ଧନୁ ତିଆରି କରି ଶେରିଂ ଦୋର୍ଜି ଭୂତିଆ କେବେ ବି ନିଜର ପେଟ ପୋଷି ପାରିନାହାନ୍ତି, ଏହା ହୃଦୟଙ୍ଗମ କରିବା ଲାଗି କିଛି ସମୟ ଲାଗିଥାଏ । ଏହାର କାରଣ ହେଉଛି ଏହି କଳା ଓ ଶିଳ୍ପରେ ତାଙ୍କ ଜୀବନ ଏତେ ମାତ୍ରାରେ ବାନ୍ଧି ହୋଇଯାଇଛି ଯେ ତାଙ୍କ ସହ ମିଶିଲେ ସ୍ୱାଭାବିକ ଭାବେ ଏପରି ଅନୁଭବ ହୋଇଥାଏ। ପାକ୍ୟୋଙ୍ଗ ଜିଲ୍ଲାର କାର୍ଥୋକ୍ ଗ୍ରାମରେ ଥିବା ତାଙ୍କ ଘରେ ୮୩ ବର୍ଷ ବୟସ୍କ ଶେରିଂ ନିଜ ବିଷୟରେ ମଧ୍ୟ ଠିକ୍ ଏହି କଥା ଆମକୁ କହିଥିଲେ। ୬୦ ବର୍ଷ ଧରି, ବଢ଼େଇ କାମ କରି ସେ ରୋଜଗାର କରିଆସୁଛନ୍ତି – ମୁଖ୍ୟତଃ ସେ ଫର୍ଣ୍ଣିଚର ମରାମତି କରିଥାନ୍ତି । କିନ୍ତୁ, ସିକ୍କିମର ବାସିନ୍ଦା ଭାବେ ରାଜ୍ୟର ସଂସ୍କୃତିରୁ ସେ ତୀରଚାଳନା ପ୍ରତି ଗଭୀର ଭାବେ ଅନୁପ୍ରାଣିତ ହୋଇଥିବା ସମସ୍ତଙ୍କୁ କହିଥାନ୍ତି ।
ଦୀର୍ଘ ଦଶନ୍ଧି ଧରି ଜଣେ କୁଶଳୀ ବଢ଼େଇ ଭାବେ କାମ କରୁଥିଲେ ମଧ୍ୟ ତାଙ୍କର ଏହି ବୃତ୍ତି ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ବରଂ ପାକ୍ୟୋଙ୍ଗର ଧନୁ ନିର୍ମାତା ଭାବେ ତାଙ୍କୁ ଅଧିକ ଲୋକ ଜାଣନ୍ତି ।
ଶେରିଂ ପରୀକୁ କହିଥିଲେ ଯେ, ‘‘ମୋତେ ୧୦ କିମ୍ବା ୧୨ ବର୍ଷ ହେବା ସମୟରୁ ମୁଁ କାଠର ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲି। ଧୀରେ ଧୀରେ ସେଗୁଡ଼ିକ ଧନୁର ରୂପ ନେଲା ଏବଂ ଲୋକମାନେ ସେଗୁଡ଼ିକୁ କିଣିବା ଆରମ୍ଭ କଲେ। ଏମିତି ଧନୁନିର୍ମାତା ଭାବେ ମୋତେ ଲୋକମାନେ ଜାଣିଲେ।’’
‘‘ପୂର୍ବରୁ, ଅଲଗା ପ୍ରକାର ଧନୁ ତିଆରି କରାଯାଉଥିଲା’’, ସେ ଆମକୁ କେତେକ ଉତ୍ପାଦ ଦେଖାଇ କୁହନ୍ତି । ‘‘ପୂର୍ବରୁ ଏଭଳି ଧନୁକୁ ତବଜୁ (ନେପାଳୀ ଭାଷାରେ) କୁହାଯାଉଥିଲା। ଏଥିରେ ଦୁଇ ଖଣ୍ଡ ସାଧାରଣ ବାଡ଼ିକୁ ପରସ୍ପର ସହ ଯୋଡ଼ିବା ଓ ବାନ୍ଧିବା ସହିତ ଚମଡ଼ାରେ ଘୋଡ଼ାଇ ଦିଆଯାଉଥିଲା। ଆଜିକାଲି ଆମେ ଯେଉଁ ସଂସ୍କରଣ ତିଆରି କରୁଛୁ, ତାହାକୁ ‘ବୋଟ୍ଡିଜାଇନ’ କୁହାଯାଇଥାଏ । ଗୋଟିଏ ଧନୁ ତିଆରି କରିବା ଲାଗି ଅତି କମ୍ରେ ତିନି ଦିନ ଲାଗିଥାଏ। କିନ୍ତୁ ଏହା ସକ୍ରିୟ, ଯୁବ ହାତ ଲାଗି ଉଦ୍ଦିଷ୍ଟ । ବୟସ୍କ ହାତ ଏଥିରେ ଅଭ୍ୟସ୍ତ ହେବା ଲାଗି ଆହୁରି କିଛିଦିନ ଲାଗିଥାଏ,’’ ଶେରିଂ ଏକ କୁଟୀଳ ହସ ହସି କହିଥାନ୍ତି ।














