ପ୍ରତିଦିନ ସକାଳେ ପେଣ୍ଟାପାଲି ରାଜାରାଓ ଧୀରେ ଧୀରେ ନିଜ ମୁଣ୍ଡ କିମ୍ବା ପିଠିରେ ଲଙ୍କା ବସ୍ତା ରଖି ୬ମହଲାର ପାହାଚ ଧୀରେ ଧୀରେ ଓହ୍ଲାନ୍ତି । ବସ୍ତାର ଓଜନ ପ୍ରାୟ ୪୫ କେଜି । ପରବର୍ତ୍ତୀ କେଇଘଣ୍ଟାରେ ସେ ଏମିତି କେତେଥର ଉପର ତଳ ହୁଅନ୍ତି । ୨୯ବର୍ଷ ବୟସ୍କ ରାଜା ରାଓ କୁହନ୍ତି, ୧୩୦ଟି ପାହାଚ ଚଢ଼ିବା ତୁଳନାରେ ଓହ୍ଲାଇବା ସହଜ ।”୧୯ବର୍ଷ ବୟସ ସମୟରୁ ହିଁ ସେ ଏହି ହାଡ଼ଭଙ୍ଗା ପରିଶ୍ରମ କରିଆସୁଛନ୍ତି ।
ଯେତେବେଳେ ଲଙ୍କା ଭର୍ତ୍ତି ବସ୍ତା ବିଶ୍ୱ କୋଲ୍ଡ ଷ୍ଟୋରେଜର ତଳ ମହଲାରେ ପହଞ୍ଚ ସେତେବେଳେ ରାଓ ଓ ଅନ୍ୟ ୧୧ଜଣ ଶ୍ରମିକ ଏଗୁଡ଼ିକୁ ପରିସରରେ ଅପେକ୍ଷା କରିଥିବା ଟ୍ରକରେ ଲଦନ୍ତି । ଭର୍ତ୍ତି ହେଲାପରେ ଏସବୁ ଟ୍ରକ୍ ଗୁଣ୍ଟୁର ସହରରେ ଥିବା ଏନ୍ ଟି ଆର୍ ଏଗ୍ରିକଲଚରାଲ୍ ମାର୍କେଟ କମିଟି ପରିସର ଅଭିମୁଖେ ଯାତ୍ରା କରେ । ଗୁଣ୍ଟୁର ଏହାଠାରୁ ପ୍ରାୟ ୭ କିଲୋମିଟର ଦୂର ।
ଶ୍ରୀକାକୁଲମ୍ ଜିଲ୍ଲା ଗାରା ମଣ୍ଡଳର କର୍ଣ୍ଣି ଗ୍ରାମର ରାଜା ରାଓ କୁହନ୍ତି, “ଟ୍ରକରୁ କୋଲ୍ଡ ଷ୍ଟୋରକୁ ବସ୍ତା ନେବା ପାଇଁ ସେମାନେ ଆମକୁ ୧୫ଟଙ୍କା ଲେଖାଏଁ ଦିଅନ୍ତି ଏବଂ ଯେତେବେଳେ ଏହା ତଳକୁ ଓହ୍ଲାଯାଇ ଟ୍ରକରେ ଲଦାଯାଏ, ସେତେବେଳେ ବସ୍ତା ପିଛା ୧୦ଟଙ୍କା ଲେଖାଏଁ ଦିଅନ୍ତି । କିନ୍ତୁ ଆମକୁ ବସ୍ତାପିଛା ୨୩ଟଙ୍କା ଲେଖାଏଁ ହିଁ ମିଳେ । ମିସ୍ତ୍ରି ବା ସୁପରଭାଇଜର୍ ଦୁଇଟଙ୍କା କମିଶନ ଭାବରେ ନିଅନ୍ତି ।”ଗୋଟିଏ ବସ୍ତା ଉପରକୁ ନେବା ପାଇଁ ଟଙ୍କାଏ ଏବଂ ତଳକୁ ଆଣିବା ପାଇଁ ଟଙ୍କାଏ ।
ଫେବୃଆରୀରୁ ମେ ପର୍ଯ୍ୟନ୍ତ ମୁଖ୍ୟ ଲଙ୍କା ବିକ୍ରି ଋତୁରେ ବିଶ୍ୱ କୋଲ୍ଡ ଷ୍ଟୋରେଜ୍ କେବଳ ଲଙ୍କା ହିଁ ରଖେ । ରାଜା ରାଓ ସେ ସମୟରେ ଦିନକୁ ୩ଶହ ଟଙ୍କା ଲେଖାଏଁ ପାଆନ୍ତି । ବର୍ଷର ଅନ୍ୟଦିନମାନଙ୍କରେ ତାଙ୍କ ମଜୁରି ଦିନକୁ ୧୦୦ଟଙ୍କା ବା ତା’ଠାରୁ କମ୍ ହୋଇଯାଏ ।












