‘ରାଜା ସୁପାଡ଼କନ୍ନୋ’ - ଗୁଜରାଟୀ ଭାଷାରେ ଯାହାର ଅର୍ଥ ହେଉଛି ହାତୀକାନ ଭଳି ବଡ଼ ବଡ଼ କାନ ଥିବା ରାଜା- ମୋ ପିଲାବେଳର ମନପସନ୍ଦ କାହାଣୀ ଭିତରୁ ଅନ୍ୟତମ । ପିଲାବେଳେ ପ୍ରଥମେ ଏହାକୁ ମୁଁ ମୋ ମାଆଙ୍କ ପାଖରୁ ଶୁଣିଥିଲି । ପରେ ଏହି କାହାଣୀକୁ ଅନେକ ନୂଆ ନୂଆ ରୂପରେ ବି ଶୁଣିଲି । ଏମିତି କି ଶିଶୁମାନଙ୍କ ପାଇଁ ଗିଜୁଭାଇ ବଧେକାଙ୍କ ଦ୍ଵାରା ଲିଖିତ ଏକ କ୍ଷୁଦ୍ରଗଳ୍ପ ସମାହାର ପୁସ୍ତକରେ ମଧ୍ୟ ମୁଁ ଏହାକୁ ପଢ଼ିଲି । ବଧେକାଙ୍କ ଏହି ବହିରେ ସାରା ବିଶ୍ଵର ବିଭିନ୍ନ ସ୍ଥାନର ଅନେକ ଲୋକକଥା ଅନୁଦିତ ହୋଇ ସ୍ଥାନ ପାଇଥିଲା । ଯେମିତି କି ଗଧ କାନ ଭଳି କାନ ଥିବା ରାଜା ମିଡାସ୍‌ଙ୍କ କାହାଣୀ । ବୋଧହୁଏ ଏହି କାହାଣୀରୁ ଅନୁପ୍ରେରିତ ହୋଇଥିଲା ରାଜା ସୁପାଡ଼କନ୍ନୋ ।

ଏ କାହାଣୀରେ ଥରେ ଜଣେ ରାଜା ଜଙ୍ଗଲରେ ବାଟ ଭୁଲି ଭୋକଶୋଷରେ ବୁଲୁଥିବା ବେଳେ ଗୋଟିଏ ଘରଚଟିଆର ବେକ ମୋଡ଼ି ତାକୁ ଖାଇଦେଲେ। ଏହା ପରେ ତାଙ୍କୁ ଅଭିଶାପ ମିଳିଲା ଏବଂ ତାଙ୍କ କାନ ହାତୀକାନ ଭଳି ବଡ଼ ବଡ଼ ହୋଇଗଲା । ରାଜପ୍ରାସାଦକୁ ଫେରିବା ପରେ ଅବଶିଷ୍ଟ ଦିନଗୁଡ଼ିକରେ ସେ ବିଭିନ୍ନ ପ୍ରକାର ମୁକୁଟ ପିନ୍ଧି ଓ ଉତ୍ତରୀୟ ଘୋଡ଼େଇ ପ୍ରଜାମାନଙ୍କର ନଜରରୁ ତାଙ୍କ କାନକୁ ଲୁଚାଇ ରଖିଲେ । କିନ୍ତୁ ଶେଷରେ ଏମିତି ଏକ ସମୟ ଆସିଲା, ଯେତେବେଳେ କି ସେ ନିଜର ଅନିୟନ୍ତ୍ରିତ କେଶ ଓ ଅଯତ୍ନ ଦାଢ଼ି କାଟିବା ଲାଗି ଜଣେ ବାରିକକୁ ଡାକିଲେ ।

ରାଜାଙ୍କ କାନ ଦେଖି ବାରିକ ଚମକି ପଡ଼ିଲା । ଏବଂ ଏହା ଫଳରେ ଏତେ ଦିନ ଧରି ରାଜା ଲୁଚାଇ ରଖିଥିବା ତାଙ୍କର ବଡ଼ ବଡ଼ କାନ ସଂପର୍କିତ ଲାଜକଥାଟି ପ୍ରଘଟ ହୋଇଯିବାର ଆଶଙ୍କା ଉପୁଜିଲା ।ମହାପ୍ରତାପୀ ରାଜା ଏକଥା କାହାରିକୁ ନ କହିବାପାଇଁ ବିଚରା ବାରିକକୁ ଧମକ ଦେଲେ । ହେଲେ, ବୃତ୍ତିଗତ ଦୃଷ୍ଟିରୁ କଥାକୁହାଳିଆ ବାରିକମାନେ କୌଣସି ଗୋପନ କଥାକୁ ସହଜରେ ଲୁଚାଇ ରଖି ପାରନ୍ତି ନାହିଁ । ତେଣୁ, ରାଜାଙ୍କ ଗୁପ୍ତ କାନ ସଂପର୍କରେ ଜାଣିସାରିଥିବା ବାରିକ ପାଇଁ ଏକଥାକୁ ଲୁଚାଇ ରଖିବା କଷ୍ଟକର ହୋଇପଡ଼ିଲା ଏବଂ ସେ ଜଙ୍ଗଲକୁ ଯାଇ ଗୋଟିଏ ଗଛକୁ ଫୁସ୍‌ଫୁସ୍‌ କରି ଏହା କହିଦେଲା ।

