ବିକାଶ ଯାଦବ ଓ ଲକ୍ଷ୍ମଣ ସିଂହ ନିଜ ନିଜର ବଳଦଗାଡ଼ି ଚଳାଇ କମଲା ମାର୍କେଟ ପହଞ୍ଚିବା ବେଳକୁ ଦିପହରର ଖରା ନଇଁ ଆସିଥିଲା । ପ୍ରାୟ ସବୁଦିନ, ନୂଆଦିଲ୍ଲୀ ରେଳ ଷ୍ଟେସନ ନିକଟ ସେଇ ବ୍ୟସ୍ତବହୁଳ ମାଲ ପରିବହନର କେନ୍ଦ୍ରସ୍ଥଳୀରେ ସେମାନେ ବିଭିନ୍ନ ପ୍ରକାର ସାମଗ୍ରୀ ପହଞ୍ଚାଇ ଥାଆନ୍ତି । ସାଧାରଣତଃ ସବ୍ଜି ମଣ୍ଡି ରେଳ ଷ୍ଟେସନ ନିକଟବର୍ତ୍ତୀ ଉତ୍ତର କେନ୍ଦ୍ରୀୟ ଦିଲ୍ଲୀର ପ୍ରତାପ ନଗରରୁ ଏସବୁ ସାମଗ୍ରୀ ପଠାଯାଇଥାଏ ।
ଏହି ଦୁଇଟି ଅଞ୍ଚଳ ଭିତରେ ଦୂରତା ପ୍ରାୟ ଛଅ କିଲୋମିଟର, ପରିବହନକାରୀମାନେ ଏଠାକୁ ଟ୍ରେନ୍ଓ ଟ୍ରକ୍ରେ ମାଲପତ୍ର ଆଣନ୍ତି ଏବଂ ଆଖପାଖର ବିଭିନ୍ନ ଅଞ୍ଚଳକୁ ନେବା ଲାଗି ବଳଦଗାଡ଼ି ଭଡ଼ାରେ ନିଅନ୍ତି । ଲୁଧିଆନାରୁ ସାଇକେଲ ପାର୍ଟ୍ସ, ଆଗ୍ରାରୁ ଜୋତା, ପଞ୍ଜାବ ଓ ମଧ୍ୟ ପ୍ରଦେଶରୁ ଗହମ ଏବଂ ଦକ୍ଷିଣ ଭାରତରୁ ମୋଟରଗାଡ଼ି ପାର୍ଟ୍ସ ଭଳି ଜିନିଷପତ୍ର ବଳଦଗାଡ଼ିରେ ବୁହାଯାଏ ।
ଜିନିଷପତ୍ର ବୋଝେଇ ଏବଂ ଖଲାସ କରିବା କାମ ବି ବଳଦଗାଡ଼ି ଚାଳକମାନେ କରିଆଥାନ୍ତି । ୨୩ ବର୍ଷୀୟ ବିକାଶ କହନ୍ତି, “ଟେମ୍ପୋରେ ମାଲ୍ନେବା ପାଇଁ ଥରକୁ ୧,୦୦୦ ଟଙ୍କା ଲାଗେ । ବଳଦଗାଡ଼ିରେ ଶସ୍ତା ପଡ଼େ, ନହେଲେ କିଏ କାହିଁକି ଏହାକୁ ଖୋଜିବେ । ଆମେ ଦିନ ଭିତରେ ଦୁଇ ଥର ଜିନିଷପତ୍ର ନିଆଅଣା କରୁ ଏବଂ ଦିନକୁ ୮୦୦-୯୦୦ ଟଙ୍କା ରୋଜଗାର କରୁ ।”
ସେମାନଙ୍କ ଗୋଦାମରୁ ଆଖପାଖ ବଜାରରେ ଥିବା ବିଭିନ୍ନ ଦୋକାନରେ ଜିନିଷପତ୍ର ପହଞ୍ଚାଇବା ପାଇଁ ପରିବହନକାରୀମାନେ ବଳଦଗାଡ଼ି ଭଡ଼ାରେ ନିଅନ୍ତି । ଏବଂ ଅନେକ ଦୋକାନୀ ମଧ୍ୟ ସେମାନଙ୍କ ପଣ୍ୟ ସାମଗ୍ରୀକୁ ସହରର ଅନ୍ୟାନ୍ୟ ଅଞ୍ଚଳରେ ପହଞ୍ଚାଇବା ଲାଗି ବଳଦଗାଡ଼ିକୁ କାମରେ ଲଗାନ୍ତି ।
