ଅକ୍ଟୋବର ୨୦୨୨ର ଏକ ସନ୍ଧ୍ୟାରେ ବେଲାରୀର ବାଡୁ ଗାଁର ଏକ ଗୋଷ୍ଠୀ କେନ୍ଦ୍ରରେ ଜଣେ ଦୁର୍ବଳ, ବୟସ୍କ ମହିଳା ଏକ ପ୍ଲାଟଫର୍ମ ଉପରେ ଆରାମ କରୁଛନ୍ତି, ତାଙ୍କର ପିଠି ଏକ ଖମ୍ବକୁ ଲାଗିଛି ଏବଂ ସେ ଗୋଡ ଦୁଇଟି ଲମ୍ବାଇଛନ୍ତି। ସାନ୍ଦୁର ତାଲୁକାର ପାହାଡ଼ିଆ ରାସ୍ତାରେ ୨୮ କି.ମି. ଧରି ଚାଲି ଚାଲି ସେ ଥକି ପଡ଼ିଛନ୍ତି। ତାଙ୍କୁ ପରଦିନ ଆଉ ୪୨ କି.ମି. ଯାତ୍ରା କରିବାକୁ ହେବ।

ସାନ୍ଦୁର ସୁଶୀଳନଗର ଗାଁର ଜଣେ ଖଣି କାର୍ଯ୍ୟକର୍ତ୍ତା ହନୁମକ୍କା ରଙ୍ଗନ୍ନା ବେଲାରୀ ଜିଲ୍ଲା ଗନି କର୍ମୀକାର ସଂଘ (ବେଲାରୀ ଜିଲ୍ଲା ଖଣି ଶ୍ରମିକ ସଂଗଠନ) ଦ୍ୱା ରା ଆୟୋଜିତ ଏକ ଦୁଇଦିନିଆ ପଦଯାତ୍ରାରେ ଅଛନ୍ତି। ବିକ୍ଷୋଭକାରୀମାନେ ଉତ୍ତର କର୍ଣ୍ଣାଟକର ବେଲାରୀ(ବଲାରୀ ଭାବେ ମଧ୍ୟ ଉଚ୍ଚାରିତ)ରେ ଥିବା ଡେପୁଟି କମିଶନରଙ୍କ ଅଫିସରେ ସେମାନଙ୍କର ଦାବି ଦାଖଲ କରିବାକୁ ୭୦ କିମି ଯାତ୍ରା କରୁଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଏହା ହେଉଛି ୧୬ ତମ ଥର ଯେତେବେଳେକି ସେ ଉପଯୁକ୍ତ କ୍ଷତିପୂରଣ ଏବଂ ଜୀବନଧାରଣର ଏକ ବିକଳ୍ପ ଉତ୍ସ ଦାବି କରି ଅନ୍ୟ ଖଣି ଶ୍ରମିକମାନଙ୍କ ସହ ରାସ୍ତାକୁ ଓହ୍ଲାଇଛନ୍ତି।

ସେ ବେଲାରୀର ସେହି ଶହ ଶହ ମହିଳା ମାନୁଆଲ୍ ଶ୍ରମିକମାନଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନଙ୍କୁ ୧୯୯୦ ଦଶକର ଶେଷ ଆଡ଼କୁ କାମରୁ ବାହାର କରି ଦିଆଯାଇଥିଲା। ସେ କହିଲେ, ‘‘ମନେ କରନ୍ତୁ ବର୍ତ୍ତମାନ ମୋତେ ୬୫ ବର୍ଷ। ମୁଁ ମୋ କାମ ହରାଇବା ୧୫ ବର୍ଷରୁ ଅଧିକ ହୋଇଗଲାଣି। ଅନେକ ଟଙ୍କା[କ୍ଷତିପୂରଣ]କୁ ଅପେକ୍ଷା କରି ଆରପାରିକୁ ଗଲେଣି…ଏପରିକି ମୋ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ହୋଇଗଲାଣି।’’

ସେ କହିଲେ, ‘‘ଆମେ ଯେଉଁମାନେ ବଞ୍ଚିରହିଛୁ ଆମର ଜୀବନ ଅଭିଶପ୍ତ। ଆମେ ଜାଣିନାହୁଁ ଯେ ଆମ ପରି ଅଭିଶପ୍ତମାନଙ୍କୁ ପାଉଣା [କ୍ଷତିପୂରଣ] ମିଳିବ ନା ଆମେ ମଧ୍ୟ ମଲା ପର୍ଯ୍ୟନ୍ତ ଏହା ମିଳିବ ନାହିଁ। ଆମେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆସିଛୁ। ଯେଉଁଠି ବୈଠକ ବସେ, ମୁଁ ଭାଗ ନିଏ। ଆମେ ଭାବିଲୁ ଆମେ ଶେଷ ଥର ଲାଗି ଏହି ଚେଷ୍ଟା କରିବୁ।’’

Left: Women mine workers join the 70 kilometre-protest march organised in October 2022 from Sandur to Bellary, demanding compensation and rehabilitation.
PHOTO • S. Senthalir
Right: Nearly 25,000 mine workers were retrenched in 2011 after the Supreme Court ordered a blanket ban on iron ore mining in Bellary
PHOTO • S. Senthalir

ବାମ: କ୍ଷତିପୂରଣ ଏବଂ ପୁନର୍ବାସ ଦାବିରେ ଅକ୍ଟୋବର ୨୦୨୨ରେ ସାନ୍ଦୁରରୁ ବେଲାରୀ ଯାଏ ଆୟୋଜିତ ୭୦ କି.ମି.ର ବିକ୍ଷୋଭ ପଦଯାତ୍ରାରେ ମହିଳା ଖଣି ଶ୍ରମିକମାନେ ସାମିଲ ହୋଇଛନ୍ତି। ଡାହାଣ: ସୁପ୍ରିମକୋର୍ଟଙ୍କ ଦ୍ୱାରା ବେଲାରୀରେ ଲୁହାପଥର ଖନନ ଉପରେ ପୂର୍ଣ୍ଣ ପ୍ରତିବନ୍ଧ ଲଗାଯିବା ନିର୍ଦ୍ଦେଶ ପରେ ୨୦୧୧ରେ ପ୍ରାୟ ୨୫୦୦୦ ଖଣି ଶ୍ରମିକଙ୍କୁ ଛଟେଇ କରାଯାଇଥିଲା

