ସବୁଠୁ ବଡ଼ ପିଲାଟିର ବୟସ ୧୩। ଅନ୍ୟମାନେ ୧୦ରୁ ୧୨ ବର୍ଷ ବୟସର। ଆଉ ଇଂରାଜୀ ଟିଭି ଚ୍ୟାନେଲରେ ‘ଅତିଥିମାନଙ୍କ ସହ ଆଲୋଚନା’କୁ ବାଦ୍ ଦେଲେ, ଅଳ୍ପ କେତେକ ଘଟଣା ହିଁ ସ୍କୁଲ୍ ‘ବିତର୍କ’ ତୁଳନାରେ ଅଧିକ ଅସ୍ୱସ୍ତିକର। ସାଧାରଣତଃ, ସ୍ପଷ୍ଟ ଇଂରାଜୀ କହୁଥିବା ୧୪-୧୬ ବର୍ଷ ବୟସର ବକ୍ତାମାନେ ନିର୍ଣ୍ଣୟ କରୁଥିବେ ଯେ କାଳେ “ଗାନ୍ଧି ଏବେ ବି ପ୍ରାସଙ୍ଗିକ।” ତା ସାଙ୍ଗକୁ ଭାଷଣରେ ରହିଥିବ ଘୋଷି ଘୋଷି ମୁଖସ୍ଥ କରିଥିବା କେତେକ ଗତାନୁଗତିକ ବାକ୍ୟ। ଏମିତି ଏକ ବିତର୍କର ମୁଖ୍ୟ ଅତିଥି ହୋଇଥିଲେ ଆପଣ, ଦୀର୍ଘଶ୍ୱାସକୁ ଚାପି ରଖନ୍ତି ଏବଂ କାର୍ଯ୍ୟକ୍ରମ କେତେବେଳେ ସରିବ ବୋଲି ଅପେକ୍ଷା କରନ୍ତି।
ହେଲେ ଏଠାରେ, ମୁଁ ମୋ ଚଉକି ଉପରେ ସନ୍ତର୍ପଣରେ ବସିଥିଲି । ୧୦-୧୩ ବର୍ଷ ବୟସ୍କ ପିଲାମାନେ ଆନୁବଂଶିକ ଭାବେ ରୂପାନ୍ତରିତ (ଜେନେଟିକାଲି ମଡିଫାଏଡ୍) ଫସଲ ଉପରେ ବିତର୍କ କରୁଥିଲେ । ଉଭୟ ପକ୍ଷ ପ୍ରତିଭାସଂପନ୍ନ ଥିଲେ । ପ୍ରତି ବକ୍ତା ନିଜ ନିଜର ବକ୍ତବ୍ୟ ଜାଣିଥିଲେ ଏବଂ ପ୍ରସଙ୍ଗକୁ ଭଲ ଭାବରେ ହୃଦୟଙ୍ଗମ କରିଥିଲେ । ବିଷୟବସ୍ତୁ, ଗୁଣବତ୍ତା, ଏବଂ ଆବେଗ– ଏସବୁ ଦେଖିଲେ ଏବଂ ଶୁଣିଲେ ହିଁ ବିଶ୍ୱାସ କରିହେବ । ତେଣୁ (ଉପର) ଭିଡିଓରେ ଆପଣ ନିଜେ ହିଁ ସେମାନଙ୍କୁ ଦେଖନ୍ତୁ ଏବଂ ଶୁଣନ୍ତୁ । ବାକ୍ୟ ବିନିମୟ ପ୍ରାୟତଃ ତୀବ୍ର ଥିଲା, ବେଳେବେଳେ ବିବାଦୀୟ ବି, କିନ୍ତୁ ସବୁବେଳେ ଶାଳୀନ । ଗୋଲ୍ଡେନ ରାଇସ୍, ଭିଟାମିନ୍ ଅଭାବ, କପା ଫସଲର ପୋକ ଓ ଅନ୍ୟକୀଟପତଙ୍ଗ, ଜୈବିକ ପଦ୍ଧତିରେ ଚାଷ, କ୍ରାଇ ଜିନ୍, ବିକୃତ ପରାଗଯୋଗ ଏବଂ ସଂକ୍ରମିତ ଫସଲ । ଆପଣ ନାଁ କହନ୍ତୁ, ସେମାନେ ତର୍ଜମା କରିବେ । ଆଉ କେଉଁଭଳି ।
ବିତର୍କର ସଂଚାଳିକା ବାସ୍ତବରେ ନରମ ସ୍ୱଭାବର ଅଥଚ ବେଶ ଦୃଢ଼ମନା ଥିଲେ । ସେ ଗୋଟିଏ ଷ୍ଟପ୍ୱାଚ୍ ଧରି ବସିଥିଲେ ଏବଂ ସେ ସମୟ ସମାପ୍ତିର ସଂକେତ ଦେବା ମାତ୍ରେ ବକ୍ତାମାନେ ବାକ୍ୟ ଅଧାରେ ରଖି ବକ୍ତବ୍ୟ ଶେଷ କରୁଥିଲେ । ମନେ ମନେ ଆମେ ଭାବୁଥିଲୁ କି ସ୍କୁଲ୍ର ଅଧ୍ୟକ୍ଷାଙ୍କୁ ପଚାରି ବୁଝିବୁ ଯେ, ତାଙ୍କ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଚାଳିତ ପୁନର୍ଶିକ୍ଷଣ ଶିବିରରେ ଯୋଗ ଦେବାକୁ ଟିଭି ଉପସ୍ଥାପକମାନଙ୍କୁ ଅନୁମତି ଦେବେ କି ନାହିଁ ।
