ଚିତ୍ରଗୁପ୍ତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୃତ ଶିକ୍ଷକ ଓ ସହାୟକ କର୍ମଚାରୀମାନଙ୍କର ତାଲିକାକୁ ଗୋଟି ଗୋଟି କରି ହିସାବ କରୁଥିଲେ ଏବଂ ୫୦ ଥର ମିଳାଇ ଦେଖୁଥିଲେ । ଠିକ୍ ସେମିତି, ଯେମିତି କି ସେ କିଛି ସପ୍ତାହ ପୂର୍ବରୁ ଭୋଟର ତାଲିକାମେଳ କରାଉଥିଲେ । ଏହି କାମକୁ କୌଣସି ଯନ୍ତ୍ର ଖୁବ୍ ଭଲ ଭାବରେ କରିପାରିବ ବୋଲି ତାଙ୍କର ବିଶ୍ୱାସ ନଥିଲା । ମୁଖ୍ୟ ସଚିବ ଓ ତାଙ୍କ ଉପରିସ୍ଥ ଅଧିକାରୀମାନଙ୍କ ପାଖକୁ ପଠାଯିବା ପୂର୍ବରୁ ସବୁ ନଥିପତ୍ର ଯେଭଳି ଠିକ୍ ଥାଏ, ତାହା ସେ ସୁନିଶ୍ଚିତ କରିନେବାକୁ ଚାହୁଁଥିଲେ ।
ମୃତକମାନେ ନିଜ ନିଜର ପୁରସ୍କାର ପାଇବାକୁ ଅପେକ୍ଷା କରି ରହିଥିଲେ ସତ, ହେଲେ କୌଣସି ତ୍ରୁଟିକୁ ଗ୍ରହଣ କରିବାକୁ ସେ ଆଦୌ ରାଜି ନଥିଲେ । ସେମାନଙ୍କୁ ଆସନରେ ବସାଇବା ପୂର୍ବରୁ ଅତୀତରେ ସେମାନେମର୍ତ୍ତ୍ୟଲୋକରେ କରିଥିବା ସମସ୍ତ କାର୍ଯ୍ୟକଳାପକୁ ସେ ଯାଞ୍ଚ କରି ନେଉଥିଲେ । ପ୍ରତିଟି ଭୁଲ କାମ ପାଇଁ ବହୁମୂଲ୍ୟ ଦେବାକୁ ପଡୁଥିବାରୁ ଥର ଥର କରି ସେ ବାରମ୍ବାର ଗଣନା କରିବାରେ ଲାଗିଥିଲେ । ଆଉ ମାତ୍ର କେଇଟା ସେକେଣ୍ଡ ଭିତରେ ଯେତେ ଥର ସେ ଗଣିବାରେ ଲାଗିଥିଲେ, ସବୁଥର ତାଙ୍କର ସେହି ଅସରନ୍ତି ନିରୁଦ୍ଦିଷ୍ଟ ଆତ୍ମାର ତାଲିକାରେ ନୂଆ ନୂଆ ନାମ ସବୁ ଯୋଡ଼ି ହୋଇଯାଉଥିଲା । ସେ କଳ୍ପନା କଲେ, ସମସ୍ତଙ୍କୁ ଯଦି ସେ ତାଙ୍କ ପାତାଳ ଲୋକର ଅଫିସ୍ ବାହାରେ ଧାଡ଼ିରେ ଠିଆ କରାଇଦେବେ, ତେବେ ଧାଡ଼ିଟି ପ୍ରୟାଗରାଜ ଯାଏ ଲମ୍ବିଯିବ।



