ଏହା ହିଁ ନର୍କ
ଏ ହେଉଛି ଏକ ଘୂର୍ଣ୍ଣାୟମାନ ଭଉଁରୀ
ଏହା ଏକ ବୀଭତ୍ସ ଯନ୍ତ୍ରଣା
ଏ ହେଉଛି ନର୍ତ୍ତକୀର ନୂପୁର ପରିହିତ ଯନ୍ତ୍ରଣା...
ନାମଦେଓ ଢସଲଙ୍କ କବିତା ‘କମାଠିପୁରା’ରୁ



ଏହା ହିଁ ନର୍କ
ଏ ହେଉଛି ଏକ ଘୂର୍ଣ୍ଣାୟମାନ ଭଉଁରୀ
ଏହା ଏକ ବୀଭତ୍ସ ଯନ୍ତ୍ରଣା
ଏ ହେଉଛି ନର୍ତ୍ତକୀର ନୂପୁର ପରିହିତ ଯନ୍ତ୍ରଣା...
ନାମଦେଓ ଢସଲଙ୍କ କବିତା ‘କମାଠିପୁରା’ରୁ
ବହୁ ବର୍ଷ ଭିତରେ ପ୍ରଥମ ଥର ପାଇଁ ସବୁବେଳେ ଗହଳଚହଳ ଲାଗି ରହୁଥିବା ରାସ୍ତାଟି ଶାନ୍ତ ପଡ଼ିଯାଇଥିଲା । ହେଲେ ସେଠାରେର ରହୁଥିବା ମହିଳାମାନେ ଖୁବ୍ ବେଶୀ ଦିନ ପାଇଁ କାମରୁ ଦୂରେଇ ରହିପାରି ନଥିଲେ । ଘରଭଡ଼ା ଦେବାର ଥିଲା, ଲକ୍ଡାଉନ୍ ସମୟରେ ସେମାନଙ୍କ ପିଲାମାନଙ୍କର ହଷ୍ଟେଲ ବନ୍ଦ ହୋଇଯାଇଥିବାରୁ ସେମାନେ ଘରକୁ ଫେରିଆସିଥିଲେ, ଏବଂ ଘରଖର୍ଚ୍ଚ ବଢ଼ି ଯାଇଥିଲା ।
ପାଖାପାଖି ଚାରି ମାସର ବ୍ୟବଧାନ ପରେ, ଜୁଲାଇ ମାସ ମଧ୍ୟ ଭାଗ ବେଳକୁ, କେନ୍ଦ୍ରୀୟ ମୁମ୍ବାଇର କମାଠିପୁରା ଅଞ୍ଚଳରେ ଫାକ୍ଲାଣ୍ଡ ରୋଡ୍ର ଫୁଟ୍ପାଥ ଉପରେ ପ୍ରତିଦିନ ସନ୍ଧ୍ୟାରେ ପୁଣି ଠିଆ ହେବା ଆରମ୍ଭ କରିଥିଲେ ୨୧ ବର୍ଷୀୟା ସୋନି । ଘରେ ସେ ତାଙ୍କର ପାଞ୍ଚ ବର୍ଷୀୟା ଝିଅ ଈଶାକୁ ଘର ମାଲିକାଣୀଙ୍କ ହେପାଜତରେ ଛାଡ଼ି ଆସନ୍ତି ଏବଂ ଆଖପାଖରେ ଥିବା ହୋଟେଲ କିମ୍ବା ଜଣେ ବାନ୍ଧବୀଙ୍କ ଘରେ ଗ୍ରାହକମାନଙ୍କୁ ସାକ୍ଷାତ କରନ୍ତି । ଈଶା ଯୋଗୁଁ ସେ ଆଉ ସେମାନଙ୍କୁ ନିଜ କୋଠରିକୁ ନେଇପାରୁନାହାନ୍ତି । (ଏହି ଲେଖାର ସମସ୍ତ ନାଁ ବଦଳାଇ ଦିଆଯାଇଛି ।)
ଅଗଷ୍ଟ ୪ତାରିଖ ରାତି ପ୍ରାୟ ୧୧ଟା ବେଳକୁ କାମରୁ ବିରତି ନେଇ ସୋନି ଘରକୁ ଫେରିଆସି ଦେଖିଲେ ଯେ ଈଶା କାନ୍ଦୁଛି । ସୋନି କହନ୍ତି, “ମୁଁ ଆସି ତାକୁ ଦେଖିଲା ବେଳକୁ ସେ ଶୋଇ ପଡ଼ିଥାଏ । କିନ୍ତୁ (ସେହି ରାତିରେ) ସେ ନିଜ ଶରୀର ଆଡ଼କୁ ଆଙ୍ଗୁଠି ଦେଖାଇ କଷ୍ଟ ହେଉଛି ବୋଲି କହିବାରେ ଲାଗିଥିଲା । ସବୁକଥା ବୁଝିବାକୁ ମୋତେ କିଛି ସମୟ ଲାଗିଗଲା... ।”
ସେହି ସନ୍ଧ୍ୟାରେ, ସୋନି ଯେତେବେଳେ କାମ କରିବାକୁ ଯାଇଥିଲେ, ଈଶାକୁ ଧର୍ଷଣ କରାଯାଇଥିବା ଅଭିଯୋଗ କରାଯାଇଥିଲା । ତାଙ୍କ ଘରପାଖରୁ କେଇଟା ଘର ଛାଡ଼ି ରହୁଥିବା ଆଉ ଜଣେ ଯୌନକର୍ମୀ, ଜଳଖିଆ ଦେବା ବାହାନାରେ ଛୋଟ ଝିଅଟିକୁ ତା ଘରକୁ ନେଇଯାଇଥିଲା । ସେଠି ତା ଯୋଡ଼ିଦାର ଅପେକ୍ଷା କରୁଥିଲା । ସୋନି କହନ୍ତି, “ସେ ନିଶାରେ ଥିଲା ଏବଂ ଯିବା ଆଗରୁ କାହାକୁ କିଛି ନକହିବା ପାଇଁ ମୋ ଝିଅକୁ ଚେତାଇ ଦେଇଥିଲା । ଝିଅକୁ କଷ୍ଟ ହେଉଥିଲା ଏବଂ ସେ ନିଜର (ନାନୀ) ଆଈ ଭଳି ଦେଖୁଥିବା ତାଙ୍କ ଘରୱାଲି (ଘର ମାଲିକାଣୀ)ଙ୍କୁ ସବୁକଥା କହିଥିଲା । ମୁଁ ହିଁ ମୂର୍ଖ ଯେ ଆମ ଭଳି ଲୋକ କାହାରି ଉପରେ ଭରସା କରିପାରିବେ ବୋଲି ବିଶ୍ଵାସ କଲି । ଯଦି ମୋ ଝିଅ ଭୟରେ ଆଦୌ ମତେ କିଛି କହି ନଥାଆନ୍ତା ତେବେ କ’ଣ ହୋଇଥାଆନ୍ତା ? ଈଶା ସେମାନଙ୍କୁ ଜାଣିଥିଲା ଏବଂ ବିଶ୍ଵାସ କରୁଥିଲା ବୋଲି ତ ସେମାନଙ୍କ ସାଙ୍ଗରେ ତାଙ୍କ ଘରକୁ ଗଲା । ତା ନହେଲେ ମୁଁ ଏ ଅଞ୍ଚଳରେ ନ ଥିବା ବେଳେ କାହାରି ସାଙ୍ଗରେ କଥାବାର୍ତ୍ତା କରିବା କଥା ନୁହେଁ ବୋଲି ସେ ଭଲ ଭାବେ ଜାଣିଛି ।”

Aayna

Aayna
