ଆମେ କମଳା ପାହାଡ଼ିଆଙ୍କୁ ପ୍ରଥମ ଥର ଭେଟିବା ୧୬ବର୍ଷ ହୋଇଗଲାଣି, ସେ ଜଣେ ଆଦିବାସୀ ବିଧବା ଏବଂ ଚାରୋଟି ସନ୍ତାନର ଜନନୀ। ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଅଗମ୍ୟ ଧୂସାମୁଣ୍ଡା ଗ୍ରାମର ଏକ ମାଟି କୁଡ଼ିଆରେ ରୁହନ୍ତି। ସେହି ସମୟରେ କଣ୍ଟାବାଞ୍ଝିର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ତାଙ୍କ ଦୁଇବର୍ଷର ପୁଅ କୌଟୁକ୍କୁ ଉଦ୍ଧାର କରିବା ପାଇଁ ଆବେଦନ କରିଥିଲେ, ଯିଏ କି ହାଇଦ୍ରାବାଦ୍ର ଏକ ଇଟାଭାଟି ମାଲିକଙ୍କ ଦ୍ୱାରା ଜବରଦସ୍ତି ଅଟକାଇ ରଖାଯାଇଛି।
ଏହି ପରିବାର ପାହାଡ଼ିଆ ଆଦିବାସୀ ସମୂହର, ଯେଉଁମାନେ କି ପାରମ୍ପରିକ ଭାବରେ ଝୁଡ଼ି ପ୍ରସ୍ତୁତ କରନ୍ତି। ସେମାନେ ସହରକୁ କାମ ସନ୍ଧାନରେ ଯାଇଥିଲେ, କିନ୍ତୁ କମଳା ଗର୍ଭବତୀ ହୋଇ ଅସୁସ୍ଥ ହୋଇଗଲେ ଏବଂ ସେମାନେ ଗ୍ରାମକୁ ଫେରିବାକୁ ବାଧ୍ୟ ହେଲେ। ଇଟାଭାଟି ମାଲିକ ତାଙ୍କଠାରୁ କମଳାଙ୍କ ପରିବାର ନେଇଥିବା ଅଗ୍ରୀମ ଅର୍ଥ ଫେରିପାଇବା ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ପିଲାକୁ ରଖିନେଲେ।
ଶିଶୁକୁ ଉଦ୍ଧାର କରିବା ପାଇଁ ଅଦାଲତ ପୋଲିସକୁ ନିର୍ଦ୍ଦେଶ ଦେଲେ ଏବଂ କୌଟୁକ୍ ଘରକୁ ଫେରିଲା।
ସେବେଠାରୁ, ଏ ମଧ୍ୟରେ ପାହାଡ଼ିଆମାନଙ୍କ ପାଇଁ ଖୁବ୍ କମ୍ ପରିବର୍ତ୍ତନ ଆସିଛି, ଏହି ସମୂହ କମାର ଭାବରେ ମଧ୍ୟ ଜଣାଶୁଣା। ସେମାନେ ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାରେ ଅନୁସୂଚିତ ଜନଜାତି ପରିଚୟ ପାଇବା ପାଇଁ ସଂଘର୍ଷ କରୁଛନ୍ତି। କିନ୍ତୁ ଛତିଶଗଡ଼ରେ ସେମାନଙ୍କ ସମୂହ ବିଶେଷ ଭାବରେ ଦୁର୍ବଳ ଜନଜାତି ସମୂହ (ପିଭିଟିଜି) ଭାବରେ ସ୍ୱୀକୃତି ପାଇଛନ୍ତି। କୌଟୁକ୍ ଏବେ ୧୮ବର୍ଷର, ତାଙ୍କ ପାଖରେ ନିଜେ ଜଣେ ପ୍ରବାସୀ ଶ୍ରମିକ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେ ମୁମ୍ବାଇରେ ଏକ ନିର୍ମାଣ କ୍ଷେତ୍ରରେ କାମ କରୁଛନ୍ତି।