*****

କର୍ଣ୍ଣାଟକର ବେଲାରୀ, ହୋସପେଟ ଏବଂ ସାନ୍ଦୁର ଅଞ୍ଚଳରେ ଲୁହାପଥରର ଖନନ ୧୮୦୦ଦଶକରେ ଆରମ୍ଭ ହୋଇଥିଲା ଯେତେବେଳେ ବ୍ରିଟିଶ ସରକାର ଏହାକୁ ସ୍ୱଳ୍ପ ଭାବେ ଖନନ କରୁଥିଲେ। ସ୍ୱାଧୀନତା ପରେ, ଭାରତ ସରକାର ଏବଂ କିଛି ଘରୋଇ ଖଣି ମାଲିକମାନେ ୧୯୫୩ରେ ଲୁହାପଥର ଉତ୍ପାଦନ ଆରମ୍ଭ କଲେ; ସେହି ବର୍ଷ ବେଲାରୀ ଜିଲ୍ଲା ଖଣି ମାଲିକ ସଂଘ ୪୨ ଜଣ ସଦସ୍ୟଙ୍କୁ ନେଇ ଗଠନ କରାଗଲା। ୪୦ ବର୍ଷ ପରେ ୧୯୯୩ର ଜାତୀୟ ଖଣିଜ ନୀତି ଖନନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଲା, ପ୍ରତ୍ୟକ୍ଷ ବିଦେଶୀ ନିବେଶକୁ ଆମନ୍ତ୍ରଣ କରାଗଲା, ଅଧିକ ଘରୋଇ ଲୋକଙ୍କୁ ଲୁହାପଥର ଖନନ ଲାଗି ବିନିଯୋଗ କରିବାକୁ ପ୍ରୋତ୍ସାହିତ କଲା ଏବଂ ଉତ୍ପାଦନକୁ ଉଦାର କରାଗଲା। ବ୍ୟାପକ ଭାବେ ଯାନ୍ତ୍ରିକିକରଣକୁ ଗ୍ରହଣ କରିବା ସହ ପରବର୍ତ୍ତୀ କିଛି ବର୍ଷ ଧରି ବେଲାରୀରେ ଘରୋଇ ଖନନ କଂପାନିଗୁଡିକର ସଂଖ୍ୟା ଅଚାନକ ବଢ଼ିଗଲା। ଯେହେତୁ ମେସିନ ଅଧିକାଂଶ ଶାରୀରିକ କାମର ସ୍ଥାନ ନେବା ଆରମ୍ଭ କଲା, ମହିଳା ଶ୍ରମିକମାନେ ଯେଉଁମାନଙ୍କର କାମ ଲୁହାପଥରକୁ ଖୋଳିବା, ଭାଙ୍ଗିବା, କାଟିବା ଏବଂ ଛାଣିବା ଥିଲା ସେମାନେ ଅଲୋଡ଼ା ହୋଇଗଲେ।

ଯହିଓ ଏହି ପରିବର୍ତ୍ତନଗୁଡିକ ପୂର୍ବରୁ ଖଣିଗୁଡିକରେ ଶ୍ରମିକ ଭାବେ ନିଯୁକ୍ତି ପାଇଥିବା ମହିଳାମାନଙ୍କର ନିର୍ଦ୍ଦିଷ୍ଟ ସଂଖ୍ୟା ନେଇ କୌଣସି ରେକର୍ଡ ନାହିଁ, ତେବେ ଏଠାକାର ଗ୍ରାମୀଣମାନଙ୍କ ମଧ୍ୟରେ ଏହା ସାଧାରଣଜ୍ଞାନ ଯେ ପ୍ରତି ଦୁଇ ଜଣ ପୁରୁଷ ଶ୍ରମିକଙ୍କ ଲାଗି ସେଠାରେ ଅତି କମ୍‌ରେ ୪-୬ ଜଣ ମହିଳା ଶାରୀରିକ ପରିଶ୍ରମ କରୁଥିଲେ। ହନୁମକ୍କା ମନେ ପକାଇଲେ, ‘‘ମେସିନ ଆସିଲା ଏବଂ ଆମ ପାଇଁ ସେଠାରେ କୌଣସି କାମ ରହିଲା ନାହିଁ। ମେସିନ ଆମ କାମ[ଯେପରିକି] ପଥର ଭାଙ୍ଗିବା ଏବଂ ସେଗୁଡିକୁ ଲୋଡିଂ କରିବା ଆରମ୍ଭ କଲା।’’

ସେ କହିଲେ, ‘‘ଖଣି ମାଲିକମାନେ ଆମକୁ ଆଉ ଖଣିଗୁଡ଼ିକୁ ନ ଆସିବାକୁ କହିଲେ। ଦ ଲକ୍ଷ୍ମୀ ନାରାୟଣ ମାଇନିଂ କଂପାନି(ଏଲଏମସି) ଆମକୁ କିଛି ଦେଲାନାହିଁ। ଆମେ କଠିନ ପରିଶ୍ରମ କଲୁ, କିନ୍ତୁ କୌଣସି ଟଙ୍କା ପାଇଲୁ ନାହିଁ।’’ ସେହି ଘଟଣା ତାଙ୍କ ଜୀବନର ଆଉ ଏକ ଗୁରୁ ତ୍ୱ ପୂର୍ଣ୍ଣ ଘଟଣା ତାଙ୍କର ଚତୁର୍ଥ ସନ୍ତାନର ଜନ୍ମ ସହିତ ହୋଇଥିଲା।