ଏହି ଘଟଣା ପରେ, ମାମଲାର ଏକ ଆପୋଷ ବୁଝାମଣା କରାଇନେବାକୁ ତାଙ୍କୁ ସେହି ଅଞ୍ଚଳର ଜଣେ ପୂର୍ବତନ ଯୌନକର୍ମୀ, ଡଲି, ବୁଝାଇବାକୁ ଚେଷ୍ଟା କଲା । ସୋନି କହନ୍ତି ଯେ ତାଙ୍କ ଝିଅକୁ ଲୋଭ ଦେଖାଇ ନେଇଯିବା ଯୋଜନା ସଂପର୍କରେ ଡଲି ଜାଣିଥିଲା । ସେ ଆହୁରି କହନ୍ତି, “ସମସ୍ତେ ଜାଣନ୍ତି ଏଠି ଝିଅମାନଙ୍କର କ’ଣ ହୁଏ । କିନ୍ତୁ ସମସ୍ତେ ଏଥିପ୍ରତି ଆଖି ବୁଜି ଦିଅନ୍ତି ଏବଂ ଅନେକ ଆମ ମୁହଁ ବନ୍ଦ କରିବାକୁ ଆଗେଇ ଆସନ୍ତି । କିନ୍ତୁ ମୁଁ ଚୁପ୍ ରହିପାରିବି ନାହିଁ ।”
ସେହି ଦିନ, ଅଗଷ୍ଟ ୪ ତାରିଖରେ, ପାଖ ନାଗପଡ଼ା ଥାନାରେ ସୋନି ଏକ ଅଭିଯୋଗ ଦାୟର କଲେ । ତା ପରଦିନ, ଯୌନ ଅପରାଧ କବଳରୁ ଶିଶୁମାନଙ୍କ ସୁରକ୍ଷା ଆଇନ (ପୋକ୍ସୋ)-୨୦୧୨ ଅନୁସାରେଏକ ଏତଲା (ପ୍ରଥମ ସୂଚନା ରିପୋର୍ଟ) ପ୍ରସ୍ତୁତ ହେଲା । ସେହି ଆଇନର ଆବଶ୍ୟକତା ଅନୁସାରେ ପୋଲିସ ଶିଶୁ କଲ୍ୟାଣ କମିଟି ସହ ସଂପର୍କ ସ୍ଥାପନ କଲା । ଆଇନ ଅନୁସାରେ, କମିଟି ପୀଡ଼ିତାଙ୍କୁ ଆଇନଗତ ସହାୟତା ଏବଂ ଜଣେ ଓକିଲ, ଏକ ସୁରକ୍ଷିତ ବାତାବରଣରେ ଥଇଥାନ ଭଳି ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ଆବଶ୍ୟକ । ତେଣୁ ଈଶାର ଡାକ୍ତରୀ ପରୀକ୍ଷା ପାଇଁ ସରକାରଙ୍କ ଦ୍ଵାରା ପରିଚାଳିତ ଜେ.ଜେ. ହସ୍ପିଟାଲକୁ ନିଆଗଲା । ଅଗଷ୍ଟ ୧୮ ତାରିଖ ଦିନ ଈଶାକୁ ସରକାରୀ ସହାୟତାରେ ପରିଚାଳିତ କେନ୍ଦ୍ରୀୟ ମୁମ୍ବାଇର ଏକ ଶିଶୁ ସେବା ସଂସ୍ଥାକୁ ପଠାଇ ଦିଆଗଲା ।
******
ତଥାପି, ଏଭଳି ଘଟଣା ଖୁବ୍ ସାଧାରଣ । ୨୦୧୦ରେ କୋଲକାତାର ରେଡ୍ ଲାଇଟ୍ ଅଞ୍ଚଳରେ କରାଯାଇଥିବା ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ, ସାକ୍ଷାତକାରରେ ଭାଗ ନେଇଥିବା ୧୦୧ଟି ପରିବାର ଭିତରୁ ୬୯ ପ୍ରତିଶତ ମନେ କରନ୍ତି ଯେ ସେ ଅଞ୍ଚଳର ପରିବେଶ ସେମାନଙ୍କ ପିଲାମାନଙ୍କ ପାଇଁ, ମୁଖ୍ୟତଃ ଝିଅମାନଙ୍କ ପାଇଁ, ଆଦୌ ଭଲ ନୁହେଁ । ଏହି ଅଧ୍ୟୟନରେ ଉଲ୍ଲେଖ କରାଯାଇଛି, “...ମାଆମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଲା ଯେ, ଜଣେ ଗ୍ରାହକ ସେମାନଙ୍କ ଝିଅକୁ ଛୁଇଁଲେ, ଅଶାଳୀନ ବ୍ୟବହାର କଲେ, କିମ୍ବା କଥା କହି ଚିଡ଼ାଇଲେ ବି ସେମାନେ ନିଜକୁ ଅସହାୟ ଅନୁଭବ କରନ୍ତି’’। ଏବଂ ସାକ୍ଷାତକାରରେ ଭାଗ ନେଇଥିବା ୧୦୦ ପ୍ରତିଶତ ପିଲା କହିଥିଲେ ଯେ, ସେମାନଙ୍କ ସାଙ୍ଗସାଥୀ, ଭାଇଭଉଣୀ ଏବଂ ଅଞ୍ଚଳର ଅନ୍ୟ ପିଲାମାନେ ଯୌନ ଶୋଷଣର ଶିକାର ହୋଇଥିବା କଥା ସେମାନେ ଆଗରୁ ଶୁଣିଛନ୍ତି।
କମାଠିପୁରାରେ ଆମର ଏହି କଥାବାର୍ତ୍ତା ଅବସରରେ ଆମ ସହ ବସିଥିବା ଜଣେ ଯୌନକର୍ମୀ କହନ୍ତି, “ଆମ ପାଇଁ ଏଥିରେ ନୂଆ କଥା କିଛି ନାହିଁ ଯେ ସେ ଆମ ଝିଅମାନଙ୍କ ମଧ୍ୟରୁ ଜଣକୁ ଏମିତି କଲା କି ତା ପାଖକୁ ଆସିବାକୁ ଚେଷ୍ଟା କଲା, କି ତାକୁ ଅଶ୍ଳୀଳ ସିନେମା ଦେଖିବାକୁ ବାଧ୍ୟ କଲା । ଖାଲି ଝିଅମାନେ ନୁହଁନ୍ତି, ଛୋଟ ପୁଅମାନେ ବି ଏଠି ଏହି କଷ୍ଟ ଭୋଗନ୍ତି, ହେଲେ କେହି ମୁହଁ ଖୋଲିବେନି।”
୨୦୧୮ର ଆଉ ଏକ ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ,“ପେସାଦାର ଯୌନକର୍ମୀଙ୍କ ପିଲାମାନଙ୍କ ସମେତ ମାନସିକ ସମସ୍ୟାଗ୍ରସ୍ତ ଛୋଟ ଝିଅ, ସ୍କୁଲ ଛାଡ଼ିଥିବା କିଶୋର ବୟସର ପୁଅ ଓ ଝିଅ ଏବଂ ଶ୍ରମିକ ବର୍ଗର ପିଲାମାନଙ୍କ ଭଳି ନିର୍ଦ୍ଦିଷ୍ଟ କେତେକ ବର୍ଗର ଲୋକଙ୍କ ପିଲାମାନଙ୍କ କ୍ଷେତ୍ରରେ ହିଁ ଶିଶୁମାନେ ଯୌନ ଶୋଷଣର ଶିକାର ହେବା ଆଶଙ୍କା ବୃଦ୍ଧି ପାଇଛି ।”

Aayna

Aayna
