୁ। ସେ ଗ୍ରାମୀଣ ଛତିଶଗଡ଼ର ଆଦିବାସୀମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ନିକଟରେ ପହଞ୍ଚିବାର ଅଭାବ ଏବଂ ଝୋଲା ଛାପ ଡାକ୍ତରମାନଙ୍କ ଦୁନିଆ ମଧ୍ୟରେ ସଂଯୋଗକୁ ବୁଝିବା ପାଇଁ ସେ ପରୀ ସହିତ ନିଜର ସମୟ କଟାଇଥିଲେ। ସେ ସମୟରେ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷାଲାଭ ନିମନ୍ତେ ଅଧ୍ୟୟନ କରୁଥିବା ରାଜ୍ୟର ଜାଞ୍ଜଗିର୍ ଚମ୍ପା ଜିଲ୍ଲାର ଏହି ଛାତ୍ର କହନ୍ତି, ‘‘ମୁଁ ଘରୋଇ ଏବଂ ସାର୍ବଜନୀନ, ଏବଂ ଯୋଗ୍ୟ ଏବଂ ଅଯୋଗ୍ୟ ଡାକ୍ତରମାନଙ୍କ ମଧ୍ୟରେ ଛନ୍ଦାଛନ୍ଦି ହୋଇ ରହିଥିବା ସମ୍ପର୍କକୁ ନିଜ ଆଖିରେ ଦେଖିଛି। କୌଣସି ବ୍ୟବସ୍ଥା ବା ନୀତି ଏହାର ସମାଧାନ କରିବା ଖୁବ୍ ଜରୁରୀ।’’
ଯୁବ ପିଢ଼ି ମଧ୍ୟ ଅବହେଳିତ ଲୋକମାନଙ୍କ ସମ୍ପର୍କରେ ଅଧିକ ଜାଣୁଛନ୍ତି, ଯେଉଁମାନେ କି ସେମାନଙ୍କର ପାଠ୍ୟ ପୁସ୍ତକରେ ସ୍ଥାନ ପାଆନ୍ତି ନାହିଁ। ଓଡ଼ିଶାର କୋରାପୁଟରେ ରାଜ୍ୟ ସରକାରଙ୍କ ସୁବିଧାଗୁଡ଼ିକ ପାଇବା ଗୌରାଙ୍କ ପରି ଭିନ୍ନକ୍ଷମତା ଥିବା ଲୋକମାନଙ୍କ ପାଇଁ କେତେ କଷ୍ଟକର ହୋଇଥାଏ ତାହା ସମ୍ପର୍କରେ ସମ୍ବାଦ ସଂଗ୍ରହ କରୁଥିବା ସାମ୍ବାଦିକତାର ଛାତ୍ରୀ ଶୁଭଶ୍ରୀ ମହାପାତ୍ରଙ୍କୁ ଏହା ଏକ ପ୍ରଶ୍ନ ପଚାରିବାକୁ ବାଧ୍ୟ କରିଛି: ‘‘ପ୍ରଶାସନର କେଉଁ ଅଭାବ ଗୌରାଙ୍କୁ ଏତେ ଭାବନାତ୍ମକ ଏବଂ ଶାରୀରିକ ଯନ୍ତ୍ରଣାରେ ପକାଇଛି?’’
ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆର ଶିକ୍ଷା ବିଭାଗ ପରୀ ଏଜୁକେସନ୍ ସେପ୍ଟେମ୍ବର ୨୦୨୨ରେ ଏହାର ପଞ୍ଚମ ବର୍ଷରେ ପ୍ରବେଶ କରିଛି। ଏହିସବୁ ବର୍ଷଗୁଡ଼ିକରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ସାମାଜିକ ପରିବର୍ତ୍ତନ ନିମନ୍ତେ ବିଭିନ୍ନ ସଂଗଠନରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀ ଏବଂ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀ ସମସ୍ତେ ସାଧାରଣ ଲୋକଙ୍କ ପାଖରେ ଥିବା ବିବିଧ ଦକ୍ଷତା ଏବଂ ଜ୍ଞାନ ବିଷୟରେ ଏକ ଗଭୀର ବୁଝାମଣା ପାଇପାରିଛନ୍ତି। ଯେମିତି ହାଇସ୍କୁଲ୍ ଛାତ୍ର ପ୍ରଜୋଲ ଠାକୁର ଛତିଶଗଡ଼ର ରାୟପୁରରେ ଧାନ ଝୁମର୍ସ ର ଦଲିଲ୍କରଣ ପରେ ଏହା ବୁଝିପାରିଛନ୍ତି: ‘‘ପରୀ ଏଜୁକେସନ୍ ସହିତ କାମ କରିବା ପରେ ମୁଁ ଯେଉଁ ସମାଜରେ ରହୁଛି ତାହାର ଏକ ନୂଆ ପରିପ୍ରେକ୍ଷ ପାଇଛି… ମୁଁ ପର୍ବପର୍ବାଣୀରେ କୃଷକମାନଙ୍କର ଭୂମିକା ସମ୍ପର୍କରେ ଏବଂ ଧାନର ଗୁରୁତ୍ୱ ସମ୍ପର୍କରେ ଅଧିକ ସଚେତନ ହୋଇଛି।’’