ଘରୋଇ ମାଲିକାନାରେ ଥିବା ଏଲଏମସିରେ ସେ ନିଜର କାମ ହରାଇବାର କିଛି ବର୍ଷ ପରେ ୨୦୦୩ରେ ରାଜ୍ୟ ସରକାର ୧୧,୬୨୦ ବର୍ଗ କିମିର ଜମିକୁ ଅଣସଂରକ୍ଷିତ କରିଦେଲେ-ସେତେବେଳ ଯାଏ ତାହା ନିର୍ଦ୍ଦିଷ୍ଟ ଭାବେ ରାଜ୍ୟ ସରକାରଙ୍କ ସଂସ୍ଥା ଦ୍ୱାରା ଖନନ ପାଇଁ-ଘରୋଇ ଖନନ ଲାଗି ବିଶେଷ ଭାବେ ଚିହ୍ନିତ ଥିଲା। ଏହା ଚୀନରେ ଲୁହାପଥରର ଚାହିଦାରେ ଅଭୁତପୂର୍ବ ବୃଦ୍ଧି ସହ  ମିଶି ଏହି କ୍ଷେତ୍ରରେ ଗତିବିଧିରେ ତୀବ୍ର ଅଭିବୃଦ୍ଧି ସ୍ଥାପନ କଲା। ୨୦୧୦ ମଧ୍ୟରେ ବେଲାରୀରୁ ଲୁହାପଥରର ରପ୍ତାନୀ ୨୦୦୬ରେ ୨.୧୫ କୋଟି ମେଟ୍ରିକ ଟନରୁ ୫୮୫ ପ୍ରତିଶତ ବଢ଼ି ୧୨.୫୭ କୋଟି ମେଟ୍ରିକ ଟନ୍ ହୋଇଯାଇଥିଲା। କର୍ଣ୍ଣାଟକ ଲୋକାୟୁକ୍ତ (ଏକ ରାଜ୍ୟସ୍ତରୀୟ ପ୍ରାଧିକରଣ ଯାହାକି ପ୍ରଶାସନର ତ୍ରୁଟି ଏବଂ ଦୁର୍ନୀତିର ବିଚାର କରିଥାଏ)ଙ୍କର ଏକ ରିପୋର୍ଟ ଦର୍ଶାଇଥାଏ ଯେ ୨୦୧୧ ଯାଏ ଜିଲ୍ଲାରେ ପ୍ରାୟ ୧୬୦ଟି ଖଣି ଥିଲା ଯେଉଁଥିରେ ପ୍ରାୟ ୨୫୦୦୦ ଶ୍ରମିକ କାର୍ଯ୍ୟରତ ଥିଲେ, ସେମାନଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ଥିଲେ। ଅବଶ୍ୟ ଅନୌପଚାରିକ ଆକଳନରୁ ସଂକେତ ମିଳେ ଯେ ୧.୫-୨ ଲକ୍ଷ କର୍ମଚାରୀ ଆନୁସଙ୍ଗିକ କାର୍ଯ୍ୟକଳାପ ଯେପରିକି ସ୍ପଞ୍ଜ ଆଇରନ ତିଆରି, ଷ୍ଟିଲ ମିଲ, ପରିବହନ ଏବଂ ଭାରୀ ଯାନ ୱାର୍କସପ୍‌ରେ ଜଡ଼ିତ ଥିଲେ।

A view of an iron ore mining in Ramgad in Sandur
PHOTO • S. Senthalir
A view of an iron ore mining in Ramgad in Sandur
PHOTO • S. Senthalir

ସାନ୍ଦୁରର ରାମଗଡରେ ଲୁହାପଥର ଖନନର ଏକ ଦୃଶ୍ୟ

ଉତ୍ପାଦନ ଓ ଚାକିରିରେ ଏହି ବୃଦ୍ଧି ହେଲେ ବି ହନୁମକ୍କାଙ୍କ ସମେତ ବହୁ ମହିଳା ଶ୍ରମିକମାନଙ୍କୁ କେବେହେଲେ ଖଣିରେ କାମ କରିବା ଲାଗି ପୁଣି ନିଆଗଲା ନାହିଁ। ଚାକିରିରୁ ବିଦା କରାଗଲେ ମଧ୍ୟ ସେମାନେ କୌଣସି କ୍ଷତିପୂରଣ ପାଇଲେ ନାହିଁ।

*****

ବେଲାରୀରେ ଖନନ କ୍ଷେତ୍ରରେ ଦ୍ରୁତ ବିକାଶ ସେହି କଂପାନିଗୁଡିକ ଦ୍ୱାରା ମନଇଚ୍ଛା ଖନନ କରାଗଲା, ଯେଉଁ କମ୍ପାନିଗୁଡ଼ିକ ସମସ୍ତ ନିୟମକୁ ଉଲ୍ଲଂଘନ କଲେ ଏବଂ କଥିତ ଭାବେ ୨୦୦୬-୨୦୧୦ ମଧ୍ୟରେ ସରକାରୀ ଖଜଣାକୁ ୧୬,୦୮୫ କୋଟି ଟଙ୍କାର କ୍ଷତି ପହଞ୍ଚାଇଲେ। ଖଣି ଦୁର୍ନୀତିର ତଦନ୍ତ କରିବାକୁ ଡକାଯାଇଥିବା ଲୋକାୟୁକ୍ତ ନିଜର ରିପୋର୍ଟରେ  ଦର୍ଶାଇଛନ୍ତି ଯେ ବେଆଇନ ଖଣି ଖନନରେ ବହୁ ସଂଖ୍ୟାରେ କଂପାନି ସାମିଲ ଥିଲେ; ସେଥିରେ ଲକ୍ଷ୍ମୀ ନାରାୟଣ ମାଇନିଂ କଂପାନି  ବି ସାମିଲ ଥିଲା ଯେଉଁଥିରେ ହନୁମକ୍କା ଶେଷ ଥର ଲାଗି କାମ କରୁଥିଲେ। ଲୋକାୟୁକ୍ତଙ୍କର ରିପୋର୍ଟକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ୨୦୧୧ରେ ବେଲାରୀରେ ଲୁହାପଥରର ଖନନ ଉପରେ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧ ଲଗାଇବାକୁ ଆଦେଶ ଦେଲେ।

ଅବଶ୍ୟ ବର୍ଷକ ପରେ ସୁପ୍ରିମକୋର୍ଟ କିଛି ଖଣିକୁ ପୁଣି ଥରେ ଖୋଲିବାକୁ ଅନୁମତି ଦେଲେ ଯେଉଁଗୁଡ଼ିକ କୌଣସି ମାନଦଣ୍ଡର ଉଲ୍ଲଂଘନ କରିନଥିବା ଜାଣିବାକୁ ମିଳିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ସେଣ୍ଟ୍ରାଲ ଏମପାୱାର୍ଡ କମିଟି(ସିଇସି) ପକ୍ଷରୁ କରାଯାଇଥିବା ସୁପାରିସ ଅନୁସାରେ କୋର୍ଟ ଖଣି କଂପାନିଗୁଡିକୁ ବିଭିନ୍ନ ଶ୍ରେଣୀରେ ରଖିଲେ: କୌଣସି ଉଲ୍ଲଂଘନ କରିନଥିବା କିମ୍ବା କମ୍ ଉଲ୍ଲଂଘନ କରିଥିବା ଖଣି ପାଇଁ  ‘ଏ’; ଅଳ୍ପ ଉଲ୍ଲଂଘନ କରିଥିବା ଖଣିଗୁଡିକ ପାଇଁ ‘ବି’; ଏବଂ ଅନେକ ଉଲ୍ଲଂଘନ କରିଥିବା ଖଣି ଗୁଡିକ ପାଇଁ ‘ସି’। ଅତି କମ୍ ଉଲ୍ଲଂଘନ କରିଥିବା ଖଣିଗୁଡିକୁ ୨୦୧୨ରୁ ପର୍ଯ୍ୟାୟକ୍ରମେ ପୁଣି ଥରେ ଖୋଲିବା ଲାଗି ଅନୁମତି ମିଳିଛି। ସିଇସି ରିପୋର୍ଟରେ ସୁଧାର ଏବଂ ପୁନର୍ବାସ(ଆର୍ ଆଣ୍ଡ ଆର) ଯୋଜନାର ଉଦ୍ଦେଶ୍ୟ ଏବଂ ନିୟମାବଳି ମଧ୍ୟ ନିର୍ଦ୍ଧାରିତ କରାଯାଇଛି ଯେଉଁଗୁଡିକ ଏକ ଖନନ ଲିଜର ପୁନଃ ଆରମ୍ଭ ଲାଗି ପ୍ରସ୍ତୁତ କରାଯିବା ଆବଶ୍ୟକ ହେବ।