ଲକ୍ଡାଉନ ହୁଏତ ସେମାନଙ୍କ ପାଇଁ ଆଉ ଅଧିକ ବିପଦର ଆଶଙ୍କା ସୃଷ୍ଟି କରିଛି । ମିଳିତ ଜାତିସଂଘର ଶିଶୁ କଲ୍ୟାଣ ପାଣ୍ଠି-‘ୟୁନିସେଫ୍’ ପକ୍ଷରୁ ୨୦୨୦ ଜୁନ୍ରେ ପ୍ରକାଶିତ ‘ଶିଶୁମାନଙ୍କ ବିରୋଧରେ ହିଂସାର ପରିସମାପ୍ତି ପାଇଁ ରଣକୌଶଳ’ ଶୀର୍ଷକ ଏକ ରିପୋର୍ଟରେ କୁହାଯାଇଛି ଯେ, ଏପ୍ରିଲ ମାସରେ ଲକ୍ଡାଉନ୍ ଲାଗୁ ହେବାର ଦୁଇ ସପ୍ତାହ ଭିତରେ,ସଂକଟରେ ପଡ଼ିଥିବା ଶିଶୁମାନଙ୍କ ସହାୟତା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ଵାରା ପରିଚାଳିତ ଚାଇଲ୍ଡଲାଇନର ଏକ ଜରୁରୀକାଳୀନ ସେବାକୁ ଶିଶୁମାନଙ୍କର ଟେଲିଫୋନ କଲ୍ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଥିଲା । ଏହି ରିପୋର୍ଟରେ ପୃଥକ୍ ଭାବେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, “ଶିଶୁମାନଙ୍କ ଯୌନ ଶୋଷଣର୯୪.୬ ପ୍ରତିଶତ କ୍ଷେତ୍ରରେ ଅପରାଧୀମାନେ ପୀଡ଼ିତ ଶିଶୁମାନଙ୍କ ସହ କୌଣସି ନା କୌଣସି ଭାବରେ ପରିଚିତ ଥିଲେ,୫୩.୭ ପ୍ରତିଶତ କ୍ଷେତ୍ରରେ ସେମାନେ ଥିଲେ ପରିବାର ସଦସ୍ୟ କିମ୍ବା ସଂପର୍କୀୟ/ବନ୍ଧୁ ।”
ଲକ୍ଡାଉନ୍ ସମୟରେ, ଯୌନକର୍ମୀମାନେ କାମକୁ ଯାଇଥିବା ବେଳେ ସେମାନଙ୍କ ପିଲାମାନଙ୍କ ପାଇଁ ରାତିରେ କିମ୍ବା ଦିନରେ ଆଶ୍ରୟ ବ୍ୟବସ୍ଥା କରିଥିବା କମାଠିପୁରା ଅଞ୍ଚଳର କେତେକ ବେସରକାରୀ ସଂସ୍ଥା, ସେମାନଙ୍କୁ ପୂରା ସମୟ ପାଇଁ ରଖିବା ବ୍ୟବସ୍ଥା କରିଥିଲେ । ହେଲେ, ସହରର ଅନ୍ୟ କେତେକ ଆବାସିକ କେନ୍ଦ୍ର ବନ୍ଦ କରିଦିଆଯାଇଥିଲା ଏବଂ ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ଈଶା ଯେଉଁ ଆଶ୍ରୟ କେନ୍ଦ୍ରରେ ଥିଲା ତାହା ଚାଲୁ ରହିଥିଲେ ହେଁ, ସୋନି କାମ କରିବାକୁ ଯାଉନଥିବାରୁ ଜୁନ ପ୍ରଥମ ଭାଗରେ ଝିଅକୁ ନିଜ ପାଖକୁ ନେଇଆସିଥିଲେ । ଜୁଲାଇରେ ସୋନି ପୁଣି କାମ ଆରମ୍ଭ କରିବାକୁ ଚାହିଁବାରୁ ସେ ଈଶାକୁ ସେହି କେନ୍ଦ୍ରରେ ଛାଡ଼ିବାକୁ ନେଇଥିଲେ । ସେ କହନ୍ତି, “କରୋନା ଭୟରେ ସେମାନେ ଆଉ ତାକୁ ସେଠାରେ ରଖିଲେ ନାହିଁ ।”
ଲକ୍ଡାଉନ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ, ସ୍ଥାନୀୟ କେତେକ ବେସରକାରୀ ସଂସ୍ଥା ପକ୍ଷରୁ ସହାୟତା ଭାବରେ ଖାଦ୍ୟ ସାମଗ୍ରୀ ମିଳୁଥିଲା ସତ, ହେଲେ ରାନ୍ଧିବା ପାଇଁ କିରୋସିନ ଦରକାର ହେଉଥିଲା । ଏବଂ ସୋନି ପୁଣି କାମ ଆରମ୍ଭ କରିବାକୁ ସ୍ଥିର କରିବା ବେଳକୁ ମାସକୁ ୭,୦୦୦ ଟଙ୍କା ହିସାବରେ ତାଙ୍କର ଦୁଇ ମାସର ଘରଭଡ଼ା ମଧ୍ୟ ବାକି ରହିଥିଲା । (ଏହି ଯୌନ ଶୋଷଣ ଘଟଣା ପରେ ଅଗଷ୍ଟ ୧୦ ତାରିଖ ଦିନ ସୋନି ପାଖ ଗଳିରେ ଆଉ ଏକ ଘରକୁ ଚାଲିଗଲେ । ନୂଆ ଘରୱାଲି ଦିନକୁ ୨୫୦ ଟଙ୍କା ଭଡ଼ା ନିଅନ୍ତି, କିନ୍ତୁ ବର୍ତ୍ତମାନ ସ୍ଥିତିରେ ସେ ଭଡ଼ାଦେବା ପାଇଁ ବାଧ୍ୟ କରୁନାହାନ୍ତି ।)
ଗତ କିଛି ବର୍ଷ ଭିତରେ ଘରୱାଲି ଏବଂ ଅନ୍ୟମାନଙ୍କ ନିକଟରୁ ସୋନି ନେଇଥିବା ଋଣ ପ୍ରାୟ ୫୦,୦୦୦ ଟଙ୍କାରେ ପହଞ୍ଚିଲାଣି ଏବଂ ସେ ଏହାକୁ ଅଳ୍ପ ଅଳ୍ପ କରି ଶୁଝୁଛନ୍ତି । ଏଥିରୁ କିଛି ଋଣ ସେ ତାଙ୍କ ବାପାଙ୍କର ଡାକ୍ତରୀ ଚିକିତ୍ସା ବାବଦରେ ଖର୍ଚ୍ଚ କରିଥିଲେ । ତାଙ୍କ ବାପା ଜଣେ ରିକ୍ସାଚାଳକ ଥିଲେ ଏବଂ ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ଫଳ ବିକିବା ଆରମ୍ଭ କରିଥିଲେ ଏବଂ ୨୦୨୦ ଫେବ୍ରୁଆରୀରେ ତାଙ୍କର ମୃତ୍ୟୁ ହୋଇଥିଲା । ‘ମୋତେ କାମ ଆରମ୍ଭ କରିବାକୁ ପଡ଼ିଲା, ତା ନହେଲେ ଋଣ ଟଙ୍କା କିଏ ଶୁଝିଥାଆନ୍ତା?” ପଚାରନ୍ତି ସୋନି । ସୋନି ତାଙ୍କ ମାଆ ଓ ତିନି ଭଉଣୀଙ୍କ (ଦୁଇ ଜଣ ପଢୁଛନ୍ତି, ଜଣେ ବିବାହିତା) ପାଖକୁ ଟଙ୍କା ପଠାନ୍ତି । ତାଙ୍କ ମାଆ ଜଣେ ଗୃହିଣୀ ଏବଂ ସେମାନେ ସମସ୍ତେ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରେ ତାଙ୍କ ଗାଁରେ ରହନ୍ତି । ହେଲେ ଲକ୍ଡାଉନ୍ ପରଠାରୁ ତାହା ବି ବନ୍ଦ ହୋଇଯାଇଛି ।
