ଲଲ୍ଲନ୍ ପାଶୱାନ୍ ପ୍ରଥମେ ହାତ-ଟଣା ରିକ୍ସା ଟାଣିବା ଶିଖିବା ପାଇଁ ଚେଷ୍ଟା କଲେ, ଅଭ୍ୟାସରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ରିକ୍ସାବାଲାମାନେ ପଛରେ ବସିଲେ। "ମୁଁ ଯେତେବେଳେ ରିକ୍ସା (ସାମ୍ନା ପଟ) ପ୍ରଥମ ଥର ପାଇଁ ଉଠାଇଲି ଏବଂ ଆଗକୁ ଟାଣିବା ପାଇଁ ଚେଷ୍ଟା କଲି, ମୁଁ ପାରିଲିନି,’’ ସେ କହନ୍ତି। “ମୋତେ ଏହା କରିବା ପାଇଁ ଦୁଇ ତିନି ଦିନ ସମୟ ଲାଗିଲା।”
ବେକରେ ଗୁଡ଼ା ହୋଇଥିବା ଛକି ପ୍ରିଣ୍ଟ ଗାମୁଛାରେ ମୁହଁରୁ ଝାଳ ପୋଛି, ସେ କହନ୍ତି କେମିତି ରିକ୍ସାର ସନ୍ତୁଳନ ରକ୍ଷା କରିବା ଶିଖିଲେ, ଯେମିତି ରିକ୍ସା ଓଲଟି ନ ପଡ଼ିବ। “ଯଦି ତୁମେ ହ୍ୟାଣ୍ଡଲ୍ [ସାମ୍ନା ପଟେ] ପାସେଞ୍ଜରଙ୍କଠୁ ଯଥା ସମ୍ଭବ ଦୂରେଇ କରି ଧରିବ, ରିକ୍ସା କେବେ ଓଲଟିବ ନାହିଁ,” ସେ କହନ୍ତି । ରିକ୍ସା ଓଲଟି ପଡ଼ିଲେ ବ୍ୟସ୍ତ ହୋଇ ନ ପଡ଼ିବା ପାଇଁ ତାଙ୍କୁ କିଛି ସମୟ ଲାଗିଲା, କିନ୍ତୁ ବର୍ତ୍ତମାନ, ସେ କହନ୍ତି, “ମୋତେ ଆଉ ଡର ଲାଗୁନି। ମୁଁ ଏବେ ଦୁଇ ଜଣ ପାସେଞ୍ଜର୍, ଏମିତିକି ତିନି ଜଣ, ଯଦି ତୃତୀୟ ଜଣକ ଛୋଟ ପିଲା ହୋଇଥାଏ, ସହଜରେ ରିକ୍ସା ଟାଣି ନେଉଛି।”
ଏହି ସବୁ ପ୍ରାରମ୍ଭିକ ଚେଷ୍ଟା କରିବାର ପ୍ରାୟ ୧୫ ବର୍ଷ ହୋଇ ଗଲାଣି। ପ୍ରଥମେ ଶିଖିବା ସମୟରେ, ଲଲ୍ଲନ୍ ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ରଘୁନାଥପୁର ଗାଁରୁ ସହରକୁ ଆସିଥିଲେ। ସେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। କିଛି ଦିନ ପରିବାରର ଗୋଟିଏ ବିଘା (ଗୋଟିଏ ଏକରରୁ କମ୍) ଜମିରେ ଗହମ ଓ ଧାନ ଚାଷ କରିଛନ୍ତି। କିନ୍ତୁ ଚାଷରେ ବେଶୀ ଟଙ୍କା ମିଳେ ନାହିଁ, ଏବଂ ପାଶୱାନ୍ କୋଲକାତାକୁ କାମ ଖୋଜିବା ପାଇଁ ଆସିଥିଲେ।
କିଛି ମାସ , ସେ ଅଫିସରେ ଚାକିରି ଖୋଜିବା ପାଇଁ ଚେଷ୍ଟା କଲେ। “ମୁଁ ଯେତେବେଳେ କିଛି କାମଧନ୍ଦା ପାଇଲି ନାହିଁ, ମୋ ଗାଁରୁ ଆସିଥିବା କିଛି ରିକ୍ସାବାଲା ଏଇ କାମ କଥା ମୋତେ କହିଲେ,” ସେ କହନ୍ତି। ୪୦ ବର୍ଷୀୟ ପାଶୱାନ୍ ଏବେ ଦକ୍ଷିଣ କୋଲକାତାର କର୍ନଫିଲ୍ଡ ରୋଡ୍ ଏବଂ ଏକଡାଲିଆ ରୋଡ୍ ଛକରେ ଥିବା ଏକ ରିକ୍ସା ଷ୍ଟାଣ୍ଡରୁ ରିକ୍ସା ଟାଣୁଛନ୍ତି। ସେଠାରେ ପ୍ରାୟ ୩୦ ଜଣ ରିକ୍ସାବାଲା ନିଜ ନିଜ ରିକ୍ସା ଧରି ଯାତ୍ରୀଙ୍କ ପାଇଁ ଅପେକ୍ଷା କରନ୍ତି। ମାର୍ଚ୍ଚରେ ସାରା ଦେଶରେ ଆରମ୍ଭ ହୋଇଥିବା କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ସେମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ଗାଁକୁ ଫେରିଗଲେ। ପାଶୱାନ୍ କହନ୍ତି, “କରୋନା ପାଇଁ ଅଧିକ ପାସେଞ୍ଜର ମିଳୁ ନାହାଁନ୍ତି। ଏଠି ସେମାନେ କଣ କରିବେ? ସେଥିପାଇଁ ଘରକୁ ଫେରିଗଲେ। ”
ତେବେ ଲଲ୍ଲନ କୋଲକାତାରେ ରହିଗଲେ କାରଣ ସେ ଗାଁରେ ପକ୍କା ଘର ତୋଳିବା ପାଇଁ ମହାଜନଠାରୁ ୧ ଲକ୍ଷ ଟଙ୍କା ଧାର ଆଣିଥିଲେ। ଯଦି ସେ ଘରକୁ ଫେରୁଛନ୍ତି ମହାଜନ ଟଙ୍କା ମାଗିବ - ଯାହା କି ସେ ଫେରାଇବା ଅବସ୍ଥାରେ ନାହାଁନ୍ତି।







