ଅକ୍ଟୋବର ୨୦୨୨ର ଏକ ସନ୍ଧ୍ୟାରେ ବେଲାରୀର ବାଡୁ ଗାଁର ଏକ ଗୋଷ୍ଠୀ କେନ୍ଦ୍ରରେ ଜଣେ ଦୁର୍ବଳ, ବୟସ୍କ ମହିଳା ଏକ ପ୍ଲାଟଫର୍ମ ଉପରେ ଆରାମ କରୁଛନ୍ତି, ତାଙ୍କର ପିଠି ଏକ ଖମ୍ବକୁ ଲାଗିଛି ଏବଂ ସେ ଗୋଡ ଦୁଇଟି ଲମ୍ବାଇଛନ୍ତି। ସାନ୍ଦୁର ତାଲୁକାର ପାହାଡ଼ିଆ ରାସ୍ତାରେ ୨୮ କି.ମି. ଧରି ଚାଲି ଚାଲି ସେ ଥକି ପଡ଼ିଛନ୍ତି। ତାଙ୍କୁ ପରଦିନ ଆଉ ୪୨ କି.ମି. ଯାତ୍ରା କରିବାକୁ ହେବ।
ସାନ୍ଦୁର ସୁଶୀଳନଗର ଗାଁର ଜଣେ ଖଣି କାର୍ଯ୍ୟକର୍ତ୍ତା ହନୁମକ୍କା ରଙ୍ଗନ୍ନା ବେଲାରୀ ଜିଲ୍ଲା ଗନି କର୍ମୀକାର ସଂଘ (ବେଲାରୀ ଜିଲ୍ଲା ଖଣି ଶ୍ରମିକ ସଂଗଠନ) ଦ୍ୱାରା ଆୟୋଜିତ ଏକ ଦୁଇଦିନିଆ ପଦଯାତ୍ରାରେ ଅଛନ୍ତି। ବିକ୍ଷୋଭକାରୀମାନେ ଉତ୍ତର କର୍ଣ୍ଣାଟକର ବେଲାରୀ(ବଲାରୀ ଭାବେ ମଧ୍ୟ ଉଚ୍ଚାରିତ)ରେ ଥିବା ଡେପୁଟି କମିଶନରଙ୍କ ଅଫିସରେ ସେମାନଙ୍କର ଦାବି ଦାଖଲ କରିବାକୁ ୭୦ କିମି ଯାତ୍ରା କରୁଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଏହା ହେଉଛି ୧୬ ତମ ଥର ଯେତେବେଳେକି ସେ ଉପଯୁକ୍ତ କ୍ଷତିପୂରଣ ଏବଂ ଜୀବନଧାରଣର ଏକ ବିକଳ୍ପ ଉତ୍ସ ଦାବି କରି ଅନ୍ୟ ଖଣି ଶ୍ରମିକମାନଙ୍କ ସହ ରାସ୍ତାକୁ ଓହ୍ଲାଇଛନ୍ତି।
ସେ ବେଲାରୀର ସେହି ଶହ ଶହ ମହିଳା ମାନୁଆଲ୍ ଶ୍ରମିକମାନଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନଙ୍କୁ ୧୯୯୦ ଦଶକର ଶେଷ ଆଡ଼କୁ କାମରୁ ବାହାର କରି ଦିଆଯାଇଥିଲା। ସେ କହିଲେ, ‘‘ମନେ କରନ୍ତୁ ବର୍ତ୍ତମାନ ମୋତେ ୬୫ ବର୍ଷ। ମୁଁ ମୋ କାମ ହରାଇବା ୧୫ ବର୍ଷରୁ ଅଧିକ ହୋଇଗଲାଣି। ଅନେକ ଟଙ୍କା[କ୍ଷତିପୂରଣ]କୁ ଅପେକ୍ଷା କରି ଆରପାରିକୁ ଗଲେଣି…ଏପରିକି ମୋ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ହୋଇଗଲାଣି।’’
ସେ କହିଲେ, ‘‘ଆମେ ଯେଉଁମାନେ ବଞ୍ଚିରହିଛୁ ଆମର ଜୀବନ ଅଭିଶପ୍ତ। ଆମେ ଜାଣିନାହୁଁ ଯେ ଆମ ପରି ଅଭିଶପ୍ତମାନଙ୍କୁ ପାଉଣା [କ୍ଷତିପୂରଣ] ମିଳିବ ନା ଆମେ ମଧ୍ୟ ମଲା ପର୍ଯ୍ୟନ୍ତ ଏହା ମିଳିବ ନାହିଁ। ଆମେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆସିଛୁ। ଯେଉଁଠି ବୈଠକ ବସେ, ମୁଁ ଭାଗ ନିଏ। ଆମେ ଭାବିଲୁ ଆମେ ଶେଷ ଥର ଲାଗି ଏହି ଚେଷ୍ଟା କରିବୁ।’’















