ସେପ୍ଟେମ୍ବର ୧୦ ତାରିଖରେ କିଛି ଚାଷୀ ବିଶେଷ କରି ଗୋଣ୍ଡ ସଂପ୍ରଦାୟର ଆଦିବାସୀମାନେ ପଦଯାତ୍ରା ଓ ଟ୍ରାକ୍ଟର ମାଧ୍ୟମରେ ବସ୍ତର ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ଜଗଦଲପୁରରୁ ପ୍ରାୟ ୨୮୦ କିମି ଦୂର ଛତିଶଗଡ଼ର ରାଜଧାନୀ ରାୟପୁର ଅଭିମୁଖେ ବାହାରିଲେ । ସେମାନେ କୋଡେବୋଡ ଗାଁରେ ବିଶ୍ରାମ କରୁଥିବା ସମୟରେ ମୁଁ ସେମାନଙ୍କୁ ଭେଟିଲି । ସେତେବେଳେ ପ୍ଲାକାର୍ଡଗୁଡ଼ିକ ତଳେ ରଖାଯାଇଥିଲା, ଛୋଟ ବ୍ୟାଗ୍ ଓ ଅନ୍ୟାନ୍ୟ ଜିନିଷପତ୍ର ତା’ ଚାରିପାଖରେ ଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୀ କହୁନଥିଲେ କେବଳ ହାଲବି କିମ୍ବା ଗୋଣ୍ଡି କହୁଥିଲେ ।
ବସ୍ତର ଜିଲ୍ଲାର ସୋନୁରାମ କାଶ୍ୟପ କହିଲେ, ‘‘ଆମେ ଜଗଦଲପୁର ସହରର ଦାନ୍ତେଶ୍ୱରୀ ମନ୍ଦିରରୁ ଚଳିତମାସ ୧୦ ତାରିଖରେ ପଦଯାତ୍ରା ଆରମ୍ଭ କଲୁ ଏବଂ ସେପ୍ଟେମ୍ବର ୧୮ ତାରିଖରେ ରାୟପୁରରେ ପହଞ୍ଚିବୁ’’। “ଆମେ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଆମର କୃଷି ଋଣ ଛାଡ଼ ପାଇଁ ଅନୁରୋଧ କରିବାକୁ ଚାହୁଁଛୁ ଏବଂ (ଆମେ ଆମର) ଅନ୍ୟ ଦାବିକୁ ଉପସ୍ଥାପନ କରିବାକୁ ଚାହୁଁଛୁ ।
“ଆମେ କ୍ଷୁଦ୍ର ଚାଷୀ । ଆମର ଜମି ବର୍ଷା ଉପରେ ନିର୍ଭର କରେ । ଯଦି ବର୍ଷା ନ ହୁଏ ତା’ ହେଲେ ଚାଷ ହେବ ନାହିଁ । ଆମର ୨-୩ ଏକର ଜମି ଉପରେ ଆମେ ଋଣ କରିଛୁ । ୨୦୧୨ରେ ମୋର ବାପା ଜିଲ୍ଲା ସମବାୟ ବ୍ୟାଙ୍କରୁ ୬୦ ହଜାର ଟଙ୍କାର ଋଣ ନେଇଥିଲେ । ସେ ଋଣର କିଛି ଅଂଶ ପରିଶୋଧ କରିଥିଲେ ଏବଂ ୨୦୧୪ରେ ମରିଗଲେ । କିନ୍ତୁ ବର୍ତ୍ତମାନ ବ୍ୟାଙ୍କ୍ କହୁଛି ଯେ ଆମର ୨ ଲକ୍ଷ ଟଙ୍କାର ଋଣ ରହିଛି । ସେଥିପାଇଁ ମୁଁ ରାୟପୁର ଅଭିମୁଖେ ବାହାରିଥିବା ଏହି ଯାତ୍ରାରେ ସାମିଲ ହୋଇଛି ।’’




