ସେ (କବି) ସପ୍ତାହେ ହେଲା ଶୋଇପାରି ନ ଥିଲେ। ଶେଷଥର ପାଇଁ ଯେଉଁ ମୃତପ୍ରାୟ ଯମୁନା ନଦୀକୁ ଆବିଷ୍କାର କରିଥିଲେ; ଦିନେ ତାହାର ଶଯ୍ୟା ନିଶ୍ଚିତ ଭାବେ ଉର୍ବର ଓ ଶସ୍ୟଶ୍ୟାମଳା ହୋଇଥିବ। ଏବେ ସେହି ଯମୁନା ତାଙ୍କ ପାଇଁ ସବୁଠୁ ଅଧିକ ଭୟଙ୍କର ଆବିଷ୍କାରରେ ପରିଣତ ହେବାକୁ ଯାଉଥିଲା। ସେ ଓ ତାଙ୍କ ଟିମ୍ ଆଧୁନିକ ସମୟର ଆର୍ଯ୍ୟାବର୍ତ୍ତ ମଧ୍ୟ ଦେଇ ଯାତ୍ରା କରୁଥିଲେ ଏବଂ ପୁରାଣ ଓ କାହାଣୀ ଉପରେ ଆଧାରିତ ବିଷୟଗୁଡ଼ିକ ସମ୍ପର୍କରେ ଦେଶ ବ୍ୟାପୀ ଖନନ କାର୍ଯ୍ୟ ସହ ଅନୁସନ୍ଧାନ କରୁଥିଲେ। ପ୍ରତ୍ୟେକ ଖନନ ଗଳିରେ ଶେଷ ହେଉଥିଲା ଏବଂ ଏହି ସ୍ଥାନ ଅସ୍ଥାୟୀ ଶବଦାହ ସ୍ଥଳ ଓ ଶ୍ମଶାନ ପରି ମନେ ହେଉଥିଲା,ଯେତେ ଅଧିକ ଖୋଳୁଥିଲେ ଧୂସର ମାଟି ତଳୁ ଖାଲି କଙ୍କାଳ, ଖପୁରୀ ଓ ମୋତି ଭଳି ଧଳା ଦେଖାଯାଉଥିବା ଖଣ୍ଡଖଣ୍ଡ ଅସ୍ଥି ଦେଖିବାକୁ ମିଳୁଥିଲା। ଏହା ତାଙ୍କର ପ୍ରାରମ୍ଭିକ ଆକର୍ଷଣକୁ ଆତଙ୍କରେ ପରିଣତ କରିଦେଇଥିଲା।
କିଛି ଏମିତି ମୂହୁର୍ତ୍ତ ଥିଲା ଯେତେବେଳେ ସେମାନେ କିଛି ଅଲଗା ମଧ୍ୟ ପାଇଥିଲେ। ଅଳ୍ପ କେତେ କିଲୋମିଟର ଦୂରରେ ସରଜୁ ନଦୀ ପ୍ରବାହିତ ହେଉଥିଲା, ସେଠାରେ ସେ ଏକ ପୁରାତନ ମନ୍ଦିରର ଧ୍ୱସାଂବଶେଷ ପାଇଥିଲେ। ତମ୍ବା ପ୍ଲେଟ୍ ଗୁଡ଼ିକ ପଥର ଖଣ୍ଡ ସହ ସଂଯୁକ୍ତ ହୋଇଥିଲା; ଯାହା ପୁରାତନ ଯୁଗର ସ୍ଥାପତ୍ୟଶୈଳୀକୁ ଉଲ୍ଲେଖ କରୁଥିଲା। ସେ ଅଜଣା ଭାଷାରେ ଖୋଦେଇ ହୋଇଥିବା କିଛି ଇଟା ପାଇଥିଲେ। ନିକଟରେ ଯମୁନାର ପଶ୍ଚିମ ତଟରେ ଏକ ସମାଧି ସଦୃଶ ନିର୍ମାଣ ଦେଖିବାକୁ ପାଇଥିଲେ। ଏହା ସହିତ ସେମାନେ କିଛି ପ୍ରତିମୂର୍ତ୍ତି ପାଇଥିଲେ। ସେଥିରୁ କିଛି ୧୮୨ ମିଟର ଉଚ୍ଚ ଥିଲା। ଏପରିକି କିଛି ପ୍ରତିମୂର୍ତ୍ତି ତା’ଠାରୁ ଅଧିକ ଉଚ୍ଚ ଥିଲା। ତେବେ ଖନନରୁ ସେମାନଙ୍କୁ ସବୁଠାରୁ ଅଧିକ କଙ୍କାଳ ହିଁ ମିଳିଥିଲା।
ଏହା ଭିତରେ ସେ ଏକ ବିଶାଳ ତ୍ରିକୋଣୀୟ ଢାଞ୍ଚା ଦେଖିବାକୁ ପାଇଥିଲେ, ଯାହା କୌଣସି ରାଜାଙ୍କ ଦରବାର ଭଳି ଲାଗୁଥିଲା। ଏହା ଯମୁନା କୂଳର ଏକ ଅଶୁଭ ରାଜପ୍ରାସାଦ ଭଳି ଲାଗୁଥିଲା, ଯେଉଁଠି ସେ ରାଜା ମୃତକମାନଙ୍କ ଉପରେ ଶାସନ କରିଥିଲେ। ଏହାକୁ ଦେଖି ତାଙ୍କୁ ଏତେ ଭୟ ଲାଗିଥିଲା ଯେ ସେ ଏହାର ନାମ ଶ୍ମଶାନ ନଗର ବି ରଖିଥିଲେ। ପ୍ରତ୍ୟକ ସ୍ତମ୍ଭ ତଳେ କବର ଥିଲା। ଐତିହାସିକ ଓ ଫୋରେନସିକ ପ୍ରତ୍ନତତ୍ତ୍ୱବିତମାନେ ଏହାକୁ କଣ କହିବେ ଚିନ୍ତା କରୁଥିଲେ। ଏହା ତାଙ୍କୁ ଇତିହାସର ସବୁଠାରୁ ବଡ଼ ଗଣହତ୍ୟା ପରି ଅନୁଭବ ହେଉଥିଲା।