ଯଦିଓ ଦିଲ୍ଲୀ ପୋଲିସର କଟକଣା ଯୋଗୁଁ କେବଳ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବଳଦଗାଡ଼ି ଚଳାଚଳ କରୁଛି, ୨୭ ବର୍ଷୀୟ ଲକ୍ଷ୍ମଣ କହନ୍ତି, ଆଉ ଅନ୍ୟ କିଛି କଡ଼ା ନିୟମ ନାହିଁ । “ଆମେ ପର୍ମିଟ୍ଦରକାର କରୁନାହିଁ କି ଟ୍ରାଫିକ୍ପୋଲିସକୁ କୌଣସି ଚାଲାଣ (ଜୋରିମାନା ଟିକଟ) ପଇଠ କରୁନାହିଁ । ସେଥିପାଇଁ ଆମେ ଏହାକୁ ବ୍ୟବହାର କରୁ।”
କମଲା ମାର୍କେଟ୍ରୁ ପ୍ରାୟ ଚାରି କିଲୋମିଟର ଦୂର, ଜନଗହଳିପୂର୍ଣ୍ଣ ମୋତିୟା ଖାନ୍ରେ, ବିକାଶ ଓ ଲକ୍ଷ୍ମଣଙ୍କ (ଯେଉଁମାନେ ଉପରର କଭର୍ଚିତ୍ରରେ ରହିଛନ୍ତି) ବଳଦ ସହିତ ଅନ୍ୟମାନଙ୍କ ବଳଦ ବି ଅଣଓସାରିଆ ଗଳି ରାସ୍ତା ସାରା ଠିଆ ହୋଇଥାଆନ୍ତି । କେନ୍ଦ୍ରୀୟ ଦିଲ୍ଲୀର ପାହାଡ଼ ଗଞ୍ଜ ଅଞ୍ଚଳର ଏହି ଇଲାକାରେ ଅନେକ ବଳଦଗାଡ଼ି ମାଲିକ ରହନ୍ତି । ସହର ଭିତରେ ଚଳାଚଳ କରୁ ନଥିବା ସମୟରେ ବଳଦଗାଡ଼ିଗୁଡ଼ିକ ଏଠାକାର ଫୁଟ୍ପାଥ୍ରେ ରଖାଯାଇଥାଏ । ସେଗୁଡ଼ିକର ଚାଳକମାନେ ବିଶ୍ରାମ ନେଉଥାଆନ୍ତି, ଗପସପ କରୁଥାଆନ୍ତି, କିମ୍ବା ସେମାନଙ୍କ ଗୋରୁମାନଙ୍କୁ ଖୁଆଉଥାଆନ୍ତି ।
ସେମାନଙ୍କ ମଧ୍ୟରେ ଅଛନ୍ତି ଭୋଲୁ ସିଂହ, ଯିଏକି ୧୨ ବର୍ଷ ବୟସରୁ ହିଁ ବଳଦଗାଡ଼ି ଚଳାଇବା ଆରମ୍ଭ କରିଥିଲେ । ସେ କହନ୍ତି,“ମୁଁ କେବେହେଲେ ସ୍କୁଲ ଯାଇନାହିଁ । ନିଜେ ନିଜେ ବଳଦଗାଡ଼ି ଚଳାଇବା ପୂର୍ବରୁ ମୁଁ ମୋ ବାପାଙ୍କ ସାଙ୍ଗରେ ତାଙ୍କ ବଳଦଗାଡ଼ିରେ ବସି ଯା’ଆସ କରୁଥିଲି । ଦିନେ ସେ ମୋତେ ସଦର ବଜାରକୁ (ପାହାଡ଼ ଗଞ୍ଜରେ) କିଛି ଜିନିଷପତ୍ର ନେଇ ଯିବାକୁ କହିଲେ ଏବଂ ତା’ ପରଠାରୁ ମୁଁ ଆଉ ଅଟକି ଯାଇନାହିଁ ।” ଏବେ ସେ ତିନିଟି ବଳଦଗାଡ଼ି, ତିନିଟି ବଳଦ ଓ ଗୋଟିଏ ବାଛୁରୀର ମାଲିକ ।
ମୋତିୟା ଖାନ୍ରେ ଜନ୍ମ ନେଇଥିବା ୬୪ ବର୍ଷର ଭୋଲୁ ପୁରୁଣା ଦିନକୁ ମନେ ପକାନ୍ତି । ରାଜସ୍ଥାନର ଚିତୋରଗଡ଼ ଅଞ୍ଚଳରୁ ତାଙ୍କ ଜେଜେବାପା ଓ ଜେଜେମାଆ ଦିଲ୍ଲୀକୁ ଆସିବା ସମୟରେ ତାଙ୍କ ବାପା ପ୍ରାୟ ୧୨ ବର୍ଷ ବୟସର ଥିଲେ । ଭୋଲୁଙ୍କ ଜେଜେବାପା ଗାଁର କେତେକ ସଂପତ୍ତି ବିକି ବଳଦଗାଡ଼ିଟିଏ କିଣିଲେ ଏବଂ ସହରରେ ଜୀବିକା ଅର୍ଜନ ଲାଗି ସେଇ ବଳଦଗାଡ଼ିରେ ଆସି ଦିଲ୍ଲୀରେ ପହଞ୍ଚିଥିଲେ ।
ବିକାଶ ଓ ଲକ୍ଷ୍ମଣଙ୍କ ଭଳି ଭୋଲୁ ମଧ୍ୟ ପ୍ରତି ଦିନ ତାଙ୍କ ବଳଦଗାଡ଼ିରେ ଦୁଇ ଥର ଜିନିଷପତ୍ର ନିଆଅଣା କରନ୍ତି । ଅଧିକାଂଶ ସମୟରେ କେନ୍ଦ୍ରୀୟ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସେ ପ୍ରତି ଦିନ ୭ରୁ୧୦ କିଲୋମିଟର ବାଟ ଯିବା ଆସିବା କରନ୍ତି । ଯାନବାହନ ଭିଡ଼କୁ ହିସାବ କଲେ ଗୋଟିଏ ପଟ ବାଟ ଅତିକ୍ରମ କରିବା ଲାଗି ତାଙ୍କୁ ୪୫ରୁ୬୦ ମିନିଟ୍ଲାଗେ ଏବଂ ସେ ମଧ୍ୟ ଦିନକୁ ୮୦୦-୯୦୦ ଟଙ୍କା ରୋଜଗାର କରନ୍ତି । ଶୀତଦିନେ ସେ ଅଧିକ ଗୋଟିଏ ଥର ଯା’ଆସ କରିବାକୁ ଚେଷ୍ଟା କରନ୍ତି । କାରଣ, ଥଣ୍ଡାରେ ବଳଦଗୁଡ଼ିକ ଶୀଘ୍ର ଥକି ଯାଆନ୍ତି ନାହିଁ । ଏଥିରୁ ତାଙ୍କୁ ଆଉ ୩୦୦-୬୦୦ ଟଙ୍କା ମିଳିଯାଏ । ସେ କହନ୍ତି, “କିନ୍ତୁ ମୁଁ ପଇସାଟିଏ ସଞ୍ଚୟ କରିପାରିନାହିଁ । ଅଧା ବଳଦଙ୍କ ଦେଖାରଖାରେ ଖର୍ଚ୍ଚ ହୋଇଯାଏ, ଆଉ ବାକିତକ ଆମର ନିତିଦିନିଆ ଆବଶ୍ୟକତା ମେଣ୍ଟାଇବାରେ ଲାଗେ ।”