******
କମାଠିପୁରାର ଅନ୍ୟ ଯୌନକର୍ମୀମାନେ ମଧ୍ୟ ଅନୁରୂପ ସଂଘର୍ଷ କରିଆସୁଛନ୍ତି। ସେଇ ଏକା ଗଳିରେ ରହୁଥିବା ୩୦ରୁ ଅଧିକ ବର୍ଷ ବୟସର ପ୍ରିୟା ଆଶା ରଖିଛନ୍ତି ଯେ ଖୁବ୍ ଶୀଘ୍ର ସେମାନଙ୍କ ପିଲାମାନେ ପୁଣି ହଷ୍ଟେଲକୁ ଫେରିଯିବେ। ଲକ୍ଡାଉନ୍ ଆରମ୍ଭ ହେବା ସମୟରେ, ନିକଟବର୍ତ୍ତୀ ମଦନପୁରାର ଏକ ଆବାସିକ ସ୍କୁଲ୍ରେ ୪ର୍ଥ ଶ୍ରେଣୀରେ ପଢୁଥିବା ତାଙ୍କ ନଅ ବର୍ଷୀୟା ଝିଅ ରିଦ୍ଧି ଘରକୁ ଫେରିଆସିଥିଲା ।

Aayna

Aayna
କଠୋର ସ୍ଵରରେ ପ୍ରିୟା ତାଙ୍କ ଝିଅକୁ କହନ୍ତି, “ଘର ବାହାରକୁ ଆଦୌ ଯିବୁନି, ତୋର ଯାହା ଇଚ୍ଛା ସବୁ ଏଇ ଘର ଭିତରେ କର।” ରିଦ୍ଧିର ଯିବାଆସିବା ଉପରେ ଲାଗିଥିବା କଟକଣା ସବୁ କୋଭିଡ୍ ଆଶଙ୍କାରେ ନୁହେଁ । ପ୍ରିୟା କହନ୍ତି, “ଆମେ ଏମିତି ଏକ ଜାଗାରେ ରହୁଛୁ, ଯେଉଁଠି ଆମ ଝିଅମାନଙ୍କୁ ଏ ଲୋକମାନେ ଖାଇଗଲେ ବି କେହି ପଚାରିବାକୁ ଆସିବେନି ।” ନିଜର ସବୁଦିନିଆ ଗ୍ରାହକମାନଙ୍କ ପାଖରୁ ଅଳ୍ପ ଅଳ୍ପ ଟଙ୍କା ଧାର କରି ପ୍ରିୟା ଘର ଚଳାଉଛନ୍ତି ।
ଲକ୍ଡାଉନ୍ଏହି ପରିବାର ପାଇଁ କଷ୍ଟକର ସ୍ଥିତି ସୃଷ୍ଟି କରିଥିଲା, ପରବର୍ତ୍ତୀ ସମୟର ଏହାର ପରିଣାମ ବି । ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରୁ ଆସି ଏକ ଦଶନ୍ଧିରୁ ଅଧିକ କାଳ କମାଠିପୁରାରେ ରହିଆସୁଥିବା ପ୍ରିୟା କହନ୍ତି, “ମୋ ଅବସ୍ଥା ଭାରି ଖରାପ । ମୁଁ ଘରଭଡ଼ା ବି ଦେବାରେ ଅକ୍ଷମ ଏବଂ ମୋର କାମ ଆରମ୍ଭ କରିଦେବା ଦରକାର । ମୁଁ କାମ କରୁଥିବା ବେଳେ ରିଦ୍ଧିକୁ ପାଖରେ ରଖିପାରିବି ନାହିଁ । ଅନ୍ତତଃ ହଷ୍ଟେଲରେ ସେ ନିରାପଦରେ ରହିବ ।”
ପ୍ରିୟାଙ୍କ ସହ ତାଙ୍କର ୧୫ ବର୍ଷର ପୁଅ ବିକ୍ରମ ବି ରହେ। ଲକ୍ଡାଉନ୍ ପୂର୍ବରୁ ସେ ବାଇକୁଲାର ଏକ ମ୍ୟୁନିସିପାଲ ସ୍କୁଲ୍ରେ ୮ମ ଶ୍ରେଣୀରେ ପଢୁଥିଲା । ଯେତେବେଳେ ତା ମାଆ ଗ୍ରାହକମାନଙ୍କ ସହ ସାକ୍ଷାତ କରୁଥିବେ, ସେ ପାଖ କୋଠରିରେ ଶୋଇ ରହିଥିବ, ଏଣେତେଣେ ବୁଲୁଥିବ କିମ୍ବା ଏକ ବେସରକାରୀ ସଂସ୍ଥା ଦ୍ଵାରା ପରିଚାଳିତ ସେବା କେନ୍ଦ୍ରରେ ସମୟ କାଟୁଥିବ ।
ଏଠାକାର ମହିଳାମାନେ ଜାଣନ୍ତି ଯେ, ସେମାନଙ୍କ ପୁଅମାନେ ବି ଯୌନ ଶୋଷଣର ଶିକାର ହୋଇପାରନ୍ତି, କିମ୍ବା ଡ୍ରଗ୍ସ ଏବଂ ଅନ୍ୟ ବିପଜ୍ଜନକ କାର୍ଯ୍ୟକଳାପରେ ଲିପ୍ତ ହୋଇପାରନ୍ତି । ତେଣୁ ସେମାନଙ୍କ ମଧ୍ୟରୁ କେତେକ ହଷ୍ଟେଲରେ ପୁଅମାନଙ୍କର ନାଁ ଲେଖାଇ ଦିଅନ୍ତି । ଦୁଇ ବର୍ଷ ତଳେ ପ୍ରିୟା ମଧ୍ୟ ବିକ୍ରମକୁ ହଷ୍ଟେଲକୁ ପଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସେଠାରୁ ଲୁଚି ପଳାଇ ଆସିଲା । ପରିବାର ଚଳାଇବାରେ ସହାୟତା କରିବା ପାଇଁ ଏ ବର୍ଷ ଏପ୍ରିଲରୁ ସେ ବି କେବେ କେମିତି କାମ କରିବା ଆରମ୍ଭ କରିଦେଲା – ମାସ୍କ ଓ ଚା’ ବିକିବା, ଘରୱାଲିଙ୍କ ଘର ସଫା କରିବା ଭଳି କାମ- ଯାହା କିଛି ତାକୁ ମିଳିଲା ।
