ମୁମ୍ବାଇର ସେହି ବସ୍ତି ଯେଉଁଠି ମୁଁ ବଡ଼ ହୋଇଥିଲି, ସେଠାରେ ଆମ ଘର ପାଖରେ ଥିବା ତେଜରାତି ଦୋକାନ ସନ୍ଧ୍ୟା ପାଖାପାଖି ୬ଟା ବେଳକୁ ଭିଡ଼ ହୋଇଯାଉଥିଲା। ଏହା ୨୦୦୦ ମସିହାର କଥା। ଅଢ଼େଇ ଶହ ଗ୍ରାମ ଚାଉଳ, ଗୋଟିଏ ଟଙ୍କାରେ ନାଲି ଲଙ୍କା ଗୁଣ୍ଡ ଓ ଲୁଣ, ଟଙ୍କାଟିଏ କିମ୍ବା ଦୁଇ ଟଙ୍କାର ଖାଇବା ତେଲ, ୨୫-୫୦ ପଇସାର କଳା ସୋରିଷ ଓ ହଳଦିଗୁଣ୍ଡ, ଗୋଟିଏ କିମ୍ବା ଦୁଇଟି ପିଆଜ, ଅଢ଼େଇ ଶହ ଗ୍ରାମ ଲେଖାଏଁ ହରଡ଼ ଡାଲି ଏବଂ ଅଟା ଓ ଷ୍ଟୋଭ ଲାଗି କିଛି କିରୋସିନ ପାଇଁ ବଡ଼ ଦୋକାନ ଆଗରେ ଛୋଟ କ୍ରେତାମାନେ ଭିଡ଼ ଜମାଉଥିଲେ।
ଲୋକମାନେ ଦୈନିକ ମଜୁରି ୧୫୦ଟଙ୍କାରୁ କିଛି ଟଙ୍କା ଖର୍ଚ୍ଚ କରି ପ୍ରତିଦିନ ଅଳ୍ପ ଅଳ୍ପ ରାସନ କିଣୁଥିଲେ। ସେତେବେଳେ ୨୫ ଓ 50 ପଇସା ଖୁଚୁରା ଚଳୁଥିଲା। ତେଜରାତି ଦୋକାନରେ ସବୁଠୁ ଶସ୍ତା ଚାଉଳ କିଲୋ ପ୍ରତି ୨୦ ଟଙ୍କା ଏବଂ ହରଡ଼ ଡାଲି ୨୪ ଟଙ୍କାରେ ମିଳୁଥିଲା। ଅଧିକାଂଶ କ୍ରେତା ଉଭୟ ସାମଗ୍ରୀ ଅଧାକିଲୋ କିମ୍ବା ଅଢ଼େଇ ଶହ ଗ୍ରାମର କିଣୁଥିଲେ। ମୁଁ ଜାଣେ ନାହିଁ କାହିଁକି, ଆମ ଘର ପାଖରେ ଥିବା ସରକାରୀ ରାସନ କେନ୍ଦ୍ରରେ କେବଳ ଚିନି, ତାଳ ତେଲ ଓ କିରୋସିନ ମିଳୁଥିଲା। ଅବଶିଷ୍ଟ ଆମକୁ ଘରୋଇ ତେଜରାତି ଦୋକାନରୁ କିଣିବାକୁ ପଡ଼ୁଥିଲା।
ସକାଳ ୮ଟାରୁ ବିନା ବିଶ୍ରାମରେ ଖଟି ଖଟି ସେତେବେଳକୁ ଥକି ପଡ଼ିଥିବା ଗ୍ରାହକମାନେ ୭୦-୮୦ ଟଙ୍କା ଖର୍ଚ୍ଚ କରି ଦିନକୁ ୩-୪ ଜଣ ଲୋକଙ୍କ ପେଟ ପୋଷିବା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରୁଥିଲେ। ମାସ ଶେଷରେ ଘରଭଡ଼ା, ବିଦ୍ୟୁତ ବିଲ ଏବଂ ପାଣି ବିଲ ଦେବା ପରେ ଅବଶିଷ୍ଟ ରୋଜଗାର-ବେଳେବେଳେ ୨୦୦୦ ଟଙ୍କାରୁ ସାମାନ୍ୟ ଅଧିକ ହେଉଥିଲା- ସେମାନେ ଗାଁରେ ଥିବା ନିଜ ପରିବାର ପାଇଁ ପଠାଉଥିଲେ, ଡାକ ଜରିଆରେ କିମ୍ବା ଗାଁକୁ ଯାଉଥିବା କୌଣସି ଲୋକ ହାତରେ।
