ରାଜସ୍ଥାନର ବାରାଙ୍ଗ ଜିଲ୍ଲାର ମାମୋନି ଗାଁ’ରେ ହୋଲି ପାଇଁ ପ୍ରସ୍ତୁତି କିଛିଦିନ ଆଗରୁ ଅନେକ ଉତ୍ସାହର ସହ ଆରମ୍ଭ ହୋଇଯାଏ। ଏହି ଉତ୍ସବ ମାର୍ଚ୍ଚ ମାସରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲେ, ସାଧାରଣତଃ ପୂର୍ଣ୍ଣିମା ସମୟରେ। ଏହି ଗାଁ’ର ଲୋକମାନଙ୍କ ପାଇଁ ଏହି ଧାର୍ମିକ ଉତ୍ସବ ଫସଲ ଅମଳ ଋତୁ ଆରମ୍ଭ ହେବା ପୂର୍ବରୁ ଈଶ୍ୱର ଏବଂ ପ୍ରକୃତି ପାଖରେ କୃତଜ୍ଞତା ଜ୍ଞାପନ କରିବାର ସମୟ। ବାରନ ରାଜସ୍ଥାନର ଦରିଦ୍ରତମ ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ।
ହୋଲିପର୍ବର ପୂର୍ବ ରାତିରେ ଏକ ଅଗ୍ନି ପ୍ରଜ୍ୱଳନ କରାଯାଏ, କିମ୍ବଦନ୍ତୀ ଅନୁଯାୟୀ ଏହା ହୋଲିକା ଦହନର ପ୍ରତୀକ। ଗହମ ନଡ଼ାଗୁଡ଼ିକ ନିଆଁରେ ପୋଡ଼ାଯାଏ। ପୁରୁଣା ସମୟରେ ଗ୍ରାମବାସୀମାନେ ଏହା ପରଦିନ ପରସ୍ପରକୁ ଏହି ପାଉଁଶ ଛିଞ୍ଚି ବା ମୁହଁରେ ଲଗାଇ ଶୁଭେଚ୍ଛା ଜଣାଉଥିଲେ। ସମୟକ୍ରମେ ଏହି ପାଉଁଶର ସ୍ଥାନ ରଙ୍ଗୀନ ଗୁଣ୍ଡ ନେଇଗଲା ଯାହାକି ବର୍ତ୍ତମାନ ସାରା ଦେଶରେ ଏହି ପର୍ବ ପାଳନ ପାଇଁ ବ୍ୟବହୃତ ହେଉଛି।
