୪x୬ ଫୁଟ୍ ଆକାରର ତିନିଟି ଆୟତାକାର ଅଂଶରେ ଭାଗ ହୋଇଥିବା ଏକ ୧୦x୧୦ଫୁଟ୍ ଆକାରର ଘରକୁ ଦେଖାଇ ପ୍ରିୟା କହନ୍ତି, “ସେମାନେ ଆମ ଘରକୁ ଆସି ଦେଖିବା ଉଚିତ ଯେ କେମିତି ଦୂରି ଦୂରି ବନାକେ ରଖନେ କା (ସାମାଜିକ ଦୂରତା) ସମ୍ଭବ ହେବ । ପ୍ରତିଟି ଅଂଶରେ ଏହାକୁ ସଂପୂର୍ଣ୍ଣ ଭାବେ ଆବୋରି ନେଉଥିବା ଗୋଟିଏ ଲେଖାଏଁ ବିଛଣା ଏବଂ ଦୁଇଟି ଥାକ ଥାଏ । ଗୋଟିଏ କୋଠରିରେ ପ୍ରିୟା ରହନ୍ତି, ଅନ୍ୟଟିରେ ଆଉ ଏକ ପରିବାର ରହନ୍ତି, ଏବଂ ମଝି ଭାଗଟି (ଅନ୍ୟ କେହି ପରିବାର ରହୁ ନଥିବା ବେଳେ) ସେମାନଙ୍କ କାମରେ ବ୍ୟବହୃତ ହୁଏ, କିମ୍ବା ସେମାନେ ନିଜ ନିଜ କୋଠରିରେ ଗ୍ରାହକଙ୍କୁ ଦେଖା କରନ୍ତି । ସମସ୍ତଙ୍କ ପାଇଁ ଗୋଟିଏ କୋଣରେ ରନ୍ଧାଘର ଏବଂ ଗାଧୁଆଘର ନିମନ୍ତେ ଖାଲି ଜାଗା ରହିଛି । ଏଠାକାର ଅନେକ ଘର ଓ କାମରେ ବ୍ୟବହୃତ ହେଉଥିବା କୋଠରିଗୁଡ଼ିକ ଏକାଭଳି– ଆକାରରେ କେତେକ ଆହୁରିଛୋଟ ବି ।

Aayna

Aayna
ଆଜିକୁ ଛଅ ମାସ ହେଲା, ମାସକୁ ୬,୦୦୦ଟଙ୍କା ହିସାବରେ ଏହି ଛୋଟ ଜାଗାଟିର ଭଡ଼ା ପ୍ରିୟା ଦେଇପାରିନାହାନ୍ତି । ତେବେ ନିକଟରେ ସେ କରିଥିବା ଋଣରୁ ଏହାର ଏକ କ୍ଷୁଦ୍ର ଅଂଶ ଯାହା ପରିଶୋଧ କରିଛନ୍ତି । ସେ କହନ୍ତି, “ପ୍ରତି ମାସରେ କୌଣସି ନା କୌଣସି କାରଣରୁ ମୋତେ ୫୦୦କି ୧୦୦୦ ଟଙ୍କା ଧାର କରିବାକୁ ପଡ଼େ । ତେଣୁ ବିକ୍ରମର ରୋଜଗାର କାମରେ ଲାଗିଲା । ବେଳେବେଳେ ଆମେ (ବେସରକାରୀ ସଂସ୍ଥା ଓ ଅନ୍ୟମାନଙ୍କଠାରୁ ମିଳିଥିବା) ଖାଦ୍ୟ ସାମଗ୍ରୀକୁ (ସ୍ଥାନୀୟ ଦୋକାନରେ) ବିକ୍ରି କରି ଘାସଲେଟ୍ (କିରୋସିନ) କିଣୁ ।”
୨୦୧୮ ମସିହାରେ ପ୍ରିୟା ୪୦,୦୦୦ ଟଙ୍କା ଧାର କରିଥିଲେ- ସୁଧ ସହିତ ଏହା ଏବେ ୬୨,୦୦୦ ଟଙ୍କାରେ ପହଞ୍ଚିଲାଣି । ଏବଂ ଏ ପର୍ଯ୍ୟନ୍ତ ସେ ମାତ୍ର ୬,୦୦୦ ଟଙ୍କା ହିଁ ଶୁଝି ପାରିଛନ୍ତି । ପ୍ରିୟାଙ୍କ ଭଳି ଅନେକ ଏ ଅଞ୍ଚଳର ଘରୋଇ ସାହୁକାରମାନଙ୍କ ଉପରେ ଅତିଶୟ ନିର୍ଭର କରନ୍ତି ।
ପ୍ରିୟା ଅଧିକ କାମ କରିପାରନ୍ତିନି । ସଂକ୍ରମଣ ଯୋଗୁଁ ତାଙ୍କ ପେଟ ଭିତରେ ଯନ୍ତ୍ରଣା ହୁଏ । ସେ କହନ୍ତି, “ମୁଁ ଏତେ ଅଧିକ ଗର୍ଭପାତ କରାଇଛି ଯେ, ଏବେ ତା’ର ଫଳ ଭୋଗୁଛି । ମୁଁ ହସ୍ପିଟାଲକୁ ଯାଇଥିଲି, ହେଲେ ସେମାନେ କରୋନା ପାଇଁ ବ୍ୟସ୍ତ ଥିଲେ ଏବଂ ଅପରେସନ (ଗର୍ଭାଶୟ ଅପସାରଣ) ପାଇଁ ୨୦,୦୦୦ ଟଙ୍କା ମାଗୁଛନ୍ତି, ଯାହାକି ମୁଁ ଦେଇପାରିବି ନାହିଁ ।” ସେ ଯାହା ଅଳ୍ପ କିଛି ସଞ୍ଚିଥିଲେ, ଲକ୍ଡାଉନ୍ରେ ସବୁ ସରିଯାଇଛି । ଅଗଷ୍ଟରେ ସେ ଘରୋଇ ଚାକରାଣୀ ଭାବେ ସେଇ ଅଞ୍ଚଳରେ କାମଟିଏ ପାଇଲେ, ଯେଉଁଥିରୁ ସେ ଦିନକୁ ୫୦ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ତାହା ବି କେବଳ ଗୋଟିଏ ମାସ ଯାଏ ଚାଲିଲା ।
ଏବେ ଅତି କମ୍ରେ ପୁଣି ହଷ୍ଟେଲ ଖୋଲିବା ଉପରେ ହିଁ ସେ ଶେଷ ଆଶା ରଖିଛନ୍ତି। ସେ କହନ୍ତି, “ଭାଗ୍ୟ ରିଦ୍ଧିର ସବୁ କିଛି ନଷ୍ଟ କରିଦେବା ଯାଏ ମୁଁ ଅପେକ୍ଷା କରିପାରିବିନି ।”
ଲକ୍ଡାଉନ ସମୟରେ ତାଙ୍କର ଓ ସୋନିଙ୍କର ଝିଅ ନିଜ ନିଜର ମାଆମାନଙ୍କ ପାଖକୁ ଫେରି ଆସିବା ପରେ ସେହି ଅଞ୍ଚଳରେ କାର୍ଯ୍ୟରତ ‘ପ୍ରେରଣା’ ନାମକ ଏକ ବେସରକାରୀ ସଂସ୍ଥା ପକ୍ଷରୁ ଏକ ‘ତ୍ଵରିତ ଆକଳନ ଅନୁଧ୍ୟାନ’ କରାଯାଇଥିଲା ଏବଂ ଏଥିରୁ ଜଣାପଡ଼ିଥିଲା ଯେ, ଯୌନକର୍ମୀମାନଙ୍କର ୭୪ ଜଣ ପିଲାଙ୍କ (୩୦ଟି ପରିବାର ସହ ସାକ୍ଷାତ୍କାର କରାଯାଇଥିଲା) ମଧ୍ୟରୁ ୫୭ ଜଣ ଲକ୍ଡାଉନ୍ ସମୟରେ ସେମାନଙ୍କ ପରିବାର ସହ ରହୁଛନ୍ତି । ଏବଂ ଘର ଭଡ଼ା ନେଇ ରହୁଥିବା ୧୮ଟି ପରିବାର ମଧ୍ୟରୁ ୧୪ଟି ପରିବାର ଏହି ସମୟରେ ଘରଭଡ଼ା ଦେବାରେ ଅସମର୍ଥ ଥିଲେ ଏବଂ ଏହି ବିଶ୍ଵବ୍ୟାପୀ ମହାମାରୀ ସମୟରେ ୧୧ଟି ପରିବାର ଆହୁରି ଅଧିକ ଧାରଉଧାର କରିଥିଲେ ।

Aayna
