‘‘ଯମୁନା ସହିତ ଆମର ସମ୍ପର୍କ ରହିଛି। ଆମେ ସବୁବେଳେ ନଦୀ ପାଖରେ ରହି ଆସିଛୁ।
ନଦୀ ସହିତ ତାଙ୍କ ପରିବାରର ସମ୍ପର୍କକୁ ନେଇ ବିଜେନ୍ଦର ସିଂ ଏହା କୁହନ୍ତି। ସେମାନେ ମଲ୍ଲାହ (କେଉଟ) ସମ୍ପ୍ରଦାୟର ଲୋକ, ସେମାନେ ବହୁ ପିଢ଼ି ଧରି ଦିଲ୍ଲୀର ଯମୁନା ନଦୀ ତଟବର୍ତ୍ତୀ ସମତଳ ଭୂମି ନିକଟରେ ରହିବା ସହିତ ଚାଷ କରି ଆସୁଛନ୍ତି। ଜାତୀୟ ରାଜଧାନ କ୍ଷେତ୍ର ଦେଇ ୨୨ କିଲୋମିଟର ପର୍ଯ୍ୟନ୍ତ ଯମୁନା ନଦୀ ପ୍ରବାହିତ ହୋଇଛି ଏବଂ ଏଠାରେ ୯୭ ବର୍ଗ କିଲୋମଟରର ତଟବର୍ତ୍ତୀ ସମତଳ ଭୂମି ରହିଛି ।
ବିଜେନ୍ଦରଙ୍କ ଭଳି ୫,୦୦୦ରୁ ଅଧିକ ଚାଷୀଙ୍କ ପାଖରେ ଜମି ପଟ୍ଟା ଥିଲା ଯାହାକି ସେମାନଙ୍କୁ ୯୯ ବର୍ଷର ମାଲିକାନା ପ୍ରଦାନ କରିଥିଲା।
ଏହା ଥିଲା ଏଠାକୁ ବୁଲଡୋଜର ଆସିବା ପୂର୍ବର ଘଟଣା।
ଜାନୁଆରୀ ୨୦୨୦ର ହାଡ଼ଭଙ୍ଗା ଶୀତ ସମୟରେ, ମହାନଗର କର୍ତ୍ତୃପକ୍ଷ ସେମାନଙ୍କ ଫଳନ୍ତି ଫସଲ ଥିବା ଜମି ଉପରେ ବୁଲଡୋଜର ଚଢ଼ାଇ ଦେଇଥିଲେ। ଏକ ପ୍ରସ୍ତାବିତ ଜୈବ ବିବିଧତା ପାର୍କ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ବିଜେନ୍ଦର ନିଜ ପରିବାରକୁ ନେଇ ଗୀତା କଲୋନୀର ଏକ ଭଡ଼ା ଘରକୁ ଚାଲି ଯାଇଥିଲେ। ତାଙ୍କ ଭଳି ଏଠାକାର ଶହ ଶହ ଚାଷୀଙ୍କୁ ଏପରି କରିବାକୁ ପଡ଼ିଥିଲା। ସେମାନଙ୍କ ବାସସ୍ଥାନ ରାଜଧାନୀର ଐତିହାସିକ ଲାଲକିଲ୍ଲାଠାରୁ ମାତ୍ର ଅଳ୍ପ ଦୂରରେ ରହିଛି।
ରାତାରାତି ଏହି ୩୮ ବର୍ଷୀୟ ଚାଷୀ ନିଜର ଜୀବିକା ହରାଇଥିଲେ ଏବଂ ପରିବାର ପ୍ରତିପୋଷଣ ପାଇଁ ତାଙ୍କୁ ସହର ଭିତରକୁ ଯିବାକୁ ପଡ଼ିଥିଲା। ପରିବାରରେ ତାଙ୍କ ପତ୍ନୀ ଓ ତିନି ପୁଅ ଅଛନ୍ତି ଯେଉଁମାନଙ୍କ ବୟସ ୧୦ ବର୍ଷରୁ କମ୍। କେବଳ ସେ ଏକାକୀ ନୁହନ୍ତି। ତାଙ୍କ ଭଳି ଅନ୍ୟ ଯେଉଁମାନଙ୍କୁ ନିଜ ଜମି ଓ ଜୀବିକାରୁ ବିସ୍ଥାପିତ କରାଯାଇଥିଲା ସେମାନେ ମେଟ୍ରୋ ଷ୍ଟେସନରେ ରଙ୍ଗ ମିସ୍ତ୍ରୀ, ମାଳି, ସୁରକ୍ଷା କର୍ମୀ ଓ ଝାଡ଼ୁଦାର କାମ ପାଇବାକୁ ସଂଘର୍ଷ କରୁଛନ୍ତି।
‘‘ଯଦି ଆପଣ ଲୋହାପୁଲଠାରୁ ଆଇଟିଓ ପର୍ଯ୍ୟନ୍ତ ରାସ୍ତାକୁ ଦେଖନ୍ତି ତା’ହେଲେ କଚୋଡ଼ି ବିକ୍ରେତାଙ୍କ ସଂଖ୍ୟା ବଢ଼ିଯାଇଥିବା ଲକ୍ଷ୍ୟ କରିବେ। ଏମାନେ ସମସ୍ତେ ଚାଷୀ। ସେମାନଙ୍କ ଜମି ଚାଲିଯିବା ପରେ, ଜଣେ ଚାଷୀ କ’ଣ କରିପାରିବ?’’ ସେ ପ୍ରଶ୍ନ କରିଥାନ୍ତି।