ସେହିଗଛଟି କାଠ କାଟିବାକୁ ଆସିଥିବା ଜଣେ କାଠୁରିଆକୁ ରାଜାଙ୍କ ହାତୀକାନ ସଂପର୍କରେ ଗୀତ ଗାଇ ଶୁଣାଇଲା । ଗୀତ ଗାଉଥିବା ଏହି କୁହୁକ କାଠକୁ କାଠୁରିଆ ଜଣକ ଢୋଲ ଗଢୁଥିବା ଜଣେ ବ୍ୟକ୍ତିକୁ ବିକି ଦେଲା । ସେ ଏଥିରେ ତିଆରି କରିଥିବା ଢୋଲକୁ ବଜେଇଲେ ସେଥିରୁ କେବଳ ସେହି ଗୀତ ହିଁ ବାଜିଲା । ଥରେ ରାସ୍ତାରେ ଏହି ଢୋଲ ବଜାଉଥିବା ଜଣେ ବ୍ୟକ୍ତିଙ୍କୁ ସୈନ୍ୟମାନେ ଧରି ନେଇ ସିଧା ରାଜାଙ୍କ ପାଖରେ ହାଜର କରାଇଲେ । ମୋର ଯେତେଦୂର ଯାଏ ମନେ ଅଛି, ଏ କାହାଣୀର ଶେଷରେ ରାଜା ନିଜ ପାପର ପ୍ରାୟଶ୍ଚିତ କରିବାକୁ ଉପାୟ ଖୋଜି ଖୋଜି ନିଜ ରାଜ୍ୟରେ ପକ୍ଷୀମାନଙ୍କ ପାଇଁ ଏକ ଅଭୟାରଣ୍ୟ ସ୍ଥାପନ କରିବାକୁ ସ୍ଥିର କରନ୍ତି ।

ଶୁଣନ୍ତୁ  ପ୍ରତିଷ୍ଠା ପାଣ୍ଡ୍ୟାଙ୍କର ଗୁଜୁରାଟୀ ଭାଷାରେ କବିତା ପାଠ

ପ୍ରତିଷ୍ଠା ପାଣ୍ଡ୍ୟାଙ୍କ ଦ୍ଵାରା ଇଂରାଜୀରେ ଏହି ଗୀତ ଆବୃତ୍ତି ଶୁଣନ୍ତୁ

ହାତୀକାନ ଭଳି ରାଜାଙ୍କ କାନ

ପାଟିରେ ତୁଣ୍ଡି ବାନ୍ଧିଦିଅ, ଶବ୍ଦଟିଏ ନ ବାହାରୁ ଯେମିତି।
ଆଉ କୁହ ନାହିଁ
ଯେ ହାତୀକାନ ଭଳି ରାଜାଙ୍କ କାନ।
ଏ କାହାଣୀ ପଦାକୁ ନଆସିବା କଥା
ହାୱାରେ ଉଡ଼ି ବୁଲିବା ଉଚିତ ନୁହେଁ-
ଯେ, ହାତୀକାନ ଭଳି ରାଜାଙ୍କ କାନ।

କୁଆଡ଼େ ଗଲେ ସେ ପକ୍ଷୀମାନେ;
ଥରେ ମୁଁ ସେମାନଙ୍କୁ ଦେଖିଥିଲି
ଖୁବ୍‌ ବେଶୀ ଦିନ ତଳେ ନୁହେଁ ତ ?
କିଏ ସେ ବିଛାଇଲା ସେହି ଗୁପ୍ତ ଫାଶ ?
କିଏ ସଜାଡ଼ିଲା ସେଇ ଅଠାକାଠି ?
ଖରାପ ଖେଳକୁ ସନ୍ଦେହ କରିବା ବନ୍ଦ କରନ୍ତୁ।
ଚାରିଆଡ଼େ ଖାଲି ଷଡ଼ଯନ୍ତ୍ର-
ଯେ ହାତୀକାନ ଭଳି ରାଜାଙ୍କ କାନ

ତମକୁ ଯଦି ପକ୍ଷୀମାନଙ୍କୁ ନିର୍ବାସିତ କରିବାକୁ ପଡ଼େ
ସେମାନଙ୍କୁ ଘଉଡ଼ାଇ ଦେବାକୁ ହୁଏ, ବସାରୁ,
ଗଛରୁ, ଜଙ୍ଗଲରୁ, କ୍ଷେତରୁ ଆଉ ଅନ୍ୟ ସବୁ ସ୍ଥାନରୁ,
ତଥାପି କ’ଣ ସେମାନଙ୍କର ରହିଥିବ ସେହି ଅଧିକାର
ବଞ୍ଚି ରହିବାର, ସେମାନଙ୍କ ଗୀତର ଆଉ ଗୀତ ଗାଇବାର ,
ଏବଂ ନିଜ ଇଚ୍ଛାରେ ଡେଣା ଝାଡ଼ିବାର ଅଧିକାର ?
ପ୍ରତିଯୋଗିତାକୁ ଉତ୍ସାହିତ କରୁଥିବା ପ୍ରଶ୍ନ ପଚାରିବା ବନ୍ଦ କରନ୍ତୁ।
ଜଣେ ରାଜାଙ୍କ ଆଗରେ ଏଇ ପକ୍ଷୀମାନେ ବା କ’ଣ ?
ପକ୍ଷୀ ବଞ୍ଚାଅ, ରାଜା ହଟାଅ -
ଦିଅନାହିଁ ଏଭଳି ଫମ୍ପା ଆବାଜ
ଆଉ ହାତୀକାନ ଭଳି କାନ ରାଜାଙ୍କର

ପତ୍ର କହେ, ‘ମୁଁ ରହିଛି ସାକ୍ଷୀ,
ମତେ ବିଶ୍ଵାସ କର ନହେଲେ ଯାଅ ଆକାଶକୁ ପଚାର
ରାଜା ହିଁ ହତ୍ୟା କରିଛନ୍ତି ସେହି ପକ୍ଷୀମାନଙ୍କୁ।’
ପବନ କହେ, ମତେ ବିଶ୍ଵାସ କର
ମୁଁ ଶୁଣିଛି ସେମାନଙ୍କ ସ୍ଵର
ତାଙ୍କ ଉଦରରେ ଥାଇ ବି ଗୀତ ଗାଆନ୍ତି ପକ୍ଷୀମାନେ।
କିନ୍ତୁ ଲୋକେ ଯାହା ସବୁ କହନ୍ତି, ସେସବୁକୁ ତମେ ଶୁଣନାହିଁ,
ନିଜ ଆଖିରେ ଯାହା ଦେଖୁଛ, ତାକୁ ବିଶ୍ଵାସ କରନାହିଁ
ଅଥଚ ବିଶ୍ଵାସ କରିବା ଯଦି ନିହାତି ଦରକାର. ତେବେ କର
କିନ୍ତୁ ପୁଣି ଥରେ ଚିନ୍ତା କରିବାକୁ ସାହସ କରନାହିଁ-
ଯେ ହାତୀକାନ ଭଳି ରାଜାଙ୍କର କାନ

ଓଃ କେମିତିକା ଦେଶ ଆଉ କେମିତି ଏ ରାଜା !
ଭଗବାନଙ୍କ ଭଳି ପୋଷାକ ପିନ୍ଧନ୍ତି
ଆଉ ଭୋକିଲାକୁ ଗିଳି ଦିଅନ୍ତି ?
ବିନତି କରୁଛି, ଏମିତି ସବୁ ବାଜେକଥାରେ କାନ ଦିଅନାହିଁ।
ଦିନସାରା ନିଜ ଅନ୍ତରାତ୍ମା ସହ ଲଢ଼ ନାହିଁ।
ଯଦି ତୁମକୁ ପାଚେରି ଦିଶେ,
ତେବେ ଫାଟ ବି ତ ଦିଶିବ।
ହେଲେ, ସବୁ ଫାଟରେ, ସବୁ ଛିଦ୍ରରେ
ମୁଣ୍ଡ ପୂରାଅ ନାହିଁ।
ସତକଥା ତମେ ବି ଜାଣିବ
ସବୁ ଗାଁର ପ୍ରତିଟି ଛକରେ
ଭିନ୍ନ ଭିନ୍ନ ହଜାର ହଜାର ଭାଷାରେ।
ପାଗଳଙ୍କ ଭଳି ତମେ ତା’ର ପିଛା କରନାହିଁ।
ଏମିତି କିସେଇ କ୍ଷୁଦ୍ର ମୂକ ଗଛଟି ସହ ବି କଥା ହୁଅନାହିଁ।
ତମର ଗାଇ ବୁଲିବା ଦରକାର ନାହିଁ
କି ଢୋଲ ବଜାଇ କହି ବୁଲିବା ଦରକାର ନାହିଁ
ଯେ ହାତୀକାନ ଭଳି ରାଜାଙ୍କର କାନ।

ମୁଁ ତମକୁ କହିରଖେ, ପକ୍ଷୀ ଓ ଗଛମାନଙ୍କୁ ଛାଡ଼ିଦିଅ,
ଆଉ ଜଙ୍ଗଲରେ ବି ଖୋଜି ବୁଲିବା ବନ୍ଦ କର ।
ତଥାପି ଯଦି କିଛି କରିବାକୁ ଚାହଁ, ତେବେ କର, ହେଲେ ଭଲ ଭାବେ ଜାଣିରଖ
ଏବଂ ଦୟା କର ହେ! ମଣିମା
କେବେହେଲେ ଏ କଥାକୁ କବିତାର ରୂପ ଦେବା ଭଳି
ଭୁଲ କରନାହିଁ
ଯେ ହାତୀକାନ ଭଳି ରାଜାଙ୍କ କାନ।
ଓଃ ହାତୀକାନ ଭଳି ରାଜାଙ୍କ କାନ।


ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Illustration : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE