ହାଡ଼ୁ ବେହେରା ପ୍ରତିଦିନ ୧୨ଘଣ୍ଟା ପାଇଁ ଗୋଟିଏ ‘ଘର’ର ମାଲିକ । ଏହି ସମୟରେ ୫୧ବର୍ଷ ବୟସ୍କ ଲୁଗାକଳ ଶ୍ରମିକ ଉତ୍ତର ସୁରଟର ବେଦ୍ ରୋଡ୍ରେ ଏକ ଅନ୍ଧାରିଆ କୋଠରିରେ ୬x୩ ଫୁଟ ଆୟତନର ସ୍ଥାନରେ ରୁହନ୍ତି ।
ତାଙ୍କର ସହ- ଶ୍ରମିକ ସେହି ସ୍ଥାନକୁ ଅନ୍ୟ ୧୨ଘଣ୍ଟା ପାଇଁ ଉପଯୋଗ କରନ୍ତି। ଏହା ସେମାନଙ୍କ ସିଫ୍ଟ ଉପରେ ନିର୍ଭର କରେ - ସକାଳ ୭ଟାରୁ ସନ୍ଧ୍ୟା ୭ଟା କିମ୍ବା ଏହାର ଓଲଟା । କଦବା କ୍ୱଚିତ୍ ଥିବା ଛୁଟିଦିନ- ଯେତେବେଳେ ବିଦ୍ୟୁତ୍ କାଟ୍ ହୁଏ- ସେ ଦିନଗୁଡ଼ିକ ଖୁବ୍ ଭୟଙ୍କର । ସେତେବେଳେ ମହାବୀର ମେସ୍ର ୫୦୦ ବର୍ଗଫୁଟ୍ର ଗୋଟିଏ କୋଠରିରେ ୬୦ଜଣ ଶ୍ରମିକଙ୍କୁ ରହିବାକୁ ହୁଏ । ଶ୍ରୀ ବେହେରା ବର୍ତ୍ତମାନ ଏଠାରେ ସ୍ଥାନ ବାଣ୍ଟି ରହୁଛନ୍ତି।
ଖରାମାସଗୁଡ଼ିକ- ଯେତେବେଳେ ତାପମାତ୍ରା ୪୦ଡିଗ୍ରୀ ସେଲସିୟସରେ ପହଞ୍ଚିଯାଏ, ସେତେବେଳେ ଦୟନୀୟ ହୋଇଯାଏ । “(ଶ୍ରମିକମାନେ ରହୁଥିବା ବଡ଼ବଡ଼ କୋଠରି ବା ହଲ୍ଗୁଡ଼ିକ) ମଧ୍ୟରୁ ଅଧିକାଂଶ ଅନ୍ଧାରିଆ’’, କୌଣସି ବାୟୁ ଚଳାଚଳ ନଥାଏ ବୋଲି କୁହନ୍ତି ଶ୍ରୀ ବେହେରା । ସେ ୧୯୮୩ ମସିହାରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ର କୁଶାଳପଲ୍ଲୀ ଗ୍ରାମରୁ ସୁରଟ ଆସିଛନ୍ତି। ସେ କୁହନ୍ତି, “କାରଖାନାରେ କଷ୍ଟକର ତଥା ଦୀର୍ଘ ସମୟ କଟାଇ ଆସିବା ପରେ ଟିକେ ସୁବିଧାରେ ବିଶ୍ରାମ ନେବା ମଧ୍ୟ ଆମପାଇଁ ସମ୍ଭବ ହୁଏନି ।”
ଶ୍ରୀ ବେହେରାଙ୍କ ପରି ସୁରଟରେ ବହୁ ସଂଖ୍ୟକ ଲୁଗାକଳ ଶ୍ରମିକ ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ସେଠାକୁ ଯାଇଛନ୍ତି (see Synthetic fabric, authentic despair /ଦେଖନ୍ତୁ : ସିନ୍ଥେଟିକ୍ ଫେବ୍ରିକ୍, ଅଥେଣ୍ଟିକ୍ ଡେସପାୟାର) । ସେମାନେ ବର୍ଷକୁ ଥରେ ଗଞ୍ଜାମ ଆସି ଫେରିବା ପରେ ପ୍ରଥମେ ଆସିବା କ୍ରମରେ ଏସବୁ ମେସ୍ ରୁମ୍ ବା ହଲ୍ରେ ସ୍ଥାନ ପାଆନ୍ତି । ଏସବୁ ରୁମ୍ ମୁଖ୍ୟତଃ ସେମାନେ କାମ କରୁଥିବା ଲୁଗାକଳଗୁଡ଼ିକ ଥିବା ଶିଳ୍ପାଞ୍ଚଳ ନିକଟରେ ଥାଏ, ବେଳେବେଳେ କେଇ ମିଟର ଦୂରତାରେ ଥାଏ । କଷ୍ଟକର ୧୨ ଘଣ୍ଟିଆ ସିଫ୍ଟ ସରିବା ପରେ ଏ ସବୁ ରୁମ୍ରେ ବିଶ୍ରାମ ନେବା ବେଳେ ମଧ୍ୟ ଲୁଗାକଳ ମେସିନ୍ର ତୀବ୍ର ଖଟ ଖଟ ଶବ୍ଦ ଶୁଣାଯାଉଥାଏ ।