ବେଆଇନ ଖନନ ଦୁର୍ନୀତି କର୍ଣ୍ଣାଟକରେ ତତ୍କାଳୀନ ଭାରତୀୟ ଜନତାପାର୍ଟି ନେତୃତ୍ୱାଧୀନ ସରକାରଙ୍କୁ ଗାଦିଚ୍ୟୁତ କଲା  ଏବଂ ବେଲାରୀରେ ପ୍ରାକୃତିକ ସଂସାଧନଗୁଡିକର ବ୍ୟାପକ ପରିମାଣରେ ନଷ୍ଟ ପ୍ରତି ଧ୍ୟାନ ଆକର୍ଷଣ କଲା। ବିନା କ୍ଷତିପୂରଣରେ ପ୍ରାୟ ୨୫୦୦୦ ଖଣି ଶ୍ରମିକଙ୍କୁ କାମରୁ ବିଦା କରାଗଲା। ସେମାନେ କିନ୍ତୁ କୌଣସି ପ୍ରକାରେ ଚର୍ଚ୍ଚାକୁ ଆସିଲେ ନାହିଁ।

ନିଜ କଥା ବୁଝିବାକୁ ଛାଡି ଦିଆଯିବାରୁ ଶ୍ରମିକମାନେ କ୍ଷତିପୂରଣ ଏବଂ ପୁନଃରୋଜଗାର ପାଇଁ ଚାପ ସୃଷ୍ଟି କରିବାକୁ ବେଲାରୀ ଜିଲ୍ଲା ଗନି କର୍ମୀକାର ସଂଘ ଗଠନ କଲେ। ଶ୍ରମିକମାନଙ୍କର ଦୁଃଖ ପ୍ରତି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ସଂଘ ରାଲି ଏବଂ ଧାରଣା ଆୟୋଜନ କରିବା ଆରମ୍ଭ କଲା ଏବଂ ଏପରିକି ୨୦୧୪ରେ ଏକ ୨୩ ଦିନିଆ ଆମରଣ ଅନଶନ କରିଥିଲା।

Left: A large majority of mine workers, who were retrenched, were not re-employed even after the Supreme Court allowed reopening of mines in phases since 2012.
PHOTO • S. Senthalir
Right: Bellary Zilla Gani Karmikara Sangha has been organising several rallies and dharnas to draw the attention of the government towards the plight of workers
PHOTO • S. Senthalir

ବାମ: ୨୦୧୨ ପରେ ସୁପ୍ରିମକୋର୍ଟ ପର୍ଯ୍ୟାୟକ୍ରମେ ଖଣିଗୁଡିକୁ ପୁଣି ଖୋଲିବାକୁ ଅନୁମତି ଦେବା ପରେ ବି ଛଟେଇ ହୋଇଥିବା ଅନେକ ସଂଖ୍ୟାରେ ଖଣି ଶ୍ରମିକଙ୍କୁ ପୁନଃ ନିୟୋଜିତ କରାଯାଇନଥିଲା। ଡାହାଣ: ଶ୍ରମିକମାନଙ୍କର ଦୁର୍ଦଶା ପ୍ରତି ସରକାରଙ୍କର ଧ୍ୟାନ ଆକର୍ଷଣ କରିବାକୁ ବେଲାରୀ ଜିଲ୍ଲା ଗନି କର୍ମିକାର ସଂଘ ପକ୍ଷରୁ ଅନେକ ରାଲି ଓ ଧାରଣା ଆୟୋଜନ କରାଯାଉଛି

Hanumakka Ranganna, who believes she is 65, is among the hundreds of women mine manual workers who lost their jobs in the late 1990s
PHOTO • S. Senthalir

ହନୁମକ୍କା ରଙ୍ଗନ୍ନା  ଯିଏ ନିଜକୁ ୬୫ ବର୍ଷର ବୋଲି ଭାବୁଛନ୍ତି ସେ ଶହ ଶହ ମହିଳା ମାନୁଆଲ୍ ଖଣି ଶ୍ରମିକଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ୧୯୯୦ର ଶେଷ ଆଡକୁ ସେମାନଙ୍କର କାମ ହରାଇଥିଲେ

ଖନନ ପ୍ରଭାବ କ୍ଷେତ୍ର ପାଇଁ ବ୍ୟାପକ ପରିବେଶ ଯୋଜନା ନାମକ ଏକ ପ୍ରମୁଖ ପୁନରୁଦ୍ଧାର ଅଭିଯାନରେ ଶ୍ରମିକମାନଙ୍କର ଦାବିକୁ ସାମିଲ କରିବା ଲାଗି ସଂଘ ମଧ୍ୟ ଜୋର ଦେଉଛି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବେଲାରୀର ଖଣି କ୍ଷେତ୍ରରେ ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ ଏବଂ ପରିବହନ ଭିତ୍ତିଭୂମି ଉପରେ କେନ୍ଦ୍ରିତ ଯୋଜନାର କାର୍ଯ୍ୟକାରିତାର ତଦାରଖ କରିବା ଓ କ୍ଷେତ୍ରରେ ପରିସ୍ଥିତି ଓ ପରିବେଶର ପୁନରୁଦ୍ଧାର କରିବା ଲାଗି ୨୦୧୪ରେ କର୍ଣ୍ଣାଟକ ଖନନ ପରିବେଶ ପୁନରୁଦ୍ଧାର ନିଗମର ସ୍ଥାପନ କରାଯାଇଥିଲା। କର୍ମଚାରୀମାନେ ଚାହୁଁଛନ୍ତି ଯେ କ୍ଷତିପୂରଣ ଏବଂ ପୁନର୍ବାସ ପାଇଁ ସେମାନଙ୍କର ଦାବି ଏହି ଯୋଜନାରେ ସାମିଲ ହେଉ। ସଂଘର ସଭାପତି ଗୋପୀ ୱାଇ କହନ୍ତି ଏପରିକି ସେମାନେ ସୁପ୍ରିମକୋର୍ଟ ଏବଂ ଶ୍ରମିକ ଟ୍ରିବ୍ୟୁନାଲଗୁଡ଼ିକରେ ବି ଆବେଦନ ଦାଖଲ କରିଛନ୍ତି।

