ଦିଲ୍ଲୀର ନିର୍ମାଣ କ୍ଷେତ୍ରରେ ଶ୍ରମିକ ଭାବରେ କାମ କରୁଥିବା ମହମ୍ମଦ ହାସନେନ୍ ଗତ ୨୫ବର୍ଷ ହେବ ଦିନ ମଜୁରିଆ ଭାବରେ ଯେଉଁ କାମ ପାଆନ୍ତି, ତାହା କରନ୍ତି। ଉତ୍ତର ଦିଲ୍ଲୀର ରାମଲୀଳା ମୈଦାନରେ ଛିଡ଼ା ହୋଇ ଏବଂ ତମ୍ବୁ ବନ୍ଧାକୁ ଦେଖୁଥିବା ଅବସ୍ଥାରେ ସେ କୁହନ୍ତି, ‘‘କିନ୍ତୁ ଆଜିର ଦିନ ଭିନ୍ନ।’’ ନଭେମ୍ବର ୨୮ ରାତିରୁ କୃଷକମାନେ ଏଠାରେ ପହଞ୍ଚିବାକୁ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ନଭେମ୍ବର ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କିଷାନ ମୁକ୍ତିମୋର୍ଚ୍ଚାରେ ଯୋଗଦେବା ପାଇଁ ସାରା ଦେଶରୁ ସେମାନେ ଆସିବେ।
୪୭ବର୍ଷ ବୟସ୍କ ହାସନେନ୍ କୁହନ୍ତି, ‘‘ମୁଁ ମଧ୍ୟ ଜଣେ କୃଷକ । ଉତ୍ତରପ୍ରଦେଶର ମୋରଦାବାଦରୁ ମୁଁ ଆସିବାକୁ ବାଧ୍ୟ ହେଲି। କାରଣ ଆମ ଜମିର ଅମଳ ଯଥେଷ୍ଟ ହେଲାନାହିଁ। ଆସନ୍ତା କାଲି ଏକ ବିଶାଳ ରାଲି ଦେଖିବି ବୋଲି ଆଶା କରିଛି। ମୋରଦାବାଦରୁ ମଧ୍ୟ କିଛି କୃଷକଙ୍କୁ ଦେଖିବି ବୋଲି ଆଶା କରୁଛି। ଆମେମାନେ ଦୀର୍ଘଦିନ ହେବ ଅବହେଳିତ ହୋଇଛୁ।’’
ବୁଧବାର ସକାଳ, ନଭେମ୍ବର ୨୮ରେ ପ୍ରାୟ ୬୫-୭୦ ଜଣ ଶ୍ରମିକ ରାମଲୀଳା ମୈଦାନରେ କାମ କରୁଛନ୍ତି। ତମ୍ବୁଗୁଡ଼ିକୁ ବାନ୍ଧିବା ପାଇଁ ସେମାନେ ଖୁଣ୍ଟ ପୋତୁଛନ୍ତି, କଣ୍ଟା ପିଟୁଛନ୍ତି। ଧାତବ ହାତୁଡ଼ିରେ ପ୍ରତ୍ୟେକ କଣ୍ଟାରେ ଗୋଟିଏ ଲେଖାଏଁ ପାହାର ସହ ହୁଁ ଶବ୍ଦଟିଏ ମଧ୍ୟ ଶୁଣାଯାଉଛି। ତମ୍ବୁ କାମଠାରୁ ଅନତି ଦୂରରେ ୬-୮ଜଣ ଲୋକ ଆଳୁରୁ ଚୋପା ଛଡ଼ାଇବା ଏବଂ ଏକ ବଡ଼ ପାତ୍ରରେ କ୍ଷୀର ଫୁଟାଇବାରେ ଲାଗିଛନ୍ତି। ମଧ୍ୟପ୍ରଦେଶର ପୋର୍ସା ଗ୍ରାମରୁ ଆସିଥିବା ଏବଂ ବର୍ତ୍ତମାନ ଜଣେ ମିଠା ଦୋକାନୀ ପାଖରେ କାମ କରୁଥିବା ୩୫ବର୍ଷ ବୟସ୍କ ହରିଶ୍ଚନ୍ଦ୍ର ସିଂ ଏ ସବୁ କାମ ତଦାରଖ କରୁଛନ୍ତି। ସେ କୁହନ୍ତି, ‘‘ଆମକୁ ଅତି କମ୍ରେ ୨୫୦୦୦ ଲୋକଙ୍କ (ଆଜି ରାତିରେ ମୈଦାନରେ ରହିବାର ଆଶା କରାଯାଉଥିବା) ପାଇଁ ସିଙ୍ଗଡ଼ା ଏବଂ ଚା’ ପ୍ରସ୍ତୁତ କରିବାକୁ ହେବ।