ମୋତିୟା ଖାନ୍ରେ ଭୋଲୁଙ୍କର ଗୋଟିଏ ଘର ଅଛି, ଯାହାକୁ ସେ ନିଜ ସଞ୍ଚିତ ଅର୍ଥରୁ ୩୦ ବର୍ଷ ତଳେ ତିଆରି କରିଥିଲେ । କିନ୍ତୁ ତାଙ୍କ ବଳଦ ନିକଟରେ ରହିବା ଲାଗି ସେ ଫୁଟ୍ପାଥରେ ଟିଣ ଓ ପାଲରେ ତିଆରି ବଖୁରିକିଆ କୁଡ଼ିଆରେ ରହନ୍ତି । ବଳଦମାନଙ୍କର ଯତ୍ନ ନେବା ଲାଗି ତାଙ୍କ ୬୦ ବର୍ଷୀୟା ସ୍ତ୍ରୀ କମଲା ବାଇ ବି ସେଠାରେ ରହନ୍ତି । ତାଙ୍କ ତିନି ପୁଅଙ୍କର ବୟସ ୩୦ ବର୍ଷରୁ ଅଧିକ ଏବଂ ସେମାନେ ବିବାହ କରିବା ପରେ ଅଧିକ ଟଙ୍କା ରୋଜଗାର କରିବାକୁ ବଳଦଗାଡ଼ି ଚଳାଇବା ଛାଡ଼ି ଦେଇଛନ୍ତି । ସେମାନେ ଏବେ ଦିନ ମଜୁରିଆ ଭାବେ କୋଠା ନିର୍ମାଣସ୍ଥଳୀରେ, ପାହାଡ଼ ଗଞ୍ଜ ଓ ସାହାଦରାର ରିସାଇକ୍ଲିଂ ଫ୍ୟାକ୍ଟରୀରେ କିମ୍ବା ମାଲ୍ବୋଝିଆ ଭାବରେ କାମ କରନ୍ତି । ପରିବାର ସହିତ ସେମାନେ ସମସ୍ତେ ଭୋଲୁ ତିଆରି କରିଥିବା ଘରେ ଏକାଠି ରହନ୍ତି ।
ମୋତିୟା ଖାନ୍ର ଅନ୍ୟ ଯୁବକମାନେ ବି ସେମାନଙ୍କ ବାପାଙ୍କ ପଥଅନୁସରଣ କରନ୍ତି । ଏହିପରି ଜଣେ ତୃତୀୟ ପିଢ଼ିର ବାହକ ହେଲେ ୧୮ବର୍ଷର କଲ୍ଲୁ କୁମାର, ଯେ କି ସ୍କୁଲ ପାଠ ଅଧାରୁ ଛାଡ଼ି ବଳଦଗାଡ଼ି ଚଳାଉଛନ୍ତି । ସେ କହନ୍ତି, “ମୁଁ ଯେତେବେଳେ ପାଠ ପଢୁଥିଲି, ସ୍କୁଲରୁ ଆସିବା ପରେ ବାପାଙ୍କ ସହ ଜିନିଷପତ୍ର ପହଞ୍ଚାଇବାକୁ ଯାଉଥିଲି ଏବଂ ଆମ ବଳଦର ଦେଖାରଖା କରୁଥିଲି।”୧୦ମ ଶ୍ରେଣୀ ପାସ୍କରି ନପାରି କଲ୍ଲୁ ସ୍କୁଲ ଛାଡ଼ିଥିଲେ । କଥା ଯୋଡ଼ି ସେ କହନ୍ତି, “ମୋତେ ସ୍କୁଲକୁ ପଠାଇବା ପାଇଁ ଆମ ପରିବାର ପାଖରେ ପଇସା ନଥିବାରୁ ମୁଁ ମୋ ବାପାଙ୍କ ବଳଦଗାଡ଼ି ଚଳାଇବା ଆରମ୍ଭ କଲି । ଏବେ ମୁଁ ଦିନକୁ ହାରାହାରି ୫୦୦-୬୦୦ ଟଙ୍କା ରୋଜଗାର କରୁଛି ।”
