“ଯଦି ସମସ୍ତେ ସେମାନଙ୍କର ବାରଣ୍ଡାରେ ଓ ଛାତରେ ଖାଦ୍ୟ ସାମଗ୍ରୀ ବଢ଼ାନ୍ତି, ଆମେ ଖାଇବାକୁ ଯଥେଷ୍ଟ ଖାଦ୍ୟ ପାଇବୁ।”
ଆମେ ଏକ ଶ୍ରେଣୀଗୃହରେ ଅଛୁ, ଗ୍ରାମୀଣ ଭାରତ ସମ୍ପର୍କରେ ସହରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି ଆମନ୍ତ୍ରିତ ହୋଇଛୁ। ଛାତ୍ରଛାତ୍ରୀଙ୍କ ବିବୃତି ନିରବ ବୋମା ଭଳି ପଡ଼ିଥାଏ। ଯଦି ଆମେ ଏହାକୁ ଛାଡ଼ିଦେଉ, ଏହା ଅପୂରଣୀୟ କ୍ଷତି ଘଟାଇବାର ଆଶଙ୍କା ରହିଛି- ଏହାର ନିରବ ଭାବେ ‘ସମସ୍ତଙ୍କୁ’ ସଶକ୍ତ ଯୁବ ଭାରତୀୟରେ ପରିପୂର୍ଣ୍ଣ ଏକ ବର୍ଗ ଭାବେ ପରିଭାଷିତ କରିବ। ଏହା ପରିବର୍ତ୍ତେ, ଆମେ ଏହାକୁ କିଛି ଅର୍ଥପୂର୍ଣ୍ଣ ଆଲୋଚନାକୁ ଇନ୍ଧନ ଯୋଗାଇବା କ୍ଷେତ୍ରରେ ଉପଯୋଗ କରିପାରିବା। ଏପରି ଘର ଅଛି କି, ଯାହାର କୌଣସି ବାଲକୋନୀ, ଛାତ କିମ୍ବା ଖୋଲା ସ୍ଥାନ ନାହିଁ?
ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ (ପରୀ)ର ଶିକ୍ଷା ଶାଖା ପରୀ ଏଜୁକେସନ ଚିରାଚରିତ ପ୍ରଥାକୁ ତ୍ୟାଗ କରିବା ଏବଂ ସନ୍ଦର୍ଭଗୁଡ଼ିକୁ ବିସ୍ତାରିତ କରିବା ଉଦ୍ଦେଶ୍ୟରେ ଏହି ମୁହୂର୍ତ୍ତଗୁଡ଼ିକୁ ବାନ୍ଧି ରଖିବା ଲାଗି ଚାହୁଁଛି। ପରୀ କାହାଣୀଗୁଡ଼ିକୁ ଉପଯୋଗ କରି ଆମେ ଚାହୁଁଛୁ ଯେ ସହରାଞ୍ଚଳ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନେ ଗ୍ରାମୀଣ ଓ ବଞ୍ଚିତ ସମୁଦାୟଙ୍କ ସମ୍ପର୍କରେ ଅନୁସନ୍ଧାନ କରନ୍ତୁ, ସେମାନଙ୍କ ସହ ସମ୍ପୃକ୍ତ ହୁଅନ୍ତୁ ଓ ସେମାନଙ୍କ ପ୍ରତି ସହାନୁଭୂତି ପ୍ରକଟ କରନ୍ତୁ। ସମାନ ଭାବରେ, ଆମେ ଚାହୁଁଛୁ ଗ୍ରାମୀଣ ଛାତ୍ରଛାତ୍ରୀମାନେ ସେମାନଙ୍କର ସମୁଦାୟ ସମ୍ପର୍କରେ ଲେଖନ୍ତୁ ଏବଂ ସେମାନଙ୍କ ସମୁଦାୟକୁ ସାମିଲ କରି ପାଠ୍ୟପୁସ୍ତକ ପ୍ରସ୍ତୁତ କରନ୍ତୁ। ମାରିଆ ମଣ୍ଟେସୋରୀ କହିଥିଲେ ଯେ ‘ସମାଜର ପୁନଃନିର୍ମାଣ’ ଶିକ୍ଷାର ପୁନଃନିର୍ମାଣରୁ ଆସିଥାଏ-ଯେଉଁଠି ଛାତ୍ରଛାତ୍ରୀ ଆମ ଦେଶର ବହୁମୁଖି ବାସ୍ତବତା ସମ୍ପର୍କରେ ଦେଖିବା, ଶୁଣିବା ଓ ଶିଖିବାକୁ ସମର୍ଥ ହୋଇଥାନ୍ତି।
ଶିକ୍ଷକ ଭାବେ ଆମେ ବିବେଚନା କରିଥାଉ ଯେ ଆମ ପିଲାମାନଙ୍କୁ ‘ବିଶ୍ୱ ନାଗରିକ’ କରିବାର ଦୌଡ଼ରେ ସେମାନେ ନିଜ ଆଖପାଖରେ ଥିବା ପରିବେଶ ଏବଂ ବଡ଼ ସହର ବାହାରେ ଥିବା ଭାରତ ଠାରୁ ଦୂରେଇ ଯାଇଥାନ୍ତି। ଭାରତର ଅନେକ ରୂପ ପ୍ରତି ଅଣଦେଖା କରି, ପାଠ୍ୟକ୍ରମରେ ସେଗୁଡ଼ିକୁ ସ୍ଥାନ ନଦେଇ, ଆମେ ସେମାନଙ୍କୁ ବାର୍ତ୍ତା ଦେଇଥାଉ ଯେ ଏସବୁ ଗୁରୁତ୍ୱହୀନ। ପରୀର ପ୍ରତିଷ୍ଠାତା ସମ୍ପାଦକ ପି. ସାଇନାଥ କୁହନ୍ତି : ‘ଭାରତରେ ଏପରି ଏକ ପିଢ଼ି ବଡ଼ ହେଉଛନ୍ତି, ଯେଉଁମାନେ ନିଜ ଦେଶରେ ମଧ୍ୟ ବିଦେଶୀ’।