ଏଠାକାର ଅଧିକାଂଶ ବକ୍ତା ନୂଆ ନୂଆ ଇଂରାଜୀ କହୁଥିଲେ । ତଥାପି ସେମାନେ ସେଇ ଭାଷାରେ ଅନର୍ଗଳ ଯୁକ୍ତିତର୍କ କରୁଥିଲେ । (ଏଠାରେ GM ବିତର୍କର ସଂପୂର୍ଣ୍ଣ ପ୍ରତିଲିପି ରହିଛି)
ତାମିଲନାଡୁର ବିଦ୍ୟା ବନମ୍ ସ୍କୁଲ୍ରେ ‘ପ୍ରକଳ୍ପ ଦିବସ’ର ମୁଖ୍ୟ ବିଷୟବସ୍ତୁ ଥିଲା ଚାଉଳ । ଏବଂ ଆଠରୁ ୧୩ ବର୍ଷ ବୟସର ସ୍କୁଲ୍ ପିଲାମାନଙ୍କ ପାଖରୁ ମୁଁ ସେସବୁ ଶିଖିଲି ଯାହା ମୁଁ କେବେ ବି ଜାଣି ପାରି ନଥାଆନ୍ତି । ମୁଁ ଜାଣି ନଥିଲି ଯେ ମୋଟରଯାନ ଜଗତରେ ସୁପରିଚିତ ‘ଟୋୟୋଟା’ ଶବ୍ଦ ପ୍ରଥମେ କୃଷିକ୍ଷେତ୍ରରୁ ବାହାରି ଥିଲା । ଏହା ଯେ ମୂଳରୂପରେ ଥିଲା ‘ଟୋୟୋଡ଼ା’ ଏବଂ ଏହାର ଅର୍ଥ ‘ଉର୍ବର’ କିମ୍ବା ‘ପ୍ରାଚୁର୍ଯ୍ୟଭରା ଧାନ କ୍ଷେତ’। ହୁଏତ ବିନମ୍ର କୃଷି ଜଗତରୁ ନିଜକୁ ଅଲଗା କରିବା ଲାଗି କମ୍ପାନିର ପୁରୋଧାମାନେ ‘ଡି’କୁ ବଦଳାଇ ‘ଟି’ କରିଥିଲେ ।
ଏକଥା ବି ମୁଁ ଜାଣି ନଥିଲି ଯେ ହୋଣ୍ଡାର ଅର୍ଥ ‘ପ୍ରଥମଚାଉଳର ଧାନ’। କିମ୍ବା ‘ଧାନ କ୍ଷେତର ଉତ୍ସ’। ଏବଂ ଆପଣ ଯଦି ଏହା କହୁଛନ୍ତି ଯେ ନାକାସୋନ୍ର ଅର୍ଥ ‘ମଧ୍ୟବର୍ତ୍ତୀ ଚେର’, କିମ୍ବା ଫୁକୁଦାର ଅର୍ଥ ‘ପ୍ରଚୁର ଧାନ ଥିବା କ୍ଷେତ’ ବୋଲି ଆପଣ ଆଗରୁ ଜାଣିଛନ୍ତି, ତେବେ, ମୋ କଥା ଛାଡ଼ନ୍ତୁ। ମୁଁ ଜାଣି ନଥିଲି । ଅଥଚ, ସେହି ପିଲାମାନେ ଜାଣିଥିଲେ। ଏସବୁ ବିଷୟରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବହୁ ପୋଷ୍ଟର ଓ ସ୍କେଚ୍, ପ୍ରକଳ୍ପ ଦିବସରେ ଆୟୋଜିତ ସେମାନଙ୍କ ବାର୍ଷିକ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା।
କୁନି କୁନି ଗାଇଡ୍ମାନେ ଆମକୁ ପ୍ରାୟ ପାଞ୍ଚଟି କ୍ଷୁଦ୍ର କ୍ଷେତ ଦେଖାଇଲେ ଯେଉଁଥିରେ ସେମାନେ ଧାନଚାଷ କରିଥିଲେ । ଏବଂ ଧାନର ବିଭିନ୍ନ କିସମ ଏବଂ ଚାଷ ପ୍ରଣାଳୀର ବିଭିନ୍ନ ପର୍ଯ୍ୟାୟ ସଂପର୍କରେ କହିଲେ । ସେମାନଙ୍କ ସହ କୌଣସି ଶିକ୍ଷକ ନଥିଲେ କି କେହି ବତାଇ ଦେଉ ନଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ କ୍ଷୁଦ୍ର ଚାଷୀ ଏବଂ ଭୂମିହୀନ ଶ୍ରମିକଙ୍କ ସନ୍ତାନ ।