ସବୁଦିନ ରୋଜଗାର, ସବୁଦିନ ଖର୍ଚ୍ଚ-ଏମିତି ଥିଲା ସେମାନଙ୍କର ଜୀବନ। ଆମ ଘର ମଧ୍ୟ ଦୈନିକ ରୋଜଗାରରେ ଚଳୁଥିଲା-କଞ୍ଚା ଲଙ୍କା ଓ ଲେମ୍ବୁ ବିକ୍ରିରୁ। ମୋ ମା’ ମୋତେ ସବୁଦିନ ସନ୍ଧ୍ୟାରେ ଅଳ୍ପ ପରିମାଣରେ ଲଙ୍କାଗୁଣ୍ଡ, ଲୁଣ ଏବଂ ଚାଉଳ କିଣି ଆଣିବା ପାଇଁ ପଠାଉଥିଲେ। ମୋତେ ସେତେବେଳେ ୯ବର୍ଷ ହୋଇଥିଲା। ମୁଁ ଦୋକାନରେ ଥିବା ଜେଜେ ମା’ଙ୍କୁ ଚାହିଁ ରହୁଥିଲି ସେପର୍ଯ୍ୟନ୍ତ, ଯେପର୍ଯ୍ୟନ୍ତ ସେ ମୋ ଆଡ଼କୁ ଚାହିଁ ପଚାରିନାହାନ୍ତି, “ତୁମେ କ’ଣ ଚାହୁଁଛ?”
ତେଜରାତି ଦୋକାନରେ ଥିବା ଅଧିକାଂଶ ଲୋକ ଚିହ୍ନା ପରିଚିତ ଥିଲେ। ତେଣୁ ଆମେ ପରସ୍ପରର ମୁହଁକୁ ଚାହିଁ ହସୁଥିଲୁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମୁଁ ଜାଣିଥିବା ଭାଷା ମରାଠୀ କହୁନଥିଲେ। ସେମାନେ ସିନେମା ଭଳି ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ସେମାନେ ମହାରାଷ୍ଟ୍ର ନୁହେଁ ବରଂ ଅନ୍ୟ ରାଜ୍ୟର ବାସିନ୍ଦା ଥିଲେ ବୋଲି ମୋର ସେତେବେଳେ ଆଦୌ ଧାରଣା ନଥିଲା।
ଆମେ 10x10 ଫୁଟ ଖୋଲିରେ (ବଖୁରିକିଆ ଘରେ) ରହୁଥିଲୁ । ସହରର ବସ୍ତିଗୁଡ଼ିକରେ ଆଜି ବି ସେପରି ଘର ରହିଛି, ସେଗୁଡ଼ିକ ସଙ୍କୀର୍ଣ୍ଣ ଗଳିରେ ପରସ୍ପର ସହ ଲଗାଲଗି ହୋଇ ରହିଛନ୍ତି। ଏସବୁ ମଧ୍ୟରୁ କେତେକ ଘରେ 10-12 ଜଣ ଲୋକ ଏକାଠି ଭଡ଼ାରେ ରହୁଛନ୍ତି, କେତେକରେ ସମସ୍ତେ ପୁରୁଷ। ଆଉ କେତେକରେ, ଛୋଟିଆ ଘରେ ସମ୍ପୂର୍ଣ୍ଣ ପରିବାର ଏକାଠି ରହୁଛନ୍ତି।


