“ଲକଡାଉନ ଆମକୁ ବରବାଦ କରିଦେଇଛି,” କୁହନ୍ତି ଅବଦୁଲ ମାଜିଦ ଭଟ, “ମୋ ଦୋକାନକୁ ଶେଷ ପର୍ଯ୍ୟଟକ ଗତ ମାର୍ଚ୍ଚ ମାସରେ ଆସିଥିଲେ।”
ଶ୍ରୀନଗରର ଡାଲ ହ୍ରଦ ନିକଟରେ ଭଟଙ୍କର ତିନୋଟି ଦୋକାନ ରହିଛି, ସେଠାରେ ସେ ଚମଡ଼ା ସାମଗ୍ରୀ ଏବଂ ସ୍ଥାନୀୟ ହସ୍ତଶିଳ୍ପ ଉତ୍ପାଦ ବିକ୍ରି କରିଥାନ୍ତି । ଜୁନ ମାସ ସୁଦ୍ଧା ଲକଡାଉନ ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ କେହି ଗ୍ରାହକ ତାଙ୍କ ଦୋକାନକୁ ଆସିନାହାନ୍ତି । ଅଗଷ୍ଟ ୫,୨୦୧୯ରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା ସେବେଠାରୁ ଆରମ୍ଭ ହୋଇଥିବା ଅସହନୀୟ ମାନ୍ଦାବସ୍ଥାକୁ ୧ ବର୍ଷରୁ ଅଧିକ ସମୟ ହୋଇଗଲାଣି ।
ପର୍ଯ୍ୟଟନ ଉପରେ ଏହାର କୁପ୍ରଭାବ ପଡ଼ିବା ଯୋଗୁଁ ଏହା ଉପରେ ନିର୍ଭରଶୀଳ ଭଟଙ୍କ ଭଳି ବହୁ ଲୋକ ସେମାନଙ୍କ ଆୟ ହରାଇଛନ୍ତି ।
“୬-୭ ମାସର ସଟଡାଉନ ପରେ ଯେତେବେଳେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥାନ୍ତା, ଠିକ ସେହି ସମୟରେ ହିଁ କରୋନା ଲକଡାଉନ ଆରମ୍ଭ ହୋଇଯାଇଥିଲା,” ୬୨ ବର୍ଷୀୟ ଭଟ କୁହନ୍ତି । ସେ ଡାଲ ହ୍ରଦ ନିକଟବର୍ତ୍ତୀ ବାଟାପୋରା କାଲାନ ଅଞ୍ଚଳର ଜଣେ ବାସିନ୍ଦା ଏବଂ ସମ୍ମାନସ୍ପଦ ବରିଷ୍ଠ ନାଗରିକ । ସେ ଲେକସାଇଡ ଟୁରିଷ୍ଟ ଟ୍ରେଡର୍ସ ଆସୋସିଏସନର ସଭାପତି, ଯେଉଁଥିରେ ପାଖାପାଖି ୭୦ ଜଣ ସଦସ୍ୟ ରହିଥିବା ସେ କୁହନ୍ତି ।
ହ୍ରଦ ପର୍ଯ୍ୟଟନ ଅର୍ଥନୀତି ଉପରେ ନିର୍ଭରଶୀଳ ଅନ୍ୟମାନେ ମଧ୍ୟ ତାଙ୍କ କଥାକୁ ଦୋହରାଇଥାନ୍ତି-ଏମାନଙ୍କ ମଧ୍ୟରେ ରହିଛନ୍ତି ହଳଦିଆ ରଙ୍ଗର ଟ୍ୟାକ୍ସି ନୌକା ଚାଳକ ଶିକାରାବାଲା, ହକର ଓ ଦୋକାନ ମାଲିକ- ଯେଉଁମାନଙ୍କ ପାଇଁ ବିଗତ ୧୨ ମାସ ଧରି ସୁରମ୍ୟ ଡାଲ ହ୍ରଦ କେବଳ ପର୍ଯ୍ୟଟନ ପ୍ରଚାର ପୁସ୍ତିକାର ଫଟୋ ଭଳି ଲାଗିଥିଲା ।(ଦେଖନ୍ତୁ ଶ୍ରୀନଗରର ଶିକାରାମାନଙ୍କୁ : ସ୍ଥିର ଜଳ ଗଭୀର କ୍ଷତି ଆଣିଛି)
ଏମାନଙ୍କ ମଧ୍ୟରେ ରହିଛନ୍ତି ନେହରୁ ପାର୍କର ୨୭ ବର୍ଷ ବୟସ୍କା ହାଫସା ଭଟ, ଯିଏକି କରୋନା ଲକଡାଉନ ଆରମ୍ଭ ହେବା ପୂର୍ବରୁ ଘରୁ ଛୋଟିଆ ବ୍ୟବସାୟ ଆରମ୍ଭ କରିଥିଲେ । ଶ୍ରୀନଗରରେ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ହାଫସା ଜମ୍ମୁ ଓ କଶ୍ମୀର ଉଦ୍ୟମିତା ବିକାଶ ସଂସ୍ଥାନରୁ ୨୪ ଦିନିଆ ପ୍ରଶିକ୍ଷଣ ପାଠ୍ୟକ୍ରମ ଶେଷ କରିବା ପରେ ସେଠାରୁ କମ ସୁଧ ହାରରେ ୪ ଲକ୍ଷ ଟଙ୍କାର ଋଣ ପାଇଥିଲେ । “ମୁଁ କିଛି ପୋଷାକ ଓ କପଡ଼ା କିଣି ଷ୍ଟକ କରି ରଖିଥିଲି। ଲକଡାଉନ ଘୋଷଣା ହେବା ପୂର୍ବରୁ ମୁଁ ଷ୍ଟକରୁ ମାତ୍ର ୧୦-୨୦ ପ୍ରତିଶତ ବିକ୍ରି କରିପାରିଥିଲି । ବର୍ତ୍ତମାନ ମୁଁ ମୋ କିସ୍ତି ସୁଝିବା ଲାଗି ସଂଘର୍ଷ କରୁଛି”, ସେ କୁହନ୍ତି ।