ମେ ମାସରେ ଚାରୁଙ୍କର ତିନି ବର୍ଷର ଝିଅ ଶୀଲା ଅସୁସ୍ଥ ହୋଇପଡ଼ିବାରୁ, ତାକୁ ବି କମାଠିପୁରାରେ ଏକ ବେସରକାରୀ ସଂସ୍ଥା ଦ୍ଵାରା ପରିଚାଳିତ ଆଶ୍ରୟସ୍ଥଳୀରୁ ଘରକୁ ଅଣାଯାଇଥିଲା । ୩୧ ବର୍ଷୀୟା ଚାରୁ କହନ୍ତି, “ତା’ର କିଛି ଆଲର୍ଜି ଅଛି ଏବଂ ତା ଦେହ ବି ଫଳିଯାଏ । ମୋତେ ତା ମୁଣ୍ଡକୁ ଲଣ୍ଡା କରିବାକୁ ପଡ଼ିଲା ।” ଚାରୁଙ୍କର ଆଉ ଚାରିଟି ପିଲା ଅଛନ୍ତି; ଗୋଟିଏ ଝିଅ ପୋଷ୍ୟକନ୍ୟା ଭାବରେ ବଦଲାପୁରରେ ରହିଛି ଏବଂ ତିନି ପୁଅ, ବିହାରର କଟିହାର ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁରେ ସଂପର୍କୀୟମାନଙ୍କ ପାଖରେ ଅଛନ୍ତି। ସଂପର୍କୀୟମାନେ ସମସ୍ତେ ଦିନ ମଜୁରିଆ । ପ୍ରତି ମାସରେ ସେ ସେମାନଙ୍କ ପାଖକୁ ୩,୦୦୦ରୁ ୫,୦୦୦ଟଙ୍କା ଯାଏ ପଠାଉଥିଲେ। କିନ୍ତୁ ଲକ୍ଡାଉନ୍ ପରଠାରୁ ତାଙ୍କୁ ଆଉ ଅଧିକ ଋଣ କରିବାକୁ ପଡ଼ିଛି । ସେ କହନ୍ତି, “ଏବେ ଆଉ ମୁଁ ଅଧିକ ଋଣ କରିପାରିବିନି। ମୁଁ ଜାଣିନି, କେମିତି ଏହାକୁ ଶୁଝିବି ।”
ତେଣୁ, ଅଗଷ୍ଟ ମାସରୁ ପୁଣି କାମ ଆରମ୍ଭ କରିବା ପରେ, କାମକୁ ଯିବା ସମୟରେ ଚାରୁ ମଧ୍ୟ ଶୀଲାକୁ ଘରୱାଲିଙ୍କ ଘରେ ଛାଡ଼ି ଯାଆନ୍ତି। “ମୋ ପାଖରେ ଆଉ କିଛି ଉପାୟ ଅଛି କି ?” ସେ ପଚାରନ୍ତି ।
ହେଲେ, ସେମାନଙ୍କ କାମରୁ ଏହି ମହିଳାମାନଙ୍କର ସେତେ ବେଶୀ ରୋଜଗାର ହୁଏନାହିଁ । ସୋନି କହନ୍ତି, “ସପ୍ତାହକ ଭିତରେ ମତେ ଜଣେ କି ଦୁଇ ଜଣ ଗ୍ରାହକ ମିଳୁଛନ୍ତି ।” ବେଳେବେଳେ ଏହା ଚାରି କି ପାଞ୍ଚ ବି ହୁଏ, ତେବେ ଏହା କେବେ କେମିତି । ଆଗରୁ ଏଠାକାର ମହିଳାମାନେ ପ୍ରତି ଦିନ ୪୦୦ରୁ ୧,୦୦୦ ଟଙ୍କା ଯାଏ ରୋଜଗାର କରୁଥିଲେ ଏବଂ କେବଳ ମାସିକ ଋତୁସ୍ରାବ ସମୟରେ, ପ୍ରକୃତରେ ଅସୁସ୍ଥ ହେଲେ କିମ୍ବା ସେମାନଙ୍କ ପିଲାମାନେ ଘରକୁ ଆସିଥିଲେ ହିଁ ସେମାନେ ଛୁଟି ପାଉଥିଲେ । ସୋନି କହନ୍ତି, “ଏବେ ଦିନକୁ ୨୦୦ରୁ ୫୦୦ ଟଙ୍କା ମିଳିବା ବି ଆମ ପାଇଁ ବଡ଼କଥା ।”
*****
ମଜଲିସ୍ ଆଇନ ସହାୟତା କେନ୍ଦ୍ରର ଜଣେ ଆଇନଜୀବୀ ଏବଂ ମୁମ୍ବାଇରେ ଯୌନ ହିଂସାର ଶିକାର ହୋଇ ବର୍ତ୍ତିଯାଇଥିବା ମହିଳାମାନଙ୍କୁ ସାମାଜିକ-ଆଇନଗତ ସହାୟତା ଦେବାକୁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ‘ରାହତ’ ପ୍ରକଳ୍ପର ଜଣେ କାର୍ଯ୍ୟକ୍ରମ ପରିଚାଳକ ଜେସିନ୍ତା ସାଲଦାନ୍ହା କହନ୍ତି, “ଆମେ ସମାଜର ଖୁବ୍ ଦୁର୍ବଳ ଶ୍ରେଣୀର ସେଇ ସବୁ ପରିବାର ବିଷୟରେ ଆଲୋଚନା କରୁଛୁ, ଯେଉଁମାନେ କି କୌଣସି ପ୍ରସଙ୍ଗରେ ବାହାରକୁ ଆସି ସ୍ଵର ଉଠାଇଲେ ବି ସେମାନଙ୍କ କଥା ବିଚାରକୁ ହିଁ ନିଆଯିବନି ।” ସେ ଏବଂ ତାଙ୍କ ଟିମ୍ ଏବେ ଈଶାର ମାମଲା ପରିଚାଳନା କରୁଛନ୍ତି । “ଖୋଲାଖୋଲି ଭାବେ ବାହାରକୁ ବାହାରିଥିବା ସୋନି ପ୍ରକୃତରେ ସାହସୀ । ଏମିତି ଅନେକ ମହିଳା ଥାଇପାରନ୍ତି, ଯେଉଁମାନେ କିଛି କହନ୍ତି ନାହିଁ । ଦାନା ପାଣିର ପ୍ରଶ୍ନ ହିଁ ଜଳଜଳ ହୋଇ ଦିଶେ । ଏହି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଚାପି ହୋଇଯିବାର ବହୁବିଧ କାରଣ ରହିଛି ।”

Aayna
ସେ ଆହୁରି କହନ୍ତି ଯେ, ଯୌନକର୍ମୀମାନଙ୍କର ଅଧିକାର ସାବ୍ୟସ୍ତ କରିବା ଲାଗି ବେସରକାରୀ ସଂଗଠନ, ଆଇନଜୀବୀ, ପରାମର୍ଶଦାତା ଏବଂ ଅନ୍ୟମାନଙ୍କର ଏକ ବ୍ୟାପକ ସଂଗଠନ ଆଗେଇ ଆସିବା ଦରକାର। “ସେମାନଙ୍କ ସହ ହୋଇଥିବା ଅପକର୍ମ ସେମାନଙ୍କୁ ଏତେ ବେଶୀ ଆଘାତ ଦିଏ ଯେ କ’ଣ ଠିକ୍ ବୋଲି ସେମାନେ ଜାଣନ୍ତିନି” ସାଲଦାନ୍ହା କହନ୍ତି। “ଯୌନକର୍ମୀ ବା ସେମାନଙ୍କ ପିଲାମାନଙ୍କ ସହ କିଛି ଘଟିଗଲେ, ଏ ଅଞ୍ଚଳର ସାଧାରଣ ଲୋକେ ମତ ଦିଅନ୍ତି ଯେ ଏଥିରେ ବଡ଼ କଥା ବା କ’ଣ ? ପିଲାମାନଙ୍କର ଅଧିକାର ଉଲ୍ଲଂଘନ ହେଲେ ସେମାନେ ମାଆମାନଙ୍କୁ ଦୋଷ ଦିଅନ୍ତି ।”
