ୟେଲ୍ଲପନ୍ ବିସ୍ମିତ ଏବଂ କ୍ରୋଧିତ ଅଛନ୍ତି।
‘‘ଆମେ ଏକ ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ସଂପ୍ରଦାୟ ନୁହଁ। [ତା’ ହେଲେ] ଆମକୁ କ’ଣ ପାଇଁ ସେମ୍ବାନନ୍ଦ ମାରାବର କିମ୍ବା ଗୋସାଙ୍ଗି ଭାବେ ଚିହ୍ନଟ କରାଯାଉଛି?’’
‘‘ଆମେ ହେଉଛୁ ଶୋଲାଗା’’, ୮୨ ବର୍ଷୀୟ ବ୍ୟକ୍ତିଜଣକ ନିର୍ଣ୍ଣାୟକ ଭାବେ କହିଲେ। ‘‘[ସରକାର] ଆମକୁ ପ୍ରମାଣ ମାଗୁଛନ୍ତି। ଆମେ ଏଠାରେ ରହିଛୁ ଏବଂ ବଞ୍ଚିଛୁ। ସେହି ପ୍ରମାଣ କ’ଣ ଯଥେଷ୍ଟ ନୁହେଁ? ଆଧାର ଆଣ୍ଟେ ଆଧାର। ୟେଲିଣ୍ଡା ତାରଲି ଆଧାର ? [ପ୍ରମାଣ! ପ୍ରମାଣ![ ସେମାନେ ତାହାହିଁ ଚାହାନ୍ତି ]।’’
ତାମିଲନାଡୁ ମଦୁରାଇ ଜିଲ୍ଲାର ସାକ୍କିମଙ୍ଗଳମ୍ ଗାଁର ବାସିନ୍ଦା ୟେଲ୍ଲପନଙ୍କର ସଂପ୍ରଦାୟ ଚାବୁକ ମାରିବା ଅଭ୍ୟାସ କରନ୍ତି ଏବଂ ସ୍ଥାନୀୟ ଭାବେ ଚତାଇ ସଂପ୍ରଦାୟ ରୂପେ ସେମାନେ ପରିଚିତ। କିନ୍ତୁ ଜନଗଣନାରେ ସେମାନେ ସେମ୍ବାନନ୍ଦ ମାରାବର ଭାବେ ଚିହ୍ନିତ ହୋଇଛନ୍ତି ଏବଂ ସେମାନଙ୍କୁ ସର୍ବାଧିକ ପଛୁଆ ବର୍ଗ(ଏମବିସି) ଶ୍ରେଣୀ ଅଧୀନରେ ରଖାଯାଇଛି।
ସେ ଯୋଗ କଲେ, ‘‘[ଜନଗଣନା] ସର୍ବେକ୍ଷକମାନେ ଆମ ନିକଟକୁ ଆସନ୍ତି, କିଛି ପ୍ରଶ୍ନ ପଚାରନ୍ତି ଏବଂ ସେମାନଙ୍କ ଇଚ୍ଛା ଅନୁସାରେ ଯେକୌଣସି ଶ୍ରେଣୀ ଅଧୀନରେ ଆମକୁ ସୂଚୀବଦ୍ଧ କରନ୍ତି।’’
ୟେଲ୍ଲପନ୍ ଆକଳନ କରାଯାଇଥିବା ୧୫ କୋଟି ଭାରତୀୟଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନଙ୍କୁ ଭୁଲ୍ ଭାବେ ଚିହ୍ନଟ କରାଯାଇଛି ଏବଂ ବର୍ଗୀକୃତ କରାଯାଇଛି। ଏହି ସଂପ୍ରଦାୟଗୁଡିକ ମଧ୍ୟରୁ ଅନେକଙ୍କୁ ଏକଦା ଔପନିବେଶିକ ଶାସନ ସମୟରେ ବନାଯାଇଥିବା ଅପରାଧୀ ଜନଜାତି ଆଇନ୍, ୧୮୭୧ଅନୁସାରେ ‘ବଂଶାନୁକ୍ରମିକ ଅପରାଧୀ’ ଭାବେ ବିବେଚନା କରାଯାଉଥିଲା। ୧୯୫୨ ମସିହାରେ ଏହି ଆଇନର ଉଚ୍ଛେଦ ହେଲା ଏବଂ ସଂପ୍ରଦାୟଗୁଡିକୁ ଡି-ନୋଟିଫାଏଡ୍ ଟ୍ରାଇବସ୍(ଡିଏନଟିଏସ) ବା ଯାଯାବର ସଂପ୍ରଦାୟ(ଏନଟିଏସ) ଭାବେ ସନ୍ଦର୍ଭିତ କରାଗଲା।
ଅଣବିଜ୍ଞପିତ ଯାଯାବର ଏବଂ ଅର୍ଦ୍ଧ ଯାଯାବର ଜନଜାତିଙ୍କ ଲାଗି ଥିବା ଜାତୀୟ ଆୟୋଗଙ୍କର ୨୦୧୭ ମସିହାର ଏକ ସରକାରୀ ରିପୋର୍ଟ ଅନୁସାରେ ‘‘ସର୍ବୋତ୍ତମ ମଧ୍ୟରେ ଅସଂପୂର୍ଣ୍ଣ ଏବଂ ସବୁଠୁ ଖରାପ ମଧ୍ୟରେ ଅପର୍ଯ୍ୟାପ୍ତ। ଅଧିକାଂଶ ମାମଲାରେ ସେମାନେ ସାମାଜିକ ପଦାନୁକ୍ରମର ସବୁଠୁ ତଳ ପାହାଚରେ ରହିଥାନ୍ତି, ଅନେକ ସମୟରେ ସେହି ପୂର୍ବାଗ୍ରହଗୁଡ଼ିକର ସାମ୍ନା କରିଥାନ୍ତି ଯାହାକୁ ଔପନିବେଶିକ ଶାସନ ସମୟରେ ବନାଯାଇଥିଲା।’’

















