ଜମଲୋର ବୟସ ୧୨ ବର୍ଷ ଥିଲା। ଗତ ଫେବୃଆରୀ ମାସରେ ସେ ତେଲଙ୍ଗାନାର ଲଙ୍କା କ୍ଷେତରେ କାମ କରିବାକୁ ଯାଇଥିଲା। ଲକଡାଉନ୍ ଜାରି ହେବା ପରେ ସେ ଅନ୍ୟ ଶ୍ରମିକମାନଙ୍କ ସହିତ ଘରକୁ ଫେରୁଥିଲା। କିନ୍ତୁ ଲଗାତାର ୩ ଦିନ ଚାଲିବା ପରେ ଏପ୍ରିଲ ୧୮ ତାରିଖରେ ପ୍ରାଣ ହରାଇଥିଲେ।
“ଆମକୁ ନକହି ସେ ନିଜ ସାଙ୍ଗ ଓ ଅନ୍ୟ ଗ୍ରାମବାସୀଙ୍କ ସହିତ ଗାଁ ଛାଡ଼ି ଚାଲିଯାଇଥିଲା। ଆମେ ପରଦିନ ଏ ସମ୍ପର୍କରେ ଜାଣିବାକୁ ପାଇଲୁ,” ତାଙ୍କ ମା’ ସୁକମତୀ ମଡକମ କୁହନ୍ତି। ତାଙ୍କ ପରିବାର ମଜୁରିଆ ଆଦିବାସୀ ସମ୍ପ୍ରଦାୟର ।
ଛତିଶଗଡ଼ର ବସ୍ତର କ୍ଷେତ୍ର ଅନ୍ତର୍ଗତ ବିଜାପୁର ଜିଲ୍ଲାର ଆଦେଡ ଗ୍ରାମକୁ ଏହି ୧୨ ବର୍ଷୀୟ ବାଳିକା ଫେରୁଥିଲା। ତେଲଙ୍ଗାନାର ମୁଲୁଗୁ ଜିଲ୍ଲାରେ ଥିବା କାନ୍ନାଇଗୁଡେମ ଗ୍ରାମ ନିକଟରେ ଥିବା ଲଙ୍କା କ୍ଷେତରେ କାମ କରିବା ଲାଗି ଅନ୍ୟ ୧୧ ଜଣ ଶ୍ରମିକମାନଙ୍କ ସହିତ ସେ ଯାଇଥିଲା, ଏମାନଙ୍କ ମଧ୍ୟରେ କିଛି ପିଲା ମଧ୍ୟ ଥିଲେ। (ଉପରେ ଦିଆଯାଇଥିବା କଭର ଫଟୋରେ ସେଭଳି ଏକ ଦଳ ମେ ୭ ତାରିଖରେ ରାସ୍ତାରେ ଚାଲି ଆସୁଥିବାର ଦୃଶ୍ୟ)। ସେଠାରେ ସୋମାନେ ଲଙ୍କା ତୋଳୁଥିଲେ, ସେମାନଙ୍କୁ ଦୈନିକ ୨୦୦ଟଙ୍କା କିମ୍ବା ପୂର୍ବ ବ୍ୟବସ୍ଥିତ ପଇଠ ଆକାରରେ ଲଙ୍କା ବସ୍ତା ମିଳୁଥିଲା। (ଲଙ୍କା କ୍ଷେତରେ ଥିବା ପିଲାମାନେ)
“ଜମଲୋ ନିଜ ସାଙ୍ଗ ଏବଂ ଅନ୍ୟ ଗ୍ରାମବାସୀଙ୍କ ସହିତ କାମ କରିବାକୁ ଯାଇଥିଲା। କିନ୍ତୁ ଯେତେବେଳେ କାମ ବନ୍ଦ ହୋଇଗଲା, ସେମାନେ ଫେରୁଥିଲେ। ସେମାନେ ଯେତେବେଳେ ପେରୁରୁ ଗ୍ରାମ (ମୁଲୁଗୁ ଜିଲ୍ଲା ଅନ୍ତର୍ଗତ) ଛାଡ଼ିଲେ ମୁଁ ତା’ଠାରୁ ଏକ ଫୋନ୍ କଲ୍ ପାଇଥିଲି। ଏହାପରେ ଶେଷଥର ପାଇଁ ଅନ୍ୟ ଗ୍ରାମବାସୀମାନେ ମୋତେ ଫୋନ୍ କଲେ ଏବଂ ମୋ ପିଲାର ମରିବା ଖବର ଦେଲେ”, କହିଛନ୍ତି ଜମଲୋଙ୍କ ବାପା ଆନ୍ଦୋରାମ। ସେ ଓ ସୁକମତି ଆଦେଡ ଗ୍ରାମର ଅନ୍ୟ ଆଦିବାସୀ ବାସିନ୍ଦାଙ୍କ ଭଳି ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ, ଛୋଟ ଛୋଟ ଜମିରେ ଧାନ, ଚଣା ଏବଂ ଅନ୍ୟ ଫସଲ ଚାଷ କରି, ଏବଂ କୃଷି ଶ୍ରମିକ କିମ୍ବା ଏମଜିଏନଆରଇଜିଏ ଶ୍ରମିକ ଭାବେ କାମ କରି ଜୀବନ ନିର୍ବାହ କରିଥାନ୍ତି।
“ଦୁଇ ମାସ ପୂର୍ବେ, ଜମଲୋ ଶ୍ରମିକ ଭାବେ କାମ କରିବାକୁ ତେଲେଙ୍ଗାନାକୁ ଯାଇଥିଲା। କିନ୍ତୁ ଲକଡାଉନ୍ ଲାଗୁ ହେବା କାରଣରୁ କାମ ବନ୍ଦ ହୋଇଗଲା। ଶ୍ରମିକମାନେ ସେମାନଙ୍କ ଘରକୁ ଫେରିବା ଲାଗି ବ୍ୟାକୁଳ ହେଉଥିଲେ। ପାଖରେ ଯେତିକି ଟଙ୍କା ଥିଲା ସବୁ ସରିଯାଇଥିଲା ଏବଂ ସେମାନଙ୍କ ଠିକାଦାର ସେମାନଙ୍କୁ ଫେରିଯିବା ଲାଗି କହିଥିଲା”, କୁହନ୍ତି ବିଜାପୁରର ସାମ୍ବାଦିକ ପୁଷ୍ପା ଉସେଣ୍ଡି ରୋକଡେ। ପୁଷ୍ପା ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟର ଏବଂ ସେ ଜଗଦଲପୁରର ଏକ ସମ୍ବାଦପତ୍ର ପାଇଁ ଖବର ସଂଗ୍ରହ କରିଥାନ୍ତି।





