“ପିଲା ବେଳେ, ମୁଁ ଶୁଣିବାକୁ ପାଇଥିଲି ଯେ ଆମର ଦ୍ୱୀପ ଏକ ବିଶାଳ ପ୍ରବାଳ ଉପରେ ତିଷ୍ଠି ରହିଛି। ଏହାର ତଳେ ଥିବା ସମସ୍ତ ପ୍ରବାଳ ଏହାକୁ ଧରି ରଖିଛି। ଏବଂ ଆମର ଚାରିପାଖରେ ଏକ ଲାଗୁନ (ଉପକୂଳ) ରହିଛି ଯାହା ଆମକୁ ମହାସାଗରଠାରୁ ସୁରକ୍ଷିତ ରଖିଥାଏ,” ବିତ୍ରା ଦ୍ୱୀପରେ ରହୁଥିବା ୬୦ ବର୍ଷୀୟ ମତ୍ସ୍ୟଜୀବୀ ବି.ହାଇଦର କୁହନ୍ତି।
“ମୁଁ ଯେତେବେଳେ ଛୋଟ ଥିଲି, ଆମେ ଜୁଆର କମ୍ ଥିବା ସମୟରେ ପ୍ରବାଳଗୁଡ଼ିକୁ ଦେଖିପାରୁଥିଲୁ”, କୁହନ୍ତି ବିତ୍ରାର ଅନ୍ୟ ଜଣେ ମତ୍ସ୍ୟଜୀବୀ ଅବଦୁଲ ଖାଦାର। “ସେଗୁଡ଼ିକ ସୁନ୍ଦର ଥିଲା। ବର୍ତ୍ତମାନ ସେଥିରୁ ଖୁବ ଅଳ୍ପ ବାକି ରହିଛି। କିନ୍ତୁ ବଡ଼ ଢେଉଠାରୁ ସୁରକ୍ଷିତ ରହିବାକୁ ହେଲେ ଆମକୁ ସେଭଳି ପ୍ରବାଳର ଆବଶ୍ୟକତା ରହିଛି।
ଲାକ୍ଷାଦ୍ୱୀପ ଦ୍ୱୀପସମୂହର କାହାଣୀ, କଳ୍ପନା, ଜୀବନ, ଜୀବିକା ଓ ପରିବେଶ ତନ୍ତ୍ରର କେନ୍ଦ୍ରରେ ସେହି ପ୍ରବାଳ ରହିଛି। ବର୍ତ୍ତମାନ ତାହା ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି। ଏହାଛଡ଼ା କିଛି ଦଶନ୍ଧି ଧରି ମତ୍ସ୍ୟଜୀବୀମାନେ ଆଉ କେତେକ ପରିବର୍ତ୍ତନ ମଧ୍ୟ ଦେଖିପାରୁଛନ୍ତି।
“ଏହା ଖୁବ ସହଜ। ପ୍ରକୃତି ବଦଳିଯାଇଛି,” ବୋଲି କୁହନ୍ତି ମୁନିୟାମିନ କେ. କେ.। ଅଗତ୍ତୀ ଦ୍ୱୀପର ଆଉ ଜଣେ ମତ୍ସ୍ୟଜୀବୀ ଯିଏକି ୨୨ ବର୍ଷ ବୟସରେ ମାଛ ଧରିବା ଆରମ୍ଭ କରିଥିଲେ। “ସେତେବେଳେ ମୌସୁମୀ ସଠିକ ସମୟରେ (ଜୁନରେ) ଆସୁଥିଲା, କିନ୍ତୁ ବର୍ତ୍ତମାନ ଏହା କେତେବେଳେ ଆସିବ ଆମେ କହିପାରିବା ନାହିଁ। ଏବେ ଖୁବ କମ୍ ମାଛ ମିଳୁଛନ୍ତି। ପୂର୍ବରୁ ଆମକୁ ବେଶୀଦୂର ଯିବାକୁ ପଡ଼ୁନଥିଲା, ପାଖରେ ମାଛଗୁଡ଼ିକ ମିଳିଯାଉଥିଲେ। କିନ୍ତୁ ଏବେ ଲୋକମାନଙ୍କୁ ଦିନ ଦିନ ଧରି, ବେଳେ ବେଳେ କିଛି ସପ୍ତାହ ପର୍ଯ୍ୟନ୍ତ, ମାଛ ସନ୍ଧାନରେ ଦୂରକୁ ଯିବାକୁ ପଡ଼ୁଛି।”
ଅଗତ୍ତୀ ଓ ବିତ୍ରା ମଧ୍ୟରେ ଦୂରତା ଡଙ୍ଗାରେ ସାତ ଘଣ୍ଟା ଲାଗିଥାଏ। ଆରବ ସାଗର ମଧ୍ୟରେ କେରଳ ଉପକୂଳ ଠାରୁ କିଛି ଦୂରରେ ଥିବା ଭାରତର କ୍ଷୁଦ୍ରତମ କେନ୍ଦ୍ରଶାସିତ ପ୍ରଦେଶ ଲାକ୍ଷାଦ୍ୱୀପର ସବୁଠୁ ଦକ୍ଷ ମତ୍ସ୍ୟଜୀବୀ ଏହି ଦୁଇଟି ସ୍ଥାନରେ ରହିଥାନ୍ତି। ଉଭୟ ମାଲାୟାଲମ ଓ ସଂସ୍କୃତରେ ‘ଲାକ୍ଷାଦ୍ୱୀପ’ର ଅର୍ଥ ହେଉଛି ‘ଏକ ଲକ୍ଷ ଦ୍ୱୀପ’। ବାସ୍ତବତା ହେଉଛି, ଆମ ସମୟରେ, ମାତ୍ର ୩୬ଟି ଦ୍ୱୀପ ରହିଛି, ସବୁ ଦ୍ୱୀପ ମିଶିଲେ ମୋଟ କ୍ଷେତ୍ରଫଳ ମାତ୍ର ୩୨ ବର୍ଗ କିମି ହେବ। ତେବେ, ଦ୍ୱୀପପୁଞ୍ଜର ଜଳ ୪୦୦,୦୦୦ ବର୍ଗକିମିରେ ପରିବ୍ୟାପ୍ତ ଏବଂ ଏଠାରେ ସମୃଦ୍ଧ ସାମୁଦ୍ରିକ ଜୀବନ ଓ ସମ୍ବଳ ଭରି ରହିଛି।
ଏହି ଗୋଟିଏ ଜିଲ୍ଲା ବିଶିଷ୍ଟ କେନ୍ଦ୍ରଶାସିତ ପ୍ରଦେଶରେ ୬୪,୫୦୦ ଲୋକ (୨୦୧୧ ଜନଗଣନା ଅନୁଯାୟୀ) ରୁହନ୍ତି ଏମାନଙ୍କ ମଧ୍ୟରୁ ୯୦୦୦ରୁ ଅଧିକ ଲୋକ ମତ୍ସ୍ୟଜୀବୀ, ଅର୍ଥାତ ପ୍ରତି ସାତ ଜଣଙ୍କ ମଧ୍ୟରୁ ଜଣେ ଏହି ପେଷାକୁ ଗ୍ରହଣ କରିଛନ୍ତି।






