"ଗ୍ରୀଷ୍ମର ଗୋଟିଏ ଦିନ ସହ ମୁଁ ଆପଣଙ୍କୁ ତୁଳନା କରିପାରେ କି?" ୧୯ ବର୍ଷୀୟ ଫଇଜା ଅନସାରୀ ଖୁବ ଧୀର ଗଳାରେ କହିଲେ, ଏକ ଗୁଞ୍ଜରଣ ଭଳି। କେବଳ ମହିଳାଙ୍କ ପାଇଁ ଥିବା ମୁମ୍ବ୍ରାର ଏହି ଏକମାତ୍ର ପାଠାଗାର – ରେହେନୁମା ଲାଇବ୍ରେରୀର ଟାଇଲ ଚଟାଣରେ ଆମେ ଗୋଡ଼ ଛନ୍ଦାଛନ୍ଦି ହୋଇ ବସିଥିଲୁ।
ଦାରୁଲ ଫ୍ଲାସ୍ ମସ୍ଜିଦ୍ ନିକଟରେ ଅବହେଳିତ ଅବସ୍ଥାରେ ଥିବା ଏକ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଏହି ପାଠାଗାରଟି ଚାଲିଥିଲା। ଦୁଇ କୋଠରୀ ବିଶିଷ୍ଟ ଏହି ପାଠାଗାରକୁ ଅନେକ ଜବାନ ଆସୁଥିଲେ ଏବଂ ଯାଉଥିଲେ। ପ୍ଲାଷ୍ଟିକ ଚେୟାର ଉପରେ ତାଙ୍କ ବୁର୍ଖାକୁ ରଖିଦେଇ ଥଣ୍ଡା ଚଟାଣ ଉପରେ ଗଡ଼ିପଡ଼ୁଥିଲେ। ଉପନଗରୀର ଉତ୍ତରପୂର୍ବ ଦିଗକୁ ୩୬ ଡିଗ୍ରୀ କୋଣରେ ଏହା ଅବସ୍ଥିତ। କେନ୍ଦ୍ରୀୟ ମୁମ୍ବାଇରୁ ଏହାର ଦୂରତା ପ୍ରାୟ ୩୫ କିଲୋମିଟର।
ଫଇଜା ସେକ୍ସପିୟରଙ୍କ ସନେଟ୍ ୧୮ ଆରମ୍ଭ କରିବା ମାତ୍ରେ ମୁଁ ଆହୁରି ଆହୁରି ଶୁଣିବାକୁ କହିଲି। ତାଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହେଲା। ତାଙ୍କ ଭଉଣୀ ରେଜିଆ ମଧ୍ୟ ତାଙ୍କୁ ଚାହିଁଲେ। ରୋମିଓ ଆଣ୍ଡ ଜୁଲିଏଟ୍ ର ଗୋଟିଏ ପଂକ୍ତି ଉଦ୍ଧାର କଲେ ଫଇଜା, "ଏକ ସୁନ୍ଦର ହୃଦୟ ଏକ ସୁନ୍ଦର ମୁହଁଠାରୁ ଉତ୍ତମ।" ରେଜିଆ ତାଙ୍କ ଭଉଣୀଙ୍କୁ ଲାଜେଇ ଚାହିଁଲେ। ଅନ୍ୟ ଝିଅମାନେ ଭୁଟଭାଟ ହେଲେ, ପରସ୍ପରକୁ ଚାହିଁଲେ, ଲାଜେଇ ଲାଜେଇ ହସିଲେ। ଯେକେହି ଏହାକୁ ମଜା ବୋଲି ଭାବିନେବେ।
୧୮ ବର୍ଷୀୟ ରେଜିଆ ଅନ୍ସାରୀ ଲାଜକୁଳୀ ନଥିଲେ। ସେ ପଢିଥିବା ସେକ୍ସପିୟରଙ୍କ ଏକ ଉତ୍କଣ୍ଠାପୂର୍ଣ୍ଣ କାହାଣୀର ମର୍ମାର୍ଥ ବୁଝାଇଲେ। "ଦ୍ୱାଦଶ ରାତି ଏକ ହିନ୍ଦୀ ସିନେମା ଭଳି। ଭାୟୋଲାଙ୍କର ଡବଲ ରୋଲ୍ ଥିଲା।" ସେ କହିଲେ ସିଜାରିଓଙ୍କ ବେଶରେ ଥିଲେ ଭାଓଲା। ଇଂରାଜୀରେ ତାଙ୍କ ଦକ୍ଷତା ବଢାଇବାକୁ ଚାହୁଁଥିଲେ ରେଜିଆ। ସେଥିପାଇଁ ସେ ଲାଇବ୍ରେରୀରେ ସ୍ପୋକେନ୍ ଇଂଲିଶ କ୍ଳାସ୍ରେ ଯୋଗ ଦେଇଥିଲେ। ଏଠାରେ ସପ୍ତାହକୁ ପାଞ୍ଚଦିନ କ୍ଲାସ ହୁଏ। ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ। ପ୍ରତି ବ୍ୟାଚ୍ ପାଇଁ ଘଣ୍ଟାଏ ସମୟ।













