ତତ୍ତ ଲକ୍ଷ୍ମୀ ଓ ପୋଥାଡା ଲକ୍ଷ୍ମୀ ଦୁହେଁ ବୋକା ପାଲଟି ଯାଇଛନ୍ତି। ସରକାର ଟି. ଲକ୍ଷ୍ମୀଙ୍କ ମଜୁରି ବାବଦ ଅର୍ଥ ପି. ଲକ୍ଷ୍ମୀଙ୍କ ବ୍ୟାଙ୍କ ଖାତାକୁ ଏବଂ ପୋଥାଡା ଲକ୍ଷ୍ମୀଙ୍କ ମଜୁରି ବାବଦ ଅର୍ଥ ତତ୍ତ ଲକ୍ଷ୍ମୀଙ୍କ ଆକାଉଣ୍ଟକୁ ପଠାଇ ଦେଇଛନ୍ତି। ଏହି ବ୍ୟାଙ୍କ ଆକାଉଣ୍ଟ ରହିଛି ଆନ୍ଧ୍ର ପ୍ରଦେଶର ମୁନାଗାପାକ ମଣ୍ଡଳର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ।
ଫଳରେ ଟି. ଲକ୍ଷ୍ମୀ ହାରାହାରି ୧୬,୦୦୦ ଟଙ୍କା ପାଇଁ ଏବଂ ପି. ଲକ୍ଷ୍ମୀ ପ୍ରାୟ ୯,୦୦୦ ଟଙ୍କା ପାଇଁ ଅପେକ୍ଷା କରିଛନ୍ତି। ଉଭୟ ମହିଳା ଦଳିତ ଏବଂ ଭୂମିହୀନ। ସେମାନେ ଦୁହେଁ ମନରେଗା ଶ୍ରମିକ ଭାବରେ କାମ କରିଥିଲେ। ଟି. ଲକ୍ଷ୍ମୀ ମୁନାଗାପାକ ଗ୍ରାମରେ ଏବଂ ପି. ଲକ୍ଷ୍ମୀ ଗଣପାର୍ଥୀ ଗ୍ରାମରେ କାମ କରିଥିଲେ। ଉଭୟ ଗ୍ରାମ ଏକା ମଣ୍ଡଳରେ ରହିଛି ।
୨୦୧୬-୨୦୧୭ ଅବଧିରେ ଟି. ଲକ୍ଷ୍ମୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତକର୍ମ ନିଯୁକ୍ତି ଆଇନ ଅଧୀନରେ ଗୋଟିଏ ପ୍ରୋଜେକ୍ଟରେ ୯୫ ଦିନ କାମ କରିଥିଲେ। କାମ ତତ୍ତ୍ୱାବଧାନରେ ଥିବା ସହଯୋଗୀ କିନ୍ତୁ ଏହାକୁ ୯୫ ଦିନ ଭାବରେ ଗଣନା କରିନଥିଲେ। ଶ୍ରମିକମାନେ ନିଜ ନିଜର ମନରେଗା ଜବ୍ କାର୍ଡ ସହ ଅଧାର କାର୍ଡ ସଂଯୋଗ କରିବାକୁ ୨୦୧୫ ମସିହାରୁ ସରକାର କହିଆସୁଥିଲେ ମଧ୍ୟ ଏହା ହୋଇନଥିବାରୁ ସେମାନେ ମଜୁରି ପାଇ ପାରୁନାହାନ୍ତି।
ମାତ୍ର ମୁନାଗାପାକ ମଣ୍ଡଳର କମ୍ପ୍ୟୁଟର୍ ଅପରେଟର୍ ୧୮ ଅଙ୍କବିଶିଷ୍ଟ ଜବ୍ କାର୍ଡ ନମ୍ବର ଏବଂ ୧୨ ଅଙ୍କବିଶିଷ୍ଟ ଅଧାର କାର୍ଡ ନମ୍ବର ସଂଯୋଗ କରିବା ସମୟରେ ଭୁଲ୍ କରି ଥିବାରୁ ମୁଁ ଯେଉଁ ଅର୍ଥ ପାଇବା କଥା ( ସମୁଦାୟ ମଜୁରିର ପ୍ରାୟ ଅର୍ଦ୍ଧେକ ) ତାହା ଗଣପାର୍ଥୀ ଗ୍ରାମର ପି. ଲକ୍ଷ୍ମୀ ନାମକ ଜଣଙ୍କ ପାଖକୁ ଚାଲିଯାଇଛି ବୋଲି କହିଛନ୍ତି ଟି. ଲକ୍ଷ୍ମୀ।