ଅଧାରୁ ସ୍କୁଲ ଛାଡ଼ିଥିବାରୁ କଲ୍ଲୁ ମନଦୁଃଖ କରନ୍ତି ନାହିଁ । ସେ କହନ୍ତି, “ମୁଁ ଟଙ୍କା ରୋଜଗାର କରେ, ଆଉ ମୋ ପରିବାର ଏଥିରେ ଖୁସି । ମୁଁ ମୋ ବାପାଙ୍କ ପଦାଙ୍କ ଅନୁସରଣ କଲି ଏବଂ ବଳଦଗାଡ଼ି ଚଲାଇଲି’’ । କଲ୍ଲୁଙ୍କ ୨୨ ବର୍ଷ ବୟସ୍କ ଭାଇ ସୁରେଶ ବି ବଳଦଗାଡ଼ି ଚଲାନ୍ତି ଏବଂ ୮ମ ଶ୍ରେଣୀରେ ପଢୁଥିବା ସେମାନଙ୍କର ୧୪ ବର୍ଷୀୟ ଭାଇ ଚନ୍ଦନ ବି ବେଳେବେଳେ ସେମାନଙ୍କ ସହ ଯୋଗ ଦିଅନ୍ତି ।”
କଲ୍ଲୁଙ୍କ ଘରଠାରୁ ଅଳ୍ପ ଦୂରରେ ରହନ୍ତି, ଦୁଇଟି ବଳଦଗାଡ଼ି ଓ ଦୁଇଟି ବଳଦର ମାଲିକ ବିଜୟ କୁମାର ସିଂହ । ତାଙ୍କ ପିଲାମାନେ ଆଉ ଅନ୍ୟ ପନ୍ଥା ବାଛି ନିଅନ୍ତୁ ବୋଲି ସେ ଚାହାଁନ୍ତି । ତାଙ୍କ ୧୧ ବର୍ଷର ପୁଅ ରାଜେଶ ଉପରେ ନଜର ପକାଇ ସେ କହନ୍ତି, “ମୁଁ ତାକୁ ସ୍କୁଲକୁ ପଠାଉଛି ଏବଂ ତା’ର ପାଠପଢ଼ା ପାଇଁ ମୋର ସବୁକିଛି ଦେଇଦେବି । ମୋ ବାପାଙ୍କର ବେଶୀ ସମ୍ବଳ ନ ଥିଲା । କିନ୍ତୁ ମୁଁ ବଳଦଗାଡ଼ି ଚଲାଇ ତା ପାଇଁ ଚେଷ୍ଟା କରିବି ।” ରାଜେଶ ଓ ତା’ର ଆଠ ବର୍ଷର ଭାଇ ସୁରେଶ ପାହାଡ଼ ଗଞ୍ଜର ସରକାରୀ ସ୍କୁଲରେ ପଢ଼ନ୍ତି ।
ବିଜୟଙ୍କୁ ଏବେ ୩୨ ବର୍ଷ । ବଳଦଗାଡ଼ି ଚାଳନା ଆରମ୍ଭ କରିବା ସମୟରେ ତାଙ୍କୁ ଅତି ବେଶୀରେ ୧୨ ବର୍ଷ ବୟସ ହୋଇଥିଲା । ବେଗୁନ ତହସିଲର ଦୌଲତପୁରା ଗାଁରେ ତାଙ୍କ ମାମୁଙ୍କ ଚାଷଜମି ବିଷୟ ବର୍ଣ୍ଣନା କରି ସେ କହନ୍ତି, “ଆମେ ସହରରେ ରହୁ ସତ, ହେଲେ ଆମର ସେଇ ପାରମ୍ପରିକ ଉପାୟରେ ରୋଜଗାର କରୁ । ଚିତୋରଗଡ଼ରେ ମୋ ମାମୁ ଚାଷକାମ ପାଇଁ ଗୋଟିଏ ବଳଦ ରଖିଥିଲେ । କିନ୍ତୁ ଏବେ ସେ ବି ଟ୍ରାକ୍ଟର ବ୍ୟବହାର କରୁଛନ୍ତି ।” ଆଉ ଅଧିକ ଦକ୍ଷତା ଲୋଡୁଥିବା ଜୀବିକାରୁ ତାଙ୍କ ପରିବାରକୁ ଆଉ ଅଧିକ ଟଙ୍କା ମିଳିଥାଆନ୍ତା ବୋଲି କହି ସେ କଥା ଯୋଡ଼ନ୍ତି:“ଆମେ ଜାଣିଛୁ ପରମ୍ପରା ସହ ବଞ୍ଚିବାକୁ ହେଲେ କେତେ ମୂଲ୍ୟ ଦେବାକୁ ପଡ଼େ । କିନ୍ତୁ ଆମେ ଆମ ବଳଦମାନଙ୍କୁ ଭଲପାଉ । ସେମାନେ ହିଁ ଆମ ପରିବାର ।”
ବିଜୟ ଓ ତାଙ୍କର ୩୦ ବର୍ଷୀୟ ପତ୍ନୀ ସୁମନ,ଉଭୟ ସେମାନଙ୍କ ବଳଦମାନଙ୍କର ଯତ୍ନ ନିଅନ୍ତି । ପ୍ରତିଦିନ ସକାଳେ, ଅପରାହ୍ଣରେ ଏବଂ ସନ୍ଧ୍ୟାରେ ବଳଦମାନଙ୍କୁ ଗହମ କି ଚାଉଳର ଚୋକଡ଼ ଏବଂ ଚଣାରକୁଟା ଖାଇବାକୁ ଦିଆଯାଏ । ଖରାଦିନେ, ଅଧିକ ଗରମ ସମ୍ଭାଳିବା ପାଇଁ ଏବଂ ଶକ୍ତି ଆହରଣ ପାଇଁ ଖାଦ୍ୟ ସହିତ ବଳଦମାନଙ୍କୁ ଗୁଡ଼, କ୍ଷୀର, ଲହୁଣି ଏବଂ ଅଁଳାର ମୁରୁବା ଦିଆଯାଏ ।
ବଳଦଗାଡ଼ି ମାଲିକମାନେ କହନ୍ତି, ଅନେକ ସମୟରେ ବିଭିନ୍ନ ମନ୍ଦିର ଟ୍ରଷ୍ଟ ଏବଂ ଧାର୍ମିକ ସଂଗଠନ ଦ୍ଵାରା ପରିଚାଳିତ ଗୋଶାଳା ପକ୍ଷରୁ ସହାୟତା ଆକାରରେ ପ୍ରାଣୀମାନଙ୍କୁ ଖାଦ୍ୟ କିମ୍ବା ଔଷଧ ଦିଆଯାଇଥାଏ । ହେଲେ, ସେମାନେ କେବଳ ଗାଈମାନଙ୍କୁ ଆଶ୍ରୟ ଦେଇଥାଆନ୍ତି । ତେଣୁ ବଳଦକୁ ୧୭ କି ୧୮ ବର୍ଷ ହେଲା ପରେ ଅନେକ ବଳଦଗାଡ଼ି ମାଲିକ ସେମାନଙ୍କୁ ହରିୟାଣା ଏବଂ ଉତ୍ତର ପ୍ରଦେଶର ଖୋଲା ଜାଗାରେ ଛାଡ଼ି ଦିଅନ୍ତି ଏବଂ କଂସେଇମାନଙ୍କ ନଜର ପଡ଼ିଲେ ସେମାନଙ୍କୁ ନେଇଯାଆନ୍ତି ।
