ବିକାଶ ଯାଦବ ଓ ଲକ୍ଷ୍ମଣ ସିଂହ ନିଜ ନିଜର ବଳଦଗାଡ଼ି ଚଳାଇ କମଲା ମାର୍କେଟ ପହଞ୍ଚିବା ବେଳକୁ ଦିପହରର ଖରା ନଇଁ ଆସିଥିଲା । ପ୍ରାୟ ସବୁଦିନ, ନୂଆଦିଲ୍ଲୀ ରେଳ ଷ୍ଟେସନ ନିକଟ ସେଇ ବ୍ୟସ୍ତବହୁଳ ମାଲ ପରିବହନର କେନ୍ଦ୍ରସ୍ଥଳୀରେ ସେମାନେ ବିଭିନ୍ନ ପ୍ରକାର ସାମଗ୍ରୀ ପହଞ୍ଚାଇ ଥାଆନ୍ତି । ସାଧାରଣତଃ ସବ୍ଜି ମଣ୍ଡି ରେଳ ଷ୍ଟେସନ ନିକଟବର୍ତ୍ତୀ ଉତ୍ତର କେନ୍ଦ୍ରୀୟ ଦିଲ୍ଲୀର ପ୍ରତାପ ନଗରରୁ ଏସବୁ ସାମଗ୍ରୀ ପଠାଯାଇଥାଏ ।
ଏହି ଦୁଇଟି ଅଞ୍ଚଳ ଭିତରେ ଦୂରତା ପ୍ରାୟ ଛଅ କିଲୋମିଟର, ପରିବହନକାରୀମାନେ ଏଠାକୁ ଟ୍ରେନ୍ଓ ଟ୍ରକ୍ରେ ମାଲପତ୍ର ଆଣନ୍ତି ଏବଂ ଆଖପାଖର ବିଭିନ୍ନ ଅଞ୍ଚଳକୁ ନେବା ଲାଗି ବଳଦଗାଡ଼ି ଭଡ଼ାରେ ନିଅନ୍ତି । ଲୁଧିଆନାରୁ ସାଇକେଲ ପାର୍ଟ୍ସ, ଆଗ୍ରାରୁ ଜୋତା, ପଞ୍ଜାବ ଓ ମଧ୍ୟ ପ୍ରଦେଶରୁ ଗହମ ଏବଂ ଦକ୍ଷିଣ ଭାରତରୁ ମୋଟରଗାଡ଼ି ପାର୍ଟ୍ସ ଭଳି ଜିନିଷପତ୍ର ବଳଦଗାଡ଼ିରେ ବୁହାଯାଏ ।
ଜିନିଷପତ୍ର ବୋଝେଇ ଏବଂ ଖଲାସ କରିବା କାମ ବି ବଳଦଗାଡ଼ି ଚାଳକମାନେ କରିଆଥାନ୍ତି । ୨୩ ବର୍ଷୀୟ ବିକାଶ କହନ୍ତି, “ଟେମ୍ପୋରେ ମାଲ୍ନେବା ପାଇଁ ଥରକୁ ୧,୦୦୦ ଟଙ୍କା ଲାଗେ । ବଳଦଗାଡ଼ିରେ ଶସ୍ତା ପଡ଼େ, ନହେଲେ କିଏ କାହିଁକି ଏହାକୁ ଖୋଜିବେ । ଆମେ ଦିନ ଭିତରେ ଦୁଇ ଥର ଜିନିଷପତ୍ର ନିଆଅଣା କରୁ ଏବଂ ଦିନକୁ ୮୦୦-୯୦୦ ଟଙ୍କା ରୋଜଗାର କରୁ ।”
ସେମାନଙ୍କ ଗୋଦାମରୁ ଆଖପାଖ ବଜାରରେ ଥିବା ବିଭିନ୍ନ ଦୋକାନରେ ଜିନିଷପତ୍ର ପହଞ୍ଚାଇବା ପାଇଁ ପରିବହନକାରୀମାନେ ବଳଦଗାଡ଼ି ଭଡ଼ାରେ ନିଅନ୍ତି । ଏବଂ ଅନେକ ଦୋକାନୀ ମଧ୍ୟ ସେମାନଙ୍କ ପଣ୍ୟ ସାମଗ୍ରୀକୁ ସହରର ଅନ୍ୟାନ୍ୟ ଅଞ୍ଚଳରେ ପହଞ୍ଚାଇବା ଲାଗି ବଳଦଗାଡ଼ିକୁ କାମରେ ଲଗାନ୍ତି ।
ଯଦିଓ ଦିଲ୍ଲୀ ପୋଲିସର କଟକଣା ଯୋଗୁଁ କେବଳ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବଳଦଗାଡ଼ି ଚଳାଚଳ କରୁଛି, ୨୭ ବର୍ଷୀୟ ଲକ୍ଷ୍ମଣ କହନ୍ତି, ଆଉ ଅନ୍ୟ କିଛି କଡ଼ା ନିୟମ ନାହିଁ । “ଆମେ ପର୍ମିଟ୍ଦରକାର କରୁନାହିଁ କି ଟ୍ରାଫିକ୍ପୋଲିସକୁ କୌଣସି ଚାଲାଣ (ଜୋରିମାନା ଟିକଟ) ପଇଠ କରୁନାହିଁ । ସେଥିପାଇଁ ଆମେ ଏହାକୁ ବ୍ୟବହାର କରୁ।”










