‘‘ମୁଁ ମୋ ଦୁଇ ଝିଅଙ୍କ ପାଇଁ ଏକ ଭିନ୍ନ ଜୀବନ ଚାହୁଁଛି,’’ ଚାନ୍ଦୀ ମାଛ ଉପରେ ଗୋଟିଏ ପରସ୍ତ ଲୁଣ ଦାନା ଛିଞ୍ଚିବା ସମୟରେ ବିଶାଲାଚି କହୁଛନ୍ତି। ଏହି ୪୩ ବର୍ଷୀୟା ମହିଳା ଜଣଙ୍କ ତାମିଲନାଡ଼ୁ ଉପକୂଳର କୁଡ୍ଡାଲୋର ପୁରୁଣା ସହର ବନ୍ଦରଠାରେ ୨୦ ବର୍ଷରୁ ଅଧିକ ସମୟ ଧରି ଶୁଖୁଆ ପ୍ରସ୍ତୁତି କାମ କରୁଛନ୍ତି ।
ସେ କୁହନ୍ତି, ‘‘ମୁଁ ଏକ ଭୂମିହୀନ ଦଳିତ ପରିବାରରେ ଜନ୍ମ ନେଇଥିଲି। ଧାନ ଚାଷରେ ନିୟୋଜିତ ଥିବା ମୋର ମାତାପିତାଙ୍କୁ ପିଲାଟି ଦିନରୁ ସାହାଯ୍ୟ କରି ଆସୁଥିଲି। ସେମାନେ ଅଶିକ୍ଷିତ ଥିଲେ।’’ ବିଶାଲାଚି ମାତ୍ର ୧୫ ବର୍ଷ ବୟସରେ କୁଡ୍ଡାଲୋର ଜିଲ୍ଲା ଭୀମାରାଓ ନଗର ପଡ଼ାର ଶକ୍ତିଭେଲଙ୍କୁ ବାହା ହୋଇଥିଲେ। ବାହାଘରର ଦୁଇ ବର୍ଷ ପରେ ସେମାନଙ୍କର ପ୍ରଥମ ଝିଅ ଶାଲିନୀ ଜନ୍ମ ନେଇଥିଲା ।
ଭୀମାରାଓ ନଗରଠାରେ କୌଣସି କୃଷି କାର୍ଯ୍ୟ ନପାଇବାରୁ ବିଶାଲାଚି ଜୀବିକା ସନ୍ଧାନରେ କୁଡ୍ଡାଲୋର ପୁରୁଣା ସହର ବନ୍ଦରକୁ ଚାଲି ଆସିଥିଲେ । ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ସେ କମଲାବେନୀଙ୍କୁ ଭେଟିଲେ ଯିଏକି ତାଙ୍କୁ ଶୁଖୁଆ ପ୍ରସ୍ତୁତ କରିବାର କୌଶଳ ଓ ବ୍ୟବସାୟ ଶିଖାଇଥିଲେ । ଆଉ ଏହି ବ୍ୟବସାୟକୁ ବିଶାଲାଚି ସବୁଦିନ ଆପଣେଇ ନେଇଥିଲେ।
ଖୋଲା ଆକାଶ ତଳେ ଶୁଖୁଆ ପ୍ରସ୍ତୁତ କରିବା ମାଛ ପ୍ରକ୍ରିୟାକରଣର ସବୁଠୁ ପୁରୁଣା ପଦ୍ଧତି ଏବଂ ଏଥିରେ ଲୁଣ ମଡ଼େଇବା, ଧୂଆଁ ଦେବା, ମସଲା ଲଗେଇବା ଆଦି କାର୍ଯ୍ୟ ସାମିଲ ରହିଛି। କୋଚିସ୍ଥିତ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟଚାଷ ଗବେଷଣା କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଥିବା ସାମୁଦ୍ରିକ ମତ୍ସ୍ୟଚାଷ ଗଣନା ୨୦୧୬ ଅନୁଯାୟୀ, କୁଡ୍ଡାଲୋର ଜିଲ୍ଲାର ୫,୦୦୦ରୁ ଅଧିକ ସକ୍ରିୟ ମହିଳା ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ମାଛ ଶୁଖାଇବା, ପ୍ରସ୍ତୁତି କରିବା ଓ ଛାଲିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।
ସାରା ରାଜ୍ୟରେ, ଏହି ସଂଖ୍ୟା ଆହୁରି ଅଧିକ: ମତ୍ସ୍ୟପାଳନ ବିଭାଗର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ୨୦୨୦-୨୧ରେ ପ୍ରାୟ ୨.୬ ଲକ୍ଷ ମହିଳା ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରରେ ନିୟୋଜିତ ରହିଥିଲେ ।

