ବିକାଶ କହନ୍ତି, ବଳଦଗାଡ଼ି ମାଲିକମାନେ ଅଳ୍ପ ବୟସର ବଳଦମାନଙ୍କୁ ସେଇ ରାଜ୍ୟଗୁଡ଼ିକରୁ ଏବଂ ରାଜସ୍ଥାନରୁ କିଣନ୍ତି । ବଳଦର ବୟସ ଉପରେ ଦର ନିର୍ଭର କରେ ଏବଂ ବର୍ଷକର ଗୋଟିଏ ବାଛୁରୀ ୧୫,୦୦୦ ଟଙ୍କାର ହୋଇଥିବା ବେଳେ ସାତ ବର୍ଷର ବଳଦର ଦର ୪୦,୦୦୦ରୁ୪୫,୦୦୦ ଟଙ୍କା ହୋଇଥାଏ ଏବଂ ଏହି ବୟସର ବଳଦ ବେଶୀ କାମରେ ଲାଗନ୍ତି ବୋଲି ଭୋଲୁ ବୁଝାଇ ଦିଅନ୍ତି । ସେମାନେ ସଞ୍ଚିତ ଅର୍ଥରୁ କିମ୍ବା ମାସକୁ ୧.୫ରୁ୨.୫ ପ୍ରତିଶତ ସୁଧ ହାରରେ ପରିବହନ ସଂସ୍ଥାରୁ ଋଣ ନେଇ ବଳଦ କିଣନ୍ତି ।
ଗୋଟିଏ ନୂଆ ବଳଦଗାଡ଼ିର ଦର୫୦,୦୦୦ ଟଙ୍କାରୁ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ବଳଦଗାଡ଼ିର ଡାଲା ବା ଜିନିଷପତ୍ର ରଖିବାକୁ ଡବା ତିଆରି କରିବା ପାଇଁ ମାଲିକମାନେ ପାହାଡ଼ ଗଞ୍ଜ କି ସାହାଦରାର କମାରଙ୍କୁ ବରାଦ ଦିଅନ୍ତି ଏବଂ ସେମାନେ ସ୍ଥାନୀୟ ବଢ଼େଇମାନଙ୍କ ସହ ମିଶି ଆମ୍ବ, ନିମ୍ବ କିମ୍ବା ବବୁଲ ଗଛ କାଠରେ ଏହାକୁ ତିଆରି କରନ୍ତି । ଶିଶୁ ଗଛ କାଠରେ ତିଆରି ଗାଡ଼ିର ମୂଲ୍ୟ ଅଧିକ ହୋଇଥାଏ । ଚକର ବିଅରିଂ ଏବଂ ଅଖ ଲୁହାରେ କିମ୍ବା ଷ୍ଟିଲ୍କି ଆଲୁମିନିୟମ୍ରେ ତିଆରି ହୁଏ । ଲୁହାରେ ତିଆରି କଲେ ଶସ୍ତା ପଡ଼େ । ବେଳେବେଳେ ହରିୟାଣା କି ରାଜସ୍ଥାନରୁ ବଳଦଗାଡ଼ି କିଣା ହୁଏ, ଯେଉଁଠି ଏହା ଶସ୍ତା ପଡ଼େ।
ଭୋଲୁ ଓ ବିକାଶଙ୍କ ଆକଳନ ଅନୁସାରେ ଦିଲ୍ଲୀରେ ୪୫୦ରୁ୫୦୦ ଯାଏ ବଳଦଗାଡ଼ି ଚଳାଚଳ କରନ୍ତି । କିନ୍ତୁ ଦିଲ୍ଲୀ ଟ୍ରାଫିକ୍ପୋଲିସ ପାଖରେ ଏହାର ରେକର୍ଡ ନାହିଁ, କାରଣ ପ୍ରାଣୀମାନେ ଟାଣୁଥିବା ଗାଡ଼ିଗୁଡ଼ିକର ପଞ୍ଜୀକରଣ ହୁଏ ନାହିଁ ।