ଶ୍ରମିକମାନେ ଏଭଳି ଭାବେ ଏକଜୁଟ ହେବା ସହିତ ହନୁମକ୍କାଙ୍କୁ ଏକ ଏଭଳି ମଂଚ ମିଳିଯାଇଛି ଯେଉଁଠାରେ ସେ ମହିଳା ଶ୍ରମିକମାନଙ୍କର ଅନ୍ୟାୟପୂର୍ଣ୍ଣ ଛଟେଇ ବିରୋଧରେ ନିଜର ସ୍ୱର ଉଠାଇବା ଲାଗି ସଶକ୍ତ ଅନୁଭବ କରୁଛନ୍ତି। ସେ କ୍ଷତିପୂରଣ ଏବଂ ପୁନର୍ବାସ ଦାବି କରି ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରିବା ଲାଗି ୪୦୦୦ ଶ୍ରମିକ[୨୦୧୧ରେ ଛଟେଇ ହୋଇଥିବା ୨୫ ହଜାର ଶ୍ରମିକଙ୍କ ମଧ୍ୟରୁ] ଙ୍କ ସହିତ ସାମିଲ ହୋଇଯାଇଛନ୍ତି। ‘‘୧୯୯୨-୧୯୯୫ ଯାଏ ଆମେ ଟିପଚିହ୍ନ ଦେଉଥିଲୁ। ସେତେବେଳେ [ଶ୍ରମିକମାନଙ୍କ ଲାଗି କହିବାକୁ ]କେହି ବି ଆଗରେ ନଥିଲେ,’’ ସେ ସେହି ଶକ୍ତି ଓ ସମର୍ଥନ ସଂପର୍କରେ କହୁଛନ୍ତି ଯାହାକୁ ଏବେ ସେ ଶ୍ରମିକ ସଂଘର ଅଂଶ ହୋଇ ପ୍ରାପ୍ତ କରୁଛନ୍ତି। ହନୁମକ୍କା କହନ୍ତି, ‘‘ମୁଁ [ସଂଘ]ର ଗୋଟିଏ ମଧ୍ୟ ବୈଠକ ଛାଡ଼ିନାହିଁ। ଆମେ ହୋସପେଟ, ବେଲାରୀ ସବୁ ସ୍ଥାନକୁ ଯାଇଛୁ। ଆମର ଯାହା ବାକି ପାଉଣା ରହିଛି ସରକାର ତାହା ଦେବା ଆବଶ୍ୟକ।’’

*****

ହନୁମକ୍କାଙ୍କର ମନେ ନାହିଁ ସେ କେବେ ଖଣିରେ କାମ କରିବା ଆରମ୍ଭ କଲେ। ସେ ରାଜ୍ୟରେ ଅନୁସୂଚୀତ ଜନଜାତି ଭାବେ ସୂଚୀବଦ୍ଧ ବାଲ୍ମିକୀ ସଂପ୍ରଦାୟରେ ଜନ୍ମ ହୋଇଥିଲେ।  ପିଲାଦିନେ ତାଙ୍କର ଘର ଲୁହା ପଥରର ଭଣ୍ଡାରରେ ଭରପୁର ପାହାଡ଼ ଘେରା ସୁଶୀଳନଗର ଥିଲା। ଅନ୍ୟ ଭୂମିହୀନ ଅବହେଳିତ ବର୍ଗର ଲୋକେ ଯାହା କରୁଥିଲେ ସେ ମଧ୍ୟ ସେଇୟା କଲେ - ଖଣି ଖନନ କ୍ଷେତ୍ରରେ କାମ କରିବା ଆରମ୍ଭ କଲେ।

ସେ କହିଲେ, ‘‘ମୁଁ ସାନ ଥିବା ବେଳୁ କାମ [ଖଣିରେ] କରିଛି। ମୁଁ ଅନେକ ଖଣି କଂପାନିରେ କାମ କରିଛି।’’ ବହୁତ କମ୍ ବୟସରୁ କାମ ଆରମ୍ଭ କରି ସେ ପାହାଡ ଚଢିବାରେ ପାରଦର୍ଶୀ ହୋଇଗଲେ, ପାହାଡରେ [ଯେଉଁଠାରେ ଲୁହାପଥର ଥିଲା] ସେଠାରେ ଜମ୍ପରର ବ୍ୟବହାର କରି ଗାତ ଖୋଳୁଥିଲେ ଏବଂ ସେଥିରେ ବିସ୍ଫୋରଣ ପାଇଁ ରସାୟନ ଭର୍ତ୍ତି କରୁଥିଲେ; ଲୁହାପଥରର ଖନନ କରିବା ଲାଗି ଆବଶ୍ୟକ ସବୁ ଭାରୀ ଉପକରଣକୁ ସମ୍ଭାଳିବାରେ ସେ ଖୁବ୍ କୁଶଳ ଥିଲେ। ସେ ମନେ ପକାଇଲେ, ‘‘ଅବଗା ମେସିନାରୀ ଇଲା ମା[ସେତେବେଳେ କୌଣସି ମେସିନ୍ ନଥିଲା]। ମହିଳାମାନେ ଯୋଡି ହୋଇ କାମ କରୁଥିଲେ। [ବିସ୍ଫୋରଣ ପରେ] ଜଣେ ଭାଙ୍ଗି ଯାଇଥିବା ଲୁହାପଥର ଖଣ୍ଡଗୁଡ଼ିକୁ ଖୋଳୁଥିବାବେଳେ ଅନ୍ୟଜଣକ ତାକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗିବାକୁ ବସି ଯାଉଥିଲେ। ଆମକୁ ବୋଲଡରକୁ ୩ଟି ଅଲଗା ଅଲଗା ଆକାରରେ ଭାଙ୍ଗିବାକୁ ପଡ଼ୁଥିଲା।’’ ଧୂଳିକଣାକୁ ହଟାଇବା ଲାଗି ଲୁହାପଥର ଖଣ୍ଡଗୁଡ଼ିକୁ ଛାଣିବା ପରେ ମହିଳାମାନେ ଲୁହାପଥରକୁ ନିଜ ମୁଣ୍ଡରେ ମୁଣ୍ଡାଇ ନେଇ ଯାଉଥିଲେ ଓ ତାକୁ ଟ୍ରକରେ ଲଦୁଥିଲେ। ସେ ଆହୁରି ଯୋଗ କଲେ, ‘‘ଆମେ ସମସ୍ତେ ସଂଘର୍ଷ କରିଛୁ। ଆମେ ଯେଉଁଭଳି ସଂଘର୍ଷ କରିଛୁ କିଏ ବି ସେଭଳି କରିବେ ନାହିଁ।’’

