‘‘ଏଠାରେ ଆମ ପୂର୍ବଜମାନଙ୍କର ଆତ୍ମା ରହିଥାଏ,’’ ନିଜ ରୋଷେଇ ଘର ମଝିରେ ଏକ ମୋଟା ମାଟି ଆଧାର ଆଡ଼କୁ ଇସାରା କରି ମୋଞ୍ଜିତ ରିସଙ୍ଗ କହିଥାନ୍ତି, ଯେଉଁଠି ଛାତ, କାନ୍ଥ ଓ ଚଟାଣ ସବୁକିଛି ବାଉଁଶରେ ତିଆରି ହୋଇଛି।
ଧୂସର ହଳଦିଆ ରଙ୍ଗର ଏହି ଆୟତାକାର ଢାଞ୍ଚା ଗୋଟିଏ ଫୁଟ ଉଚ୍ଚା ଏବଂ ଏହାର ଉପରେ ଜାଳେଣି କାଠ ଥାକ କରି ଥୁଆ ହୋଇଛି; ଏହି ସ୍ଥାନରେ ରୋଷେଇ ହୋଇଥାଏ। ‘‘ଏହାକୁ ମାରୋମ କୁହାଯାଏ ଏବଂ ଏହା ଆମର ପୂଜା ଘର। ମିସିଂ ସମୁଦାୟ ପାଇଁ ଏହା ସବୁକିଛି,’’ ସେ କୁହନ୍ତି।
ମୋଞ୍ଜିତ ଓ ତାଙ୍କ ପତ୍ନୀ ନୟନମୋଣୀ ରିସଙ୍ଗ ଆଜି ରାତିର ଭୋଜି ଆୟୋଜନ କରୁଛନ୍ତି ଯେଉଁଥିରେ ରହିଛି ପାରମ୍ପରିକ ମିସିଂ ବ୍ୟଞ୍ଜନରେ ପ୍ରସ୍ତୁତ ଏକ ଥାଳି। ମିସିଂ ସମୁଦାୟ (ଆସାମରେ ଅନୁସୂଚୀତ ଜନଜାତି ଭାବେ ତାଲିକାଭୁକ୍ତ)ର ଏହି ଦମ୍ପତି ମିଶି ‘ରିସଙ୍ଗସ୍ କିଚେନ୍’ ରିସଙ୍ଗଙ୍କ ରୋଷେଇ ଘର ଚଳାଇଥାନ୍ତି ଯାହାକି ଆସାମର ମାଜୁଲି ନଦୀ ଦ୍ୱୀପରେ ଥିବା ଗାରାମୁର ସହର ସ୍ଥିତ ସେମାନଙ୍କ ଘରେ ଅବସ୍ଥିତ।
ବ୍ରହ୍ମପୁତ୍ର ନଦୀ ଗର୍ଭରେ ଥିବା ମାଜୁଲି ହେଉଛି ଭାରତର ସର୍ବବୃହତ ନଦୀ ଦ୍ୱୀପ ଏବଂ ଏହାର କ୍ଷେତ୍ରଫଳ ପ୍ରାୟ ୩୫୨ ବର୍ଗ କିଲୋମିଟର। ଏହାର ସ୍ଥଳଭାଗ ଚମକୁଥିବା ସବୁଜ ଧାନ କ୍ଷେତ, ଛୋଟ ହ୍ରଦ, ଜଙ୍ଗଲି ବାଉଁଶ ଏବଂ ଦଳ ପ୍ରଜାତିର ଉଦ୍ଭିଦରେ ପୂରି ରହିଛି। ଲଗାଣ ମୌସୁମୀ ବର୍ଷା ଏବଂ ଏହାପରେ ଆସୁଥିବା ବନ୍ୟା ମୁକାବିଲା କରିବା ଲାଗି କାଠ ଖୁଣ୍ଟ ଥିବା ମଞ୍ଚା ଉପରେ ଘରଗୁଡ଼ିକୁ ନିର୍ମାଣ କରାଯାଇଛି। ସାରସ, କିଙ୍ଗଫିସର ଏବଂ ବାଇଗଣୀ ମୁରହେନ ଭଳି ବିଦେଶୀ ପକ୍ଷୀଙ୍କ ଆଗମନ ପାଇଁ ଏହି ଦ୍ୱୀପର ପ୍ରସିଦ୍ଧି ରହିଛି। ତେଣୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜିଲ୍ଲାକୁ ପ୍ରତିବର୍ଷ ସାରା ବିଶ୍ୱରୁ ବହୁସଂଖ୍ୟକ ପର୍ଯ୍ୟଟକ ବୁଲି ଆସିବା ଆଦୌ ଆଶ୍ଚର୍ଯ୍ୟର ବିଷୟ ନୁହେଁ।
