‘‘ସେ ଅଷ୍ଟମ ଶ୍ରେଣୀରେ ସ୍କୁଲ ଛାଡ଼ିବା ପରଠାରୁ ଏଥର ଦ୍ୱିତୀୟ ଥର ପାଇଁ ସହରକୁ କାମ ନିମନ୍ତେ ଯାଇଛନ୍ତି।’’ କମଳା କୁହନ୍ତି, ‘‘ମୁଁ ତାକୁ ପାଠପଢ଼ା ଜାରି ରଖିବା ପାଇଁ ଅନୁରୋଧ କଲି ସେ ଶୁଣିଲା ନାହିଁ।’’ ଏହି ଅଞ୍ଚଳର କମ୍ ବୟସର ପୁରୁଷମାନେ କୁହନ୍ତି, ସେମାନେ ନିର୍ମାଣ ଉଦ୍ୟୋଗରେ କାମ କରିବାକୁ ପସନ୍ଦ କରନ୍ତି- ଏହା ସେମାନଙ୍କୁ ଅଧିକ ସ୍ୱାଧୀନତା ଦିଏ ଏବଂ ଇଟାଭାଟିରେ କାମ ତୁଳନାରେ କମ୍ ଯନ୍ତ୍ରଣାଦାୟକ।
କୌଟୁକ୍ କମଳାଙ୍କ ଚାରି ସନ୍ତାନଙ୍କ ମଧ୍ୟରୁ ବଡ଼। ତାଙ୍କ ଝିଅମାନେ ସମସ୍ତେ ସ୍କୁଲ୍ରେ ପଢ଼ୁଛନ୍ତି। ୧୪ ବର୍ଷର ସାକ୍ରାବତୀ ନବମ ଶ୍ରେଣୀରେ, ୧୩ ବର୍ଷର ଚନ୍ଦ୍ରକାନ୍ତି ଅଷ୍ଟମ ଶ୍ରେଣୀରେ ଏବଂ ୧୦ବର୍ଷର ପ୍ରେମଲତା ୪ର୍ଥ ଶ୍ରେଣୀରେ। ଚନ୍ଦ୍ରକାନ୍ତି ଏବଂ ପ୍ରେମଲତା ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସିକ ବିଦ୍ୟାଳୟ କସ୍ତୁରବା ଗାନ୍ଧୀ ଆଶ୍ରମ ସ୍କୁଲ୍ରେ ଅଛନ୍ତି, ସାକ୍ରାବତୀ ମଧ୍ୟ ଆଶ୍ରମ ସ୍କୁଲରେ ପଢ଼ୁଥିଲେ କିନ୍ତୁ ଏବେ ଘରେ ରହୁଛନ୍ତି ଏବଂ ନିକଟସ୍ଥ ହାଇସ୍କୁଲକୁ ବାଇସାଇକେଲ୍ରେ ଯାଉଛନ୍ତି।
ସ୍ଥାନୀୟ ଆଇନଜୀବୀ, ମାନବାଧିକାର କର୍ମୀ ଏବଂ ଅଞ୍ଚଳର ପ୍ରବାସୀ ପ୍ରସଙ୍ଗର କର୍ମକର୍ତ୍ତା ବିଷ୍ଣୁ ଶର୍ମା କୁହନ୍ତି, ‘‘କମଳା ଖୁବ୍ ସଂଘର୍ଷ କରିଛନ୍ତି କିନ୍ତୁ କେବେ ଭାଙ୍ଗି ପଡିନାହାଁନ୍ତି। ସେ ଆଶ୍ରମ ସ୍କୁଲରେ ତାଙ୍କ ଝିଅମାନଙ୍କୁ ଭର୍ତ୍ତି କରିବା ପାଇଁ ବ୍ୟବସ୍ଥା ସହ ଲଢ଼େଇ କରିଛନ୍ତି। କର୍ତ୍ତୃପକ୍ଷ ପ୍ରଥମେ ପାହାଡ଼ିଆମାନେ ଅନୁସୂଚିତ ଜନଜାତି ନୁହଁନ୍ତି ଦର୍ଶାଇ ନାମ ଲେଖାଇବା ପାଇଁ ମନା କରିଥିଲେ