ସେ କହିଲେ, ‘‘ମୋ ସ୍ୱାମୀ ଜଣେ ମଦୁଆ ଥିଲେ; ମୋତେ ୫ଟି ଝିଅଙ୍କୁ ପାଳିବାକୁ ଥିଲା। ସେତେବେଳେ ମୁଁ ଭାଙ୍ଗୁଥିବା ପ୍ରତି ଟନ୍[ଲୁହାପଥର]  ପିଛା ୫୦ ପଇସା ପାଉଥିଲି। ଆମେ ଖାଦ୍ୟ ପାଇଁ ସଂଘର୍ଷ କରିଛୁ। ସବୁ ବ୍ୟକ୍ତିଙ୍କୁ ଖାଇବାକୁ ଫାଳେ ରୁଟି ମିଳୁଥିଲା। ଆମେ ଜଙ୍ଗଲରୁ ଶାଗ ସଂଗ୍ରହ କରୁଥିଲୁ, ତାକୁ ଲୁଣ ଦେଇ ବାଟି ରୁଟି ସହିତ ଖାଉବାକୁ ଛୋଟ ଛୋଟ ବଲ୍ କରୁଥିଲୁ। ବେଳେବେଳେ ଆମେ ଗୋଲ ଓ ଲମ୍ବା ବାଇଗଣ କିଣୁଥୁଲୁ, ତାକୁ ନିଆଁରେ ପୋଡି ତା’ ଚୋପା ବାହାର କରି ସେଥିରେ ଲୁଣ ପକାଇ ଚକଟି ଖାଉଥିଲୁ। ଆମେ ତାକୁ ଖାଉଥିଲୁ, ପାଣି ପିଉଥିଲୁ ଏବଂ ଶୋଇବାକୁ ଯାଉଥିଲୁ….ଆମେ ସେହିଭଳି ବଂଚୁଥିଲୁ।’’ ଶୌଚାଳୟ, ପିଇବା ଯୋଗ୍ୟ ପାଣି କିମ୍ବା ସୁରକ୍ଷା ଉପକରଣ ବିନା କାମ କରି ହନୁମକ୍କା ବହୁ କଷ୍ଟରେ ଖାଇବା ଲାଗି ପର୍ଯ୍ୟାପ୍ତ ରୋଜଗାର କରୁଥିଲେ।

At least 4,000-odd mine workers have filed a writ-petition before the Supreme Court, demanding compensation and rehabilitation
PHOTO • S. Senthalir

କ୍ଷତିପୂରଣ ଏବଂ ପୁନର୍ବାସ ଦାବିରେ ଅତି କମ୍‌ରେ ୪୦୦୦ ଖଣି କର୍ମୀ ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରିଛନ୍ତି

Hanumakka Ranganna (second from left) and Hampakka Bheemappa (third from left) along with other women mine workers all set to continue the protest march, after they had stopped at Vaddu village in Sandur to rest
PHOTO • S. Senthalir

ସାନ୍ଦୁରର ବାଡୁ ଗାଁରେ ଆରାମ କରିବା ଲାଗି ଅଟକିବା ପରେ ହନୁମକ୍କା ରଙ୍ଗନ୍ନା (ବାମରୁ ଦ୍ୱିତୀୟ) ଏବଂ ହମପକ୍କା ଭୀମାପ୍ପା(ବାମରୁ ତୃତୀୟ) ଅନ୍ୟ ମହିଳା ଖଣି କର୍ମୀଙ୍କ ସହ ବିରୋଧ ପଦଯାତ୍ରା ଜାରି ରଖିବାକୁ ପ୍ରସ୍ତୁତ

ତାଙ୍କ ଗାଁର ଆଉ ଜଣେ ଖଣି ଶ୍ରମିକ ହମପକ୍କା ଭୀମାପ୍ପା କଠିନ ପରିଶ୍ରମ ଏବଂ ଅଭାବର ଏକ ସମାନ କାହାଣୀ କହନ୍ତି। ଏକ ଅନୁସୂଚୀତ ଜାତି ସଂପ୍ରଦାୟରେ ଜନ୍ମିତ ହମପକ୍କା ସାନ ଥିବା ବେଳୁ ଜଣେ ଭୂମିହୀନ କୃଷି ଶ୍ରମିକଙ୍କ ସହ ତାଙ୍କର  ବିବାହ କରାଇ ଦିଆଯାଇଥିଲା। ସେ କହିଲେ, ‘‘ବିବାହ ସମୟରେ ମୋତେ କେତେ ବର୍ଷ ହୋଇଥିଲା ତାହା ମୋର ମନେନାହିଁ। ମୁଁ ସାନ ବେଳୁ କାମ ଆରମ୍ଭ କରିଥିଲି-ଏପରିକି ମୁଁ ଯୌବନ ପ୍ରାପ୍ତ ବି ହୋଇନଥିଲି। ଏକ ଟନ୍ ଲୁହାପଥର ଭାଙ୍ଗିବା ଲାଗି ମୋତେ ଦିନକୁ ୭୫ ପଇସା ମିଳୁଥିଲା। ଏପରିକି ସପ୍ତାହେ ଧରି କାମ କରିବା ପରେ ବି ଆମେ ୭ ଟଙ୍କା ପାଉନଥିଲୁ। ସେମାନେ ମୋତେ ଏତେ କମ୍ ପଇସା ଦେଉଥିବାରୁ ମୁଁ ଘରକୁ କାନ୍ଦି କାନ୍ଦି ଫେରୁଥିଲି।’’