ଇତିମଧ୍ୟରେ,ଯୌନ ଅପରାଧ କବଳରୁ ଶିଶୁମାନଙ୍କ ସୁରକ୍ଷା ଆଇନ (ପୋକ୍ସୋ) ଅନୁସାରେ ଦାୟର ଈଶା ମାମଲାର ଅଭିଯୁକ୍ତ ଜଣକ ଜୁଲାଇ ୫ ତାରିଖରୁ ହାଜତରେ ରହିଛି । ଉସୁକାଇଥିବା ଅଭିଯୋଗରେ ସହ-ଅଭିଯୁକ୍ତମାନଙ୍କ (ତା’ର ଯୋଡ଼ିଦାର, ଘରୱାଲି, ଏବଂ ପୂର୍ବତନ ଯୌନକର୍ମୀ) ବିରୋଧରେ ଚାର୍ଜସିଟ୍ ଦାଖଲ ହେବା ବାକି ରହିଛି ଏବଂ ସେମାନଙ୍କୁ ଏ ପର୍ଯ୍ୟନ୍ତ ହାଜତକୁ ନିଆଯାଇନାହିଁ । ଯୌନ ଅପରାଧ କବଳରୁ ଶିଶୁମାନଙ୍କ ସୁରକ୍ଷା ଆଇନ ଅନୁସାରେ, ମୁଖ୍ୟ ଅଭିଯୁକ୍ତକୁ ଦିଆଯାଉଥିବା ଜେଲ୍ଦଣ୍ଡ, ‘ଦଶ ବର୍ଷରୁ କମ୍ ହେବ ନାହିଁ ଏବଂ’ ଏହାକୁ ଆଜୀବନ ଜେଲ୍ଦଣ୍ଡ ଯାଏଁ ବଢ଼ାଯାଇପାରେ’ ଏବଂ ମୃତ୍ୟୁଦଣ୍ଡ ବି ଦିଆଯାଇପାରେ ଏବଂ ସମୁଚିତ ଅର୍ଥଦଣ୍ଡ ଆଦାୟ କରାଯାଇ ଡାକ୍ତରୀ ଖର୍ଚ୍ଚ ଏବଂ ଥଇଥାନ ନିମନ୍ତେ ପୀଡ଼ିତାଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି । ପୀଡ଼ିତ ଶିଶୁ ଏବଂ ତା’ର ପରିବାରକୁ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାର ବ୍ୟବସ୍ଥା ବି ଏଥିରେ ରହିଛି ।
ବେଙ୍ଗାଲୁରୁର ନ୍ୟାସନାଲ ଲ’ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି ପରିଚାଳିତ ସେଣ୍ଟର ଫର ଦି ଚାଇଲ୍ଡ ଆଣ୍ଡ ଦି ଲ’ ଦ୍ଵାରା ୨୦୧୮ ଫେବ୍ରୁଆରୀରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ପୀଡ଼ିତ ଶିଶୁମାନଙ୍କର (ଯୌନ ଅପରାଧ କବଳରୁ ଶିଶୁମାନଙ୍କ ସୁରକ୍ଷା ଆଇନ ଅନୁସାରେ ମାମଲା ରହିଥିବା) ପରିବାର ପାଇଁ ମୁଖ୍ୟ ଆହ୍ଵାନ ହେଲା ‘ଆଇନ ବ୍ୟବସ୍ଥା ସମେତ ପ୍ରଚଳିତ ବ୍ୟବସ୍ଥା ଉପରେ ଭରସାର ଅଭାବ’ । ଏଥିରେ କୁହାଯାଇଛି ଯେ, “ବିଚାରରେ ବିଳମ୍ବ ଘଟିବା, ମାମଲା ସ୍ଥଗିତ ରଖାଯିବା ଏବଂ ବାରମ୍ବାର ଅଦାଲତକୁ ଯିବାକୁ ପଡ଼ିବା” କାରଣରୁ ଏହି ବ୍ୟବସ୍ଥା ଯୌନ ଶୋଷଣ ଯୋଗୁଁ ପୀଡ଼ିତ ଶିଶୁଟିକୁ ପୁଣି ପୀଡ଼ିତ କରାଏ ।”
ସାଲଦାନ୍ହା ଏଥିରେ ସମ୍ମତ ହୁଅନ୍ତି। “ଏଥିରେ (ପିଲାଟିର) ବୟାନ ଚାରି ଥର ରେକର୍ଡ କରାଯାଏ, ପ୍ରଥମେ ଥାନାରେ, ତା’ପରେ ଡାକ୍ତରୀ ପରୀକ୍ଷା ସମୟରେ, ଏବଂ ଦୁଇ ଥର ଅଦାଲତରେ (ଜଣେ ମାଜିଷ୍ଟ୍ରେଟଙ୍କ ପାଖରେ ଓ ଜଣେ ବିଚାରପତିଙ୍କ ଆଗରେ) । ଏଥିରେ ଏମିତି ସମୟ ଆସେ ଯେତେବେଳେ ପିଲାଟି ଏତେ ବେଶୀ ଆତଙ୍କିତ ହୋଇଯାଏ ଯେ ସେ ସବୁ ଅଭିଯୁକ୍ତମାନଙ୍କର ନାଁକୁ ବି କହିପାରେ ନାହିଁ । ଠିକ୍ ଯେମିତି ଈଶା ମାମଲାରେ ଘଟିଛି । ଏଇ ନିକଟରେ ହିଁ ସେ ଘରୱାଲିଙ୍କ ସଂପୃକ୍ତି ବିଷୟରେ ମୁହଁ ଖୋଲିଲା ( ଯିଏ କି ଏହି ଅପରାଧକୁ ରୋକିବାରେ କିମ୍ବା ଏ ସଂପର୍କରେ ରିପୋର୍ଟ କରିବାରେ ବିଫଳ ହୋଇଥିଲେ)।”
ସେ ଆହୁରି କହନ୍ତି ଯେ, ଏହା ବ୍ୟତୀତ, ଆଇନ ବ୍ୟବସ୍ଥା ଭିତର ଦେଇ ଏଭଳି ମାମଲା ଦାୟର ହେବାଠାରୁ ଆରମ୍ଭ କରି ଚୂଡ଼ାନ୍ତ ରାୟ ପର୍ଯ୍ୟନ୍ତ, ଆଗକୁ ବଢ଼ିବାରେ ବହୁତ ସମୟ ଲାଗେ । ଆଇନ ଓ ନ୍ୟାୟ ମନ୍ତ୍ରାଳୟରୁ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୯ ଜୁନ୍ ଶେଷ ପର୍ଯ୍ୟନ୍ତ, ଯୌନ ଅପରାଧ କବଳରୁ ଶିଶୁମାନଙ୍କ ସୁରକ୍ଷା ଆଇନ (ପୋକ୍ସୋ) ଅନ୍ତର୍ଗତ ମୋଟ ୧୬୦,୯୮୯ ମାମଲା ବିଚାର ଅପେକ୍ଷାରେ ରହିଛି । ଏଥିରୁ ମହାରାଷ୍ଟ୍ରରେ (ଉତ୍ତର ପ୍ରଦେଶ ପରେ) ଦ୍ଵିତୀୟ ସର୍ବାଧିକ ୧୯,୯୬୮ ସଂଖ୍ୟକ ମାମଲା ରହିଛି ।

Aayna