ହେଲେ, ମୋଟରଚାଳିତ ଯାନ ସଂଖ୍ୟା ବୃଦ୍ଧି ଯୋଗୁଁ ବଳଦଗାଡ଼ି ମାଲିକମାନଙ୍କର ରୋଜଗାର କମିବାରେ ଲାଗିଛି । ଭୋଲୁ କହନ୍ତି, “ପୂର୍ବରୁ ମୁଁ ଫତେପୁର (ଉତ୍ତର ପ୍ରଦେଶରେ, ପ୍ରାୟ ୫୫୦କିଲୋମିଟର ଦୂର) ପର୍ଯ୍ୟନ୍ତ ଜିନିଷପତ୍ର ନେଉଥିଲି । କିନ୍ତୁ ଏବେ ପରିବହନକାରୀମାନେ ଏଭଳି ଦୂରବର୍ତ୍ତୀ ଜାଗାକୁ ଯିବା ଲାଗି ମିନି ଟ୍ରକ୍କୁ କାମରେ ଲଗାଉଛନ୍ତି । ଏମିତିକି ୪-୫ କିଲୋମିଟର ଦୂର ଯାଏଁ ଜିନିଷପତ୍ର ନେବାକୁ ହେଲେ ସେମାନେ ଚାମ୍ପିଅନ୍(ଏକ ତିନିଚକିଆ ମାଲବାହୀ ଗାଡ଼ି)ରେ ମାଲ ଲଦି ଦେଉଛନ୍ତି ।”
ଅତୀତକୁ ମନେ ପକାଇ ସେ କହନ୍ତି ଯେ ୧୯୯୦ ଦଶକରେ ସେ ଦିନକୁ ମାତ୍ର ୭୦ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ କାମ ଖୋଜି ଯିବାକୁ ପଡୁ ନଥିଲା । ବିନା କଟକଣାରେ ସେ ସାରା ସହରର ରାସ୍ତାରେ ବୁଲିପାରୁଥିଲେ । ସେ କହନ୍ତି, “ସେତେବେଳେ ମୁଁ ଖୁସିରେ ଥିଲି । ସବୁଦିନ ମୋତେ କାମ ମିଳୁଥିଲା, କିନ୍ତୁ ଏବେ ମୋତେ ବେଳେବେଳେ ଘରେ ବସି ରହିବାକୁ ପଡୁଛି ।”
ସେତେବେଳକୁ ସନ୍ଧ୍ୟା ନଇଁଆସୁଥିଲା, ଏବଂ ବିଜୟ ଓ କଲ୍ଲୁ ସେମାନଙ୍କ ବଳଦମାନଙ୍କୁ ବାନ୍ଧି ଗୋଟିଏ ବଳଦଗାଡ଼ିରେ ବସିଥିବା ଭୋଲୁ ଓ ଅନ୍ୟ ଦୁଇ ଜଣ ବାହକଙ୍କ ସହ ସାମିଲ ହେଉଥିଲେ । ଭୋଲୁ ବିଡ଼ିଟିଏ ଜଳାନ୍ତି ଏବଂ ପୁରୁଣା ଦିନର କଥା ମନେ ପକାଇ କହନ୍ତି, “ମୋ ଚାରିପଟେ ବଳଦଗାଡ଼ିକୁ ଦେଖି ଦେଖି ମୁଁ ବଡ଼ ହୋଇଛି । ମୁଁ ଚାହୁଁଛି, ଅତି କମ୍ରେ ମୋ ନାତିନାତୁଣୀମାନେ ବି ଏହି ବଳଦଗାଡ଼ିକୁ ଦେଖନ୍ତୁ ।” ଅନ୍ୟମାନେ ନିରବରେ ମୁଣ୍ଡ ଟୁଙ୍ଗାରୁଥିଲେ ।
ଅନୁବାଦ: ଓଡ଼ିଶାଲାଇଭ୍