ପାଂଚ ବର୍ଷ ଧରି ଦିନକୁ ୭୫ ପଇସା ରୋଜଗାର କରିବା ପରେ ହମପକ୍କାଙ୍କୁ ୭୫ ପଇସାର ବୃଦ୍ଧି ମିଳିଥିଲା। ପରବର୍ତ୍ତୀ ୪ ବର୍ଷ ଧରି ସେ ଦିନକୁ ୧.୫୦ ରୋଜଗାର କଲେ, ଏହା ପୂର୍ବରୁ ତାଙ୍କୁ ୫୦ ପଇସାର ଆଉ ଏକ ବୃଦ୍ଧି ମିଳିଥିଲା। ସେ କହିଲେ, ୧୦ ବର୍ଷ ଧରି ମୁଁ ଦିନକୁ ୨ ଟଙ୍କା [ଦିନରେ ଏକ ଟନ୍ ଲୁହାପଥର ଭାଙ୍ଗିବା ଲାଗି] ରୋଜଗାର କରୁଥିଲି। ଏକ ଋଣ ଉପରେ ମୁଁ ପ୍ରତି ସପ୍ତାହରେ ୧.୫୦ ଟଙ୍କା ସୁଧ ଆକାରରେ ଦେଉଥିଲି ଏବଂ ବଜାର ପାଇଁ ୧୦ ଟଙ୍କା ଯାଉଥିଲା… ଆମେ ନୁଚୁ [ଖୁଦ ଚାଉଳ] କିଣୁଥିଲୁ କାରଣ ଏହା ଶସ୍ତା ଥିଲା।’’

ସେତେବେଳେ ସେ ଭାବୁଥିଲେ ଯେ ଅଧିକ ରୋଜଗାର କରିବାର ସବୁଠୁ ଭଲ ଉପାୟ କଠିନ ପରିଶ୍ରମ କରିବା ଥିଲା। ସେ ଭୋର ୪ଟାରୁ ଉଠୁଥିଲେ, ରୋଷେଇ କରି ଖାଇବା ପ୍ୟାକ୍ କରୁଥିଲେ ଏବଂ ସକାଳ ୬ଟା ସୁଦ୍ଧା ରାସ୍ତା ଉପରକୁ ବାହାରି ଯାଉଥିଲେ, ତାଙ୍କୁ ଖଣି ଯାଏ ନେଇଯିବାକୁ ଏକ ଟ୍ରକର ଅପେକ୍ଷା କରୁଥିଲେ। ଶୀଘ୍ର ପହଂଚିବାର ଅର୍ଥ ଥିଲା ସେ ଏକ ଅତିରିକ୍ତ ଟନ୍ ଲୁହାପଥର ଭାଙ୍ଗିପାରିବେ। ହମପକ୍କା ମନେ ପକାଇଲେ, ‘‘ଆମ ଗାଁରୁ କୌଣସି ବସ୍ ନଥିଲା। ଆମକୁ [ଟ୍ରକ୍] ଡ୍ରାଇଭରଙ୍କୁ ୧୦ ପଇସା ଦେବାକୁ ପଡୁଥିଲା; ପରେ ତାହା ବଢି ୫୦ ପଇସା ଯାଏ ହୋଇଗଲା।’’

ଘରକୁ ଫେରିବା ସହଜ ନଥିଲା। ବିଳମ୍ବିତ ସନ୍ଧ୍ୟାରେ ସେ ୪-୫ ଜଣ ଅନ୍ୟ ଶ୍ରମିକଙ୍କ ସହ ମିଶି ଭାରୀ ଲୁହାପଥର ଲଦା ହୋଇଥିବା ଟ୍ରକଗୁଡିକ ମଧ୍ୟରୁ ଏକ ଟ୍ରକ ଉପରେ ଚଢ଼ି ଯାଉଥିଲେ। ସେ ମନେ ପକାଇଲେ, ‘‘ସମୟ ସମୟରେ ଯେତେବେଳେ ଟ୍ରକ୍ ଏକ ତୀଖ ମୋଡ଼ ନେଉଥିଲା, ଆମ ମଧ୍ୟରୁ ୩ କିମ୍ବା ୪ ଜଣ ତଳେ ପଡ଼ିଯାଉଥିଲେ। [ କିନ୍ତୁ ]ଆମେ କେବେ ଯନ୍ତ୍ରଣା ଅନୁଭବ କରିନାହୁଁ। ଆମେ ପୁଣିଥରେ ସେହି ଟ୍ରକ୍ ଉପରକୁ ଆସିଯାଉଥିଲୁ।’’ ତଥାପି ତାଙ୍କୁ ସେହି ଅତିରିକ୍ତ ଟନ୍ ଲୁହାପଥର ଭାଙ୍ଗିବା ବାବଦରେ ହୋଇଥିବା ପରିଶ୍ରମ ପାଇଁ କେବେହେଲେ ମଜୁରୀ ମିଳିନଥିଲା। ସେ କହିଲେ, ‘‘ଯହି ଆମେ ୩ ଟନ୍ ଭାଙ୍ଗୁଥୁଲୁ ଆମକୁ କେବଳ ୨ ଟନର ଟଙ୍କା ମିଳୁଥିଲା। ଆମେ କିଛି କହିପାରୁନଥିଲୁ କିମ୍ବା ମାଗି ପାରୁନଥିଲୁ।’’

Mine workers stop for breakfast in Sandur on the second day of the two-day padayatra from Sandur to Bellary
PHOTO • S. Senthalir
Mine workers stop for breakfast in Sandur on the second day of the two-day padayatra from Sandur to Bellary
PHOTO • S. Senthalir

ସାନ୍ଦୁରରୁ ବେଲାରୀ ଯାଏ ଦୁଇ ଦିବସୀୟ ପଦଯାତ୍ରାର ଦ୍ୱିତୀୟ ଦିନରେ ସାନ୍ଦୁରରେ ଜଳଖିଆ କରିବାକୁ ଖଣି ଶ୍ରମିକମାନେ ଅଟକିଛନ୍ତି

Left: Hanumakka (centre) sharing a light moment with her friends during the protest march.
PHOTO • S. Senthalir
Right: Hampakka (left) along with other women mine workers in Sandur
PHOTO • S. Senthalir

ବାମ: ହନୁମକ୍କା(ମଝି) ବିରୋଧ ପଦଯାତ୍ରା ସମୟରେ ନିଜର ବନ୍ଧୁମାନଙ୍କ ସହିତ ହାଲକା ଫୁଲକା ସମୟ ଅତିବାହିତ କରୁଛନ୍ତି। ଡାହାଣ: ସାନ୍ଦୁରରେ ଅନ୍ୟ ମହିଳା ଖଣି ଶ୍ରମିକଙ୍କ ସହ ହମପକ୍କା(ବାମ)