ସାଲଦାନ୍ହା କହନ୍ତି, “ମାମଲାର ସଂଖ୍ୟା ବହୁତ ଅଧିକ ଏବଂ ପ୍ରତିଦିନ ଏହା ବଢ଼ିବାରେ ଲାଗିଛି । ଆମେ ସମସ୍ତେ ଚାହୁଁଛୁ ଯେ ଏହି ପ୍ରକ୍ରିୟା ତ୍ଵରାନ୍ଵିତ ହେଉ ଏବଂ ଏଥିପାଇଁ ଅଧିକ ସଂଖ୍ୟାରେ ବିଚାରପତି ନିଯୁକ୍ତି କିମ୍ବା ଅଦାଲତଙ୍କ କାର୍ଯ୍ୟ ସମୟ ବଢ଼ାଇବାର ଆବଶ୍ୟକତା ରହିଛି ।” ଲକ୍ଡାଉନ୍ କାରଣରୁ ୨୦୨୦ ମାର୍ଚ୍ଚ ମାସରୁ ଶୁଣାଣି ବନ୍ଦ ରହିଥିବା ବେଳେ ଏହା ପୂର୍ବରୁ ବିଚାର ଅପେକ୍ଷାରେ ରହିଥିବା ମାମଲାଗୁଡ଼ିକ ସହିତ ଗତ ଛଅ ମାସ ଭିତରେ ଦାୟର ହୋଇଥିବା ମାମଲାଗୁଡ଼ିକୁ ଅଦାଲତ କିଭଳି ବିଚାର କରିବେ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି ।
*******
ସୋନିଙ୍କୁ ଅତି ବେଶୀରେ ୧୬ ବର୍ଷ ହୋଇଥିବା ବେଳେ ତାଙ୍କ ସାଙ୍ଗ ତାଙ୍କୁ କୋଲକାତାରେ ଏହି ବ୍ୟବସାୟରେ ଲଗାଇଲା । ବାହା ହେବା ବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା । “ମୁଁ ମୋ ସ୍ଵାମୀ (ଯିଏ କି କେବେ କେମିତି ଏକ ପୋଷାକ ଫ୍ୟାକ୍ଟରୀରେ ହେଲ୍ପର ଭାବେ କାମ କରୁଥିଲେ)ଙ୍କ ସହିତ ଝଗଡ଼ା କରୁଥିଲି ଏବଂ ବାପାମାଆଙ୍କ ଘରକୁ ପଳାଇ ଯାଉଥିଲି । ଏମିତି ଥରେ ମୁଁ ଷ୍ଟେସନରେ ବସିଥିବା ବେଳେ ମୋ ସାଙ୍ଗ ମୋତେ ଏକ ନିରାପଦ ସ୍ଥାନକୁ ନେଇଯିବ ବୋଲି କହିଲା ।” ସେହି ସାଙ୍ଗଟି ସୋନିଙ୍କୁ ସହରର ଏକ ରେଡ୍ ଲାଇଟ୍ ଅଞ୍ଚଳରେ ଛାଡ଼ି ଦେଲା ଏବଂ ସେଠାକାର ମ୍ୟାଡାମଙ୍କ ସହିତ କାରବାର କରି ଚାଲିଗଲା । ସେତେବେଳେ ତାଙ୍କ ସାଙ୍ଗରେ ଥିବା ଝିଅ ଈଶାର ବୟସ ପ୍ରାୟ ବର୍ଷେ ହୋଇଥିଲା ।
ଘଟଣାକ୍ରମରେ, ଚାରି ବର୍ଷ ତଳେ ମୁମ୍ବାଇର କମାଠିପୁରାରେ ପହଞ୍ଚିଥିଲେ ସୋନି । ସେ କହନ୍ତି, “ମୋର ଘରକୁ ଯିବା ଲାଗି ଇଚ୍ଛା ହୁଏ। କିନ୍ତୁ ନା ମୁଁ ଏଠାକାର ହେଲି ନା ସେଠାକାର। ଏଠି (କମାଠିପୁରାରେ) ମୁଁ କେତେକ ଋଣ କରିଛି ଏବଂ ମୋତେ ତାକୁ ଶୁଝିବାକୁ ପଡ଼ିବ ଏବଂ ତେଣେ, ମୋ ନିଜ ସହରରେ, ଲୋକେ ମୋ କାମ ସଂପର୍କରେ ଜାଣିଛନ୍ତି ଏବଂ ସେହି କାରଣରୁ ହିଁ ମତେ ସେ ସହର ଛାଡ଼ିବାକୁ ପଡ଼ିଥିଲା।”
ଈଶାକୁ ଶିଶୁ ସେବା କେନ୍ଦ୍ରକୁ ପଠାଇ ଦିଆଯିବା ପରଠାରୁ ସେ ତା ସହିତ ଦେଖା କରିପାରିନାହାନ୍ତି (କୋଭିଡ୍ କଟକଣା କାରଣରୁ) ଏବଂ କେବଳ ଭିଡିଓ କଲ୍ରେ ତା ସହ କଥାବାର୍ତ୍ତା କରନ୍ତି । ସେ କହନ୍ତି, “ମୋର କ’ଣ ହେଲା । ମୁଁ ତ ଏ ବୋଝ ବୋହିବାରେ ଲାଗିଛି । ମୁଁ ଜଣେ ବରବାଦ ମହିଳା ହୋଇସାରିଲିଣି। ହେଲେ ଅନ୍ତତଃ ସେମାନେ ମୋ ଝିଅର ଜୀବନ ବରବାଦ ନ କରନ୍ତୁ । ମୁଁ ଚାହୁଁନି ଯେ ମୁଁ ଯାହା ଭୋଗିଛି, ସେ ତାହା ଭୋଗୁ, ମୋ ଭଳି ଜୀବନ ବିତାଉ। ମୁଁ ଏଥିପାଇଁ ଲଢୁଛି ଯେ ମୁଁ ଚାହୁଁଛି, ତା ପାଇଁ କେହି ଆଗକୁ ବାହାରିଲେନି ବୋଲି ସେ ଭବିଷ୍ୟତରେ ଅନୁଭବ ନ କରୁ। ଯେମିତି କି ମୋ ପାଇଁ କେହି ବାହାରି ନଥିଲେ ।”
ଅଭିଯୁକ୍ତ ଜଣକ ଗିରଫ ହେବା ପରେ, ତା’ର ଯୋଡ଼ିଦାର (ଯିଏ କି ପିଲାଟିର ଯୌନ ଶୋଷଣକୁ ଉସୁକାଇଥିବା ଅଭିଯୋଗ ହୋଇଛି) ସୋନିଙ୍କୁ ହଇରାଣ କରିଆସୁଛି। “ସେ ମୋ ଘର ଭିତରେ ପଶି ଝଗଡ଼ା କରେ ଏବଂ ତା’ର ଆଦମୀକୁ ଜେଲ୍ ପଠାଇଥିବାରୁ ମତେ ଅଭିଶାପ ଦିଏ। ସେମାନେ କହନ୍ତି ଯେ ମୁଁ କୁଆଡ଼େ ତା ଉପରେ ରାଗ ଶୁଝାଉଛି, ଆଉ କେତେ ଜଣ କହନ୍ତି ଯେ ମୁଁ ମଦ ପିଏ ଏବଂ ଜଣେ ବେପରୁଆ ମାଆ। କିନ୍ତୁ ସୌଭାଗ୍ୟର କଥା ଯେ, ସେମାନେ ଅତି କମ୍ରେ ମୋତେ ଜଣେ ମାଆ ବୋଲି ତ କହନ୍ତି ।”
ମୁଖପୃଷ୍ଠ ଚିତ୍ର: ଚାରୁ ଓ ତାଙ୍କ ଝିଅ ଶୀଲା (ଫଟୋ: ଆକାଂକ୍ଷା)
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ସମସ୍ତେ-ଜାଣନ୍ତି-ଏଠି-ଝିଅମାନଙ୍କର-କଣ-ହୁଏ