ଅଧିକାଂଶ ସମୟରେ ଲୁହାପଥର ଚୋରି ହୋଇଯାଉଥିଲା ଏବଂ ମିସ୍ତ୍ରୀ [ପ୍ରଧାନ-କର୍ମଚାରୀ] ମଜୁରୀ ଦେବାକୁ ମନାକରି ଶ୍ରମିକମାନଙ୍କୁ ଦଣ୍ଡିତ କରୁଥିଲେ। ‘‘ସପ୍ତାହରେ ୩ କିମ୍ବା ୪ ଥର ଆମେ [ଲୁହାପଥର ଉପରେ ନଜର ରଖିବା ପାଇଁ] ରହିଯାଉଥିଲୁ, ନିଆଁ ଜଳାଉଥିଲୁ ଏବଂ ମାଟି ଉପରେ ଶୋଉଥିଲୁ। ପଥର [ଲୁହାପଥର]କୁ ସୁରକ୍ଷା ଦେବା ଏବଂ ମଜୁରୀ ପାଇବାକୁ ଆମକୁ ଏଭଳି କରିବାକୁ ପଡ଼ୁଥିଲା।’’

ଖଣିରେ ଦିନକୁ ୧୬-୧୮ ଘଣ୍ଟା କାମ କରିବାର ଅର୍ଥ ଥିଲା ଶ୍ରମିକମାନେ ବାଧ୍ୟ ହୋଇ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରୁ ବଞ୍ଚିତ ହେଉଥିଲେ ହମପକ୍କା କହିଲେ, ‘‘ଆମେ ସପ୍ତାହରେ ଥରେ ଗାଧୋଉଥିଲୁ, ଯେଉଁଦିନ ଆମେ ବଜାରକୁ ଯାଉଥିଲୁ।’’

୧୯୯୮ରେ ଛଟେଇ ସମୟରେ ଏହି ମହିଳା ଖଣି କର୍ମଚାରୀମାନେ ଟନ୍ ପିଛା ୧୫ ଟଙ୍କା ପାଉଥିଲେ। ଗୋଟିଏ ଦିନରେ ସେମାନେ ୫ ଟନ୍ ଲୁହାପଥର ଲଦୁଥିଲେ ଯାହାର ଅର୍ଥ ସେମାନେ ଦିନକୁ ଘରକୁ ୭୫ ଟଙ୍କା ନେଉଥିଲେ।  ଯେତେବେଳେ ସେମାନେ ଲୁହାପଥରର ବଡ଼ ବଡ଼ ଖଣ୍ଡକୁ ଅଲଗା କରୁଥିଲେ ସେମାନେ ଦିନକୁ ୧୦୦ ଟଙ୍କା ପାଉଥିଲେ।

ଯେତେବେଳେ ହନୁମକ୍କା ଏବଂ ହମପମ୍ମା ସେମାନଙ୍କର ଖଣି ଚାକିରି ହରାଇଲେ, ସେମାନେ ଜୀବିକା ଚଳାଇବା ଲାଗି ଚାଷ କାମ ଆରମ୍ଭ କରିଦେଲେ। ‘‘ଆମକୁ କେବଳ କୁଲି କାମ ମିଳିଲା। ଆମେ ବାଳୁଙ୍ଗା କିମ୍ବା ଗୋଡ଼ି ବାଛିବା ପାଇଁ, ମକା ଅମଳ କରିବାକୁ ଯାଉଥିଲୁ। ଆମେ ଦିନକୁ ୫ ଟଙ୍କାରେ କାମ କରିଛୁ। ଏବେ ସେମାନେ[ ଜମି ମାଲିକମାନେ] ଦିନକୁ ଆମକୁ ୨୦୦ ଟଙ୍କା ଦେଉଛନ୍ତି,’’ ହନୁମକ୍କା କହିଲେ। ସେ ଆହୁରି ଯୋଗ କଲେ, ସେ ଆଉ ନିୟମିତ ଭାବେ ଜମିରେ କାମ କରୁନାହାନ୍ତି; ତାଙ୍କର ଝିଅ ଏବେ ତାଙ୍କର ଦେଖାଶୁଣା କରୁଛନ୍ତି। ହମପମ୍ମାଙ୍କର ପୁଅ ତାଙ୍କର ଦେଖାଶୁଣା ଆରମ୍ଭ କରିବା ପରେ ସେ ମଧ୍ୟ କୃଷି ଶ୍ରମିକ ଭାବେ କାମ କରିବା ଛାଡ଼ି ଦେଇଛନ୍ତି।

ହନୁମକ୍କା କହିଲେ, ‘‘ସେହି ପଥର [ଲୁହାପଥର]କୁ [ଭାଙ୍ଗିବା] ଲାଗି ଆମେ ଆମର ରକ୍ତ ବୁହାଇଛୁ ଏବଂ ଆମର ଯୌବନ ବଳି ଦେଇଛୁ। [କିନ୍ତୁ] ସେମାନେ [ଖନନ କଂପାନିଗୁଡ଼ିକ] ଆମକୁ ଚୋପା ଭଳି ଫିଙ୍ଗି ଦେଇଛନ୍ତି।’’

ଅନୁବାଦ: ଓଡ଼ିଶାଲାଇଭ୍‍

S. Senthalir

ଏସ ସେନ୍ଥାଲିର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସମ୍ପାଦିକା ଏବଂ ୨୦୨୦ର ପରୀ ସଦସ୍ୟା। ସେ ଲିଙ୍ଗ, ଜାତି ଓ ଶ୍ରମ ବିଷୟକୁ ନେଇ ରିପୋର୍ଟ ସଂଗ୍ରହ କରିଥାନ୍ତି। ସେନ୍ଥାଲିର ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟରେ ଚେଭେନିଂ ଦକ୍ଷିଣ ଏସିଆ ସାମ୍ବାଦିକତା କାର୍ଯ୍ୟକ୍ରମର ୨୦୨୩ର ଜଣେ ସଦସ୍ୟ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ S. Senthalir
Editor : Sangeeta Menon

ସଙ୍ଗୀତା ମେନନ ମୁମ୍ବାଇରେ ଅବସ୍ଥାପିତ ଜଣେ ଲେଖିକା, ସମ୍ପାଦିକା ଓ ସଞ୍ଚାର ପରାମର୍ଶଦାତା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sangeeta Menon
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE